Unknown

 

 

 

 

 

 

 

 

 

 

 

କାହାଣୀ ୧୯୯୮

କୃପାସାଗର ସାହୁ

 

ସୂଚୀପତ୍ର

 

୧.

କମଳା

୨.

ଅନ୍ୟ ଏକ ଦ୍ରୌପଦୀ

୩.

ଧନ୍ୟବାଦ ଭାରତ

୪.

ଭଅଁର

୫.

ଚଢ଼େଇ

୬.

ରୂପଜୀବୀ

୭.

ତ୍ରିଧାରା

୮.

ଚାକିରି

୯.

ନିଥର ହ୍ରଦ: ନିର୍ବାକ ପର୍ବତ

୧୦.

ଗଡ଼ଜୟ

୧୧.

ଛାଡ଼ଖାଇ

୧୨.

ସାବ୍‌ଜାସିଝୁବଣ

୧୩.

ଝଡ଼ ଓ ଝାଉଁବଣ

୧୪.

ହାକିମଙ୍କ ଝିଅ

୧୫.

ସୁଡ଼ଙ୍ଗ

୧୬.

ଭୁଜଙ୍ଗ

Image

 

କାହାଣୀର କାହାଣୀ

 

ପିଲାଦିନରୁ କବି ହେବାପାଇଁ ବାସନା ଜାଗିଥିଲା । ସେହି ସମୟରୁ ଅନେକ କବିତା ଲେଖିଛି ମଧ୍ୟ । କଲେଜକୁ ଆସିଲା ପରେ ଏକାଧାରରେ କବିତା ଓ କାହାଣୀ ଦୁଇଟି ବିଭାଗରେ କଲମ ଚାଳନା କଲି । କିନ୍ତୁ କବିତା ଲେଖିଲାବେଳେ ନଈ ସୁଅରେ ବହିଗଲା ଭଳି ଲାଗିଲା ବେଳେ ଗପ ଲେଖିବା ଏକ ତୀଖପାହାଡ଼ଚଢ଼ିବା ଭଳି ଲାଗୁଥିଲା । ସେଥିପାଇଁ ବେଶୀ ଗପ ଲେଖି ହେଉନଥିଲା । ମୋର ପ୍ରଥମ ସୃଷ୍ଟି ହିଁ କବିତା ସଂକଳନ ଭାବେ ଆତ୍ମପ୍ରକାଶ କଲା ।

 

ପ୍ରଥମ କବିତା ସଙ୍କଳନ ‘ଉପରେ ଫର୍ଚ୍ଚା ଆକାଶ’ ବହି ଧରି ଜଣେ ଲେଖକ ବନ୍ଧୁଙ୍କ ପାଖକୁ ଭେଟି ଦେବାକୁ ଯାଇଥିଲି । ସେ ବନ୍ଧୁଜଣକ କେତୋଟି କବିତା ଉପରେ ଆଖି ବୁଲେଇ କହିଲେ“ଆପଣ କାହାଣୀ ଲେଖୁ ନାହାନ୍ତି କାହିଁକି ? ଆପଣ ତ ରେଲେୱ ବିଭାଗରେ କାମ କରନ୍ତି । ସେଠି ଆପଣଙ୍କୁ ଅନେକ କାହାଣୀର ‘ପ୍ଲଟ’ ମିଳିଯିବ । ବଙ୍ଗଳା ଭାଷାରେ ରେଳଗାଡ଼ିକୁକେନ୍ଦ୍ରକରି ଅନେକ କାହାଣୀ ରଚିତ, ଯାହାକି ଓଡ଼ିଆରେ ଦେଖିବାକୁ ମିଳେନା ।’’

 

ମୋର ଉତ୍ସାହଟା ପାଣିଚିଆ ହୋଇଗଲା ତାଙ୍କ ମନ୍ତବ୍ୟ ଶୁଣିଲା ପରେ । ଭାବିଲି, ମୋର କବିତା ବୋଧେ ତାଙ୍କ ମନକୁ ପାଇଲା ନାହିଁ । ସେହି କଥାଟିକୁ ସିଧାସଳଖ ନ କହି ସେ ମୋତେ କାହାଣୀ ରଚନାରେ ମନ ବଳାଇବାକୁ ଅଯାଚିତ ପରାମର୍ଶ ଦେଲେ । କବିତା ଲେଖିବା ବୋଧେ ପ୍ରଥମ ପ୍ରେମ ପରି । ତାକୁ ଆଡ଼ ଆଖିରେ ନ ଚାହିଁ ଚାଲିଯିବା ଅସମ୍ଭବ । ସେଥିପାଇଁ ହତୋତ୍ସାହିତ ନ ହୋଇ କବିତା ରଚନା ଜାରି ରଖିଥିଲି । ଇତି ମଧ୍ୟରେ ଗଳ୍ପ ସଂକଳନଟିଏ ମଧ୍ୟ ପ୍ରକାଶ ପାଇଲା ଏବଂ ତା’ ପରେ ପରେଦ୍ୱିତୀୟ କବିତା ସଂକଳନ ‘ତଳେ ବସୁମାତା’ ପ୍ରକାଶିତ ହେଲା । ଏକାଧାରରେ କାହାଣୀ ଲେଖୁଥିଲେ ମଧ୍ୟ ସେ କାର୍ଯ୍ୟଟି ତଥାପି ତୀଖପାହାଡ଼ଚଢ଼ା ପରି ଲାଗୁଥିଲା ।

 

ସମୟ ଗଡ଼ିଚାଲିଲା । କିଛି ବର୍ଷ ଉତ୍ତାରେ ଏଭଳି ସମୟ ଆସିଲା ଯେ କବିତା ଲେଖିବାକୁ ବସିଲା ବେଳେ କଲମରୁ କାଳି ଶୁଖିଗଲା ଭଳି ଲାଗିଲା । ସତେ ଯେପରି କବିତାର ଭାବଧାରାଗୁଡ଼ିକ କେଉଁ ମରୁଭୂମିର ଡହଡହ ବାଲୁକା ମଧ୍ୟରେ ନିଜର ସତ୍ତା ହଜାଇ ଦେଲେ । ମୋର କବିତାର ଧାଡ଼ିଗୁଡ଼ିକ ମୋତେ ଛିଗୁଲାଇବାକୁ ଲାଗିଲେ । ସେଥିପାଇଁ ଏବେ କେବଳ କାହାଣୀ ରଚନାରେ ମନୋନିବେଶ କରିଛି ।

 

ରେଲେୱର ଚବିଶ ଘଣ୍ଟା କାମ ଭିତରେ ସାହିତ୍ୟ-ସାଧନାର କଣ୍ଠରୋଧ ହୋଇଯିବା ଭଳି ପ୍ରଥମେ ପ୍ରଥମେ ଲାଗୁଥିଲା । ଏକ ପାଶ୍ୱର୍ରେ ନିତିପ୍ରତି ହତ୍ୟା, ଲୁଣ୍ଠନ, ବିଭୀଷିକା, ଦୁର୍ଘଟଣା, ରେଲରୋକୋପ୍ରଭୃତିର ସମ୍ମୁଖୀନ ହୋଇ ଅତିଷ୍ଠ ହେଉଥିବା ବେଳେ ଅନ୍ୟ ପାଶ୍ୱର୍ରେ ମନ୍ତ୍ରୀ, ଉପରିସ୍ଥ ହାକିମମାନଙ୍କର ଅଦଉତି ଏହି ଚାକିରିର ଭାଗ୍ୟ ଏବଂ ଭବିତବ୍ୟ । ତେଣୁ ଏଠି ସୃଜନାତ୍ମକ ରଚନାର ରସ ନିଃଶେଷ ହୋଇଯିବା ଭଳି ଲାଗେ । ସେହି ପରିପ୍ରେକ୍ଷୀରେ କବିତା ଥିଲା ଏକମାତ୍ର ଆଶ୍ୱାସନା । ଏବେ କବିତା ଦୂରେଇ ଗଲାବେଳେ, ସେ ଲେଖକ ବନ୍ଧୁଙ୍କର ଅଯାଚିତ ପରାମର୍ଶ ଆହୁରି ତୁହାଇ ତୁହାଇମନେପଡ଼ିଲା । ରେଲେୱ ପଟ୍ଟଭୂମି ଦେଖାଦେଲା ଏକ ସୁବୃହତ ରଙ୍ଗମଞ୍ଚ ଭାବରେଯେଉଁଠି ପ୍ରତିଦିନ ହଜାର ହଜାର କଳାକାରଙ୍କ ଚେହେରା ଆଖିଆଗରେ ନାଚିଯାଏ । ସେଠି ପ୍ରତିଦିନ ଅନେକ ‘ପ୍ଲଟ’ ଗଢ଼ାହୁଏ ଏବଂ ଭଙ୍ଗା ହୁଏ । ନୂଆ ନୂଆ ଚରିତ୍ରଙ୍କର ଆବିର୍ଭାବ ହୁଏ । ସେମାନଙ୍କର ହସ, କାନ୍ଦରେ ପରିବେଶ ମୁଖରିତ ହୁଏ । ସେମାନଙ୍କର ପ୍ରେମ, ତ୍ୟାଗ, ସଂବେଦନାରେ ବାତାବାରଣ ମହମହ ହୁଏ । ତେଣୁ ଏହି ରଙ୍ଗମଞ୍ଚର ପର୍ଦ୍ଦାରେ ଏକ ଅନ୍ତହୀନ ଚଳଚ୍ଚିତ୍ରର ଅବିଶ୍ରାନ୍ତ ଦୃଶ୍ୟ ଦର୍ଶିତ ହେଉଥାଏ । ସେ ଦୃଶ୍ୟକୁ ସ୍ମୃତିପଟରେ ଧରି ଘଟଣାକ୍ରମରେ ବିନ୍ୟାସ କରି କାହାଣୀର ରୂପଦେବାକୁ ଏକ ଚାଲେଞ୍ଜ ଭାବେ ଗ୍ରହଣ କରିନେଲି ।

 

Practical Story Writing ପୁସ୍ତକରେ ଜନ୍‌ ପାକ୍‌ସଟନ୍‌ ଶେରିଫ୍‌ ଉତ୍ତମ କ୍ଷୁଦ୍ରଗଳ୍ପର ଉପାଦାନ ସମ୍ପର୍କରେ କହିଛନ୍ତି, All stories କ୍କଗ୍ଧst tell of astrଗ୍ଧggle or conflict... If yoଗ୍ଧ write a story in which there is no strggle taking place, your characters will siକ୍କply wander aiକ୍କlessly across pages, doing nothing of iportance, headingnowhere.

 

‘‘ଏହି ଯେଉଁ ସଂଘର୍ଷ କଥା କୁହାଯାଇଛି, ତାହା ମନୁଷ୍ୟ ମନୁଷ୍ୟ ଓ ତା’ର ସ୍ୱକୀୟ ସତ୍ତା ମଧ୍ୟରେ ହୋଇପାରେ । ସଂଘର୍ଷ ବା ସଂଘାତ ଯଦି କାହାଣୀର ଉପାଦାନ ଭାବେ ଅନସ୍ୱୀକାର୍ଯ୍ୟ, ତା’ହେଲେ ସଂଘର୍ଷର ପ୍ରକୃଷ୍ଟ ସ୍ଥଳ ରେଲେୱ ବ୍ୟତିରେକ ଆଉ କ’ଣ ହୋଇପାରେ ? ଏହା ହୃଦବୋଧ ହେବାପରେ ମୁଁ ରେଲେୱ ଜୀବନ ଉପରେ ଅନେକ କାହାଣୀ ଲେଖିଛି । ସେଥିରୁ କେତୋଟି ଏହି ସଂକଳନରେ ସନ୍ନିବେଶିତ ହୋଇଛି ।’’

 

ସଂଘର୍ଷ ଓ ସଂଘାତ ବୋଧହୁଏ ଏହି କାହାଣୀ ସଂକଳନର ଭାଗ୍ୟ । ଅନେକ ଦିନ ହେଲା ଏହାର ପାଣ୍ଡୁଲିପି ଜଣେ ପ୍ରକାଶକଙ୍କ ପାଖରେ ପଡ଼ି ରହିଥିଲା । ବର୍ଷେ ପରେ ତାଙ୍କଠୁ ଏକରକମ ପାଣ୍ଡୁଲିପିଟି ଜୋର ଜବରଦସ୍ତ କରି ଛଡ଼େଇ ଆଣିବାକୁ ପଡ଼ିଲା ।

 

ଏହି ସଂକଳନରେ ପ୍ରକାଶିତ ଗଳ୍ପଗୁଡ଼ିକ ମଧ୍ୟରୁ କେତେକ ଆକାଶବାଣୀ, କଟକ ଏବଂ ସମ୍ବଲପୁର ସାହିତ୍ୟ କାର୍ଯ୍ୟକ୍ରମରେ ପ୍ରଚାରିତ । ଏସବୁ ମଧ୍ୟ ଝଂକାର, ପ୍ରତିବେଶୀ, କଥା, ସମାରୋହ, ଆଲେଖ୍ୟ, ବର୍ତ୍ତିକା ପ୍ରଭୃତି ପତ୍ରିକାମାନଙ୍କରେ ପୂର୍ବରୁ ପ୍ରକାଶିତ । ସେଥିପାଇଁ ଆକାଶବାଣୀ କର୍ତ୍ତୃପକ୍ଷ ଓ ପୂର୍ବୋକ୍ତପତ୍ରିକାଗୁଡ଼ିକର ସମ୍ପାଦକଙ୍କ ନିକଟରେ ମୁଁ କୃତଜ୍ଞ । ସର୍ବୋପରି, ପତ୍ରପତ୍ରିକାରେ ପ୍ରକାଶିତ ହେଲା ପରେ ଯେଉଁ ପାଠକପାଠିକାମାନେ ନିଜର ମତାମତ ଦେଇ ମୋର ଉତ୍ସାହ ବର୍ଦ୍ଧନ କରିଛନ୍ତି ସେମାନଙ୍କ ପାଖରେ ମୁଁ ମଧ୍ୟ ଚିରକୃତଜ୍ଞ ।

 

ଶେଷରେ, କୁହୁକିନୀ କବିତାର ମାୟାରୁ ଏ ଲେଖକକୁ ମୁକୁଳାଇ ଥିବା ଲେଖକବନ୍ଧୁଙ୍କ ନାମ ସ୍ମରଣ ବିନା ‘କାହାଣୀର କାହାଣୀ’ ଶେଷ ହୋଇପାରେନା । ସେ ବନ୍ଧୁ ଜଣକ ହେଲେ ପ୍ରଖ୍ୟାତ ଗାଳ୍ପିକ ଓ ନାଟ୍ୟକାର ଶ୍ରୀ ରନିାକର ଚଇନି । କାହାଣୀ ରଚନା ପାଇଁ ପ୍ରେରଣା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟ । ତାଙ୍କୁ ଅନ୍ତରର କୃତଜ୍ଞତା କିଭଳି ଜଣାଇବି, ସେଥିପାଇଁ ଭାଷା ପାଉନାହିଁ ।

 

କୃପାସାଗର ସାହୁ

 

Image

 

କମଳା

 

ସେଥର ନାଗପୁରରୁ ଝୁଡ଼ିଏ କମଳା ମଗାଇଥିଲୁ ।

 

କମଳାର ସହର ନାଗପୁର । ସେଠିକାର କମଳା ଖୁବ୍‌ ମିଠା, ଖୁବ୍‌ ଶସ୍ତା । ସେଥିପାଇଁ କମଳା ଋତୁରେ ଅନେକ ଲୋକ ନାଗପୁରରୁ କମଳା ମଗାନ୍ତି ।

 

ଆମେ ଯେଉଁମାନେ ରେଳ ବିଭାଗରେ କାମ କରୁଛୁ, ଆମପାଇଁ କମଳା ମଗାଇବାଟା ବଡ଼ ସହଜ । ଫୋନ୍‌ଟିଏ କରିଦେଲେ, ପ୍ରଥମ ଏକ୍ସପ୍ରେସ୍‌ ଟ୍ରେନ୍‌ରେଷ୍ଟାଫ୍‌ଙ୍କ ଜରିଆରେ କମଳା ଝୁଡ଼ି ଘରେ ଆସି ହାଜର ହୋଇଯିବ ।

 

ନାଗପୁରର ଷ୍ଟାଫ୍‌ ଜଣକ ଘରେ କମଳା ଝୁଡ଼ି ରଖିଦେଇ ପଇସା ନେଇଚାଲିଗଲା । ଏହା ଥିଲା ଏ ବର୍ଷର ପ୍ରଥମ କମଳା ଝୁଡ଼ି ।

 

ମୋର ଝିଅ କୁସୁମକୁ ଫଳ ଖୁବ୍‌ ଭଲ ଲାଗେବିଶେଷ କରି କମଳା । ଘରେ ଫଳ ଥିଲେ ସେ ଭାତ ଭୁଜା ନ ଖାଇ ଯାଉଣୁଆସୁଣୁ ଫଳ ଖାଉଥାଏ । ତେଣୁ, ବିଶେଷ କରି ତା’ ପାଇଁ କମଳା ମଗାଇବା ପାଇଁ ଶ୍ରୀମତୀଙ୍କରଫର୍ମାସୀ ଥିଲା । ତା’ପରେଶ୍ରୀମତୀଙ୍କର ବକ୍ତବ୍ୟ, “ତୁମର ବି ବୟସ ହେଲାଣି, ଏଣିକି ଫଳ ଖାଅ, ଫଳ ରସ ପିଅ । ବରା, ପକୋଡ଼ି, ପିଆଜିଏଣୁ ତେଣୁ ଛଣାଛଣି ଜିନିଷ ଖାଇବା ବନ୍ଦକର ।’’

 

ସେଥିପାଇଁ ଏ କମଳା ଝୁଡ଼ିର ଆଗମନ । ବେଶୀ ଦିନ ରହିବ ବୋଲି ଟିକିଏ ଟାଣ ଟାଣ କମଳା ଆଣିବା ପାଇଁ ବରାଦ ଦିଆଯାଇଥିଲା ।

 

ନଡ଼ା ଦେଇ ପ୍ୟାକିଂ ହୋଇଥିବା ଝୁଡ଼ିର ଫାଙ୍କରୁ ଜଣା ପଡ଼ୁଥିଲା ଯେ, କମଳାର ଆକାର ବେଶ୍‌ ବଡ଼ । ବଡ଼ବଡ଼ କୋଲା ଥିବ ଏବଂ ବେଶୀ ରସ ବାହାରିବ ବୋଲି ଆଶ୍ୱସ୍ତ ହେଲୁ ।

 

କମଳା ଝୁଡ଼ି ଖୋଲି ଦେଖିବାକୁ ନା ତ ମୋର ସମୟ ଥିଲା, ନା ଶ୍ରୀମତୀଙ୍କର । ତରତରରେ ଅଫିସ୍‌ ଚାଲିଯାଇଥିଲି ।

 

ଅଫିସରେ ଯାଇ ଦେଖିଲି, ଗାଁରୁ ଲୋକ ଆସି ଅପେକ୍ଷା କରିଛନ୍ତି । ସେମାନଙ୍କର ଆସିବା ଉଦ୍ଦେଶ୍ୟ, ଚାକିରି ପାଇଁ ବିଜ୍ଞାପନ ବାହାରିଛି । ଖବରକାଗଜ ପଢ଼ିଜଗୁର ପୁଅ ସେଥିପାଇଁ ଦରଖାସ୍ତ କରିଛି । ମୁଁ କୁଆଡ଼େସୁଦୟା କଲେ, ଚାକିରିଟି ହୋଇଯିବ ବୋଲି ବହୁ ଆଶା ନେଇ ଭୁବନେଶ୍ୱର ଦଉଡ଼ି ଆସିଥିବାର ଜଗୁର ବକ୍ତବ୍ୟ ।

 

ଏଇ କିଛି ଦିନ ତଳେ ଖବର କାଗଜରେ ଆମେ ବିଜ୍ଞାପନ ଦେଇଥିଲୁ । ଲିଖିତ ପରୀକ୍ଷା ହେବ । ତା’ପରେ ମୌଖିକ ପରୀକ୍ଷା ହେବ । ଲୋକ ଏବେଠୁ ହାଜର ।

 

ଗାଁଲୋକ ବଡ଼ ଅବୁଝା । ସେମାନଙ୍କୁ ସରକାରୀ କଳର କଚ୍ଛପ ଗତି, ଆଦବକାଏଦା ଏସବୁ ବୁଝାଇବା କଷ୍ଟ ।

 

ଏ ଅଠାକାଠିରୁ କେମିତି ବର୍ତ୍ତିବି, ମୁଁ ମନେ ମନେ ଉପାୟ ପାଞ୍ଚୁଥିଲି । କହିଲି“ଆଚ୍ଛା, ହଉ, ଦେଖିବା । ‘କଲ୍‌ ଲେଟର୍‌’ ପାଇଲେ ମୋତେ ଆସି ଦେଖାକର । ଆଚ୍ଛା, ଶୁଣ ଜଗୁ, ତୁ ଆଜି ଗାଁକୁ ଫେରିବୁ ତ ? ଗୋଟିଏ କାମ କର ।’’

 

କମଳା ଝୁଡ଼ିମନେପଡ଼ିଲା । ଏବେ ତ ଗାଁକୁ ଯାଇ ହେଉନାହିଁ । ବାପାଙ୍କ ପାଖକୁ କମଳା ଝୁଡ଼ିଟା ଜଗୁ ହାତରେ ପଠାଇଦେଲେ କେମିତି ହୁଅନ୍ତା ? ଏହା ଭାବି ଜଗୁକୁ କହିଲି, “ଗାଁକୁ ଗୋଟିଏ ଜିନିଷ ପଠାଉଛି । ନେଇ ବାପାଙ୍କୁ ଦେଇଦେବୁ ।’’

 

ଜଗୁ ମୋର କିଛି କାମରେ ଆସିପାରିଛି ବୋଲି ନିଜକୁ କୃତକୃତ୍ୟମଣୁଥିଲା ।

 

ବସାକୁ ଫୋନ୍‌ କଲି, “ଶୁଣ ! କମଳା ଝୁଡ଼ିଟା ଏବେ ଖୋଲନି । ଗାଁରୁ ଜଗବନ୍ଧୁ ଆସିଛି । ଏଇ ବାରଟା ବେଳ ବସ୍‌ରେଗାଁକୁ ଫେରିବ । ମୁଁ ଗାଡ଼ି ପଠାଉଛି । କମଳା ଝୁଡ଼ିଟା ସେଥିରେ ପଠାଇ ଦେବ । ଜଗବନ୍ଧୁ ଗାଁକୁ ନେଇଯିବ ।’’

 

ଫୋନ୍‌ ସେପଟୁ ଏବେ ଘଡ଼ଘଡ଼ିର ଶବ୍ଦ ଶୁଭୁଥିଲା ।

 

“କ’ଣ କହିଲ ? କମଳା ଆସୁ ଆସୁଗାଁକୁ ଯିବାକୁ ତର ସହୁନି ? ଝୁଡ଼ିଟା କ’ଣ ଘରକୁ ଆଣିଥିଲ, ଆମକୁ ତା’ର ବାସ୍ନା ଶୁଙ୍ଘାଇବା ପାଇଁ ? ମୁଁ ତା’ହେଲେ କାହିଁକି ମଗାଇଥିଲି ଯେ ?’’

 

“ଶୁଣ, ମୁଁ ଘରକୁ ଗଲେ କଥା ହେବା । ଏଇନେ ବହୁତ ବ୍ୟସ୍ତ ଅଛି । ପାଖରେ ଅନେକ ଲୋକ ଅଛନ୍ତି । ଏବେ ଯୁକ୍ତି ତର୍କ କରିବାକୁ ବେଳ ନାହିଁ । ଗାଡ଼ି ପଠାଇ ଦେଲିଣି । ଦୟାକରି, ଗାଡ଼ିରେ କମଳା ଝୁଡ଼ିଟା ପଠାଇ ଦେବ ।’’

 

ସେପଟେ ଟେଲିଫୋନଟି ଉପରେ ଅକଥନୀୟ ଅତ୍ୟାଚାର ହେଲାବୋଧହୁଏ । ବୁଲାକୁକୁର ଉପରେ ମାଡ଼ ହେଲା ବେଳର ଚିତ୍କାର ପରି ଶବ୍ଦଟିଏ କରି ଟେଲିଫୋନ୍‌ଟି ନୀରବ ହୋଇଗଲା ।

 

ଲଞ୍ଚ୍‌ ସମୟରେ ଘରକୁ ଫେରିଲାବେଳେ, ଘର ଭିତରେ ଯେମିତି କିପରି ଖାଇ ଗୋଡ଼ାଉଥିଲା । ସବୁଆଡ଼େଖାଁ, ଖାଁ, ନୀରବ ନିସ୍ତବ୍ଧ । ପିଲାଏ ସ୍କୁଲରୁ ଫେରି ନଥିଲେ ।

 

ବୈଠକଖାନାରେ, ବେଡ୍‌ରୁମ୍‌ରେ, ବାଲ୍‌କୋନୀରେ ସବୁଠି ଏକ ଅସ୍ୱାଭାବିକ ନୀରବତାର ରାଜୁତି । ଶ୍ରୀମତୀ ଘର ଖୋଲିଦେଇ ବିନା ବାକ୍ୟବ୍ୟୟରେ ଶୋଇବାକୁ ଚାଲିଗଲେ ।

 

ମୁଁ ବେଡ୍‌ରୁମ୍‌କୁ ଯାଇ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲି, “ଦେଖ, ବାପା ବୁଢ଼ା ହେଲେଣି । କଠିନ ଖାଦ୍ୟ ପଦାର୍ଥ ଆଉ ତାଙ୍କର ହଜମ ହେଉନି । କମଳା ପାଇଲେ, କେଡ଼େ ଖୁସି ହେବେ, ଜାଣିପାରୁଛ ?

 

“ତା’ପରେ ଏବେ ଗୋଟିଏ ସୁଯୋଗ ମିଳିଥିଲା । ଗାଁଲୋକ ଆସିଥିଲେ । ସେମାନେ ବୋହିକରି ନେଇ ଠିକଣା ଜାଗାରେ ପହଞ୍ଚାଇ ଦେବେ । ଆମକୁ କ’ଣ ପଠାଇବାକୁ ଖର୍ଚ୍ଚ ଲାଗୁଛି ?’’

 

ଶ୍ରୀମତୀ ଭିତରେ ଭିତରେଗୁମୁରି ଉଠୁଥିଲେ ଅଣ୍ଡା ଭାଙ୍ଗି ଯାଇଥିବା ଚଢ଼େଇ ପରି । ପରିସ୍ଥିତି ବେଶୀ ଅସମ୍ଭାଳ ହେବ ବୋଲି, ଆଉ ବାକ୍ୟ ବ୍ୟୟ ନ କରି, ଏଣୁତେଣୁ ଟିକିଏ ଖାଇ ଅଫିସ୍‌ ଫେରିଆସିଥିଲି । ଘର ତୁଳନାରେ ଏଠି ବେଶୀ ଆଶ୍ୱସ୍ତି । ଅଫିସଟା ଲାଗୁଥିଲା ଏକ ଶୀତତାପ ନିୟନ୍ତ୍ରିତ ଅଭୟାରଣ୍ୟ ପରି ।

 

ସନ୍ଧ୍ୟାରେ ଅଫିସ୍‌ରୁ ଫେରିଲି । ଝଡ଼ ତଥାପି ଥମିନଥିଲା । ଶ୍ରୀମତୀ ବାଲକୋନୀରେ ଏକା ଏକା ବସିଥିଲେ । ଚାକର ପିଲା ଚା’ ଆଣି ଧରାଇଦେଲା । ଚା’ କପ୍‌ ନେଇ ତାଙ୍କର ମାନଭଞ୍ଜନ ପାଇଁ ବାଲକୋନୀକୁ ଗଲି ।

 

ଶ୍ରୀମତୀଙ୍କହାତଧରି ପକାଇ କହିଲି, “କ’ଣ ରାଗିଛ ?’’

 

ଏତିକିରେ ବନ୍ଧା ହୋଇଥିବା କୋହର ଜଳାଶୟ ଯେମିତି ଭୁଷୁଡ଼ି ପଡ଼ିଲା । କାନ୍ଦ କାନ୍ଦ ହୋଇ ସେ କହିଲେ, “ପିଲାଏ ଖାଇବେ ବୋଲି ମୁଁ କମଳା ମଗାଇଥିଲି । ପରେ କାହା ହାତରେ କମଳା ମଗାଇ ଗାଁକୁ ପଠାଇଥିଲେ ହୋଇନଥାନ୍ତା ? ମୁଁ କ’ଣ ତମ ଘରକୁ କିଛି ଦେଉନି ? ମୋତେ କ’ଣ ତମେ ସ୍ୱାର୍ଥପର ବୋଲି ଭାବିଛ ? ଗାଡ଼ିଟା ପଠାଇବା ଆଗରୁ ମୋ ସହ ଟିକିଏ ଆଲୋଚନା ତ କରିପାରିଥାନ୍ତ !’’

 

କଥା କଟାକଟି, ବାକ୍ୟବାଣରୁ ବାକ୍ୟବାଣରେ ଉତ୍ତର ଦେବାର ଅବକାଶ ନଥିଲା । ଚୁପ୍‌ ରହିବାକୁ ବିଜ୍ଞତାର କାର୍ଯ୍ୟ ବୋଲି ଭାବିନେଲି ।

 

ସେଦିନ ଝଡ଼ ଶାନ୍ତ ହୋଇଗଲା । ପରଦିନ ଭୁବନେଶ୍ୱରରୁ ମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ଥିଲା । ସ୍ଥାନୀୟ ମନ୍ତ୍ରୀ ହୋଇଥିବା ଯୋଗୁଁ ମାସକୁ ଥରେ ଦୁଇଥର ଗସ୍ତ ପଡ଼େ । କେତେବେଳେ ନୂଆ ଷ୍ଟେସନ ବିଲ୍‌ଡିଙ୍ଗ୍‌ର ଶୁଭ ଦିଅନ୍ତି ତ କେତେବେଳେ ନୂଆ ପ୍ଲାଟଫର୍ମର । ଆଉ କେତେବେଳେ ନୂଆ ଟ୍ରେନ୍‌ ଉଦ୍‌ଘାଟନ କରନ୍ତି ତ ଆଉ କେତେବେଳେ ନୂଆ ଲାଇନରସର୍ଭେ ଉଦ୍‌ଘାଟନ କରନ୍ତି ।

 

ସକାଳୁ ସକାଳୁ ପ୍ରସ୍ତୁତ ହୋଇ ଚାଲି ଯାଇଥିଲି । ବାହାରେ ଲଞ୍ଚ ଓ ଡିନର ଥିଲା । ଦିନବେଳେ ଘରକୁ ଫେରିବାକୁ ଫୁରୁସତ୍‌ ନଥିଲା । ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅତିଥିଙ୍କୁ ବିଦାୟ ଦେଇ ଫେରୁ ଫେରୁ ରାତି ଦଶଟା ବାଜି ଯାଇଥିଲା ।

 

ଡାଇନିଂ ଟେବୁଲରେ ବିମଳା ଓ ତା’ର ପିଲାମାନେ ବସି ଖାଉଥିଲେ ।

 

ବିମଳା ମୋର ସବୁଠୁ ସାନ ଭଉଣୀ ।

 

“ଆରେ, ତୁ କେତେବେଳେ ? ହଠାତ୍‌ କେମିତି ?’’କହି ଡାଇନିଂ ଟେବୁଲରେ ବସିବାକୁ ଗଲି ।

 

“ଏଇ ସନ୍ଧ୍ୟାବେଳେ ଆସି ପହଞ୍ଚିଲି’’କହି ବିମଳା ନମସ୍କାର କଲା ।

 

ବିମଳା ଗାଁପାଖରେ ବାହା ହୋଇଛି । ଭୁବନେଶ୍ୱର ବଦଳି ପରେ ପ୍ରଥମ କରି ଆସିଛି । ଖୁବ୍‌ ଖୁସି ଲାଗିଲା ।

 

ଡିନର୍‌ ଖାଇ ଆସିଥିଲେ ବି, କଥାବାର୍ତ୍ତା ହେବା ପାଇଁ ବସିଗଲି ।

 

ବିମଳା କହିଲା, “ଭାଇ ! କୁସୁମ ଜନ୍ମ ହେଲାବେଳେ ଯାହା ଦେଖିଥିଲି । ତା’ପରେ ଆଉ ଦେଖିନି । କେଡୁଟାଏ ହେଲାଣି । ଶୁଣିଥିଲି ସେଓ ଭଳିଆ ତା’ର ଗାଲ ଲାଲ ଲାଲ ଦିଶୁଛି । ସେ କୁଆଡ଼େ ଫଳ ଖାଇବାକୁ ଭଲପାଏ । ତା’ପାଇଁ କମଳା ଟିକିଏ ନେଇକରି ଆସିଛି ।

 

“ଭାଉଜ ! ଭାଇଙ୍କୁ ରାଶିଲଡ଼ୁ ଓ କାକରା ଭଲ ଲାଗେ । ସେ ବ୍ୟାଗ୍‌ରୁ ଟିକିଏ ବାହାର କରି ଆଣିଲ ।’’

 

“ଆରେ, ନାଁ, ନାଁ... ମୁଁ ଖାଇକରି ଆସିଛି । ଥାଉ, ପରେ ଖାଇବି ।’’କହି ମୁଁ ଧୁଆଧୋଇ ହେବା ପାଇଁ ବାଥ୍‌ରୁମ୍‌କୁ ଚାଲିଗଲି ।

 

ସେଠି ଆଇନାରେ ମୁହଁ ଦେଖିଲା ବେଳକୁ ଜଣାପଡ଼ିଲା ଯେ ଯେମିତି କମଳା ଶବ୍ଦଟା ଶୁଣି ଆଶ୍ଚର୍ଯ୍ୟର ଚିହ୍ନଟିଏ ମୋ ମୁହଁରେ ଲାଖି ରହିଛି ।

 

ପୁଣି, ଭାବିଲି, ଯାହା ହେଉ ପତ୍ନୀଙ୍କ ଓରମାନ୍‌ ମେଣ୍ଟିଗଲା । ଅନୁଗୁଳର କମଳା ଗାଁହାଟକୁ ଆସେ । ଆକାରରେ ଛୋଟ ହେଲେ ବି ଖୁବ୍‌ ମିଠା ।

 

ଭଗବାନ୍‌ ଅସୀମ ଦୟାଳୁ ବୋଲି ଭାବି ମୁଁ ଶୋଇବା ପାଇଁ ଚାଲି ଯାଇଥିଲି ।

 

ଶ୍ରୀମତୀ କାମଦାମ ସାରି ଶୋଇବାକୁ ଆସିଲା ବେଳେ ଦୁଷ୍ଟାମିର ଦାମିକା ହସଟିଏ ମୁହଁରେ କାହିଁକି ଖେଳାଇ ଆସୁଥିଲେ, ଟିକିଏ ପରେ ଜଣାପଡ଼ିଲା । କହିଲେ, “ତମ ସେଇ କମଳା ଫେରିଆସିଛି ।’’

 

“ମାନେ ? ବାପା ରାଗିକରି ଫେରାଇ ଦେଲେ ନା କ’ଣ ?’’

 

“ନା ନା, ସେମିତି କିଛି ନୁହେଁ । ଆମର କମଳା ଘରେ ପହଞ୍ଚିଲା ବେଳକୁ ବିମଳାଙ୍କ ଗାଁରୁ ଲୋକ ଆସି ବସିଥିଲା ।’’

 

ତା’ପରେ ଘଟଣାର କ୍ରମ କ’ଣ ହୋଇପାରିଥାଏ, ଆଖି ଆଗରେ ଜଳଜଳ ଦିଶିଗଲା । ଏତେ ଶରଧାରେ ବାପାଙ୍କ ପାଖକୁ ଯେଉଁ କମଳା ପଠା ଯାଇଥିଲା, ସେ ନିଜ ପାଇଁ ନ ରଖି ତୁରନ୍ତ ବିମଳା ପାଖକୁ ପଠାଇ ଦେଇଛନ୍ତି ।

 

ବିମଳା କଷ୍ଟେମଷ୍ଟେ ଚଳେ । ବ୍ୟବସାୟରେ ତା’ର ସ୍ୱାମୀର ସେଭଳି କିଛି ଭଲ ରୋଜଗାର ନାହିଁ । ଗାଁରେ ବ୍ୟବସାୟରେ ବାକୀକାଳି ନେଇ ଲୋକେ ପଇସା ବୁଡ଼େଇ ଦିଅନ୍ତି । ବ୍ୟବସାୟ ବା ଭଲ ଚାଲନ୍ତା କେମିତି ? ସେଥିପାଇଁ ବିମଳା ପାଇଁ ବାପାଙ୍କର ବେଶୀ ମନକଷ୍ଟ । ଯାହା ଟିକିଏ ଭଲ ଜିନିଷ ଆସେ ବାପା ତାହାରି ଘରକୁ ପଠାଇ ଦିଅନ୍ତି ।

 

କିଛି ନ ନେଇ ଭାଇ ଘରକୁ ଆସିବାକୁ ବିମଳାକୁ ମାଡ଼ିମାଡ଼ି ପଡ଼ୁଥିଲା । ଏତେ ଦିନ ପରେ ସେ ସାହସ ସଞ୍ଚୟ କରିଆସିଛି । ନିଦ ଲାଗିଲା ନାହିଁ । ଉଠିପଡ଼ି ଟ୍ୟୁବ୍‌ ଲାଇଟ୍‌ ଲଗାଇଲି । ଖଟ ତଳେ ଗୋଟିଏ କୁଲାରେ କମଳା ସବୁ ରଖା ଯାଇଥିଲା । ଟ୍ୟୁବ୍‌ ଲାଇଟର ତୋଫା ଆଲୁଅରେ ନାଗପୁରରୁ ଆସିଲା ବେଳେ ଈଷତ୍‌ ଶାଗୁଆ ଦିଶୁଥିବା କମଳାଗୁଡ଼ିକ ଏବେ ପାଚିଲା କୁଆମଇତା ପରି ଲାଲ ଟହଟହ ଦିଶୁଥିଲେ ।

 

ଏକ ସ୍ନେହର ତ୍ରିଭୁଜ ଭିତରେ ଗତିକରିକମଳାଗୁଡ଼ିକ ଆହୁରି ରସାଳ ଓ ଲୋଭନୀୟ ଦିଶୁଥିଲେ । ସେ ଭୁରଭୁରୁ ମହକରେ ମୁଁ ଅନେକ ରାତିଯାଏ ଶୋଇପାରିନଥିଲି ।

Image

 

ଅନ୍ୟ ଏକ ଦ୍ରୌପଦୀ

 

ଅହମଦାବାଦ-ହାଓଡ଼ାଏକ୍ସପ୍ରେସ୍‌ ଟ୍ରେନ ସୁରଟ୍‌ ଷ୍ଟେସନରେ ଠିଆହେଲା । ସେଠି ମାତ୍ର ଦୁଇ ମିନିଟ୍‌ରଷ୍ଟପେଜ୍‌ । ସ୍ୱାମୀ ସ୍ତ୍ରୀ ଦୁଇଜଣ ଟ୍ରଙ୍କ ଓ ବୁଜୁଳା ଧରି ଝାଳନାଳ ହୋଇ ଶେଷ ମୁହୂର୍ତ୍ତରେ ଗୋଟିଏ ଡବାରେ ଚଢ଼ିଲେ । ବେଶଭୂଷାରୁ ଜଣାପଡ଼ୁଥିଲେ ସେମାନେ ଶ୍ରମିକ । ତାଙ୍କୁ ଦେଖି ଦ୍ୱାର ପାଖରେ ଠିଆ ହୋଇଥିବା କିଛି ଯାତ୍ରୀ ଖିଙ୍କାରି ଉଠିଲେ“ଏଠି ଚଢ଼ନା । ରିଜର୍ଭ ଡବା ।’’

 

ଗାଡ଼ି ଚାଲିବାକୁ ଆରମ୍ଭ କଲା । ସେମାନେ ବାଥରୁମ୍‌ ପାଖରେ ଟ୍ରଙ୍କ ରଖି ତା’ ଉପରେ ବସିଲେ । ଡବା ଭିତରେ ସିଟ୍‌ ଅଛି କି ନାହିଁ, ଦେଖିବାକୁ ଉଚିତ ମନେ କଲେ ନାହିଁ ।

 

ଯେପରିକି ବାଥ୍‌ରୁମ୍‌ ପାଖ ଜାଗା ତାଙ୍କ ପାଇଁ ବିଧି-ନିର୍ଦ୍ଦିଷ୍ଟ ।

 

ବାସ୍ତରୀ ନମ୍ବର ସିଟ୍‌ରେ ବସିଥିବା ଜଣେ ମୁସାଫିର୍‌କୁ ହଜାରି ସନ୍ତର୍ପଣରେ ପଚାରିଲା“ଏ ଗାଡ଼ି ଓଡ଼ିଶା ବାଟଦେଇ ଯିବ ତ ?’’

 

ଯାତ୍ରୀଜଣକ ତାଚ୍ଛଲ୍ୟରେ ହଁ ଟିଏ କରି ମୁହଁ ମୋଡ଼ିଲେ । ଯେମିତି ହଜାରି ଓ ତା’ ସ୍ତ୍ରୀ କଜଳିର ଉପସ୍ଥିତି ତାଙ୍କର ଚକ୍ଷୁଶୂଳ ହେଉଥିଲା । ଗାଡ଼ି ଓଡ଼ିଶା ଯିବାର ନିଶ୍ଚିତତା ଜାଣି ହଜାରିର ଶଙ୍କାକୁଳ ମୁହଁରେ ଆଶ୍ୱସ୍ତିର ବିଜୁଳିଟିଏ ଖେଳିଗଲା । କଜଳିଟ୍ରଙ୍କ ଉପରେ ପୂର୍ବପରି ନିର୍ବିକାର ଭାବେ ବସିରହିଥିଲା ।

 

କିଛି ସମୟ ପରେ ଟି.ଟି.ଇ. ଆସିଲା । ଡବା ଭିତରେ ହଜାରି ଓ ତା’ ସ୍ତ୍ରୀକୁ ଦେଖି ଚିହିଁକି ଉଠିଲାହତା ଭିତରକୁ ଗାଈ ପଶିଆସିଲେ ସାହେବ ଘରର ଆଲସେସିଆନଗର୍ଜି ଉଠିଲା ପରି “ବାବୁ, ମୋ ପାଖରେ ଟିକଟ ଅଛି ।’’ ହଜାରି ନେହୁରା ହୋଇ କହିଲା ।

 

“ଆରେ, ଏଇଟା ଅର୍ଡିନାରୀ ଟିକଟ । ଏ ଟିକଟରେ ଏ ଡବାରେ ଜାଗା ମିଳିବ ନାହିଁ ।’’

 

“ଆମର ଜାଗା ଦରକାର ନାହିଁ, ବାବୁ ! ଆମେ ତ ଟ୍ରଙ୍କ୍‌ ଉପରେ ବସିଛୁ ।’’

 

ହଜାରି ଖଣ୍ଡି ଖଣ୍ଡି ହିନ୍ଦୀରେ ନେହୁରା ହୋଇ କହିଚାଲିଥିଲା“ସୁରଟ୍‌ରେ ଦଙ୍ଗା ଲାଗିଛି । ସବୁ ମଜଦୁର ପ୍ରାଣ ବିକଳରେ ସୁରଟ୍‌ ଛାଡ଼ି ଘରକୁ ଚାଲି ଯାଉଛନ୍ତି । ଟ୍ରେନ୍‌ରେଚାରିଆଡ଼େ ଭିଡ଼ । ଗୋଡ଼ ରଖିବାକୁ ଜାଗା ନାହିଁ । ତିର୍ଲା ଲୋକ ନେଇ ଦେଶକୁ ଫେରୁଛି । ମୋର ଅପ୍ରାଧ କ୍ଷମା କର ।’’

 

କଳା କୋଟ ଭିତରୁ ଟି.ଟି.ଇ. ରସିଦ୍‌ ବହି ବାହାର କଲା ।

 

“ହଉ, ଏଥିରେ ଯଦି ଯିବୁ ଜଣକା ଶହେ ଛ’ ଟଙ୍କା କରି ଜୋରିମାନା ଦେବାକୁ ପଡ଼ିବ, ରାଜି ?’’

 

“ଏତେ ଟଙ୍କା କେଉଁଠୁ ପାଇବି ଯେ ଦେବି, ବାବୁ ? ଦଙ୍ଗାରେ ଝୋଁପଡ଼ି ଜାଳିଦେଲେ । ଯାହା କିଛି ଥିଲା, ସବୁ ଜଳି ପାଉଁଶ ହୋଇଗଲା । ବାସନକୁସନ ବିକି କଷ୍ଟେମଷ୍ଟେ ଟିକଟ କିଣି ଯାଉଛୁ ।’’

 

“ଶହେ ଛ’ ଟଙ୍କା ନ ଦେଲେ ଜଣକା ଅତି କମ୍‌ରେ ଅଠାବନ ଟଙ୍କାଦେବୁ ?’’

 

“ନାଇଁ ବାବୁ, ଗୋଟିଏ ଟଙ୍କା ବି ନାହିଁ ।’’

 

“ତୋତେ ମୁଁ ଏକଲା ପାରିବି ନାହିଁ । ମୁଁ ଟି.ଟି.ଇ. ସ୍କ୍ୱାଡକୁଡାକିଆଣେ’’, ଏତିକି କହି ଟି.ଟି.ଇ. ଅନ୍ୟ ଡବାକୁ ଗଲା ।

 

କିଛି ସମୟ ପରେ ଟି.ଟି.ଇ. ସ୍କ୍ୱାଡରଟି.ଟି.ଇ. ଓ ହାମାଲ ମିଶି ସାତଜଣ ଆସିଲେ । ବଳିଷ୍ଠ ଓ ବହଳିଆ ନିଶ ତଳୁ ସେମାନେ ଦିଶୁଥାନ୍ତି ଆଈ ମା’ଠାରୁ ଶୁଣିଥିବା ମରହଟ୍ଟା ବର୍ଗୀପରି । ହାମାଲମାନଙ୍କ ହାତରେ ବାଡ଼ି ।

 

ବାଡ଼ି ଉଞ୍ଚେଇ ଡରେଇ ହଲେଇ କରି ମଧ୍ୟ ହଜାରିଠାରୁ ସେମାନେ ଜୋରିମାନା ଅର୍ଥ ଆଦାୟ କରିପାରିଲେ ନାହିଁ ।

 

ସ୍କ୍ୱାର୍ଡଇନଚାର୍ଜ ଜଣେ ହାମାଲକୁ ନିର୍ଦ୍ଦେଶ ଦେଲେ, “ତାକୁ ବାଥରୁମ୍‌ ଭିତରକୁ ନେଇ ଖାନତଲାସି କର ।’’

 

ହଜାରିକୁ ବାଥ୍‌ରୁମ୍‌ ଭିତରକୁ ନିଆଗଲା । ତଲାସି ହେଲା । ଲୁଗାର ଖୋସଣି, ଲୁଗା ଭିତରେ ପିନ୍ଧିଥିବା ଅଣ୍ଡରଓୟାର, ସେଥିରେ ଥିବା ଚୋରାମୁଣିସବୁ ତଲାସ କରାଗଲା । କିଛି ବାହାରିଲା ନାହିଁ ।

 

ବାଥ୍‌ରୁମ୍‌ରୁ ବାହାରିଲା ବେଳକୁ ହଜାରିର କୋହ ଉଠୁଥାଏ । ଆଖିରୁ ଲୁହ ବୋହି ଯାଉଥିବାର ସ୍ପଷ୍ଟ ମାଲୁମ ହେଉଥାଏ । ସେ ଆଉ କିଛି କହିବା ଭଳି ଅବସ୍ଥାରେ ନଥାଏ ।

 

ସ୍ତ୍ରୀର ସାମନାରେ ଏଭଳି ବ୍ୟବହାର ! ଭିତରେ ଭିତରେ ସେ ନିଜର ପୌରୁଷକୁ ନିଶ୍ଚିତ ଭାବେ ଧିକ୍‌କାର କରୁଥିଲା ।

 

କଜଳିଓଢ଼ଣା ଭିତରୁ ଜୁଳୁଜୁଳୁ ଚାହୁଁଥିଲା । ହଜାରି ତା’ ମୁହଁକୁ ଅନାଇ ପାରୁନଥିଲା । ହଜାରିକୁ ବସିବାକୁ ଠାରିଲାବେଳକୁକଜଳିରଖଡ଼ୁ ଓ ବଳା ରୁଣୁଝୁଣୁ କରିଉଠିଲା ।

 

ଟି.ଟି.ଇ. କହିବାକୁ ଆରମ୍ଭ କଲା, “ଆରେ, ତୋ ଜନାନା ପାଖରେ ପଇସା ଅଛି । ଭଲ ଦଶା ଅଛି ତ, ବାହାର କର ।’’

 

ହଜାରିର ଚାପା କୋହର ବନ୍ଧ ଭୁଷୁଡ଼ି ପଡ଼ିଲା ଏବଂ ସେ ଭୋ ଭୋ ହୋଇ କାନ୍ଦିଉଠିଲା । “ବାବୁ ତମେ ମୋତେ ଗୋଇଠା ମାର, ଚାପୁଡ଼ା ମାର, ବାଡ଼ାଅ । ମୋ ତିର୍ଲାଠି ହାତ ଦିଅନି । ସତ କହୁଛି, ଆମ ପାଖରେ ଗାଁପର୍ଯ୍ୟନ୍ତ ବସ୍‌ରେ ଯିବାକୁ କିମ୍ବା ଖାଇବାକୁ ବି ପଇସା ନାହିଁ ।’’

 

ଜଣେ ହାମାଲ କହୁଥିଲା, “ବାବୁ ଡ୍ରାମା କରୁଛି । ତିର୍ଲାର ତଲାସି ନେବା ?’’

 

ଟି.ଟି.ଇ. ଭାବିଚିନ୍ତି କହିଲା, “ଆରେ ନା ନା, ପରିସ୍ଥିତି ବିଷମ ହୋଇଯିବ । ତିର୍ଲାଠି ହାତ ଦିଅନି । ଆଗ ଷ୍ଟେସନରେ ଖବର ପଠେଇ ଦିଅ । ଲେଡି ଟିକେଟ କଲେକ୍ଟର ଆସି ତଲାସି ନେବ । ପଇସା ନିଶ୍ଚିତ ଅଛି । ଦେଖୁନା, ହାତରେ ନାକରେ କେଡ଼େକେଡ଼େ ଗହଣା ପିନ୍ଧିଛି ।’’

 

ସ୍କ୍ୱାର୍ଡରଟି.ଟି.ଇ. ହାରିବାର ଲୋକ ନୁହନ୍ତି । ସେମାନେ ଶୁଖିଲା ଗଛରୁ ପାଣି ବାହାର କରିବା ଜାଣନ୍ତି ।

 

କାହା ପାଟିରେ ସମର୍ଥନର ଦୁଇପଦ କଥା ବା ସାନ୍ତ୍ୱନାରଧାଡ଼ିଟିଏ ଶବ୍ଦ ନାହିଁ । କେତେକ ଯାତ୍ରୀ ବେପରୁଆ ଭାବେ ବାଦାମ ଖାଇ ଚାଲିଥାନ୍ତି । କେତେକ ତାସ ଖେଳରେ ମସଗୁଲ ଥା’ନ୍ତି ।

 

ପରବର୍ତ୍ତୀ ଷ୍ଟପେଜରେଗାଡ଼ି ରହିଲା । ବଡ଼ ଷ୍ଟେସନ-ଭୁଷାବଳ । କଦଳୀ ଓ କମଳାର ସହର । ଗାଡ଼ି ଏଠି ପନ୍ଦର ମିନିଟ୍‌ ରହେ ।

 

ଗାଡ଼ି ରହୁ ରହୁ ହଜାରିର ଛାତି ଧଡ଼ଧଡ଼ ଆରମ୍ଭ କରିଥିଲା । କ’ଣ ହେବ ? ଆଉ କେତେ ହଇରାଣ ଯୋଗ ଅଛି ?

 

ଷ୍ଟେସନ ବାହାରୁ ଲାଉଡ୍‌ସ୍ପିକରରୁ ହିନ୍ଦୀ ଗୀତ ଭାସିଆସୁଥିଲାଚୋଲି କେ ପିଛେ କ୍ୟା ହୈ ?

 

ଗୀତର ତାଳେ ତାଳେବାଡ଼ି ହଲେଇ ହଲେଇସ୍କ୍ୱାଡର ଦଳବଳ ନୂତନ ଉତ୍ସାହ ନେଇ ସେଇ ଡବାକୁ ଫେରିଆସୁଥାନ୍ତି । କଜଳିରଖଡ଼ୁ ଓ ବଳା ଛାଡ଼ି ସେମାନଙ୍କର ଲକ୍ଷ୍ୟ ଏବେ ତା’ର ଫୁଲ ଫୁଟା ଲାଲ କାଞ୍ଚଲାରେ । କେଉଁ ଯୁଗ ଆଗରୁ ସେଇଟା କିଣା ହୋଇଥିଲା । ଯିବାଆସିବା ବେଳେ ସେଇଟା ପିନ୍ଧାହୁଏ ।

 

ସ୍କ୍ୱାଡର ଲୋକେ ଲେଡି ଟିକେଟ୍‌ କଲେକ୍ଟରକୁ ବାଟ କଢ଼ାଇ ଆଣୁଥାନ୍ତି । କଜଳି ନିଜର କାଞ୍ଚଲାକୁ ଜାକିଜୁକି ଧରି ସନ୍ତର୍ପଣରେ ବସିଥାଏ ।

 

ସ୍କ୍ୱାର୍ଡର ଲୋକଙ୍କ ମନରେ ଅବର୍ଣ୍ଣନୀୟ ଉତ୍ସୁକତା । ଡବାରେ ବସିଥିବା ଯାତ୍ରୀଙ୍କ ମନରେ ତୁମୁଳ ବ୍ୟଗ୍ରତା ।

 

ଲେଡି ଟିକେଟ କଲେକ୍ଟରକୁ କାମ ବୁଝାଇ ଦିଆଗଲା । ଦୂରରୁ କଜଳି ଉପରେ ତା’ର ଆଖି ପଡ଼ିଲା । ସେ ନିଜେ ବି ଜଣେ ଗରିବ ଘରର ଝିଅ । ବାପା ମରିଗଲା ବୋଲି ପରିବାରର ପ୍ରତିପୋଷଣ ପାଇଁ ସେ ଏ ଚାକିରିରେ ପଶିଛି । ଗେଟ୍‌ରେ ଠିଆହୋଇ ପ୍ରତିଦିନ ଅଶ୍ରାବ୍ୟ ଗାଳି ଓ ଅଶ୍ଳୀଳ ମନ୍ତବ୍ୟ ଶୁଣି ସେସବୁକୁ ହଜମ କରିଛି । କିନ୍ତୁ ଆଜି ସବୁ ଲୋକଙ୍କ ସାମନାରେ ଆଉ ଜଣେ ଅସହାୟା ସ୍ତ୍ରୀ ଲୋକର ଅସମ୍ମାନ କରିବ କିପରି ? ଲେଡି ଟିକେଟ କଲେକ୍ଟରର ମୁଣ୍ଡ ଭିତରେ ଝଡ଼ ସୃଷ୍ଟି ହୋଇଛି, କଜଳି ବା ଜାଣନ୍ତା କିମିତି ? କଜଳିକୁ ଜଣାଗଲା କଳା କୋଟ୍‌ ପିନ୍ଧା ନାରୀ ବେଶରେ ଏ ଯେପରି ଆଉ ଏକ ଦୁଃଶାସନ । ଆସିଛି ବସ୍ତ୍ରହରଣ କରିବାକୁ ।

 

ହଜାରି ତଟସ୍ଥ । ଷ୍ଟେସନର ପ୍ଲାଟଫର୍ମ ଏବେ ଲୋକାରଣ୍ୟ । ଚା’ ବିକୁଥିବା, କଦଳୀ ଝୁଡ଼ିଧରି ବିକୁଥିବା ହକର ସବୁ କାମଧନ୍ଦାଛାଡ଼ି ଡବା ଆଗରେ ହାଜର । ଲାଉଡସ୍ପିକରର ମୁହଁରୁ ଆହୁରି ଜୋରରେ ଗର୍ଜନ ଶୁଭୁଥିଲାଚୋଲୀ କେ ପିଛେ କ୍ୟା ହୈ...

 

କଜଳି କ’ଣ ଭାବିଲା କେଜାଣି, ସିଂହ ରଡ଼ିକରିପ୍ଲାଟଫର୍ମକୁ ଡିଆଁଟିଏ ମାରି ଅଧା ହିନ୍ଦୀ ଅଧା ଓଡ଼ିଆରେ ଗର୍ଜି ଉଠିଲା“ହଇରେ, ଯମଦୂତ ଗଣ ! ତମର ମା’ ଭଉଣୀ ନାହାନ୍ତି ? ତମକୁ ଦହଗଞ୍ଜ କରିବାକୁ ଏଇ ଗରିବଗୁଡ଼ାକ ମିଳିଲେ ? ଏଠି ଏତେ ବାବୁଭୟା, ନେତା ରେଳରେ ଯାଉଛନ୍ତି, ସମସ୍ତଙ୍କର ଟିକଟ ଅଛି ? ନା, ସେମାନଙ୍କୁ ଦେଖିଲେ ଲାଙ୍ଗୁଡ଼ ଜାକି ପଳାଇବ । ଆମକୁ ଖାଲି କୁକୁର ମାଙ୍କଡ଼ ଭଳି ବ୍ୟବହାର କରିବ ।’’

 

ତା’ପରେ ରଣଚଣ୍ଡୀ ରୂପ ଧରି କହିଲା, “କିଏ ବାପାର ପୁଅ ଅଛି, ମୋତେ ନଙ୍ଗଳା କରିବ । କାଞ୍ଚଲାର ତଳେ କ’ଣ ଅଛି ତମାସା ଦେଖିବ ? ନିଅ... ।’’

 

ଏହା କହି କାଞ୍ଚଲାଟାକୁ ଦୁଇଫାଳ କରି ଛିଣ୍ଡାଇ ଲେଡି ଟିକେଟ କଲେକ୍ଟର ଉପରକୁ ଫିଙ୍ଗିଲା ।

 

ଯେଉଁମାନେ କାଞ୍ଚଲାର ତଳେ କ’ଣ ଅଛି ବୋଲି ସତକୁ ସତ ନିକୁଟେଇ ହୋଇ ଚାହିଁଥିବେ, ସେମାନେ ଲକ୍ଷ୍ୟ କରିଥିବେ ଯେ ସେ ଏକ ଡହଡହ ବାଲିର ରାଜ୍ୟ, ଯେଉଁଠି କୋଣାର୍କ କେବେଠୁ ଭୁଷୁଡ଼ି ପଡ଼ିଛି । ସେ ଏକ ଅପନ୍ତରା ପଥୁରିଆ ଇଲାକା, ଯେଉଁଠି କେବେ ଡାଳିମ୍ବ ଫଳିନି, ମଳୟ ବହିନି, ବସନ୍ତ ଆସିନି କି ବର୍ଷା ବର୍ଷିନି ।

 

ସେ ଶୀର୍ଣ୍ଣ କଙ୍କାଳସାର ହାତକୁ ଟେକି ସ୍କ୍ୱାଡଆଡ଼କୁ ଲକ୍ଷ୍ୟ କରି ଖଡ଼ୁଝଣଝଣ କରି ତଥାପି ନାଚୁଥାଏ । ଏହି ଖଡ଼ୁ ବଳା ଓଡ଼ିଆ ଝିଅର ରକ୍ଷାର କବଚ । ସେଇ ତାକୁ ଆତ୍ମରକ୍ଷା କରି ଶିଖାଇଛିବର୍ଗୀଠୁ, ଫିରିଙ୍ଗୀଠୁ, କଳାପାହାଡ଼ଠୁ ଆଉ ଯେତେ ଯେତେଲୁଣ୍ଠନକାରୀଙ୍କ ଦୌରାତ୍ମ୍ୟ ଠାରୁ ।

 

ଟି.ଟି.ଇ. ସ୍କ୍ୱାଡ ପୃଷ୍ଠଭଙ୍ଗ ଦେଉଥାଏ ।

 

ଲେଡି ଟିକେଟ୍‌ କଲେକ୍ଟର ଜଣକ ରସିଦ୍‌ଟିଏ କାଟି ହଜାରି ହାତକୁ ବଢ଼ାଇ ଦେଇ କହିଲା“ଯାଅ, ଆଉ ତମକୁ କେହି ଜୋରିମାନା କରିବେ ନାହିଁ ।’’

 

ମାଇକ୍‌ରୁ ଗୀତ ସରିଯାଇଥାଏ । କଜଳି ତଥାପି ବକି ଚାଲିଥାଏ । ତା’ର ଖଡ଼ୁରରୁଣୁଝୁଣୁର ତୀବ୍ରତା ବଢ଼ିଚାଲିଥାଏଗାଡ଼ି ସିଟି ମାରିଲା ଯାଏ ।

Image

 

ଧନ୍ୟବାଦ ଭାରତ

 

ସମ୍ବଲେଶ୍ୱରୀଏକ୍ସପ୍ରେସ୍‌ ହାଓଡ଼ା ଅଭିମୁଖେ ଛୁଟିଥିଲା । ଓଡ଼ିଶାର ପଶ୍ଚିମାଞ୍ଚଳରୁ କଲିକତା ଯିବା ପାଇଁ ଏହା ଏକ ସୁବିଧାଜନକଓଭରନାଇଟ୍‌ ଟ୍ରେନ୍‌ । ରାତି ବହୁତ ବେଶି ହେଲାଣି । ଡବା ଭିତରେ ଯାତ୍ରୀସବୁନିଘୋଡ଼ ନିଦରେ ଶୋଇପଡ଼ିଲେଣି । ସନାତନଙ୍କ ଆଖିରେ ନିଦ ନ ଥିଲା । ସେ କେମିତି ଗୋଟିଏ ଅଣନିଃଶ୍ୱାସ ହେବା ଅନୁଭବ କରୁଥିଲେ । ତାଙ୍କୁ ଯେପରି ମନେ ହେଉଥିଲା, ଟ୍ରେନ ନୁହେଁ, ରକେଟ୍‌ ଭିତରେ ‘ଲାଇକା’ କୁକୁର ପରି ସେ କେଉଁ ଅଜଣା ଅପରିଚିତ ରାଜ୍ୟକୁ ଚାଲିଥିଲେ ।

 

ସନାତନ ରେଳବାଇ ବିଭାଗର କର୍ମଚାରୀ । ରାଉରକେଲା ଷ୍ଟେସନରେ ରିଜର୍ଭେସନ୍‌ କ୍ଲର୍କ ଭାବେ କାମ କରନ୍ତି । ଟ୍ରେନ୍‌ ଯାତ୍ରା ତାଙ୍କ ପାଇଁ ନୂଆ ନୁହେଁ । ଘରେ ସ୍ତ୍ରୀ ପିଲାକବିଲା ଛାଡ଼ି ବାହାରକୁ ଗୋଡ଼କାଢ଼ିବା ବି ନୂଆ ନୁହେଁ । ବରଂ ଚାଳିଶି ଟପିଲା ପରେ ତେଲ, ଲୁଣ, ଦୋକାନ ସଉଦା ଆଣିବାର ଓ ପିଲାଙ୍କୁ ପଣିକିଆ ଘୋଷାଇବାର ଜଞ୍ଜାଳରୁ ମୁକ୍ତି ପାଇବା ପାଇଁ ଦିନେ ଅଧେ କୁଆଡ଼େଲାଇନ୍‌ ଯିବାର ସୁଯୋଗ ମିଳିଲେ ସେ କୃତକୃତ୍ୟ ହୋଇଉଠନ୍ତି ।

 

ହଁ, କଲିକତାକୁ ଲାଇନ୍‌ ଡିଉଟି ପଡ଼ିଲେ ତାଙ୍କ ମୁହଁଟା କେମିତି କେମିତିଆଦିଶେ । ହାଓଡ଼ା ଷ୍ଟେସନରେ ଓହ୍ଲୋଉଓହ୍ଲୋଉ ଛାତିଟା ଧାଉଁକିନା ପଡ଼େ । ରାସ୍ତାର ନିୟମ ନ ମାନି ଇତସ୍ତତଃ ପୋକମାଛି ପରି ଧାଉଁଥିବା ମଣିଷ, ଟ୍ରାମ୍‌, ବସ୍‌ ଭିତରେ ବାଦୁଡ଼ି ପରି ଝୁଲି ଝୁଲି ଯାଉଥିବା ମଣିଷ ଏବଂ ରାସ୍ତାଘାଟ, ଅଫିସ୍‌, ଷ୍ଟାଡିୟମ୍‌ ସବୁଠି ହାତାହାତି ଓ କଥା କଟାକଟି କରିଥିବା ମଣିଷମାନଙ୍କୁ ଦେଖି ଛାତ୍ରାବସ୍ଥାରେ କାଁଭାଁକବିତା ଲେଖୁଥିବା ସନାତନ ମୁଣ୍ଡରେ ହାତଦେଇ ଘଡ଼ିଏପହଡ଼େ ଭାବୁକ ପାଲଟି ଯାଆନ୍ତି । “ହାୟରେ, ବିଧାତା-ମଣିଷଙ୍କୁ କିଆଁଜନ୍ମଦେଲୁ’’ ବୋଲି କହି ଭଗବାନଙ୍କୁ ଦୋଷାରୋପ କରନ୍ତି ।

 

ବାହାଘରର ବର୍ଷେ ପରେ ସାବିତ୍ରୀଙ୍କୁ କଲିକତା ବୁଲାଇ ନେଇଥିଲା ବେଳେ ଟ୍ରାମ୍‌ ଭିତରେ ଅସହ୍ୟ ଭିଡ଼ ଭିତରେ କ’ଣ ହେଲା କେଜାଣି, ସାବିତ୍ରୀ କହିଲେ, “ଶୁଣୁଛ, ମୋତେ ଏଠି କିଛି ଭଲ ଲାଗୁନି । କାଳୀମାତା ଦର୍ଶନ ହୋଇଗଲାଚାଲ ଏଥର ଘରକୁ ଫେରିଯିବା ।’’

 

ସେଦିନ ରାତିରେ ସନାତନ ସାବିତ୍ରୀଙ୍କୁ ଗୁଡ଼ାଇତୁଡ଼ାଇ ପଚାରିଲା ପରେ, ଯାହା ଉତ୍ତର ପାଇଲେ, ସେଥିରେ ସେ ଧୈର୍ଯ୍ୟ ହରାଇ ତାଙ୍କୁ ଠୋ କରି ଚଟକଣାଟିଏ ପକାଇଥିଲେ । ପରେ ନିଜର ଭୁଲ୍‌ ସ୍ୱୀକାର କରି କଲିକତାର ବାକୀ ଜାଗା ଟାକ୍ସିରେ ବୁଲି ଦେଖିବାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେଇ ଦିନର ଘଟଣା ପରେ ସାବିତ୍ରୀ କାହିଁକି, ସନାତନ ବି କଲିକତା ନଗରୀକୁ ମୁହଁମୋଡ଼ି ଦେଇଛନ୍ତି ଯେ ଦେଇଛନ୍ତି ।

 

ତେବେ କଲିକତା ପ୍ରତି ତାଙ୍କର ଚିରାଚରିତ ଅସୂୟା ଆଜିର ମୁଣ୍ଡବ୍ୟଥାର କାରଣ ନୁହେଁ । ଆଜି ଚାରିଟା ବେଳେ ହଠାତ୍‌ ଫୋନ୍‌ ବାର୍ତ୍ତା ଆସିଲା । ସନାତନଙ୍କୁ କଲିକତା ଯିବାକୁ ହେବ । ଆସନ୍ତାକାଲି ଦିନ ଏଗାରଟା ବେଳେ ଜେନେରାଲ ମ୍ୟାନେଜରଙ୍କୁ ଦେଖା କରିବାକୁ ପଡ଼ିବ । ଭଲରେ ହେଉ କି ମନ୍ଦରେ ହେଉ, ହେଡ୍‌ ଅଫିସ୍‌ରୁ କିଛି ସନ୍ଦେଶ ଆସିଲେ ‘ୱାରେଣ୍ଟ’ ଆସିଲା ପରି ଲାଗେ ଏବଂ କର୍ମଚାରୀମାନଙ୍କର ଛାତି ଧଡ଼ପଡ଼ କରେ ।

 

ଡିଭିଜନ୍‌ ଅଫିସ୍‌ରୁ ଏ ସମ୍ବାଦ ଆସିଲା ପରେ ଅଫିସ୍‌ରେ ହୈ ଚୈ ଖେଳିଗଲା ।

 

ତାଙ୍କର ନିନ୍ଦୁକମାନେ କୁହାକୁହି ହେଲେ, “ଏଥର ଯା’ ବେଟା, କଲିକତାରେ ଢିଙ୍କି କୁଟିବୁ । ଉପର ଲୋକଙ୍କ ସାଥୀରେ ଟକ୍‌କର ଦେବାର ଫଳ ପାଉଥାଏଥର ।’’

 

କିଛି ଦିନ ତଳେ ସନାତନଙ୍କ ନାମରେ ଆସିଥିବା ଜଣେ ନେତାଙ୍କର ଅଭିଯୋଗ ସମ୍ପର୍କରେ ସେମାନେ ଟିªଣି କରୁଥିଲେ ।

 

ଡବାରେ ଅବଶ ଦେହଟାକୁ ଲମ୍ବେଇ ଦେଇ ସେଦିନର ଘଟଣାକୁ ସନାତନ ମନେପକାଇବାକୁ ଚେଷ୍ଟା କରୁଥିଲେ ।

 

ପ୍ରାୟ ଛ’ମାସ ତଳର କଥା । ରାତି ପ୍ରାୟ ଏଗାରଟା । ଅହମଦାବାଦ-ହାଓଡ଼ାଏକ୍ସପ୍ରେସ୍‌ ଟ୍ରେନ୍‌ ସେଦିନ ଟିକିଏ ବିଳମ୍ବରେ ରାଉରକେଲା ଷ୍ଟେସନରେ ପହଞ୍ଚିଲା । ପହଞ୍ଚୁ ପହଞ୍ଚୁମାଇକ୍ରୋଫୋନ୍‌ରେ ଘୋଷଣା କରାଗଲା ଯେ, ମନୋହରପୁର ଓ ପୋସାଇତା ଷ୍ଟେସନ ମଝିରେ ଦୁର୍ଘଟଣା ଯୋଗୁଁ ଗାଡ଼ି ଆଉ ଆଗକୁ ଯାଇପାରିବ ନାହିଁ ।

 

ଏ ଘୋଷଣା ଶୁଣିବା ପରେ ଅନେକ ଯାତ୍ରୀ ଏନ୍‌କ୍ୱାରୀକାଉଣ୍ଟର ପାଖକୁ ଆସି ବୁଝାଶୁଝା କଲେ । ଚାରି ପାଞ୍ଚ ଜଣ ସମ୍ଭ୍ରାନ୍ତ ଯାତ୍ରୀ ‘ରିଟାୟାରିଂ ରୁମ୍‌’ ରିଜର୍ଭେସନ୍‌ କାଉଣ୍ଟରକୁ ଆସି ରୁମ୍‌ ମିଳିବ କି ନାହିଁ ପଚାରିଲେ । ସନାତନ ସେଦିନ ରିଟାୟାରିଂ ରୁମ୍‌ ଆବଣ୍ଟନ ଦାୟିତ୍ୱରେ ଥାଆନ୍ତି ।

 

ଗୋଟିଏ ମାତ୍ର ରିଟାୟାରିଂ ରୁମ୍‌ ଖାଲି ଥିଲା । ଆଶାୟୀ ପାଞ୍ଚ ଜଣ । ସନାତନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଯାତ୍ରୀମାନଙ୍କ ଭିତରେ ତୁମୁଳ ପ୍ରତିଦ୍ୱନ୍ଦିତା ସୃଷ୍ଟି ହୋଇ ଯାଇଥିଲା ।

 

“ପ୍ରଥମେ ଆସିଲା ଲୋକଙ୍କୁ ପ୍ରଥମେ ସେବା ଉପଲବ୍ଧ ହେବ’’–ଏହାହିଁ ରେଳବାଇର ନିୟମ । କିନ୍ତୁ ପ୍ରଥମେ କିଏ ଆସିଛନ୍ତି, ତାହା ନିରୂପଣ କରିବା ଥିଲା ସନାତନଙ୍କ ପାଖରେ ବଡ଼ କଠିନ ସମସ୍ୟା । ପ୍ରତ୍ୟେକ ଭଦ୍ରବ୍ୟକ୍ତି ଦାବୀ କରୁଥିଲେ ଯେ ସେ ପ୍ରଥମେ ଦୌଡ଼ିଦୌଡ଼ି ଆସି ଏଠି ପହଞ୍ଚିଛନ୍ତି । ଏହିଭଳି ବାଦାନୁବାଦ ଓ ବାକ୍‌ବିତଣ୍ଡା ଭିତରେ ସନାତନ ବାହାରକୁ ଚାଲିଯିବାଟା ଶ୍ରେୟସ୍କର ମଣିଥିଲେ । ରିଟାୟାରିଂରୁମ୍‌ର ବର୍ତ୍ତମାନ ଅବସ୍ଥା ବୁଝିବା ବାହାନାରେ ସେ ଉପର ମହଲାକୁ ଚାଲି ଯାଇଥିଲେ ।

 

ବାହାରକୁ ଆସିଲାବେଳେ ଜନଗହଳିର ପଛରେ ଟିକିଏ ଦୂରରେ ଜଣେ ବିଦେଶିନୀଙ୍କୁ ଏକୁଟିଆ ଲଗେଜ୍‌ ସହିତ ଅସହାୟା ଅବସ୍ଥାରେ ଦେଖି ସେ ଟିକିଏ ରହିଗଲେ ଓ ଥଙ୍ଗଥଙ୍ଗ ଇଂରାଜୀରେ ପଚାରିଲେ“ମୁଁ ଆପଣଙ୍କର କିଛି ସାହାଯ୍ୟ କରିପାରେ କି ?’’

 

ବିଦେଶିନୀ ଜଣକ ଉତ୍ତର ଦେଲେ, “ମୁଁ ମାର୍ଗାରେଟ୍‌ ଥୁଏଟ୍‌ । କଲିକତା ଯିବାର ଥିଲା । ଟ୍ରେନ୍‌ ଆଗକୁ ଯାଉନଥିବାରୁ ରହିବା ପାଇଁ ଗୋଟିଏ ରୁମ୍‌ ଖୋଜୁଛି । ମୁଁ ଏଠି ସମ୍ପୂର୍ଣ୍ଣ ନୂଆ ।’’

 

ତାଙ୍କର କଣ୍ଠରେ ଜମିଥିଲା ପ୍ରସ୍ତ ପ୍ରସ୍ତ ବ୍ୟାକୁଳତା ଓ ଚାହାଣିରେ ତରଳ ଆଶଙ୍କା ।

 

ସନାତନ ସେଭଳି ଏକାଗ୍ର ଚାହାଣି ଓ ଆକୁଳତା ଦେଖିଥିଲେ ଅନେକ ବର୍ଷ ପୂର୍ବେ କିଶୋର ଥିଲାବେଳେ । ରେଭେନ୍‌ସା କଲେଜରେ ପଢ଼ୁଥିବା ବେଳେ ସହପାଠୀମାନଙ୍କ ସାଙ୍ଗରେ ରିଲିଫ୍‌ ବାଣ୍ଟିବାକୁ ଯାଇଥିଲେ ବାତ୍ୟାବିଧ୍ୱସ୍ତବରି ଅଞ୍ଚଳକୁ । ହରିଜନ ବସ୍ତିରେ ସେ ଟ୍ରକ୍‌ରେ ଠିଆହୋଇ ଲୁଗା ବାଣ୍ଟୁଥିଲେ । ଭିଡ଼ ଭିତରେ ଯାହାର ହାତ ବେଶ୍‌ ଉପରକୁ ଉଠି ଆସୁଥିଲା, ଲୁଗାଟିଏ ତା’ ହାବୁଡ଼ରେ ପଡ଼ୁଥିଲା । ଦୂରରେ ତେର ଚଉଦ ବର୍ଷର ଝିଅଟିଏ । ଅଧା ଲଙ୍ଗଳା ଦେହ । ହାତଟେକି ମାଗିବାକୁ ଡର ଓ ଲାଜ । କେବଳ ଅପଲକ ନୟନରେ ଚାହିଁଥାଏ । ସନାତନ ସେଦିନ ଗଣ୍ଠିଲୀ ଭିତରୁ ଭଲ ଶାଢ଼ିଟିଏ ଖୋଜି ତା’ ପାଖକୁ ଫିଙ୍ଗି ଦେଇଥିଲେ । ସେତେବେଳେ ସହପାଠୀମାନଙ୍କର ତାଚ୍ଛଲ୍ୟଭରା ହସ ଓ ସେ ଝିଅଟିର ଆତ୍ମସନ୍ତୋଷର ରଙ୍ଗ ଫୁଟିଥିବା ମୁହଁ ମନେପଡ଼ିଲେ ଏବେ ବି ତାଙ୍କ ଦେହ ଝାଳେଇ ଉଠେ ।

 

ବିଦେଶିନୀଙ୍କ ସେହି ଭୟାତୁର ଚାହାଣିଟିରେ ସେ ସମାଧାନର ପନ୍ଥା ଖୋଜି ପାଇଗଲେ ଯେପରି । ରିଟାୟାରିଂ ରୁମ୍‌ ଦେଖିସାରି ସେ ମାର୍ଗାରେଟ୍‌ଙ୍କୁ ତାଙ୍କ ପାଇଁ ଉଦ୍ଦିଷ୍ଟ କୋଠରି ବତାଇ ଦେଲେ ଓ ନିଜେ କାଉଣ୍ଟର ଭିତରେ ପଶି ଭିତରୁ ଚାବି ପକାଇଦେଲେ ।

 

“ଆପଣମାନେ କାଉଣ୍ଟର ଆଗରୁ ଭିଡ଼ ଭାଙ୍ଗନ୍ତୁ । ଗୋଟିଏ ରୁମ୍‌ ଥିଲା, ସେ ବିଦେଶିନୀଙ୍କୁ ସେଇଟା ଯୋଗାଇ ଦିଆଯାଇଛି । ଲେଡିଜ୍‌ ଫାଷ୍ଟ ।’’

 

ଏଇ ଟିକିଏ ଆଗରୁ ଯେଉଁ ପାଞ୍ଚଜଣ ଭଦ୍ରବ୍ୟକ୍ତି ପରସ୍ପର ଭିତରେ ଝଗଡ଼ା କରୁଥିଲେ ଓ ଖୁନ୍ଦା କହୁଣି ମରାମରି ହେଉଥିଲେ ଏବେ ସେମାନେ ସମସ୍ତେ ଏକଜୁଟ ହୋଇଗଲେ ଓ ଡାହାଳ କୁକୁର ଯୂଥ ପରି ସନାତନଙ୍କ ଉପରକୁ ଗର୍ଜିଉଠିଲେ ।

 

ଜଣେ କହୁଥିଲେ“ଆପଣଙ୍କର ନିୟମ ହେଉଛି ଯେ ପ୍ରଥମେ ଆସିବ, ତାକୁ ପ୍ରଥମେ ସେବା ପ୍ରଦାନ କରାଯିବ । ସେ ଭଦ୍ରମହିଳାଏନ୍‌କ୍ୱାରୀକାଉଣ୍ଟରର ପାଖ ତ ମାଡ଼ି ନାହାନ୍ତି, ରିଜର୍ଭେସନସ୍ଲିପ୍‌ ଲେଖିବା ତ ଦୂରର କଥା । ଆପଣ ତାଙ୍କୁ କେମିତି ରୁମ୍‌ ଦେଇଦେଲେ ?’’

 

ଆଉ ଜଣେ ଗର୍ଜୁଥିଲେ“କେତେ ମାଲପାଣି ଝଡ଼େଇଲ ? ବିଦେଶିନୀଠାରୁ ମୋଟା ରକମ ମିଳିଥିବ ନିଶ୍ଚୟ ।’’

 

ତୃତୀୟ ବ୍ୟକ୍ତି ତାଚ୍ଛଲ୍ୟ ପ୍ରକାଶ କରି କହୁଥିଲେ, “ତମେ ବହୁତ ଲୁଙ୍ଗୁରା ହୋଇଛ ହୋ ? ତମେ ନିୟମ କାନୁନ୍‌ ପାଣିରେ ପକାଇ ଦେଇ ଉପରେ ପଡ଼ି ସେ ଭଦ୍ରମହିଳାଙ୍କୁ ରୁମ୍‌ ଦେଇଛ । ଚାକିରିଟା ଗନ୍ଧୋଉଛି କି ?’’

 

ଆଉ ଜଣେ ଦକ୍ଷିଣିଆ ଓଡ଼ିଆ ଭାଷାରେ ବକୁଥିଲେ, “ହଇବେ, ଗୋରା ଚମଡ଼ା ଦେଖି ତମ ଜିଭରୁ ଲାଳ ବହିଗଲା କି ? ଦେଶ ସ୍ୱାଧୀନ ହେଲା ସତ, ତମର ଇଂରେଜୀ ପ୍ରୀତି ଗଲା ନାହିଁ ?’’

 

ଶେଷକୁ ନେତା ଜଣକ ସମସ୍ତଙ୍କୁ ଚୁପ୍‌ କରାଇ ଦେଇ କହିଲେ, “ମୁଁ ଶାସକ ଦଳର ଜିଲ୍ଲା ସଭାପତି । ରୁମ୍‌ ପାଇବା ପାଇଁ ମୁଁ ପ୍ରଥମେ ହକ୍‌ଦାର । ଆମେ ଦେଶର ସ୍ୱାଧୀନତା ପାଇଁ ବର୍ଷ ବର୍ଷ ଧରି ଯେଉଁ କଷ୍ଟ ସ୍ୱୀକାର କରିଛୁ, ତା’ର ମୂଲ୍ୟ କ’ଣ ଏହିଭଳି ବ୍ୟବହାର ?’’

 

ସନାତନ ଅତି ବିନମ୍ର ସ୍ୱରରେ କହୁଥିଲେ, “ଆଜ୍ଞା, କ୍ଷମା କରିବେ, ସେ ଥିଲେ ଏକାକିନୀ ବିଦେଶୀ ମହିଳା । ତା’ପରେ ସେ ବିଦେଶରୁ ଆସିଥିବାରୁ ଆମର ଅତିଥି । ତାଙ୍କୁ ଅଗ୍ରାଧିକାର ଦେବା ଆମର କର୍ତ୍ତବ୍ୟ ।’’

 

“ରଖହୋ, ତମର କର୍ତ୍ତବ୍ୟ । ଏହି ଗୋରା ବିଦେଶୀମାନେ ତିନିଶହ ବର୍ଷ ଧରି ଏ ଦେଶଟାକୁ କିଭଳି ଛାରଖାର କରିଗଲେ, ସେଇଟା ତମକୁ ଜଣା ନାହିଁ ? ଠିକ୍‌ ଅଛି, ମୁଁ ମୋର କରିଲା କାମ କରି ତୁମକୁ ଦେଖିନେବି ।’’

 

ଗୋରା ସାହେବମାନେ ଏ ଦେଶରେ କି ଅକଥନୀୟ ଅତ୍ୟାଚାର କରିଛନ୍ତି, ତାହା ସନାତନ ବହିରେ ପଢ଼ିଛନ୍ତି । ଜେଜେମା’ଙ୍କଠାରୁ ଶୁଣିଛନ୍ତି । ଢେଙ୍କାନାଳର ପ୍ରଜା ଆନ୍ଦୋଳନ ଦବାଇବା ପାଇଁ ସେଇମାନେ ଗାଁଗାଁଖେଦି ଯାଇଥିଲେ । ପ୍ରାଣ ବିକଳରେ ପୁରୁଷ ଲୋକମାନେ ଦିନ ଦିନ ଧରି ବଣ ଜଙ୍ଗଲରେ ଲୁଚିଥିଲେ । ଗୋରା ସିପାହୀମାନେ କାହାକୁ ନ ପାଇ ଆସି ଢିଙ୍କି କୁଟି, ଶଗଡ଼ ଦଣ୍ଡାରେ ଖେଳି ମଉଜ ମଜଲିସ୍‌ କରି ଚାଲିଗଲେ ବୋଲି ତାଙ୍କ ଜେଜେମା’ କହୁଥିଲେ । ହେଲେ ଇଂରେଜ ଲୋକମାନଙ୍କୁ ଦେଖିଲେ ସନାତନଙ୍କ ଯେତିକି ଅସୂୟା ନ ହୁଏ, କଥା କଥାରେ ଇଂରେଜ ଶାସକମାନଙ୍କ ଉଦାହରଣ ଦେଇ ନିଜର ଫାଇଦା ହାସଲ କରୁଥିବା ଲୋକଙ୍କୁ ଦେଖିଲେ ସେ ଆହୁରି ବେଶୀ ତାତି ଯାଆନ୍ତି ।

 

ନେତାଙ୍କର ଧମକ ଚମକ, ଅନ୍ୟ ଯାତ୍ରୀଙ୍କର ଅଶ୍ରାବ୍ୟ ଗାଳିଗୁଲଜକୁ ଭ୍ରୂକ୍ଷେପ ନ କରି ସେ ଜଣେ ବିଦେଶିନୀଙ୍କୁ ସାହାଯ୍ୟ କରିପାରିଥିବାରୁ ଗଭୀର ଆତ୍ମସନ୍ତୋଷ ଲାଭ କରିଥିଲେ ।

 

ସେ ଘଟଣାର କିଛି ଦିନ ପରେ ସନାତନଙ୍କୁ କୈଫିୟତ୍‌ ମଗାଯାଇଥିଲା । ନେତାଙ୍କର ଅଭିଯୋଗର ଏକ କିତା ନକଲ ସେ ଚିଠି ସହିତ ସଂଯୁକ୍ତ ଥିଲା ।

 

ନେତାଙ୍କର ଅଭିଯୋଗ ଥିଲା ଯେ, ଆଗେ ଆସିଥିବା ଲୋକଙ୍କୁ ରିଟାୟାରିଂ ରୁମ୍‌ ନ ଦେଇ ସେ ନିୟମ କାନୁନର ଖିଲାପ କରିଛନ୍ତି । ଏହା ପଛରେ ନିଶ୍ଚିତଭାବରେ ତାଙ୍କର ପ୍ରଚ୍ଛନ୍ନ ମତଲବ ଓ ଦୃଢ଼ ଅଭିସନ୍ଧି ଅଛି । ସେ ବିଦେଶିନୀଙ୍କ ଠାରୁ ମୋଟା ରକମର ଉତ୍କୋଚ ଗ୍ରହଣ କରୁଥିବାର ମଧ୍ୟ ଲୋକ ଦେଖିଛନ୍ତି । ନେତାଙ୍କର ଅଭିଯୋଗକୁ ପୁଷ୍ଟି କରି ଅନ୍ୟ ଚାରିଜଣ ଆଶାୟୀ ଯାତ୍ରୀ ମଧ୍ୟ ସାକ୍ଷୀ ହିସାବରେ ଦରଖାସ୍ତ କରିଥିଲେ ।

 

ସନାତନ ତାଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ଅଭିଯୋଗର ସୁଚିନ୍ତିତ ପ୍ରତୁ୍ୟତ୍ତର ଦେଇଥିଲେ । ସେ ଲେଖିଥିଲେ ଯେ, ବିଦେଶିନୀଙ୍କ ଆଗରୁ ଅନ୍ୟ ପାଞ୍ଚଜଣ ରିଟାୟାରିଂ ରୁମ୍‌ ପାଇଁ ଯେ ପ୍ରତ୍ୟାଶୀ ଥିଲେ ଏହା ସତ୍ୟ, କିନ୍ତୁ ସେଭଳି ପରିସ୍ଥିତିରେ ସେ ନେଇଥିବା ପଦକ୍ଷେପ ହିଁ ଏକାନ୍ତ ଯୁକ୍ତିଯୁକ୍ତ ।

 

ପ୍ରଥମତଃ, ମାର୍ଗାରେଟ୍‌ ଥିଲେ ଜଣେ ଅସହାୟା ମହିଳା । ଦ୍ୱିତୀୟତଃ, ସେ ଥିଲେ ବିଦେଶିନୀ । ବିଦେଶୀ ପର୍ଯ୍ୟଟକଙ୍କୁ ଏ ଦେଶରେ ଉଚିତ୍‌ ବ୍ୟବହାର ନ କଲେ ଏ ଦେଶକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ କିପରି ? ତାଙ୍କର ଛୋଟକାଟିଆ ମସ୍ତିଷ୍କ ଅନୁସାରେ, ଏହି ପର୍ଯ୍ୟଟକମାନେ ହିଁ ଭି.ଆଇ.ପି. ବ୍ୟବହାର ପାଇବା ପାଇଁ ଯୋଗ୍ୟ । ସର୍ବଶେଷରେ, ଏ ଦେଶର ସଂସ୍କୃତି ଓ ପରମ୍ପରା ଅନୁସାରେ, ନାରୀର ସ୍ଥାନ ବହୁ ଊଦ୍ଧ୍ୱର୍ରେ । ତେଣୁ ଜଣେ ନାରୀକୁ ସାହାଯ୍ୟ କରି ସେ କିଛି ଭୁଲ କରିନାହାନ୍ତି । ଆଇନ୍‌କାନୁନ୍‌ର ମାପକାଠି ନୁହେଁ, ମାନବିକତାର ମାପକାଠିରେ ତାଙ୍କ କାର୍ଯ୍ୟକୁ ତଉଲିବା ପାଇଁ ସେ ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ।

 

କୈଫିୟତ୍‌ ଦେବାର କିଛି ଦିନ ଅନ୍ତେ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିଲା । ଭୁଲ୍‌ ମାଗିବା ପରିବର୍ତ୍ତେ ସେ ଉପରିସ୍ଥ ଅଧିକାରୀଙ୍କୁ ବକ୍ତୃତା ଶୁଣାଇବାର ପ୍ରୟାସ କରିଛନ୍ତିତାଙ୍କୁ ଏହିଭଳି କିଛି କଡ଼ା ଦଣ୍ଡ ଦରକାର ବୋଲି ଡିଭିଜନ୍‌ ଅଫିସ୍‌ରେ ଟିªଣି ଦିଆଯାଇଥିଲା ।

 

ଚାକିରିରୁ ‘ସସ୍‌ପେଣ୍ଡ’ ହେଲେ ବି ସନାତନ ନିଜର କୃତକର୍ମ ପାଇଁ ଅନୁତପ୍ତ ହୋଇନଥିଲେ ବା ‘ସ୍‌ପେନ୍‌ସନ୍‌’ ଆଦେଶ ଉଠାଇଦେବା ପାଇଁ କୌଣସି ଅଧିକାରୀଙ୍କ ଦ୍ୱାରସ୍ଥ ହୋଇନଥିଲେ ।

 

ଏ ବିଷୟରେ ସାବିତ୍ରୀଙ୍କ ସହିତ ତାଙ୍କର କେତେ ଥର ମନାନ୍ତର ହୋଇଛି । ସସ୍‌ପେନ୍‌ସନ୍‌ ଆଦେଶ ଉଠାଇବା ପାଇଁ ସେ କାହିଁକି ଆବେଦନ କରୁନାହାନ୍ତି ବା କୌଣସି ମନ୍ତ୍ରୀ ବା ପାର୍ଲାମେଣ୍ଟ ସଦସ୍ୟଙ୍କ ସୁପାରିଶ ଆଣୁ ନାହାନ୍ତିଏହାକୁ କେନ୍ଦ୍ରକରି ସାବିତ୍ରୀ ବହୁ ମାନ ଅଭିମାନ କରିଛନ୍ତି । କିନ୍ତୁ ସନାତନ ନିଜ ମତରେ ଅଟଳ ରହିଥିଲେସେ କୌଣସି ଭୁଲ୍‌ କରିନାହାନ୍ତି । ତେଣୁ କାହାକୁ ଏ ବିଷୟରେ ଅନୁରୋଧ କରିବାର ପ୍ରଶ୍ନ ଉଠୁନାହିଁ ।

 

ସାବିତ୍ରୀ ଜାଣିଥିଲେ ଯେ ସନାତନ ଏକରକମ ଜିଦ୍‌ଖୋର ଓ ଏକ୍‌ବାଗିଆ ମଣିଷ । ସସ୍‌ପେନ୍‌ସନ୍‌ ସମୟର ଅଧା ଦରମାରେ ଚଳିବା କଷ୍ଟକର । ନିଜେ କିଛି ନ କଲେ ନ ହୁଏ । ଅଭାବ ଅନଟନରେ ପେଷିହୋଇ ସନାତନ ଚୁର୍‌ଚୁର୍‌ ହୋଇଯିବେ ସିନା, କାହା ପାଖରେ ମୁଣ୍ଡ ନଇଁବେ ନାହିଁ । ସେଥିପାଇଁ ସାବିତ୍ରୀ ତାଙ୍କ ଅଞ୍ଚଳର ପାର୍ଲାମେଣ୍ଟ ସଦସ୍ୟଙ୍କ ଚାପ ପକାଇ ସନାତନଙ୍କ ସସ୍‌ପେନ୍‌ସନ ଆଦେଶ ପ୍ରତ୍ୟାହାର କରାଇଥିଲେ ।

 

ସସ୍‌ପେନ୍‌ସନ୍‌ ଆଦେଶ ଉଠିଗଲା ସିନା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ଏ ପର୍ଯ୍ୟନ୍ତ ଏନ୍‌କ୍ୱାରୀ ଚାଲିଛି ଏବଂ ସନାତନଙ୍କୁ ଏଥିପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି ।

 

ସେ ଦୌଡ଼ିବାରେ ତାଙ୍କ ଦୁଃଖ ନାହିଁ । କୋଡ଼ିଏ ବର୍ଷର ଚାକିରି କାଳ ଭିତରେ ନିଜ ପାରୁ ପର୍ଯ୍ୟନ୍ତ ମନ ମୁନ ଲଗାଇ ସେ କାମ କରିଆସିଛନ୍ତି । ତାଙ୍କର ନିଜ ବିବେକ କହିଲା ଭଳି କୌଣସି ଭୁଲ କାମ ସେ କରିନାହାନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଉପରିସ୍ଥ ଅଧିକାରୀଙ୍କର ସୁନଜର କେବେ ତାଙ୍କ ଉପରକୁ ଢଳି ନାହିଁ । ହୋଇପାରେ, ରେଳବାଇ ଏତେ ବଡ଼ ସଂସ୍ଥା, ଏଠି ଏତେ କର୍ମଚାରୀ । ଅଧିକାରୀ ଜଣେ ହେଲେ କର୍ମଚାରୀ ଏକହଜାର । ଅଧିକାରୀ ଏଠି ଧୁଆ ମୂଳା ଓ ଅଧୁଆ ମୂଳା ବାରି ନ ପାରିଲେ ତାଙ୍କୁ ଦୋଷ ଦେଇହେବ ନାହିଁ । କୌଣସି ପୁରସ୍କାର ପ୍ରାପ୍ତିର ପ୍ରତ୍ୟାଶା ସେ କେବେ ରଖିନାହାନ୍ତି । ଅଧିକାରୀଙ୍କର ଅସ୍ୱୀକୃତି ଓ ଅବଜ୍ଞା ପାଇଁ ମଧ୍ୟ କେବେ ଦୁଃଖ କରିନାହାନ୍ତି । ଦୁଃଖରେ ନିରୁଦ୍‌ବିଗ୍ନ ଓ ସୁଖରେ ବୀତସ୍ପୃହ ହୋଇ ସେ ରେଳବାଇ ଚାକିରିରେ ପଶିବା ଦିନଠୁ ହିଁ ସ୍ଥିତପ୍ରଜ୍ଞ ପାଲଟି ଯାଇଛନ୍ତି ।

 

ଦୁଃଖ ସୁଖରେ ବିଚଳିତ ନ ହେଲେ ବି ଆଜି ଜେନେରାଲ ମ୍ୟାନେଜରଙ୍କ ଅପ୍ରତ୍ୟାଶିତ ଡାକରା ପାଇ ତାଙ୍କର ଚିରାଚରିତ ଦମ୍ଭିଲା ମନଟା କିମିତି ଦୋହଲି ଯାଇଛି । ଆସିଲାବେଳେ ସାବିତ୍ରୀଙ୍କର ଆଶଙ୍କାରେ ଛାଇ ହୋଇଥିବା ଥମ୍‌ଥମ୍‌ ମୁହଁ, ପିଲା ଦୁଇଟିଙ୍କରପ୍ରଶ୍ନଭରାବ୍ୟାକୁଳିତ ଚାହାଣି ଦେଖି ତାଙ୍କ ସ୍ୱଭାବସୁଲଭ ପାଷାଣ ହୃଦୟଟା ଆଜି କେମିତି ଉଦ୍‌ବେଳିତ ହୋଇଛି । ସାଙ୍ଗସାଥୀମାନଙ୍କର ବେପରୁଆ ମନ୍ତବ୍ୟ ଓ ବଡ଼ବାବୁଙ୍କର ନିତ୍ୟନୈମିତ୍ତିକ ଗାଳିଗୁଲଜକୁ ଦେଖି ଦେଖି ସେ କେବେ କେବେ ଭାବନ୍ତି, ଛୁଆପିଲା ନ ଥିଲେ ବୋଧେ ଚାକିରିକୁ ଥୁ କରିଦେଇ ସେ କେବେଠୁ ତାଙ୍କ ଅଜାଙ୍କ ଭଳି ଗେରୁଆ ଲୁଗା ପିନ୍ଧି ଜୋରନ୍ଦା ଗାଦିରେ ଆସ୍ଥାନ ଜମାନ୍ତେଣି । ମଣିଷ ଟିକିଏ ଲଗାମଛଡ଼ା ହେବାକୁ ଚେଷ୍ଟା କଲେ ସ୍ତ୍ରୀ ପୁତ୍ର କନ୍ୟାଙ୍କର କରୁଣ ଚାହାଣି ତାକୁ ଫାଶ ଭଳିଆ ପଛକୁ ଟାଣିଟାଣି ଆଣନ୍ତି ।

 

କାହିଁ ରେଳବାଇର ଜେନେରାଲ ମ୍ୟାନେଜର ଓ କାହିଁ ସନାତନଙ୍କ ଭଳି ରିଜର୍ଭେସନ୍‌ କ୍ଲର୍କ । ଜେନେରାଲ ମ୍ୟାନେଜରଙ୍କ ପରିଦର୍ଶନ ବେଳେ ଷ୍ଟେସନରେ ଓ ତାଙ୍କର ସେଲୁନ୍‌ ଆଗରେ ଟହଲ ମାରୁଥିବା ଶହ ଶହ ଘର୍ମାକ୍ତ ଅଫିସର ଓ ଇନ୍‌ସପେକ୍ଟରଙ୍କୁ ଦେଖି କିଏ ଯେ ନ ଭାବିବ ଏ ନରପୁଙ୍ଗବ ସେ କାଳର ରାଜା ମହାରାଜାଙ୍କ ଠାରୁ କୌଣସି ଗୁଣରେ ନୂ୍ୟନ ନୁହଁନ୍ତି । ପୁଣି ସେ ଜେନେରାଲ ମ୍ୟାନେଜରଙ୍କର ବଙ୍ଗଳା-ପାଞ୍ଚ ଏକର ଜମି ଭିତରେ ସେ ସୁଦୃଶ୍ୟ ଅଟ୍ଟାଳିକା ବିଷୟରେ ସନାତନ ଖାଲି ଶୁଣିଛନ୍ତି ସିନାକେବେ ଦେଖିବାର ସୁଯୋଗ ଆସିନାହିଁ ।

 

ଜେନେରାଲ୍‌ ମ୍ୟାନେଜରଙ୍କ କାର୍ଯ୍ୟାଳୟ ସେ ଦେଖିଛନ୍ତି । ଆସନ୍ତାକାଲି ପ୍ରକୋଷ୍ଠ ଭିତରକୁ ଯିବାର ସୁଯୋଗ ମିଳିବ ।

 

ଏତେ ବଡ଼ ଲୋକଙ୍କର ଡାକରାରେ ସନାତନଙ୍କ ଭଳି ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ମୂହ୍ୟମାନ ହେବା ନିତାନ୍ତ ସ୍ୱାଭାବିକ ।

 

ଏହିଭଳି ଭାବି ଭାବି ସନାତନ ରାତ୍ରିର ତୃତୀୟ ପ୍ରହରରେ ନିଘୋଡ଼ ନିଦରେ ଶୋଇପଡ଼ିଛନ୍ତି । ହାଓଡ଼ାରେ କୁଲି ଉଠାଇଲା ପରେ ହିଁ ଧଡ଼ପଡ଼ ହୋଇଉଠିଛନ୍ତି । େୱଟିଂରୁମ୍‌ରେ ନିତ୍ୟକର୍ମ ସାରି ଲଞ୍ଚ୍‌ରେ ବସି ଗାର୍ଡନରିଚ୍‌ ଆସିଛନ୍ତି । ସାକ୍ଷାତ୍‌କାର ସମୟର ଏକଘଣ୍ଟା ଆଗରୁ ସେ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଯାଇଛନ୍ତି ।

 

ଜେନେରାଲ ମ୍ୟାନେଜରଙ୍କ ପ୍ରକୋଷ୍ଠ ଉପର ମହଲାରେ । ତଳୁ ମାର୍ବଲ ପଥରର ପାହାଚ ଇନ୍ଦ୍ରଧନୁ ଭଳି ଉପରକୁ ବଙ୍କେଇ ଯାଇଛି । ମଝିରେ ମଝିରେ ଫୁଲର କୁଣ୍ଡ । ସେହି ପାହାଚ ଉପରେ ଏ ଭିତରେ ଦୁଇ ତିନି ଥର ଅନ୍ୟମନସ୍କ ଭାବେ ସେ ଉପର ତଳ ହେଲେଣି । ୟୁନିଫର୍ମଟିକୁଭିଡ଼ାଭିଡ଼ି କରି ଠିକ୍‌ଠାକ୍‌ କଲେଣି ।

 

ସାକ୍ଷାତ୍‌କାର ସମୟ ପାଖେଇ ଆସିଲା । ଏନ୍‌କ୍ୱାରୀ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ସନାତନ ବ୍ୟାଗ୍‌ରୁ ବାହାର କଲେ ଓ ଜେନେରାଲ ମ୍ୟାନେଜରଙ୍କ ପ୍ରକୋଷ୍ଠ ବାହାରେ ବସିଥିବା ଦରୱାନଙ୍କୁ ଆସିବାର କାରଣ କହିଲେ ।

 

ଦରୱାନ ତାଙ୍କୁ ନେଇ ଜେନେରାଲ ମ୍ୟାନେଜରଙ୍କ ସେକ୍ରେଟାରୀଙ୍କ ପ୍ରକୋଷ୍ଠରେ ହାଜର କରାଇ ଦେଲା । ଜେନେରାଲ ମ୍ୟାନେଜର ମହାଦେବ ହେଲେ ସେକ୍ରେଟାରୀ ତାଙ୍କ ବାସୁଆ ବଳଦ ପରି । ଯାହା ଉପରେ ଜେନେରାଲ ମ୍ୟାନେଜରଙ୍କର ଆକ୍ରୋଶ ଥାଏ, ସେକ୍ରେଟାରୀ ତା’ ଉପରେ ପରସ୍ତେ ଦାଉ ସାଧିବାକୁ ଉଦ୍‌ଗ୍ରୀବ ଥାଆନ୍ତି । ତେଣୁ ପ୍ରଭୁଙ୍କ ତୁଷ୍ଟି ପୂର୍ବରୁ ଲୋକେ ପୂଜାର୍ଚ୍ଚନା କରି ତାଙ୍କର ତୁଷ୍ଟିବିଧାନ କରନ୍ତି । ସେକ୍ରେଟାରୀ ସନାତନ ମହାଳିକଙ୍କୁ ଡାକରା ହୋଇଥିବାର କାରଣ ଜାଣିଥିଲେ । ତାମ୍ବୁଳ ସେବନ ଜନିତ ରଙ୍ଗାଧରରେ ହସଟିଏଛାଡ଼ି ସେ ସୋଫା ଉପରେ ବସିବାକୁ କହିଲେ ।

 

କିଛି ସମୟ ପରେ ଜେନେରାଲ ମ୍ୟାନେଜର୍‌ଙ୍କ ପ୍ରକୋଷ୍ଠରେ ଆଉ ଚାରି ପାଞ୍ଚଜଣ ଉଚ୍ଚ ପଦାଧିକାରୀ ବ୍ୟକ୍ତି ପ୍ରବେଶ କଲେ । ତା’ପରେ ସନାତନଙ୍କୁ ଭିତରକୁ ଡକାହେଲା ।

 

ଜେନେରାଲ ମ୍ୟାନେଜର ପଚାରିଲେ, “ତୁମକୁ କାହିଁକି ଡକା ହୋଇଛି କହି ପାରିବ ?’’

 

ସନାତନ ବିନମ୍ର ସ୍ୱରରେ କହିଲା, “ନା ସାର୍‌, ମୁଁ ଜାଣେନି ।’’

 

ଜେନେରାଲ ମ୍ୟାନେଜର ଗୋଟିଏ ଚିଠି ତାଙ୍କୁ ପଢ଼ିବାକୁ ଦେଲେ । ଚିଠିଟି ଆସିଥିଲା ମାର୍ଗାରେଟ୍‌ ଥୁଏଟ୍‌ଙ୍କ ଠାରୁଲଣ୍ଡନରୁ ।

 

ସେ ଲେଖିଥିଲେଭାରତ ବିଷୟରେ ମୁଁ ଅନେକ ଲେଖା ପଢ଼ିଥିଲି । ଅନେକ ପର୍ଯ୍ୟଟକଙ୍କ ଠାରୁ ଶୁଣିଥିଲି ଯେ, ଏ ଦେଶ ଖୁବ୍‌ ସୁନ୍ଦରଏହାର ବଣ ଜଙ୍ଗଲ, ପାହାଡ଼, ଝରଣା ଖୁବ୍‌ ମନୋରମ । କିନ୍ତୁ ଏହାର ଲୋକମାନେ କେତେ ନୀଚ ଓ ସ୍ୱାର୍ଥପର ! ବିଶେଷତଃ, ପର୍ଯ୍ୟଟକମାନଙ୍କୁ ଏମାନେ ଶୋଷି ନେବାକୁ ଚାହାନ୍ତି । ବାଟରେ, ଘାଟରେ, ସମୁଦ୍ର କୂଳରେ ଅଶ୍ଳୀଳ ଇଙ୍ଗିତ କରନ୍ତି । ମୋର ଏହି ଧାରଣା ପରିବର୍ତ୍ତନ ହେଲା ଯେତେବେଳେ ଭାରତର ରାଉରକେଲା ଷ୍ଟେସନ୍‌ରେ ଜଣେ ରିଜର୍ଭେସନ୍‌ କ୍ଲର୍କଙ୍କର ଅମାୟିକ ବ୍ୟବହାର ଦେଖିଲି । ମୋ ପାଇଁ ସେ ଭଦ୍ରଲୋକ ଅନେକ ହଇରାଣ ହୋଇଛନ୍ତି ବୋଲି ଶୁଣିଲି । ତା’ପର ଦିନ ତାଙ୍କ ସହ ମୋର ସାକ୍ଷାତ୍‌ ହୋଇପାରିଲା ନାହିଁ । ମୋ ତରଫରୁ ତାଙ୍କୁ ଏତିକି କହିବେ ଯେ, ସେ ସସ୍ତ୍ରୀକ ଇଂଲଣ୍ଡ ଆସିବାକୁ ମୋର ଅନୁରୋଧ ରହିଲା । ସେତେବେଳେ ସେ ହେବେ ମୋର ଅତିଥି ଏବଂ ମୁଁ ତାଙ୍କୁ ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାଇ ନେବି ।’’

 

ଚିଠି ଶେଷରେ ଲେଖାଥିଲା “ଧନ୍ୟବାଦ ଭାରତ ।’’

 

ଚିଠିଟି ପଢ଼ୁପଢ଼ୁବାତାନୁକୂଳ ପ୍ରକୋଷ୍ଠରେ ମଧ୍ୟ ତାଙ୍କର ପରସ୍ତେ ଝାଳ ବହିଗଲା । ପିଲାଦିନେ କଡ଼ାପାନ ଖଣ୍ଡେ ଖାଇ ଦେଇଥିବାରୁ ଓ ଘାଇଁଘାଇଁ ମୁଣ୍ଡ ବୁଲାଇବାରୁ ସେ ତାଙ୍କ ଢିଙ୍କି ଉପରେ ଶୋଇପଡ଼ିଥିଲେ ଏବଂ ସ୍ୱପ୍ନରେ ଦେଖିଥିଲେ ଯେ ଢିଙ୍କିରେ ଚଢ଼ି ସେ ସାତଦରିଆ ପାରି ବିଲାତ ଚାଲିଯାଇଛନ୍ତି । କିନ୍ତୁ ବିଲାତ ମାଟିରେ ପାଦ ଦେଉଁଦେଉଁ ତାଙ୍କର ସ୍ୱପ୍ନ ଭଗ୍ନ ହୋଇଯାଇଥିଲା । ସେତେବେଳେ ସେ ଢିଙ୍କିରୁ ତଳେ କଚାଡ଼ିହୋଇପଡ଼ିଥିଲେ ।

 

ଆଜି ବି ତାଙ୍କୁ ସ୍ୱପ୍ନର ଧୂଆଁଳିଆ ରାଇଜରେ ପଶିଗଲା ପରି ଲାଗୁଥିଲା ।

 

ଏତିକିବେଳେ ଜେନେରାଲ ମ୍ୟାନେଜର ଚିହ୍ନାଇ ଦେଲେ“ଇଏ ହେଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ । ସେ ଦେଇଥିବା ମାନପତ୍ରଟି ପଢ଼ ।’’

 

ମାନପତ୍ରରେ ଲେଖାଥିଲାଶ୍ରୀ ସନାତନ ମହାଳିକ ଜଣେ ପର୍ଯ୍ୟଟକ ମହିଳାଙ୍କୁ ଅକୁଣ୍ଠ ସାହାଯ୍ୟ କରି ଏ ଦେଶର ମାନ ଓ ଗୌରବ ବଢ଼ାଇଛନ୍ତି । ତାଙ୍କର ମାନବିକ କାର୍ଯ୍ୟ ଯୋଗୁଁ ତାଙ୍କୁ କମ୍‌ ମାନସିକ ଯନ୍ତ୍ରଣା ଭୋଗିବାକୁ ପଡ଼ିନାହିଁ । ଭାରତରେ ପର୍ଯ୍ୟଟନ ଶିଳ୍ପର ପ୍ରୋତ୍ସାହନରେ ତାଙ୍କର ଏ ଅବଦାନ ନଗଣ୍ୟ ନୁହେଁ । ଭାରତରେ ପର୍ଯ୍ୟଟନ ବର୍ଷ ପାଳନର ଅବସରରେ ପର୍ଯ୍ୟଟନ ବିଭାଗ ତରଫରୁ ଏ ମାନପତ୍ର ଓ ଲଣ୍ଡନ ଯିବାଆସିବା ପାଇଁ ଦୁଇଟି ଏୟାର ଇଣ୍ଡିଆ ଟିକେଟ୍‌ ପ୍ରଦାନ କରାଯାଉଛି ।

 

ଈଷତ୍‌ ନୀଳ ଓ ଲୋହିତ ଲଫାପା ଭିତରୁ ପୁରସ୍କାରଟି ନେଉ ନେଉ ତାଙ୍କ ହାତ ରହିଗଲା ଓ ସେ ସ୍ୱପ୍ନରାଇଜରୁ ବାସ୍ତବ ରାଇଜକୁ ଫେରିଆସିଲେ ।

 

“କିନ୍ତୁ ସାର୍‌, ଆପଣ ସେଦିନର ଘଟଣା ପାଇଁ ମୋତେ ଦଣ୍ଡ ଦେଇଛନ୍ତିସସ୍‌ପେଣ୍ଡ କରିଛନ୍ତି ଓ ତା’ର ଏନ୍‌କ୍ୱାରୀ ଏ ପର୍ଯ୍ୟନ୍ତ ଚାଲିଛି । ମୁଁ ଭାବିଥିଲି ଯେ ଆଜି ମୋର ଏନ୍‌କ୍ୱାରୀର କିଛି ଗୋଟାଏ ଶେଷ ଫଇସଲା ଆପଣ ଶୁଣାଇବେ ।’’

 

ଜେନେରାଲ ମ୍ୟାନେଜର କହିଲେ, “ଶେଷ ଫଇସଲା ଶୁଣିବ ? ଶୁଣମାର୍ଗାରେଟ୍‌ଙ୍କ ତରଫରୁ ତମେ ଇଂଲଣ୍ଡରେ ବୁଲିବାର ଉପହାର ପାଇଲପର୍ଯ୍ୟଟନ ବିଭାଗରୁ ତମେ ପ୍ଲେନ୍‌ ଟିକେଟ୍‌ ପାଇଲ । ରେଳବାଇ ତରଫରୁ ମୁଁ ତୁମକୁ ‘ମ୍ୟାନ୍‌ ଅଫ୍‌ ଦି ଇୟର’ ଘୋଷଣା କରୁଛି ଏବଂ ଉପର ପାହାଚକୁ ପଦୋନ୍ନତି ଦେଉଛି ।

 

“ତୁମର ଆବେଦନ ଓ ସଫାଇରେ ଦେଇଥିବା ଯୁକ୍ତି ମୁଁ ପଢ଼ିଛି । ମାନବିକତାର ମାପକାଠିରେ ନୁହେଁ, ଆଇନ କାନୁନ୍‌ର ମାପକାଠିରେ ମୁଁ ତୁମକୁ ତଉଲିଛିକାରଣ ମୁଁ ଜଣେ ସରକାରୀ କର୍ମଚାରୀ, ମହାତ୍ମା ଗାନ୍ଧୀ ବା ମଦର ଟେରେସା ନୁହେଁ । କାନୁନ୍‌ ବହିର ସେ ସସ୍‌ପେନ୍‌ସନ୍‌ଟା ‘ପେନାଲ୍‌ଟି’ ନୁହେଁ । ତେଣୁ ତୁମେ ସେ ସସ୍‌ପେନ୍‌ସନ୍‌ ସମୟଟାକୁ ଦଣ୍ଡ ନ ଭାବି କର୍ତ୍ତବ୍ୟରତ ସମୟ ବୋଲି ଭାବିନିଅ ।’’

 

ଚାକିରି ଓ ଜୀବନ ପ୍ରତି ବିଗତସ୍ପୃହ ସନାତନ ଏତେ ଦିନକେ ତିନି ଚତୁର୍ଥାଂଶ ଦାନ୍ତ ଦେଖାଇ ହସଟିଏ ହସିଥିଲେ ଓ କାହାକୁ ଧନ୍ୟବାଦ ଦେବେ, ଭାବିପାରୁ ନଥିଲେ ।

Image

 

ଭଅଁର

 

ସକାଳୁ ପାଗଟା କାଆଁଳିଆ ଥିଲା । ଆକାଶରେ ନୂଆ ମେଘଙ୍କ ପଲଟଣ ବାହାରି ଥିଲା । ରୁମୁରୁମିଆ ମେଣ୍ଢାପଲ ପରି ଦିଶୁଥିବା ମେଘମାନେ ପରସ୍ପର ସହ ଘଷିହୋଇ, ପିଟିହୋଇ ଧାଇଁଥିଲେ ଆଗକୁ ଆଗକୁ ।

 

ମନାଲୀ ନିଜ ବେଡ୍‌ରୁମ୍‌ରେ ବସି ପଢ଼ୁଥିଲା । ନବତଳ-ବିଶିଷ୍ଟ ଫ୍ଲାଟ୍‌ର ସପ୍ତମ ମହଲାରେ ତାଙ୍କ ଘର । ବେଡ୍‌ରୁମ୍‌ର ଗୋଟିଏ କୋଣରେ ତା’ର ଷ୍ଟଡି ଟେବୁଲ୍‌ ଓ ଚେୟାର ପଡ଼ିଥିଲା । ଟେବୁଲ ଉପରେ ଗୋଟିଏ ଛୋଟିଆ ବୁକ୍‌-ସେଲ୍‌ଫ । ଟେବୁଲ୍‌କୁ ଲାଗି ଝରକା । ଝରକାବାଟେ ଦିଶେ ହୁଗୁଳୀ ନଈର ପୂରନ୍ତା ଛାତି ଏବଂ ସେଥିରେ ହଲି ହଲି ଦୋହଲି ଦୋହଲି ଭାସିଯାଉଥିବା ଲଞ୍ଚ ଓ ଜାହାଜସବୁ । ମନାଲୀ ଏବେ ଛୋଟ ପିଲା ନଥିଲେ ବି ଜାହାଜ ଗଲାବେଳେ ଟାଟା ବାଏ ବାଏ କରିବାକୁ ତା’ର ହାତ ସ୍ୱତଃ ଉପରକୁ ଉଠିଯାଏ ।

 

ସେ ଏହିବର୍ଷପ୍ରଥମକରି କଲେଜରେ ପାଦ ଦେଇଛି । ପ୍ରଥମବର୍ଷ କଳା ଶ୍ରେଣୀର ଛାତ୍ରୀ କୈଶୋରର ପାହାଚ ଚଢ଼ି ତାରୁଣ୍ୟରେ ପଦାର୍ପଣ କରିବା ବୟସଟା ମିଠା ମିଠାସ୍ୱପ୍ନ ଓ ସ୍ପନ୍ଦନରେ ଭରା । ଏ ବୟସରେ ଆସନ୍ତାକାଲି ପାଇଁ ଶୋଚନା ନଥାଏ । ନଥାଏ ଗଲାକାଲି ପାଇଁ ଅନୁଶୋଚନା । ତେଣୁ ବର୍ତ୍ତମାନର ନୀରାଜନାରେ ବ୍ୟସ୍ତ ଏହି ବାଳିକା ପଢ଼ାଛାଡ଼ିଝର୍କା କାଚ ବାଟଦେଇ ନୂଆ ମେଘର ଚଲାପଥକୁ ଚାହିଁଥିଲା ।

 

ହଠାତ୍‌ ବାଲକୋନୀ କବାଟ ଦେଇ ଦମକାଏ ପବନ ପଶିଆସିଲା । ଶୀତଳ ପବନ ସୁଉସୁଉ ଶବ୍ଦରେ ସାଇରେନ୍‌ ବଜାଇ ସୂଚନା ଦେଲା ଯେ ବର୍ଷା ଆସିବ, ସାବଧାନ । ମନାଲୀ କବାଟ ବନ୍ଦ କରୁ କରୁ ପବନ ସହ ଠେଲି ହୋଇଆସିଲା ଭଅଁରଟିଏ ।

 

ଭଅଁରଟି ଭଅଁ ଭଅଁଶବ୍ଦକରିମନାଲୀର ମୁହଁ ଚାରିପଟେ ଦୁଇ ଚକ୍କର ଦେଇ ଡ୍ରଇଂରୁମ୍‌ ଆଡ଼େଉଡ଼ିଗଲା । ମନାଲୀ ‘ଇସ୍‌ ଇସ୍‌’ର ଏକ ଛୋଟ ରଡ଼ିଟିଏଛାଡ଼ି ନିଜର ପଢ଼ା ଟେବୁଲକୁ ଫେରିଲା ।

 

କାହିଁ କେତେ ବର୍ଷ ହେଲା ସେ ଭଅଁରଟିଏ ଦେଖିବାକୁ ପାଇନି । କଲିକତାରେ ନଅ ମହଲାକୁ ମଶା ଉଡ଼ିଆସନ୍ତି । ମାଛି ଉଡ଼ି ଆସନ୍ତି । ରାତିରେ ଆଲୁଅ ଚାରିପଟେ ମେଳା ବସାଇ ସକାଳୁ ଝଡ଼ିପୋକମାନେଝଡ଼ିପଡ଼ନ୍ତି । ବର୍ଷା ଦିନେ କାହୁଁ ପଶିଆସନ୍ତି କିମ୍ଭୂତ କିମାକାର ପୋକ ଜୋକ । କିନ୍ତୁ ମନ ଭିତରେ ସୁଖସ୍ୱପ୍ନ ଭରି ଦେଉଥିବା ପ୍ରଜାପତି, କଙ୍କି ଓ ଭଅଁର ଜାତୀୟ ପତଙ୍ଗ ଏଠି ବିରଳ । ସତେ ଯେପରି ଏ ସହର ସେମାନଙ୍କ ପାଇଁ ନିଷିଦ୍ଧ ଅଞ୍ଚଳ ବୋଲି ହୁଲିଆ ଜାରି ହୋଇଛି ।

 

କ୍ଲାସରେ ଏଇ କିଛିଦିନ ତଳେ ପଢ଼ିଥିବା ଶକୁନ୍ତଳା ଉପାଖ୍ୟାନଟି ମନାଲୀରମନେପଡ଼ିଗଲା । ସେ ଫେଁକିନାହସିଉଠିଲା । ଅଭିଜ୍ଞାନ ଶାକୁନ୍ତଳମ୍‌ ପଢ଼ାଇଲାବେଳେ ସଂସ୍କୃତ ଅଧ୍ୟାପକ ଏପରି ମନ ମୁନ ଏବଂ ଚୈତନ୍ୟ ଲଗାଇ ଶକୁନ୍ତଳାଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କରୁଥିଲେ ଯେ ମନେ ହେଉଥିଲା, ସେ ଏଇମାତ୍ର ଶକୁନ୍ତଳାଙ୍କର ପ୍ରସାଧନ କାର୍ଯ୍ୟ ସମାପ୍ତ କରି ଫେରିଛନ୍ତି । ସେଦିନ ଶକୁନ୍ତଳା ସଖୀମାନଙ୍କ ଗହଣରେ ପୁଷ୍ପ ବାଟିକାରେ ଭ୍ରମଣ କରୁଥିବା ସମୟରେ ତାଙ୍କ ମୁହଁଟି ଏକ ଫୁଲର ଭ୍ରମ ସୃଷ୍ଟି କରିଥିଲା । ସେଥିପାଇଁ ଭ୍ରମରଟିଏ ତାଙ୍କ ମୁହଁ ଚାରିପଟେ ଘୂରିବୁଲିଲା । ଯେତେ ବାରଣ କଲେ ବି ଗଲା ନାହିଁ । ଅମାନିଆ ଭଅଁରର ଅଦଉତି ସହି ନପାରି ଶକୁନ୍ତଳା ‘ରକ୍ଷାକର, ରକ୍ଷାକର’ ବୋଲି ନିଜର ଅଜାଣତରେ ଚିତ୍କାର କରିଉଠିଲେ । ଅବଳାର ସ୍ୱର ଶୁଣି ପାରିଧିରେ ଆସିଥିବା ରାଜା ଦୁଷ୍ମନ୍ତ ସେଠି ପହଞ୍ଚି ଯାଇଥିଲେ । ତା’ପରେ ସର୍ଜନା ହୋଇଥିଲା ଏକ ବିଶ୍ୱପ୍ରସିଦ୍ଧ ପ୍ରଣୟର ଗାଥା ।

 

କବି କାଳିଦାସଙ୍କ କଳ୍ପନାକୁ ରକ୍ତମାଂସ ଦେଇ ବର୍ଣ୍ଣନା କରୁଥିଲେ ସଂସ୍କୃତ ଅଧ୍ୟାପକ ମହାଶୟ । ମନାଲୀ ଓ ତା’ର ବାନ୍ଧବୀମାନେ ସେ ରଚନାମୃତକୁଚଁଚଁ କରି ପିଇ ଯାଉଥିଲେ ସେତେବେଳେ ।

 

ଇତ୍ୟବସରରେ ଭଅଁରଟି ଫ୍ଲାଟରଅନ୍ଦିକନ୍ଦି ସର୍ବେକ୍ଷଣ କରି ଚାଲିଥିଲା । ପାଖ ଘରେ ଅମ୍ବରୀଶ ବାବୁ ଗାଧୋଇ ସାରି ପୂଜା କରୁଥିଲେ । ବେଡ୍‌ରୁମ୍‌ର କାନ୍ଥ ଆଲମାରୀରେ ସେ ତାଙ୍କର ଛୋଟ ଛୋଟ ଠାକୁରଙ୍କ ମୂର୍ତ୍ତି ରଖିଥିଲେ । ଧୂପ ଆଳତି ଦେଲାପରେ ସେ ଛୋଟ ଘଣ୍ଟିଟିଏ ବଜାଉଥିଲେ ଏବଂ ଗୁଣୁଗୁଣୁ ସ୍ୱରରେମନ୍ତ୍ରପାଠ କରୁଥିଲେ । ପରିଧେୟ ଶୁକ୍ଳ ବସ୍ତ୍ରଟିଏ । ଅମ୍ବରୀଶ ବାବୁ ବଡ଼ସାଦାସିଧା ଲୋକ । ପୂଜାର୍ଜନା ସାରିଲେ ସେ ପୋଷାକ ପିନ୍ଧନ୍ତି ।

 

ଡ୍ରଇଂରୁମ୍‌ରେ କେହି ନ ଥିଲେ । ଗୋଟିଏ କୋଣରେ ଏକ କାଠ ଷ୍ଟୁଲ୍‌ ଉପରେ ରଖାଯାଇଥିଲା ପଥରର ଦେବଦାସୀ ମୂର୍ତ୍ତିଟିଏ । ସେଲ୍‌ଫରେ ସଜା ହୋଇଥିଲା ଗୋଟିଏ କାଠହାତୀ, ଗୋଟିଏ ଟେଡି ବିୟର ସମେତ ମନାଲୀରପିଲାଦିନର ଅନେକ ଖେଳନା କେ„ଇ ଓ ତା’ର ସ୍କୁଲରୁ ମିଳିଥିବା କେତୋଟି ଟ୍ରଫି । ଏହି ସମସ୍ତ ନିର୍ଜୀବ, ନିଷ୍ପ୍ରାଣ ପଦାର୍ଥମାନଙ୍କୁ ଏକ ଅବଜ୍ଞାସୂଚକ ଚାହାଣି ଦେଇ ଭଅଁର ଚାଲିଲା ରୋଷେଇ ଘରକୁ ।

 

ରୋଷେଇ ଘରୁ ସେଁ ସେଁ ଶବ୍ଦ ଶୁଭୁଥିଲା । ମାଛଭଜାର ମହକରେ ଫ୍ଲାଟ୍‌ର ବାତାବରଣ ବାସ୍ନାୟିତ ହେବା ସଙ୍ଗେ ସଙ୍ଗେ ବିଘ୍ନିତ ହେଉଥିଲା ଅମ୍ବରୀଶ ବାବୁଙ୍କର ଧ୍ୟାନ ଏବଂ ମନାଲୀର ସୁଖସ୍ୱପ୍ନ । ଏଇ ଘରେ କେବଳ ମଞ୍ଜୁଳା ହିଁ ମାଛର ବାସ୍ନାରେ ବିଭୋର ହୁଅନ୍ତି । ଅନ୍ୟମାନଙ୍କ ‘ସେଣ୍ଟିମେଣ୍ଟ’ ପ୍ରତି ତାଙ୍କର ଭ୍ରୂକ୍ଷେପ ନାହିଁ । ସେ ମାଛଭଜାରଚଡ଼ଚଡ଼ ଶବ୍ଦ ଓ ମହକରେ ଏପରି ତନ୍ମୟ ଥିଲେ ଯେ, ସେ ଭଅଁରକୁ ଲକ୍ଷ୍ୟ କରିନାହାନ୍ତି । କିନ୍ତୁ ଭଅଁରଟି ତାଙ୍କୁ ଭଲଭାବେ ଦେଖିଛି । ତାଙ୍କ ନାଁମଞ୍ଜୁଳା ନ ଦେଇ, ପ୍ରବଳା ଦେଇଥିଲେ ତାଙ୍କ ନାମଟି ସାର୍ଥକ ହୋଇଥାନ୍ତା ବୋଲି ସେ ଭାବିଛି । ପୁଣି ତାଙ୍କ ହାତରେ ଉତ୍ତପ୍ତ ପିଠାପାତିଆର ଅସ୍ତ୍ର । ଉପରେ ଫ୍ରାଇଙ୍ଗ ପ୍ୟାନ୍‌ । ତଳେ ଅନଳର ଲହଲହଜିହ୍ୱା । ସେଠି ପୈତୃକ ପ୍ରାଣଟିକୁ ବିପଦ ବୋଲି ଭାବି ଭଅଁରଟି ରୋଷେଇ ଘରୁ ତ୍ୱରିତ ଗତିରେ ନିଷ୍କ୍ରାନ୍ତ ହୋଇଗଲା ।

 

ଭଅଁରଟି ମନାଲୀରଷ୍ଟଡିରୁମ୍‌କୁ ଫେରିଆସିଥିଲା । ମନାଲୀଏକଲୟରେ ଚାହିଁଥିଲା ବର୍ଷଣୋନ୍ମୁଖ ମେଘମାନଙ୍କୁ । ତା’ର ସୂକ୍ଷ୍ମ ଗହମରଙ୍ଗର ତନୁ ବଲ୍ଲରୀରୁ ମୁହଁଟି ଆଗକୁ ଝୁଙ୍କିଥିଲା ଏକ ମାଧବୀ ଲତାର ଫୁଲପରି । ଏହି ସରଳ ନିଷ୍ପାପ ମୁହଁଟିକୁ ଆଉଥରେ ଅତି ନିକଟରୁ ଦେଖିବାର ଲୋଭକୁ ସମ୍ବରଣ କରିପାରିଲାନି ଭଅଁରଟି ।

 

ସେ ମନାଲୀର ମୁହଁ ଚାରିପଟେ ଘୂରିବାକୁ ଲାଗିଲା । ‘ଯାଃ...ଯାଃ’ କହି ହାତ ହଲାଇ ମନାଲୀ ତାକୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲା । ଭଅଁରଟି ମାନିବାର ଜୀବ ନୁହେଁ । ସେ ମନାଲୀକୁମନପୂରାଇ ଦେଖିନାହିଁ । ତେଣୁ ସେ ପୁଣି ଘୂରି ଘୂରି ତା’ର ଗାଲ ପାଖକୁ ଚାଲିଆସିଲା ।

 

“ଏ ମା...’’ କହି ମନାଲୀରଡ଼ିଛାଡ଼ିଲା । ମନାଲୀର ମା’ ମଞ୍ଜୁଳାଙ୍କର ଧ୍ୟାନ ନିବିଷ୍ଟ ଥିଲା ଅନ୍ୟତ୍ର । ତେଣୁ ସେ ମନାଲୀର ଚିତ୍କାର ଶୁଣି ପାରିଲେନି । ପାଖକୁ ଅମ୍ବରୀଶ ବାବୁ ଧାଇଁଆସିଲେ ।

 

ଆତଙ୍କିତ ମନାଲୀକୁ ମେଜ ତଳେ ଆବିଷ୍କାର କରି ଅମ୍ବରୀଶ ପଚାରିଲେ–

 

“କ’ଣ ହେଲା, ମା’... ?’’

 

“ବାପା, ଏଇ ଦେଖନା ।’’ ସେ ଭଅଁର ଆଡ଼କୁ ଠାରିଲା ।

 

“ଆରେ, ଏତ ଛାର ଭଅଁରଟା । ଏଟାକୁ ଏତେ ଡର କ’ଣ ?’’

 

“ଏଇଟା ଏଇନେ ମୋ ଗାଲକୁ କାମୁଡ଼ି ଦେଇଥାନ୍ତା ।’’

 

ଅମ୍ବରୀଶ ବାବୁ ହସିଲେ । କହିଲେ, “ରହ ଅବିକା ମଜା ହେବ ।’’

 

ତାଙ୍କ ମଥା ଭିତରେ ଏବେ ଏକ ଅଜବ ଧାରଣାଟିଏ ଢୁକିଲା । ତାଙ୍କ ଶୈଶବର ସବୁଜ ସ୍ମୃତିଗୁଡ଼ିକ ପୁଣି ଡେଣା ଫଡ଼ଫଡ଼ କରି ଉଡ଼ିଆସିଲେ । ଗାଈଆଳ ପିଲାଙ୍କ ଜରିଆରେ ସେ ପାଖ ଜଙ୍ଗଲରୁ ଗୁଞ୍ଜୁରାପୋକ ଧରି ଆଣନ୍ତି । ନାଲି, ନେଳୀ, ସବୁଜ ବହୁବର୍ଣ୍ଣୀଗୁଞ୍ଜୁରାପୋକ । ସେମାନଙ୍କୁ ଗୋଟିଏ ଗୋଟିଏ ଦିଆସିଲି ଖୋଳରେ ରଖନ୍ତି । ସେମାନଙ୍କ ବେକରେ ସୂତା ଭିଡ଼ି ଉପରକୁ ଉଡ଼ାଇ ଖେଳନ୍ତି । ଗୁଞ୍ଜୁରାପୋକ ମଧୁର ଘିଁଘିଁ ଶବ୍ଦକରି ଉଡ଼ିଉଡ଼ି ଘରପାଖ ଫୁଲଗଛରେ ବସିପଡ଼େ । ସକାଳକୁ ଗୁଞ୍ଜୁରାପୋକ ଦେଇଥିବା ଛୋଟ ଛୋଟ ହଳଦିଆ ଅଣ୍ଡା ଦେଖି ଅମ୍ବରୀଶତାଳିମାରିନାଚିଉଠନ୍ତି ।

 

ଗାଁପାଖ ଜଙ୍ଗଲ ଧ୍ୱଂସ ହୋଇଯିବା ପରେ ଏବେ ଗୁଞ୍ଜରାପୋକ ନିଶ୍ଚିହ୍ନ ହୋଇଗଲେଣି । ସହରରେ ବା ମିଳିବେ କେଉଁଠୁ ? ଏପରିକି ଭଅଁରଟିଏ ମଧ୍ୟ ଦେଖିବାକୁ ସ୍ୱପ୍ନ । ସୌଭାଗ୍ୟକୁ ଆଜି ଭଅଁରଟିଏ ମିଳିଛି । ତାକୁ ଆଜି ହାତଛଡ଼ା କରିବେ ନାହିଁ ।

 

ଏହା ଭାବି ସେ ପୋକମାଛି ଧରିବା ପାଇଁ ତିଆରି ନେଟଟିକୁ ଆଣିବାକୁ ଦୌଡ଼ିଗଲେ । ହୁଗୁଳୀ ନଈକୂଳରେଫ୍ଲାଟ୍‌ ହୋଇଥିବାରୁ ଏଠି ପୋକମାଛିଙ୍କ ଦୌରାତ୍ମ୍ୟ ବେଶି । ସେଥିପାଇଁ ସେ ଏ ନେଟକୁ କିଣି ରଖିଛନ୍ତି ।

 

ଲମ୍ବାବାଡ଼ି ଥିବା ନେଟ୍‌ଟିକୁ ଧରିଆସୁଥିବା ଦେଖି ଭଅଁରଟି ସିଲିଂ ପାଖକୁ ଉଠିଗଲା । ଅମ୍ବରୀଶ ଖଟ ଉପରେ ଚଢ଼ିଲେ । ଭଅଁର ଉପରକୁ ନେଟ୍‌ ପକାଇବାକୁ ଚେଷ୍ଟା କଲାବେଳେ ସେ ଧରାଛୁଆଁ ଦେଉନଥାଏ । ଅମ୍ବରୀଶ ଏପଟ ସେପଟ ହାତକୁ ବୁଲାଉଥାନ୍ତି । ଭଅଁର ଲୁଚକାଳି ଖେଳି ଚାଲିଥାଏ । ନେଟ୍‌ ବାଜି ପ୍ରଥମେ କାନ୍ଥରେ ଝୁଲୁଥିବା ବଲ୍‌ବ ଭାଙ୍ଗିଗଲା । ହେଲା ଝଣଝଣ ଶବ୍ଦ । ତା’ପରେଧଡ଼ାସ୍‌ ଧଡ଼ାସ୍‌ । ପୁଣି ଝଣ୍‌ ଝଣ୍‌ । ଏବେ ଝର୍କାର କାଚ ଭାଙ୍ଗି ଛିନ୍‌ଛତ୍ରହୋଇପଡ଼ିଲା ।

 

ଏବେ ଅମ୍ବରୀଶ ରାଗିଗଲେ । ଭଅଁର ମଧ୍ୟ ତା’ର ରାଗର ମାତ୍ରାକୁ ବଢ଼ାଇଭଁଭଁ ଗର୍ଜନ ଛାଡ଼ି ତାଙ୍କ ଆଡ଼େମାଡ଼ିଆସିଲା । ସେ ଅସ୍ତବ୍ୟସ୍ତ ହୋଇ ଖଟ ତଳକୁ ଡେଇଁଲା ବେଳେ ଭଅଁରଟି ତାଙ୍କ ପିଚାରେ ଶୁ„ ଫୋଡ଼ି ଦେଇଥିଲା ।

 

“ମା’ଲୋବାପାଲୋ’’ କହି ଏବେ ଅମ୍ବରୀଶ ବାବୁ ଖଟତଳେ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଥିଲେ । କାହିଁକିନାଶେ୍ୱତାମ୍ବର ପରିହିତ ଅମ୍ବରୀଶ ଏବେ ଦିଗମ୍ବରରେ ପରିଣତ ହୋଇଯାଇଥିଲେ ।

 

ମନାଲୀ ହସିବ ନା କାନ୍ଦିବ ଭାବିପାରୁ ନଥିଲା । ତଥାପି ସେ ନିଜର ଆବେଗକୁ ଚାପିବାକୁ ଯତ୍‌ପରୋନାସ୍ତି ଉଦ୍ୟମ କରୁଥିଲା । ଭଅଁରଟି ବିଜୟ ଦର୍ପରେ ଏକ ଫୌଜୀବିମାନପରି ଗର୍ଜନ କରି ଘର ଚାରିପଟେ ଉଡ଼ିବୁଲୁଥିଲା ।

 

କାଚ ଭାଙ୍ଗିବାର ଝଣ୍‌ଝଣ୍‌ ଶବ୍ଦ, ଅମ୍ବରୀଶଙ୍କ ଖଟ ଉପରେ ଧଡ଼ପଡ଼ ହେବାର ଶବ୍ଦ ଏବଂ ଆର୍ତ୍ତଚିତ୍କାର ଶୁଣି ମଞ୍ଜୁଳା ଭାବିଲେ, ବୋଧହୁଏ, ନଈକୂଳିଆ ଗଛରୁ ବାଲକୋନୀକୁ ହନୁମାଙ୍କଡ଼ ଡେଇଁ କିଛି ଉତ୍ପାତ କଲାଣି । ସେ ଆଜି ମାଙ୍କଡ଼କୁ ପାନେ ଦେବେ ।

 

ଆସିଲାବେଳେ ଡ୍ରଇଂରୁମ୍‌ କାନ୍ଥରେ ଛବି ମରାହୋଇ ସଜା ହୋଇଥିବା ଖଣ୍ଡା ଦୁଇଟି ହାତରେ ଧରି ସେ ଦୌଡ଼ି ଆସିଲେ । ଏ ଦୁଇଟି ତାଙ୍କର ଉତ୍ତର-ପୂର୍ବାଞ୍ଚଳରେ ଚିକିରି କରୁଥିବା ଭାଇଙ୍କର ଉପହାର । ଟିକିଏ ଟିକିଏ କଥାରେ ଖଣ୍ଡାଧରିଦୌଡ଼ି ଆସିବାଟା ତାଙ୍କର ପୁରୁଣା ଅଭ୍ୟାସ ।

 

ଆସି ଦେଖିଲେ, ମାଙ୍କଡ଼ ନୁହେଁ । ବାପ ଝିଅଙ୍କର ମାଙ୍କଡ଼ାମି ଯୋଗୁଁ ଘରଟି ଗୋଟିଏ କାର ଦୁର୍ଘଟଣାସ୍ଥଳର ରୂପ ନେଇଥିଲା । ଖଟତଳୁ ଓ ମେଜ ତଳୁ ମୁଣ୍ଡଟିମାନ ବାହାର କରି ବାପ-ଝିଅ ସମସ୍ୱରରେ କହିଲେ ଯେ, ଏସବୁ ଭଅଁରର ଲଙ୍କାକାଣ୍ଡ ।

 

ମଞ୍ଜୁଳା ଆଜିଯାଏ କାହାରି ଔଦ୍ଧତ୍ୟ ହଜମ କରିନାହାନ୍ତି । ଅମ୍ବରୀଶ ତାଙ୍କ ସାମ୍ନାରେ ଏକ ମେଷ ଶିଶୁପରି ଅନୁଗତ । ମନାଲୀ ତ ସହଜରେ ଛୋଟ ପିଲା । ସେ ଖାଲି ପାଟିକରି ଦେଲେ ତା’ ଗାଲରୁ ଦୁଧ ବାହାରି ଆସିବ । ପୂର୍ବଜନ୍ମର ସୁକୃତରୁ ବୋଧହୁଏ ଚାକର ପିଲାଟି ତାଙ୍କ ନିକଟରେ ପ୍ରତିଦିନ ମରୁ ମରୁ ବଞ୍ଚୁଥାଏ ।

 

ସେ ଛାର ଭଅଁରର ଆସ୍ପର୍ଦ୍ଧା ସହ୍ୟ କରନ୍ତେ କିପରି ?

 

ମଞ୍ଜୁଳାସନ୍ତର୍ପଣରେ ଖଟ ଉପରେ ଚଢ଼ିଲେ । ବୀର ଦର୍ପରେ ଖଣ୍ଡା ଉଞ୍ଚେଇ ଭଅଁରକୁ ଆକ୍ରମଣ କରିବାକୁ ବାହାରିଲେ । ସେତେବେଳେ ବାରମ୍ବାର ଖଣ୍ଡାରେ ସେ କେବଳ ପବନକୁ ହିଁ ଦୁଇଗଡ଼ କରିପକାଉଥିଲେ ।

 

ମଞ୍ଜୁଳା ଲାଲ ରଙ୍ଗର ମ୍ୟାକ୍ସି ପିନ୍ଧିଥିଲେ । ତାଙ୍କର ଓ ଭଅଁରର ଯୁଦ୍ଧ ଦେଖି ମନେ ହେଉଥିଲା, ସତେ ଯେପରି ଏକ ବୁଲ୍‌ ଫାଇଟର ଓ ହଲଷ୍ଟିନ୍‌ ବୃଷଭ ମଧ୍ୟରେ ଲଢ଼େଇ ଚାଲିଛି ।

 

ଖଟତଳୁ ଜୁଳୁଜୁଳୁ କରି ଚାହିଁଥାନ୍ତି ଅମ୍ବରୀଶ । ମେଜ ତଳେ ହସର ଲହଡ଼ିଟାକୁଚାପିଧରି ଚାହିଁଥାଏ ମନାଲୀ ।

 

ମଞ୍ଜୁଳାଙ୍କର ଦ୍ରୁତ ଅସୀ ଚାଳନା ଓ ଲାଲ କପଡ଼ା ଦେଖି ରକ୍ତମୁଖା ଭଅଁର ପ୍ରତିଆକ୍ରମଣ କଲା । ସେ ତଡ଼ିତ୍‌ ବେଗରେ ମଞ୍ଜୁଳାଙ୍କର ଇଂରାଜୀ ‘ଭି’ ଆକୃତିର ଅନାବୃତ ବକ୍ଷସ୍ଥଳରେ ଆଘାତ କଲା ।

 

ଏଭଳି ସଂକଟାପନ୍ନ ପ୍ରତିଆକ୍ରମଣ ପାଇଁ ମଞ୍ଜୁଳା ପ୍ରସ୍ତୁତ ନଥିଲେ । ସେ ଏକ ନିର୍ଘାତ ରଡ଼ିଛାଡ଼ିଲେ । ତାଙ୍କ ହାତରୁ ଖଣ୍ଡା ଖସିଯାଇଥିଲା । ତାଙ୍କୁ ମନେହେଲା ଯେ ତାଙ୍କର ବକ୍ଷସ୍ଥଳ ଦେଇ ଭଅଁରଟି ମାଡ଼ି ଚାଲିଛି ତଳକୁ ତଳକୁ । ସେ ମ୍ୟାକ୍ସିଟିକୁ ଫିଙ୍ଗିଦେଇ ବେଡ୍‌ରୁମ୍‌ ସଂଲଗ୍ନ ବାଥରୁମ୍‌ ଭିତରକୁ ପଶିବାକୁ ଶ୍ରେୟସ୍କର ମଣିଥିଲେ ।

 

ଅମ୍ବରୀଶ ଓ ମନାଲୀଦୁହିଁଙ୍କୁ ମନେହେଲା ଯେ, ଏବେ ଅବରୁଦ୍ଧ କରି ରଖିଥିବା ହସର ଜୁଆର ପେଟ ଫଟାଇ ବାହାରି ଆସିବ । ତଥାପି ସେ ଦାନ୍ତକୁ ଆହୁରି ଚାପିଲେ ଓ ନିଜର ଆବେଗ ଉପରେ ନିୟନ୍ତ୍ରଣ ରଖିଲେ । ମଞ୍ଜୁଳାଙ୍କ ରାଜ୍ୟରେ ଉଚ୍ଚବାଚରେ ହସିବା ମନା । ପୁଣି ତାଙ୍କୁ ଉପହସିତ କରି ହସିବାଟା ଏକ ଅକ୍ଷମଣୀୟ ଅପରାଧ । ଏବେ ସେ ମେଞ୍ଚାଏ ଆହତ ଅଭିମାନ ନେଇ ବାଥରୁମ୍‌ରେ ଆତ୍ମଗୋପନ କରିଛନ୍ତି । ତାଙ୍କୁ ରଗେଇଲେ ସେ ପୃଥିବୀ ପ୍ରଳୟ କରିଦେବେ । କିଛି ନ ପାରିଲେ ହୁଏତ ବାଥ୍‌ରୁମ୍‌ର ଦର୍ପଣ, ଟ୍ୟୁବ୍‌ଲାଇଟ୍‌ ଇତ୍ୟାଦି ଚୁରମାର କରିଦେବେ ।

 

ତେଣେ କେହି ‘କଲିଂବେଲ୍‌’ ବଜାଇଲା । ଚାକର ପିଲା ବଜାର କରି ଫେରିଲା ବୋଧହୁଏ । ଭଙ୍ଗା କାଚକୁ ଆଡ଼େଇ ହୋଇ ନିଜର ଦୁର୍ଗରୁ ବାହାରି ମନାଲୀ କବାଟ ଖୋଲିବାକୁ ଧୀରେ ଧୀରେ ଗଲା । ଏହି ସୁଯୋଗରେ ଅମ୍ବରୀଶ ନିଜର ବସ୍ତ୍ରଟିକୁ କରଗତ କରି ଫାଲ୍‌ଟା ମାରିଦେଲେ । ପତ୍ନୀଙ୍କ ମ୍ୟାକ୍ସିଟିକୁ ନେଇ ତାଙ୍କୁ ପିନ୍ଧିବାକୁ ଦେଲେ ।

 

କିଛିକ୍ଷଣ ପରେ ମଞ୍ଜୁଳାବାଥ୍‌ରୁମ୍‌ରୁ ବାହାରିଲେ । ତାଙ୍କର ମୁହଁଟା ବର୍ଷଣୋନ୍ମୁଖମେଘପରି ଗମ୍ଭୀର ଦିଶୁଥିଲା । ତାଙ୍କୁ ଦେଖି ସମସ୍ତଙ୍କୁ ଗମ୍ଭୀର ରହିବାକୁ ପଡ଼ିଲା । ତାଙ୍କ ପରିବାରର ତିନିଜଣ ସଦସ୍ୟଙ୍କୁ ଲାଞ୍ଛିତ କରିଥିବା ଭଅଁରଟି କୁଆଡ଼େଗଲାବୋଲି ସେ ଉପରକୁ ବଲବଲ କରି ଅନାଇ ଥିଲେ । ଘର ଭିତରେ ଏବେ ଯୁଦ୍ଧ ପରବର୍ତ୍ତୀ ନିସ୍ତବ୍ଧତା । ଏବେ ସମସ୍ତଙ୍କର ତଳେ ପଡ଼ିଥିବା ଭଅଁରଟି ଉପରେ ନଜର ପଡ଼ିଲା । ସେଇଟା ନିଶ୍ଚଳ ନିର୍ବାକ ହୋଇ ଚଟାଣ ଉପରେ ପଡ଼ିଥିଲା । କୁସ୍ତିରେ ପରାଜିତ ମଲ୍ଲଯୋଦ୍ଧାପରି ସେ ଗୋଡ଼ ଉପରକୁ କରି ଓଲଟା ହୋଇପଡ଼ିଥିଲା ।

 

“ବାପା, ଭଅଁରଟା ମରିଗଲା ବୋଧହୁଏ । ଆଉ କାଇଁଭଁଭଁ ଶୁଭୁନି ।’’

 

ମଞ୍ଜୁଳାଙ୍କ ରାଗ ଶାନ୍ତ ହୋଇନଥିଲା । ସେ କହିଲେ, “ଭଲ ହେଲା । ମୁଁ ଏବେ ତା’ ଦେହଟାକୁ ଖଣ୍ଡାରେ ହାଣି ଦୁଇଗଡ଼ କରିଦେବି ।’’

 

ଅମ୍ବରୀଶ କହିଲେ, “ସେମିତି କୁହନି । ବିଚରା ଭଅଁରର କି ଦୋଷ ? ସେ ତ ପବନରେ ବାଟଭୁଲି ଚାଲି ଆସିଥିଲା । ଝର୍କା କବାଟ ଖୋଲା ଥିଲେ, ସେ ଆପେ ଆପେ ତା’ ବାଟରେ ଚାଲି ଯାଇଥାନ୍ତା । ଆମ ପାଇଁ ଯାହା ଖେଳ ସେଇଟା ତା’ ପାଇଁ କାଳ ହେଲା ।’’

 

ଅମ୍ବରୀଶ ଧର୍ମପ୍ରାଣ ଲୋକ । ଭ୍ରମର ପାଇଁ କରୁଣାରେ ତାଙ୍କର ହୃଦୟ ବିଗଳିତ ହୋଇଯାଇଥିଲା । ମନାଲୀର କଣ୍ଠ ଆର୍ଦ୍ର । ଭଅଁରଟି କେଡ଼େ ଆନନ୍ଦରେ ଗୀତ ଗାଇ ବୁଲୁଥିଲା । ତା’ କଣ୍ଠରୁ ସବୁଦିନ ପାଇଁ ଗୀତ ହଜିଗଲା । ସେ ଚିତ୍କାର କରିନଥିଲେ, ଏତେ ସବୁ କାଣ୍ଡ ଘଟିନଥାନ୍ତା । ସେ ନିଜକୁ ଦୋଷୀ ମଣୁଥିଲା । ମଞ୍ଜୁଳା ମଧ୍ୟ ଧୀରେ ଧୀରେ ଥଣ୍ଡା ପଡ଼ି ଆସୁଥିଲେ । ସେ କହିଲେ, “ଆହା, ବିଚରା ! ମୋ ହାତରେ ତା’ର ପ୍ରାଣ ଗଲା । ସକାଳୁ ସକାଳୁ ପାପରେ ଭାଗୀ ହେଲି ।’’

 

ବର୍ଷାଟା ଡରେଇ ଧମକେଇ କୁଆଡ଼େ ଫେରାର ହୋଇଯାଇଥିଲା ।

 

ଅମ୍ବରୀଶ ବାଲକୋନୀର କବାଟ ଖୋଲିଦେଲେ । ମନଲାରୀପଢ଼ା ଟେବୁଲ ଉପରୁ କାଗଜଟିଏ ଆଣି ଭଅଁରକୁ ଉଠାଇଲେ । ଭଅଁରଟିକୁ ବାଲକୋନୀ ବାଟେ ତଳକୁ ଫିଙ୍ଗିଦେବେ ବୋଲି ମନସ୍ଥ କଲେ । ମନାଲୀ ଓ ମଞ୍ଜୁଳା ମଧ୍ୟ ତାଙ୍କ ପଛେ ପଛେଶବବାହକଙ୍କୁ ଅନୁସରଣ କରୁଥିବା ଜ୍ଞାତିମାନଙ୍କ ପରି କାରୁଣ୍ୟଭରା ମୁହଁ କରି ବାଲକୋନୀକୁ ଗଲେ ।

 

ଏହି ସମୟରେ ଓଲଟି ପଡ଼ିଥିବା ଭଅଁରଟି ଅମ୍ବରୀଶଙ୍କ ହାତ ପାପୁଲିରେ ଥିବା କାଗଜ ଉପରେ ସାଷ୍ଟାମହୋଇବସିଲା । ଭଅଁ ଭଅଁଶବ୍ଦକରି ତିନିଜଣଙ୍କ ମୁହଁ ଚାରିପଟେ ତିନୋଟି ଚକ୍‌କର ଦେଇ ସେ ମିଶି ଯାଉଥିଲା ଆକାଶର ନୀଳ ଶୂନ୍ୟତା ମଧ୍ୟରେ ।

 

କାଗଜ ଉପରେ ଝାଡ଼ିଝୁଡ଼ି ହୋଇ ଉଠିବାର ଉପକ୍ରମ କଲାବେଳକୁଅମ୍ବରୀଶଙ୍କୁ ମନେହେଲା ଯେ, ସେ ଭଅଁରଟି ତାଙ୍କୁ ଆଖି ମିଟିକା ମାରି ଚାଲିଗଲା ।

 

ସେ ତିନିହେଁ ଏବେ ସମସ୍ୱରରେ କହିଉଠିଲେ, “ବଡ଼ ଦୁଷ୍ଟ ଭଅଁର ।’’

Image

 

ଚଢ଼େଇ

 

ସମୁଦ୍ର କୂଳରୁ ପାହାନ୍ତା-ପବନ ବହିଆସିଲେ ଅଦୂରବର୍ତ୍ତୀ ଛାତ୍ରୀ-ନିବାସର ଅନ୍ତେବାସିନୀଙ୍କ ଆଖିପତାଗୁଡ଼ିକ ଯେତେବେଳେ ଭାରି ଭାରି ହୋଇଉଠେ, ନୟନାର ଘଡ଼ିର ଆଲାର୍ମ ରଡ଼ିଛାଡ଼େକ୍ରୀଂ...କ୍ରୀଂ... । କ୍ରୀଂ...କ୍ରୀଂ... । କ୍ରୀଂ...କ୍ରୀଂ... । ଏକ କର୍କଶ, ଭୟଉଦ୍ରେକକାରୀ ଶବ୍ଦ । କାନର ପର୍ଦ୍ଦାଟା ଫାଟିଯିବ ପରା । ସେତେବେଳେ ସ୍ୱପ୍ନରବାଥଟବ୍‌ରେ ଡୁବ ଦେଇଥିବା କେହି କେହି ସହଧ୍ୟାୟିନୀଚିରଚିରେଇ ଉଠି ଖଟରେ ବସିପଡ଼ନ୍ତି । କେହି କେହିନୟନାର ବହୁ ବର୍ଷ ପୂର୍ବରୁ ଭୂତୁଣୀ ହୋଇଯାଇଥିବା ଜେଜେମାକୁ ସ୍ୱର୍ଗଦ୍ୱାରକୁ ନେଇ ସଂସ୍କାର କରିବାର ଧମକ ଦିଅନ୍ତି । ନୟନାଧଡ଼କରି ଉଠି ଆଲାର୍ମ ବନ୍ଦ କରେ । ତା’ର ସହଚରୀମାନେ ପୁଣି ଫେରିଯାଆନ୍ତି ନିଦ୍ରା ମାଉସୀର କୋଳକୁ । ସେଠି ପୁଣି ସୁରୁ କରିଦିଅନ୍ତି ସ୍ୱପ୍ନର ରାଜକୁମାରମାନଙ୍କ ସହ ମଧୁର ସମ୍ଭାଷଣ ।

 

ନୟନାବାଥ୍‌ରୁମ୍‌ ଯାଏ । ଟ୍ରାକ୍‌ସୁଟ୍‌ ପିନ୍ଧେ । ଜଗୁଆଳିକୁ ଡାକି ଛାତ୍ରୀ-ନିବାସର ଗେଟ୍‌ ଖୋଲେ । ତା’ପରେଜଗିଂ କରି କରି ଚାଲେ ସମୁଦ୍ର କୂଳକୁ ।

 

ସେ ଗାଁର ଝିଅ । ସେଥିପାଇଁ ଛାତ୍ରୀ ନିବାସରେ ରହେ । ସହରକୁ ଆସି ସେ କିଛି ଗୋଟିଏ କରି ଦେଖାଇବାକୁ ନିଶ୍ଚୟ କରିଛି । ପାଠରେ ଭଲ କରୁଛି । ଖେଳରେ ଦୁଇବର୍ଷ ହେଲା କଲେଜର ଚମ୍ପିୟାନ୍‌ । ଗତବର୍ଷ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ଧାବିକା ଭାବେ ସମ୍ମାନ ପାଇଛି । ସେ ସେତିକିରେ ସନ୍ତୁଷ୍ଟ ନୁହେଁ । ଆହୁରି ଆଗକୁ ଆଗକୁମାଡ଼ିଯିବାକୁ ତା’ର ଇଚ୍ଛା । ଏବର୍ଷ ସେ ୟୁନିଭର୍ସିଟି ଓ ଷ୍ଟେଟ୍‌ ଚମ୍ପିୟାନ୍‌ସିପ୍‌ ଉପରେ ଆଖି ରଖିଛି ।

 

ଆଥଲେଟିକ୍‌ ଜଗତର ‘ଗୋଲ୍‌ଡେନ୍‌ ଗାର୍ଲ’ ପି.ଟି. ଉଷା ତା’ର ଆଦର୍ଶ ଓ ପ୍ରେରଣାଦାତ୍ରୀ । ସେଥିପାଇଁ ତା’ର ଖଟ ଉପରେ କାନ୍ଥରେ ପି.ଟି. ଉଷାର ଫଟୋ ଶୋଭାପାଏ । ସେ ତା’ ଭଳି ସଫଳତାର ଶୀର୍ଷକୁ ଛୁଇଁବ । ଦେଶ ଓ ଦଶର ଟେକ ରଖିବ । ଏହା ହିଁ ତା’ର ଆଗ୍ନେୟ ଶପଥ ।

 

ନିଜ ଉପରେ ତା’ର ନାହିଁ ନଥିବା ବିଶ୍ୱାସ । ଅସାଧ୍ୟକୁ ସାଧ୍ୟ କରିବା ପାଇଁ ତା’ର ପ୍ରତିଜ୍ଞା । ସେଥିପାଇଁ ଗ୍ରୀଷ୍ମ ହେଉ ବା ବର୍ଷା ହେଉ, ଶୀତ ହେଉ ବା ବସନ୍ତ ହେଉସବୁ ଋତୁରେ ସେ ସକାଳ ପାଞ୍ଚଟାରେ ଉଠେ । ପାହାନ୍ତା-ପ୍ରହରରେ ଆଉ ଟିକିଏ ଘୁମେଇ ପଡ଼ିବାର ଇଚ୍ଛାଟାକୁଶୋଇପକାଏ । ଟ୍ରାକ୍‌ସୁଟ୍‌ ଗଳାଏ । ଖେଳ ଜୋତା ପିନ୍ଧେ । ନିଜର ମନ ଓ ଶରୀର ଉପରେ ଚାବୁକ୍‌ କଷେ । ତା’ପରେ ସଫଳତାର ସୁନାର ହରିଣୀ ପଛରେ ଦୌଡ଼େ । ଏକା ଏକା ।

 

ସେ ପ୍ରତିଦିନ ପ୍ରାକଟିସ୍‌ ପାଇଁ ଏଇ ସମୁଦ୍ରକୂଳକୁ ଆସେ । ବାଲି ଉପରେ ଦୌଡ଼ିଲେଷ୍ଟାମିନାବଢ଼େ ବୋଲି କୁହାଯାଏ । ‘ପାୟୋଲୀଏକ୍ସପ୍ରେସ୍‌’ ବୋଲି ପରିଚିତାପି.ଟି. ଉଷା ନିଜର ଗାଁପାୟୋଲୀର ବେଳାଭୂମିରେ କ୍ରୀଡ଼ା ଅଭ୍ୟାସ କରିବା କଥା ସେ ପଢ଼ିଛି । ଉଷା କାହିଁକି, ପୃଥିବୀର ସମସ୍ତ ପ୍ରସିଦ୍ଧ ଧାବକ ଧାବିକାମାନେ ହୁଏତ ପାହାଡ଼ ଉପରେ କିମ୍ବା ବାଲି ଉପରେ ଦୌଡ଼ି ନିଜକୁ ମାନସିକ ଓ ଶାରୀରିକ ରୂପେ ଶକ୍ତ କରନ୍ତି ।

 

କ୍ରୀଡ଼ାଭ୍ୟାସ ପାଇଁ ସୂର୍ଯେ୍ୟାଦୟ ସମୟ ସର୍ବୋତ୍କୃଷ୍ଟ । ବି.ଏନ୍‌.ଆର. ହୋଟେଲ ସମ୍ମୁଖସ୍ଥସମୁଦ୍ରକୂଳ ନିକାଞ୍ଚନ ହୋଇଥିବାରୁ ସେ ଏ ଜାଗା ବାଛିଛି । ସ୍ପ୍ରିଣ୍ଟ କଲାବେଳେ ସେ ମାଛରଙ୍କା ପକ୍ଷୀ ମାଛ ଝାମ୍ପିନେବା ବେଗରେ ଗତି କରେ । ଜଗିଂ କଲାବେଳେ ସେ ତଟୁ ଘୋଡ଼ାକ୍ୟାଣ୍ଟରିଂକଲାପରି ଲାଗେ । ଦେହକୁ ହାଲୁକା କରିବା ପାଇଁ ଷ୍ଟ୍ରେଚିଂଏକ୍‌ସରସାଇଜ୍‌ କଲାବେଳେ ସେ କେତେବେଳେ ପକ୍ଷୀ ଭଳି, କେତେବେଳେ ପଶୁଭଳି ଏବଂ ପୁଣି କେତେବେଳେ ସରୀସୃପ ଭଳି ଅଙ୍ଗଭଙ୍ଗୀ କରେ । ସାମୁଦ୍ରିକ ପକ୍ଷୀମାନେ ମାଛ ଶିକାର ଛାଡ଼ି ତାକୁ ଅନାଇ ହସନ୍ତି । ବେଳାଭୂମିର ଧୂସର ପଟ୍ଟଭୂମିରେ ତା’ର ଡଉଲ ଡାଉଲ ସତେଜ ରୂପଶ୍ରୀ ଦେଖି ମୁଗ୍ଧହୁଅନ୍ତି ମଧ୍ୟ ।

 

ଏହି କିଛିଦିନ ହେଲା ବେଳାଭୂମିର ପକ୍ଷୀମାନେ ଆଉ ଦୁଇଟି ନୂତନ ମୁହଁକୁ ଆବିଷ୍କାର କରିଛନ୍ତି । ସେମାନେ ମଧ୍ୟ ବେଳାଭୂମିକୁ ଦୌଡ଼ିବାକୁ ଆସନ୍ତି । ସେମାନଙ୍କ ମୁଣ୍ଡରେ ଗୋଟିଏ ଗୋଟିଏ ଟୋପି । ହାତରେ ଖଣ୍ଡିଏ ଖଣ୍ଡିଏରୁଲବାଡ଼ି । ଟୋପି ପିନ୍ଧିବାର ରହସ୍ୟ ଏହି ଯେ, ତାଙ୍କର ମସ୍ତକରୁ କେଶମାନେ ଧୀରେ ଧୀରେ ଦେଶାନ୍ତରୀ ହେବାକୁ ଲାଗିଲେଣି । ଟୋପି ପିନ୍ଧି, ସର୍ଟସ୍‌ ଗଳାଇ ଓ ବାଡ଼ିଧରିଦୌଡ଼ିବା ବେଳେ ସେମାନେ ଉଟ ନାଟକର ଦୁଇଟି ଅଦ୍ଭୁତ ଚରିତ୍ର ପରି ଲାଗନ୍ତି ଏବଂ ବେଳାଭୂମିର ବୁଲାକୁକୁରମାନେ ତାଙ୍କର ଅନୁଧାବନ କରନ୍ତି । ତାହା ହିଁ ତାଙ୍କର ବାଡ଼ିଧରିଦୌଡ଼ିବାର ରହସ୍ୟ ।

 

ଏହି ଦୁଇଟି ଆଗନ୍ତୁକ ହେଲେ ପ୍ରଫେସର ହୃଦାନନ୍ଦ ଓ ଇଞ୍ଜିନିୟରସଦାନନ୍ଦ । ଦୁହେଁ ଛାତ୍ର ଜୀବନରୁ ବନ୍ଧୁ ।

 

ପ୍ରଫେସର ହୃଦାନନ୍ଦ ପୁରୀ କଲେଜର ଜଣେ ବହୁ ଚର୍ଚ୍ଚିତ ଅଧ୍ୟାପକ । ଆଜନ୍ମରୁସ୍ଥୂଳତନୁ । ବୟସ ପଚାଶ ଟପିବା ଯୋଗୁଁ ଲମ୍ବୋଦର ମଧ୍ୟ । ତାଙ୍କର ଗୋଲାକୃତି ମୁହଁରେ ସଦାସର୍ବଦା ହସର ଏକ ପ୍ରଲେପ ବୋଳା ହେଲାପରି ଲାଗେ । ସେଥିରେ ଟାଣିହୋଇ ଆସନ୍ତି ଅନେକ ଛାତ୍ରଛାତ୍ରୀ । ସେ ମଧ୍ୟ ସେମାନଙ୍କୁ, ବିଶେଷକରି ଛାତ୍ରୀମାନଙ୍କୁ ଦେଖିଲେ କୁରୁଳି ଉଠନ୍ତି । ସେମାନଙ୍କୁ ବସାଇ ନିଜର କବିତା ପଢ଼ାନ୍ତି । ଘଣ୍ଟା ଘଣ୍ଟା ଧରି ସାହିତ୍ୟ ସମ୍ବନ୍ଧିତ ଆଲୋଚନା କରନ୍ତି । ତାଙ୍କ ଘରର ଦ୍ୱାର ଏବଂ ସମୟର ଭଣ୍ଡାର ସେମାନଙ୍କ ପାଇଁ ସଦାସର୍ବଦା ଉନ୍ମୁକ୍ତ । ସେଥିପାଇଁ ସେ ଖୁବ୍‌ ପ୍ରିୟପାତ୍ର । ଅନ୍ୟ ଅଧ୍ୟାପକମାନଙ୍କର ବିତାଡ଼ନ ପାଇଁ ସମୟ ସମୟରେ ଛାତ୍ର ଧର୍ମଘଟ ହେଲାବେଳେ ସେ ଏଠି ଦଶବର୍ଷ ହେଲା ଗାଦି ମାଡ଼ି ବସିଛନ୍ତି ।

 

ଇଞ୍ଜିନିୟର ସଦାନନ୍ଦ । ଦିଅଁ ଖାଇ ଖଟୁଲି ଖାଇଯିବା ସ୍ୱଭାବ ଯୋଗୁଁ କୋରାପୁଟ, କଳାହାଣ୍ଡି ଓ ଫୁଲବାଣୀ ପ୍ରଭୃତି ଓଡ଼ିଶାରକଳାପାଣି ଭାବେ ପରିଚିତ ଜିଲ୍ଲାମାନଙ୍କରେ ତାଙ୍କ ଅନେକ ବର୍ଷ ବିତାଇବାକୁ ପଡ଼ିଛି । ଅନେକ କଷ୍ଟ ସ୍ୱୀକାର କରି ଦୁଇମାସ ହେଲା ପୁରୀକୁ ବଦଳି ହୋଇଆସିଛନ୍ତି । ଝିଅ ବାହାଘର ଓ ପୁଅ ଇଞ୍ଜିନିୟରିଂ ପଢ଼ାରଡୋନେସନ ଦେବାର ହୋଇନଥିଲେ, ସେ ଅନେକ ବର୍ଷ ଆଗରୁ ଏ ବଦଳି ଆଦେଶଟିକୁ କ୍ରୟ କରିପାରିଥାନ୍ତେ । ସେ ଜଣେ ବେଶ୍‌ ବପୁବନ୍ତ ପୁରୁଷ । ତାଙ୍କର ବଳିଷ୍ଠ ଶରୀରରୁ ହାତଗୋଡ଼ ଚାରିଗୋଟି ବରଗଛର ବର୍ତ୍ତୃଳାକାର ଓହଳ ଭଳି ବାହାରିଛନ୍ତି । ନାକତଳର ବହଳ ମୁଚ୍ଛହଳକ ତାଙ୍କର ଗାମ୍ଭୀର୍ଯ୍ୟକୁଦ୍ୱିଗୁଣିତ କରିବା ସଙ୍ଗେ ସଙ୍ଗେ ତାଙ୍କର ଠିକାଦାର ଓ ଅଧସ୍ତନମାନଙ୍କର ବଶ୍ୟତା ହାସଲ କରିବାରେ ଅନେକ ସାହାଯ୍ୟ କରନ୍ତି ।

 

ସଭାସମିତି, ଯାନିଯାତ୍ରା, ଭୋଜିଉତ୍ସବ ପ୍ରଭୃତି ପାଇଁ ପ୍ରସିଦ୍ଧ ପୁରୀ ସହରର କୌଣସି ଏକ ପାର୍ଟିରେ ଉପରୋକ୍ତ ଦୁଇ ବନ୍ଧୁଙ୍କର ଅଚାନକ ମିଳନ ହୋଇଥିଲା । ମିଳନ କହିଲେ ଠିକ୍‌ ହେବ ନାହିଁ, ଏହା ଥିଲା ପୁନର୍ମିଳନ । ଚାକିରି ପାଇବା ପରେ ଦୁଇବନ୍ଧୁଙ୍କର ଜୀବନର ରେଳଗାଡ଼ି ଦୁଇ ବିପରୀତ ଦିଗରେ ଗଡ଼ି ଯାଇଥିଲା । ପ୍ରାୟ ଚଉଠ ଶତାବ୍ଦୀ ପରେ ପୁଣି ସାକ୍ଷାତ । ସେଦିନ ଦୁହେଁ ପରସ୍ପରର ମୁହଁ ଆଡ଼େ ଚାହିଁ ଦୋଦୋଚିହ୍ନା ହେଲା ପରେ ପରସ୍ପରର ବର୍ତ୍ତୃଳତାଆଡ଼େଲକ୍ଷ୍ୟକରି ହତଚକିତ ହୋଇଥିଲେ ।

 

ସେଦିନ ଦୁଇବନ୍ଧୁ ସ୍ଥିର କରିଥିଲେ ଯେ ପରଦିନ ସକାଳୁ ପ୍ରତ୍ୟହ ପ୍ରାତଃ ଭ୍ରମଣରେ ବାହାରିବେ ଏବଂ ଅଣାୟତ୍ତ ହୋଇଯାଉଥିବା ଉଦରମାନଙ୍କୁ ଆୟତ୍ତକୁ ଆଣିବେ । ସଦାନନ୍ଦଙ୍କ ଗାଡ଼ି ହର୍ଣ୍ଣ ଦେଲା ମାତ୍ରେ ଆଗରୁ ପ୍ରସ୍ତୁତ ହୋଇ ବସିଥିବା ହୃଦାନନ୍ଦ ଗେଟ୍‌ ଖୋଲି ବାହାରି ଆସନ୍ତି । ତା’ପରେଦୁଇବନ୍ଧୁଜିପ୍‌ରେ ବସି ଛୁଟି ଚାଲନ୍ତି ସମୁଦ୍ର କୂଳକୁ ।

 

ଅଳ୍ପ ସମୟ ଜଗିଂକଲାପରେ ସେମାନେ ଧକେଇ ହୁଅନ୍ତି । ତା’ପରେ ଚାଲି ଚାଲିଯା’ନ୍ତିସ୍ୱର୍ଗଦ୍ୱାର ଠାରୁ ୟୁଥ୍‌ ହଷ୍ଟେଲ୍‌ ପର୍ଯ୍ୟନ୍ତ । ପଥଶ୍ରମ ବାଧେ ନାହିଁ, କାରଣ ସେମାନେ ଢିଙ୍କିଶାଳ ଠାରୁ ଢେଙ୍କାନାଳଯାଏ ଗପନ୍ତି । ତାଙ୍କର ଗପର ପରିସରକୁ ପଶି ଆସନ୍ତି କିଛି ‘ବସ୍‌’, କିଛି ଅଧସ୍ତନ ଓ ତାଙ୍କ ସହ ସେମାନଙ୍କ ତିକ୍ତ ମଧୁର ଅନୁଭୂତି । ଏ ପର୍ଯ୍ୟନ୍ତ କୌଣସି ଧର୍ମକର୍ମ ସମ୍ପର୍କିତ ଭାବନା ତାଙ୍କ ମନକୁ ଆନ୍ଦୋଳିତ କରିନାହିଁ । ସେଥିପାଇଁ ସେମାନଙ୍କର ଯଥେଷ୍ଟ ବୟସ ହୋଇନାହିଁ ବୋଲି ତାଙ୍କର ନିଜସ୍ୱ ମତ । ତେଣୁ ତାଙ୍କର ଗପର ଆସରରେ ଈଶ୍ୱର, ଆଲ୍ଲା କିମ୍ବା ଶ୍ରୀମା, ଅରବିନ୍ଦ ପ୍ରଭୃତିଙ୍କ ପ୍ରବେଶ ନିଷେଧ । ସେଠିକୁ ଆସନ୍ତି ଲେଡି ଡାଏନା ନ ହେଲେ ଅଫିସର ଲେଡି ଟାଇପିଷ୍ଟ । ମୋନିକା ଲୁଇନ୍ସକି ନତୁବା ବଡ଼ମୁସ୍କିଲରେ ମୋନିକା ସେଲେସ୍‌ ।

 

ଇଞ୍ଜିନିୟର ସଦାନନ୍ଦଙ୍କର ଆଗରୁ ଖବର କାଗଜଟିଏ ନିୟମିତ ପଢ଼ିବାର ଅଭ୍ୟାସ ନ ଥିଲା । କିନ୍ତୁ ଅଧ୍ୟାପକ ବନ୍ଧୁଙ୍କ ସଂସ୍ପର୍ଶରେ ଆସି ଏବେ କିଛି ବହି ପଢ଼ିବା ଆରମ୍ଭ କଲେଣି । ସେ ନବୋକୋଭଙ୍କ ‘ଲୋଲିତା’ ପଢ଼ିଲେଣି । ଲିଓ ଟଲଷ୍ଟୟଙ୍କ ‘ଆନା କାରେନିନା’ ପଢ଼ିଲେଣି । ଏବେ ‘ଲେଡି ଚାଟର୍ଲିଜ୍‌ ଲଭର’ ଧରିଛନ୍ତି । ପ୍ରାତଃ ଭ୍ରମଣ ଅବକାଶରେ ଏସବୁ ପୁସ୍ତକର ତନ୍ନତନ୍ନ ତର୍ଜମା ହୁଏ । କେତେବେଳେ ସମୟ ସରିଯାଏ ଏବଂ ସେମାନେ ଜିପ୍‌ ପାଖକୁ ଫେରିଆସିଥାନ୍ତି, ମାଲୁମ୍‌ ପଡ଼େନା ।

 

ସେଦିନ ବେଶ୍‌ ସରଗରମ ଆଲୋଚନା ଚାଲିଥିଲା ଏବଂ ସେମାନେ ଅନେକ ଆଗକୁ ଚାଲିଯାଇଥିଲେ ।

 

ହୃଦାନନ୍ଦ : ଏବେ ଚଢ଼େଇ ଧରୁଛ ?

 

ସଦାନନ୍ଦ : ଆଉ ଚଢ଼େଇ ଧରିବାର ସମୟ କାହିଁ ? ଏବେ ତ ପତ୍ନୀଙ୍କୁ ଭେଟିଲେ ବି ଭୟ ଲାଗୁଛି ।

 

ଆଉ ପ୍ରଫେସର, ତମ ଚାରିପଟେ ତ ଚଢ଼େଇଙ୍କପଲଟନ ! କିଛି ଜାଲରେ ପଡ଼ିଛନ୍ତି ?

 

: ନାଁବନ୍ଧୁ, ଚଢ଼େଇମାନଙ୍କ ଉପରେ ମୁଁ କେତୋଟି କବିତା ଲେଖିଛି ମାତ୍ର । ଏବେ ତା’ ବି ବନ୍ଦ ହେବାକୁ ବସିଲାଣି ।

 

ତା’ପରେ ସେ କିଛି ସମୟ ଭାବି, ଏ ସମ୍ପର୍କରେ ତାଙ୍କର ଦର୍ଶନ ଓ ଚିନ୍ତନ କଥା କହିଲେଚଢ଼େଇ ଧରିବାରେ ସଫଳତା ହାସଲ କରିବାକୁ ହେଲେ ତିନୋଟି ଉପାଦାନ ଆବଶ୍ୟକମନ, ଧନ ଓ ଯୌବନ । ତାଙ୍କ ଜୀବନରେ ଏ ତିନୋଟି ଯାକ ଉପାଦାନ ଏକତ୍ର ଆସିନାହାନ୍ତି । ଏବେ ମନ, ଧନ ଥିଲେ ବି ଯୌବନ କାହିଁ ?

 

: ବନ୍ଧୁ, ଏବେ ଯୌବନ ଫେରାଇ ଆଣିବାର ମହୌଷଧି ବାହାରିଲାଣି ଭାଏଗ୍ରା । ହେଲେ ଏପର୍ଯ୍ୟନ୍ତ ଭାରତକୁ ଆସିନି ।

 

: ଯେପର୍ଯ୍ୟନ୍ତ ନ ଆସିଛି, ଭାଙ୍ଗରେ କାମ ଚଳିବ ?

 

ଦୁଇବନ୍ଧୁ ହୋ ହୋ ହୋଇ ହସିଉଠିଲେ । ତା’ପରେ ଦୂରରୁ କିଛି ଅଭାବିତ ଦୃଶ୍ୟ ଦେଖି ଚିତ୍କାର କରିଉଠିଲେ ।

 

: ସଦାନନ୍ଦ ! ହେ ଜାଲୁଆ ବନ୍ଧୁ, ତୁମ ପାଇଁ ଚଢ଼େଇ ।

 

: ପ୍ରଫେସର ହମ୍ବର୍ଟ ! ଏତ ତମ ‘ଲୋଲିତା’ ।

 

କଥା ନହସରେଝାଉଁବଣର ଆର ପାରିକୁ ଚାଲିଯାଇଥିଲେ ସେମାନେ । ଝାଉଁବଣ ସେପାରିରେ ଥିଲା ତାଙ୍କ ଉପମାର ଖୋରାକ ନୟନା ।

 

ସେଠି ପିଠିକୁ ତଳକୁ କରି, ଗୋଡ଼ ଦୁଇଟି ଊଦ୍ଧ୍ୱର୍କୁ ଉଠାଇ ତା’ର ଶେଷ ଷ୍ଟ୍ରେଚିଂଏକ୍ସରସାଇଜ୍‌ କରିବାରେ ମଗ୍ନ ଥିଲା ନୟନା । ତା’ର ଶ୍ୟାମଳ ତନୁର ସୌଷ୍ଠବକୁ ପ୍ରକୃତିକୁ ସମର୍ପିତ କରି ସେ ଦିଶୁଥିଲା ବାଲି ଉପରେ ଫୁଟିଥିବା ଏକ ଓଲଟ ନୀଳକଇଁ ପରି । ବେଳାଭୂମିକୁ ଚୁମି ଯାଉଥିଲେ ତା’ର ପଞ୍ଚେନ୍ଦ୍ରିୟର ପାଞ୍ଚୋଟିପାଖୁଡ଼ା ।

 

ଦୁଇବନ୍ଧୁ ଝାଉଁବଣର ଆଢ଼ୁଆଳରେ ଛପିଗଲେ । ଏହି ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ସେମାନେ ନିଜ ନିଜର ପ୍ରଚକ୍ଷୁ ପୋଛୁଥିଲେ । ମଧୁମାଳତୀ ଲତାରେ ନବ ଯୌବନ ଦେଖି ଦୁଇଟି ଗୁଣ୍ଡୁଚି ମୂଷା ଷ୍ଟାଚ୍ୟୁ ପାଲଟିଯିବା ପରି ସେମାନେ ଲାଗୁଥିଲେ ।

 

ସଦାନନ୍ଦ ତାଙ୍କ ପ୍ରଲମ୍ବିତ ଚାକିରି ଜୀବନ କାଳରେ ଏଭଳି କିଶୋରୀ କଳିକାଟିଏ ଦେଖିବାକୁ ପାଇନାହାନ୍ତି । ବାଲିମେଳା, ଅପରକୋଲାବ, କୋରାପୁଟ, ଫୁଲବାଣୀ ପ୍ରଭୃତି ସ୍ଥାନରେ ରହଣିକୁ ସେ ଖୁବ୍‌ ଫଳପ୍ରଦ ଭାବେ ବ୍ୟବହାର କରିଛନ୍ତି । ଅନେକ ରୂପସୀ ତାଙ୍କ ଜାଲରେ ଧରାପଡ଼ିଛନ୍ତି । କିନ୍ତୁ ଏବେ ଯେଉଁ ଅନିନ୍ଦ୍ୟସୁନ୍ଦର ରୂପ ଆଖିର ସାମ୍‌ନାରେ ଦେଖୁଛନ୍ତି, ତା’ର ପଟାନ୍ତର ନାହିଁ ।

 

ଅଧ୍ୟାପକ ହୃଦାନନ୍ଦ ମଧ୍ୟ ତାଙ୍କ ପଚିଶି ବର୍ଷର ଅଧ୍ୟାପନା କାଳରେ ଏଭଳି ନିଟୋଳ ସୌନ୍ଦର୍ଯ୍ୟ କୁତ୍ରାପି ଦେଖିବାର ତାଙ୍କର ମନେପଡ଼ୁ ନାହିଁ । ବାରିପଦାରେ ହେଉ ବା ବାଲେଶ୍ୱରରେ ହେଉ, ଯେତେସବୁ ପ୍ରମିଳା-ପ୍ରଧାନ ସ୍ଥାନମାନଙ୍କରେ ମଧ୍ୟ ଏଭଳି ସୌନ୍ଦର୍ଯ୍ୟ ପ୍ରତିମା ଦୁର୍ଲ୍ଲଭ ।

 

ଦୁଇବନ୍ଧୁ ପ୍ରଚକ୍ଷୁରୁ ସମୁଦ୍ରକୂଳିଆ ଜଳକଣାକୁ ବାରମ୍ବାର ପୋଛି ପକାଉଥିଲେ ଏବଂ ଏକ କୈଶୋର-ସୁଲଭ ଉତ୍ସୁକତା ନେଇ ନୟନାରରୂପଲାବଣ୍ୟକୁ ପାନ କରିଚାଲିଥିଲେ ।

 

ସେହି ଦିନଠାରୁ ଦୁଇବନ୍ଧୁଙ୍କର ଧରାବନ୍ଧା ରୁଟିନ୍‌ରେଝଡ଼ ଆସିଥିଲା । ସକାଳ ପାଞ୍ଚଟାରେ ଉଠିବା ପରିବର୍ତ୍ତେ ସେମାନେ ଉଠୁଥିଲେ ଚାରିଟାରେ । ଛଅଟାରେ ଘରୁ ବାହାରିବା ପରିବର୍ତ୍ତେ ବାହାରୁଥିଲେ ପାଞ୍ଚଟାରେ । ରାତିସାରା ସେମାନଙ୍କୁ ନିଦ ହେଉନଥିଲା । ରାତ୍ରିର ପ୍ରତ୍ୟେକ ମୁହୂର୍ତ୍ତ ଲାଗୁଥିଲା ଗୋଟିଏ ପ୍ରହର ପରି । ପ୍ରତ୍ୟେକ ପ୍ରହର ଲାଗୁଥିଲା ଗୋଟିଏ ଗୋଟିଏରାତିପରି । ଚା’ କପ୍‌ରେ ବା ପାଣିଗ୍ଲାସରେ, ବହି ଅବା ଖବରକାଗଜ ପୃଷ୍ଠାରେ ସେମାନଙ୍କୁ ଜଳଜଳ ଦିଶି ଯାଉଥିଲା ନୟନାର ମୁହଁ ।

 

ନୟନାକୁ ଦିନରେ ଥରଟିଏ ଦେଖିବା ପାଇଁ ସେମାନେ କାଉଠୁ ଆଗରୁ ଉଠନ୍ତି । ନୟନାର ଦର୍ଶନରେ ତାଙ୍କ ପିଣ୍ଡରେ ପ୍ରାଣ ପଶେ । ନୟନାର ବାୟବୀୟ ସାନ୍ନିଧ୍ୟରେ ତାଙ୍କ ରକ୍ତରେ ଚମକ ଆସେ । ତେଣୁ ସେମାନେ ଆଉ ବେଶୀ ସମୟ ପ୍ରାତଃ-ଭ୍ରମଣରେ ନଷ୍ଟ କରନ୍ତି ନାହିଁ । ସିଧା ଜିପ୍‌ରେ ଆସନ୍ତି ୟୁଥ୍‌ ହଷ୍ଟେଲଯାଏ ।

 

ଦୁଇଟି ଲୋଲୁପ ଦୃଷ୍ଟି ତା’ର ଲୋଭନୀୟ ରୂପ ଲାବଣ୍ୟକୁ ପ୍ରତିଦିନ ପୋଷ ପୋଷ କରି ପିଇଯାଏ ବୋଲି ନୟନାକୁଜଣାନଥାଏ । ବି.ଏନ୍‌.ଆର୍‌. ହୋଟେଲ ସାମ୍‌ନାରେ ସ୍ଥିତ ଏହି ବେଳାଭୂମି ବଡ଼ ନିକାଞ୍ଚନ ବୋଲି ସେ ଜାଗାକୁ ଆସେ । ନିଃସଂକୋଚରେ ବ୍ୟାୟାମ କରେ । ଶରୀରର ଲଳିତ ବକ୍ରତା କିମ୍ବା ନିଟୋଳ ବର୍ତ୍ତୃଳତା ପ୍ରକାଶିତ ହେଲେ ମଧ୍ୟ ସେଥିପ୍ରତି ତା’ର ଭ୍ରୂକ୍ଷେପ ନ ଥାଏ । ସେଠି ଦର୍ଶକ ବୋଇଲେ, ଗୋଟିଏ ପଟେ ଧାଡ଼ିଧାଡ଼ି ଝାଉଁ ଗଛ, ଅନ୍ୟ ପାଶ୍ୱର୍ରେ ମାଳ ମାଳଲହଡ଼ି । ସେମାନେ ସବୁ ଅନ୍ଧ, ମୂକ, ବଧିର । ନୟନାର ଆଖିରେ ଗୋଟିଏ ନିଶା-ସଫଳତା । ତା’ ଆଗରେ ଗୋଟିଏ ନିଶାଣ-ପି.ଟି. ଉଷାର ଉତ୍ତୁଙ୍ଗବ୍ୟକ୍ତିତ୍ୱ । ଅନ୍ୟ ସମସ୍ତ ଜାଗତିକ ଦୃଶ୍ୟ ତା’ ସମକ୍ଷରେ ଅବାନ୍ତର ।

 

କ୍ରୀଡ଼ାଭ୍ୟାସରେ ମନ ମେଣ୍ଟିଲେ ସେ ହଷ୍ଟେଲକୁ ଫେରେ । ଏତେ ପରିଶ୍ରମ ପରେ ମଧ୍ୟ ସେ ଝାଉଁଳି ନଥାଏ । ଓଠରେ ଲାଖିଥାଏ ସ୍ମିତ ହାସ୍ୟର ଝଲକ । ଅତି ନିକଟରେ ଚାଲି ଚାଲି ଗଲାବେଳେ ଦୁଇବନ୍ଧୁଙ୍କ ହୃତ୍‌କମ୍ପ ବଢ଼ିଯାଏ । ବୃଦ୍ଧିପାଏ ମୁଖର ବ୍ୟାଦାନ । ହୃଦାନନ୍ଦଙ୍କର ମୁଖର ବ୍ୟାଦାନ ବେଶୀ ବଢ଼େ । ସେଥିରୁ କବିତାର ହିକ୍‌କା ବାହାରେ । ଜଣେ ପୁରାତନ କବି ଶ୍ରୀରାଧାଙ୍କ ରୂପ ବର୍ଣ୍ଣନା କରି କହିଥିଲେ ଯେ, ସେ ଗଜଠାରୁ ଗତି, ସିଂହଠାରୁ କଟୀ, ଚନ୍ଦ୍ର ଠାରୁ ମୁଖ, ଶୁକ ଠାରୁ ନାକ, ବିଜୁଳି ଠାରୁ ହସ ଏବଂ ସର୍ବଶେଷରେ କହ୍ନେୟାଙ୍କ ଚିତ୍ତ ଚୋରୀ କରିଥିଲେ । ତାଙ୍କ କବିତାରେ ନୟନାର ରୂପ ଏଭଳି ରୂପାୟନ କଲେ କେମିତି ହୁଅନ୍ତା ? ସେ ପଦ ବ୍ରଜରେ ଗଲେ ଗଜଗାମିନୀ । ଦ୍ରୁତ ଗତିରେ ଧାଇଁଲେ ସେ ଏକ ସାକ୍ଷାତ ହରିଣୀ । ନୀଳ କଇଁଠାରୁ ରଙ୍ଗ, ଲହଡ଼ିଠାରୁଉଚ୍ଛ୍ୱାସ, ପକ୍ଷୀଠାରୁ ଉଚ୍ଚାଭିଳାଷଚୋରୀ କରି, ଶେଷରେ ଦୁଇଟି ଉତ୍ତର-ପଚାଶ ବର୍ଷୀୟ ପ୍ରୌଢ଼ଙ୍କର ସୁଖ, ଶାନ୍ତି ଓ ନିଦ୍ରା ଚୋରୀ କରିଥିବା ଏହି କୃଷକ କନ୍ୟାଟି କିଛି କମ୍‌ ନୁହେଁ । ସେ ତ ଚୋରଣୀମାନଙ୍କ ଏକ ସର୍ଦ୍ଦାରୁଣୀ ।

 

ପ୍ରତିଦିନ ପରି ସେଦିନ ଦୁଇବନ୍ଧୁ ଝାଉଁଗଛ ଉହାଡ଼ରେ ଲୁଚିଥିଲେ । ସମୁଦ୍ରକୂଳରେଟେଁଟେଁ ଡାକି ଡାକି ପଇଁତରା ମାରୁଥିବା ଟେଁଟେଇଁଆ ପକ୍ଷୀମାନେ ଭାବୁଥିବେ, ଏମାନେ ବୋଧହୁଏ ଏଠିକୁ ମଳତ୍ୟାଗ କରିବାକୁ ଆସୁଛନ୍ତି କିମ୍ବା ବାଲି ଭିତରେ ଲୁକ୍କାୟିତ ଥିବା କିଛି ପୋତାଧନ ଖୋଜୁଛନ୍ତି ।

 

ଅନହୂତି ବର୍ଷା ଆସିଲା । ଆଶ୍ଚର୍ଯ୍ୟ ଯେ ଏଣେ ସକାଳର କଅଁଳିଆ ଖରାପଡ଼ିଛି । ପୁଣି ବର୍ଷା କରୁଛି । ତଥାପି ଏ ଅଲାଜୁକମେଘଟାସମୁଦ୍ରକୂଳରେ ପଇଁତରା ଦେଉଥିବା ପକ୍ଷୀମାନଙ୍କୁ ବି ଡରେଇ ଦେଲା । ସେମାନେ କେଉଁ ପତ୍ର ଗହଳିରେ ଲୁଚିଲେ ଯେ ତାଙ୍କର ପତ୍ତା ମିଳିଲା ନାହିଁ । ନୟନାଟ୍ରାକ୍‌ସୁଟ୍‌ ଗଳାଇବାକୁ ବି ସମୟ ପାଇଲାନି । ଖେଳର ସ୍ପାଇକ୍‌ ଓ ଟ୍ରାକ୍‌ସୁଟ୍‌ ଜାବୁଡ଼ି ଧରି ସେ ଧାଇଁଲା ଝାଉଁବଣର ଅଭ୍ୟନ୍ତରକୁ । କ୍ଷିପ୍ର ଗତିରେ ଦୌଡ଼ିଆସିଲାବେଳକୁ ସଦାନନ୍ଦ ତାକୁ ଝିଙ୍କି ନେଇଥିଲେ ଅପେକ୍ଷମାଣ ଝିଟିପିଟି ଝଡ଼ିପୋକକୁଝାମ୍ପିନେଲା ପରି । ସଦାନନ୍ଦଙ୍କ ଅଭ୍ୟସ୍ତ ବାହୁର ବନ୍ଧନରେ ଏକ ନବ୍ୟତମଚଢ଼େଇ ଛଟପଟ ହେବାକୁ ଆରମ୍ଭ କଲା ।

 

ପାଶ୍ୱର୍ବର୍ତ୍ତୀ ଝାଉଁଗଛ ତଳେ ଛକିଥିବା ହୃଦାନନ୍ଦଙ୍କ କ’ଣ ହେଲା କେଜାଣି, ସେ ଜିପ୍‌ ଆଡ଼କୁ ଧାଇଁବାକୁ ଆରମ୍ଭ କଲେ । ସୁଖ ସ୍ୱପ୍ନରେ ଅନେକ କିଶୋରୀ ତରୁଣୀଙ୍କୁ ନେଇ ରାସ ରଚନା କରିଥିବା ଅଧ୍ୟାପକ ହୃଦାନନ୍ଦ ବୋଧହୁଏ ଡହଡହ ବାସ୍ତବତାକୁ ସମ୍ମୁଖୀନ କରିବାକୁ ସାହସ ସଞ୍ଚୟ କରିପାରି ନଥିଲେ । କବିତାରେ ମାୟାର ମାନସୀମାନଙ୍କୁ ନେଇ ସ୍ୱର୍ଗର ସର୍ଜନା କରିବା ଭିନ୍ନ କଥା । କିନ୍ତୁ ମାନସୀ ଦ୍ୱାରଦେଶରେ ଆସି ବାଟ ଓଗାଳିଲେ, ତା’ର ଚକ୍ଷୁରେ ଚକ୍ଷୁ ମିଳାଇ ଠିଆହେବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ଆ, ଆ, ଜହ୍ନ କହି ଗୀତ ଗାଇବା ସହଜ । କିନ୍ତୁ ସତକୁ ସତ ଜହ୍ନ ଯଦି ଆକାଶରୁ ଛିଣ୍ଡିପଡ଼େ ?

 

ସେହି ମାନସିକତାର ବଶବର୍ତ୍ତୀ ହୋଇ ଅଧ୍ୟାପକ ହୃଦାନନ୍ଦ ଧାଉଁଥିଲେ ଏବଂ ପଛକୁ ଅନାଉଥିଲେ । କିଛି ଦୂରକୁ ଯାଇ କ’ଣ ଘଟିବାକୁ ଯାଉଛି, ତାହା ଦେଖିବା ପାଇଁ ଉତ୍ସୁକତା ସହ ଅପେକ୍ଷା କରି ରହିଥିଲେ ।

 

ନୟନା ଏକ ଚଳଚଞ୍ଚଳା ଝରଣା । ତାକୁ ପର୍ବତର ପ୍ରତିବନ୍ଧ ରୋକି ପାରେନା । ଯେଉଁ ଗତିରେ ସଦାନନ୍ଦ ତାକୁ କବଳିତ କରିବାକୁ ଚେଷ୍ଟା କରୁଥିଲେ, ସେହି ଗତିରେ ସେ ନିଜର ଖେଳ ଜୋତାର ସଦ୍‌ବ୍ୟବହାର କରି ନିଜକୁ ମୁକୁଳାଇ ପାରିଥିଲା ।

 

ସଦାନନ୍ଦ ତାକୁ ତଥାପି ଅନୁଧାବନ କରୁଥିଲେ । ନୟନା ଧାଇଁଥିଲା ଆଗକୁ ଆଗକୁ ।

 

ସାମ୍‌ନାରେ ଅଧ୍ୟାପକ ହୃଦାନନ୍ଦ । ଭିତରେ ଭିତରେ ଏକ ସମୁଦ୍ର ମନ୍ଥନର ଶିକାର ହୋଇଥିବାରୁ ସେ ନିଜର କର୍ମପନ୍ଥା ଠିକ୍‌ କରିବାକୁ ଅସମର୍ଥ ହୋଇଥିଲେ । ତାହା ପ୍ରକାଶିତ ହେଉଥିଲା ତାଙ୍କର ସ୍ପର୍ଶ-କାତର ଚେହେରାରେ । ତାଙ୍କର ଛାତ୍ର ବତ୍ସଳତା ଆହୁରି ସଂପ୍ରସାରିତ ହୋଇ ଦିଶୁଥିଲା ତାଙ୍କ ମୁଖମଣ୍ଡଳରେ । ସେ ଦେବଦୂତ ପରି ଲାଗୁଥିଲେ । ତାଙ୍କୁ ଦେଖି ନୟନାଆତ୍ମବିଶ୍ୱାସ ଫେରିପାଇଲା । ଅନ୍ୟ କିଛି ଭାବିବାର ଶକ୍ତି ସଞ୍ଚୟ କରିବା ପୂର୍ବରୁ ସେ ସ୍ୱୟଂ ଲୋଟିଗଲା ତାଙ୍କର ବାହୁ-ବେଷ୍ଟନୀରେ । ସେ କଥା କହିବାର ମାନସିକତାରେ ନଥିଲା । ତେଣୁ ତା’ର ଶବ୍ଦଗୁଡ଼ିକ ବିକ୍ଷିପ୍ତ ହୋଇ ପଡ଼ିଯାଉଥିଲା ।

 

“ସାର୍‌...ଏ ଲୋକଟି ... ମୋତେ ... ।’’

 

“ମୁଁ ଅଛି, ନୟନା । ଭୟର କାରଣ ନାହିଁ ।’’

 

“ସେ ଲୋକଟି ପୁଣି ଗୋଡ଼େଇଛି...ଏଇ ... ।’’

 

ହୃଦାନନ୍ଦ କ’ଣ କହିବେ ଭାବିପାରୁ ନଥିଲେ । ଏହାପରେ ତାଙ୍କର କ ’ଣ କରଣୀୟ ସେ ବିଷୟ ତାଙ୍କ ମୁଣ୍ଡକୁ ଢୁକୁ ନଥିଲା । ତେଣୁ ସେ ସହାନୁଭୂତିରେ ତରଳିଗଲା ପରି ଲାଗିଲେ । ସହାନୁଭୂତିର ମାତ୍ରା ଏପରି ବୃଦ୍ଧି ପାଇଲା ଯେ, ସେ ଆଉ ନିଜ ନିୟନ୍ତ୍ରଣରେ ରହିପାରୁ ନଥିଲେ । ଅନେକ ଶ୍ରଦ୍ଧାଶୀଳା ଛାତ୍ରୀଙ୍କ ଗହଣରେ ତାଙ୍କର ବିତିଯାଇଛି ଅନେକ ବର୍ଷ । ଅନେକ ମୁଗ୍ଧସହକର୍ମିଣୀଙ୍କସାନ୍ନିଧ୍ୟରେ କଟିଯାଇଛି କେତୋଟି ଯୁଗ । କିନ୍ତୁ ଏଭଳି ଆହ୍ଲାଦମୟ ଆଲିଙ୍ଗନ ତାଙ୍କ ଭାଗ୍ୟରେ ଜୁଟିନି କେବେ । ଏଭଳି ପଦ୍ମନାଡ଼ କରି କୋମଳ ହାତ ତାଙ୍କ ଗଳାରେ ଛନ୍ଦି ହୋଇନି କେବେ ।

 

ତେଣୁ ସେ ଏ ବର୍ଷଣ-ମୁଖର ପ୍ରଭାତରେ ବାତୁଳତାକୁ ଆହ୍ୱାନ କରିଥିଲେ । ତାଙ୍କର ହାତ ଦୁଇଟି ନୟନାର କେଶକୁ ଆଉଁସିଲେ । ତା’ପରେଗଣ୍ଡଦେଶ । ତା’ପରେ ଅନ୍ୟାନ୍ୟ ସୁଲଳିତ ଅଙ୍ଗପ୍ରତ୍ୟଙ୍ଗ । ସେ ତର୍କ କରୁଥିଲେ : ସେ ଲୋଲିତାକୁ ପକାଇ ନାହାନ୍ତି ନିଜ ଜାଲରେ । ସେ ଆପେ ଆପେ ଧରା ଦେଇଛି । ନିଜେ ଜାଲରେ ପଶି ତାଙ୍କ ଚେତନାକୁ କୁତୁରୁକାଳିଆ ଦେଇ ଉଠାଇଛି । ସେ ସ୍ୱୟଂ ହିଁ ସିଡକ୍ସନର ଶୀକାର ହୋଇଛନ୍ତି ।

 

କ’ଣ ସବୁ ଘଟିବାକୁ ଯାଉଛି, ନୟନାକୁ ଜାଣିବାକୁ ବାକି ରହିଲା ନାହିଁ ।

 

ତା’ର ଗଳାରେ ବେଷ୍ଟନ କରିଥିବା ଲୋମଶ ହାତ ଦୁଇଟି ଲାଗୁଥିଲା ଭଲ୍ଲୁକର ହାତପରି ।

 

ନୟନାର ଚକ୍ଷୁରେ ଏ ଅଧ୍ୟାପକ ମହାଶୟ କେତେ ଊଦ୍ଧ୍ୱର୍କୁ ଉଠି ଯାଉନଥିଲେ ! ଆଦର୍ଶବାଦର ଅନର୍ଗଳ ବକ୍ତୃତା ଝାଡ଼ୁଥିବା ବ୍ୟକ୍ତି ଏତେ ନିମ୍ନସ୍ତରକୁ ଗତି କରିପାରେ ? ମେଷର ଛାଲ ପକାଇ ଏ ଏକ ହିଂସ୍ର ଜାନୁଆର । ସେ ଧୀରେ ଧୀରେ ନିଜର ଚେତନା ଶକ୍ତି ହରାଇ ବସୁଥିଲା । ଅଧ୍ୟାପକଙ୍କ ଭଲ୍ଲୁକୀୟ ଆଲିଙ୍ଗନ ଯୋଗୁଁ ନୁହେଁ । ସେ ଚେତନା ହରାଇଥିଲା ଏକ ବଳିଷ୍ଠ ବିଶ୍ୱାସର ଅପମୃତ୍ୟୁ ଜନିତ ଦାରୁଣ ଧକ୍‌କାରେ ।

 

ଇଞ୍ଜିନିୟର ସଦାନନ୍ଦଙ୍କୁ ଘଟଣା ସ୍ଥଳରେ ପହଞ୍ଚିବାକୁ ବେଶୀ ସମୟ ଲାଗିନଥିଲା । ଦୁଇଟି ପର୍ବତର ଚାପରେ ନୟନା ଏବେ ଏକ ନିର୍ବାକ ଝରଣାପରିବନ୍ଦୀ । ତା’ର କୁଳୁକୁଳୁ ସଂଗୀତ ନିସ୍ତବ୍ଧ ହୋଇଯାଇଥିଲା । ତା’ର ନିଷ୍ପ୍ରାଣ ଶରୀରକୁ ନେଇ ଦୁଇବନ୍ଧୁଙ୍କ ମଧ୍ୟରେ ଟଣାଟଣି ଆରମ୍ଭ ହୋଇଯାଇଥିଲା ।

 

ସାମୟିକ ଚେତନା ହରାଇବା ଅବକାଶରେ ନୟନା ଦେଖୁଥିଲା ଛୋଟୀ ଚଢ଼େଇରସ୍ୱପ୍ନ । ପିଲାଦିନେ ଜେଜେମା ଛୋଟୀ ଚଢ଼େଇର ଗପ ଶୁଣାଏ । ସେହି ଗପ ଶୁଣି ତା’ ଆଖିକୁ ନିଦ ଆସିଯାଏ ଛାଏଁ ଛାଏଁ । ଏହି ଗପଶୁଣି ତା’ର ଦେହରୁ ଜ୍ୱରର ଉତ୍ତାପ ଛାଡ଼ିଯାଏ ।

 

ଚଢ଼େଇଟିଏ । ଘରର ପ୍ରାଙ୍ଗଣରେ ଦାନା ଖୁଣ୍ଟିବାରେ ହଜି ଯାଇଥାଏ । ଏହି ସମୟରେ ସେ ଲକ୍ଷ୍ୟ କରେ ଅଗଣାର ଦୁଇ ପାଶ୍ୱର୍ରେ ଦୁଇଟି ଯମଦୂତ । ଗୋଟିଏ ଶଂଖି ବିଲେଇ ଓ ଗୋଟିଏ କାଳୀ ବିଲେଇ । ଉଡ଼ି ପଳାଇବାକୁ ତା’ର ଡେଣା ଟାଣ ହୋଇନି । କ’ଣ କରିବ ? ଅନନ୍ୟୋପାୟ ହୋଇ ଅପେକ୍ଷା କରିଥିଲା ଆସନ୍ନ ମୃତ୍ୟୁକୁ । ଏତିକି ଚିନ୍ତା କରୁଥିଲା ଯେ, ସେ ଗୋଟିଏ ବିଲେଇର ମୁଖବ୍ୟାଦାନରେ ଆରପାରିକୁ ଯିବ ନା ଦୁଇଟି ବିଲେଇର ଟଣାଟଣିରେ ଯମଯନ୍ତ୍ରଣା ଭୋଗିବ । ଦୁଇଟି ବିରାଡ଼ିଦୁଇପଟରୁଲମ୍ଫ ଦେଲେ । ସେମାନଙ୍କ ମୁଣ୍ଡ ଦୁଇଟି ଢୋ କରି ଠୋକ୍କର ଖାଇଲେ । ଏହି ସୁଯୋଗରେ ସେ ତାଙ୍କ ଆଖି ନାକକୁ ରାମ୍ପୁଡ଼ି ବିଦାରି କ୍ଷତବିକ୍ଷତ କରିଦେଲା । ଖଣ୍ଡିଉଡ଼ା ଦେଇ ବସିଲା ତୁଳସୀ ଚଉରା ଉପରେ । ତା’ପରେ ଉଠିଲା ଚାଳ ଉପରକୁ ।

 

ନୟନାକୁଟଣାଟଣା କରି ହାଲିଆ ହୋଇ ଦୁଇଟି କାଠଗଡ଼ ପରି ପଡ଼ିଥିଲେ ଦୁଇବନ୍ଧୁ । ସେମାନଙ୍କ ବିଶାଳକାୟ ବପୁର ଚାପ ଯୋଗୁଁ ନୟନା ଉଠିବା ପାଇଁ ଅକ୍ଷମ ଥିଲା ।

 

ବର୍ଷା ତଥାପି ପାଣି ଢାଳୁ ଥିଲା । ନୟନାରକଣ୍ଠସ୍ୱର ବର୍ଷା ଓ ଝାଉଁବଣର ବଳୟ ଭେଦି ବାହାରକୁ ଯିବାକୁ ବାଟ ପାଉନଥିଲା । ସେ ଭାବୁଥିଲା, ଚଢ଼େଇର ନଖ ଥିଲା, ଥଣ୍ଟ ଥିଲା । ତା’ର କ’ଣ ଅଛି । କୌଣସି ଜାଗାରେ ସେ ଜୁଡ଼ୋ ଶିକ୍ଷକଙ୍କ ଡେମନଷ୍ଟ୍ରେସନ ଦେଖିଥିବା କଥା ତା’ର ମନେପଡ଼ିଲା । ଦୁଇଟି ଆଙ୍ଗୁଳି ଦ୍ୱାରା ହିଁ ପ୍ରତିପକ୍ଷକୁ ଆକ୍ରମଣ କରି ଆତ୍ମରକ୍ଷା କରାଯାଇପାରେ ।

 

ସେ ନିଜ ବିଶି ଆଙ୍ଗୁଳି ଓ ମଝି ଆଙ୍ଗୁଳି ଦୁଇଟିକୁ ଟାଣ କଲା ।

 

ଦୁଇ କାମୁକ ବନ୍ଧୁ ଏବେ ଦୁଇଟି ଅନ୍ଧ ଭଲ୍ଲୁକ ପରି ଗଡ଼ୁଥିଲେ ବେଳାଭୂମିର ବାଲିରେ ।

Image

 

ରୂପଜୀବୀ

 

ଏତେ ସକାଳୁ ଉଠୁ ଉଠୁ ମୁଣ୍ଡଟା ଭାରି ଭାରି ଲାଗେ । ସକାଳର ସୁଲୁସୁଲିଆ ପବନରେ ବି ମିଜାଜ ଥଣ୍ଡା ହୁଏନି । ଚାକିରିଟା ସେମିତିକା । ଆଉ ପୋଲିସ ଚାକିରିଟା ଇଲିସିଖିଆ ଚାକିରି ହୋଇ ରହିନି । ମାଡ଼ଫୌଜଦାରି, ଦଙ୍ଗା ହଙ୍ଗାମାର ପଙ୍କ କର୍ଦ୍ଦମ ଭିତରେ ଘାଣ୍ଟି ଚକଟି ହୋଇ ଦିନ ଯାଉଛି । ସବୁଦିନଖୁଟ୍‌ଖିଟ୍‌ । ସବୁଦିନ ଅଶାନ୍ତି ।

 

ଖବରକାଗଜର ପ୍ରଥମ ପୃଷ୍ଠାରେ ଆଖି ପଡ଼େ, କେଉଁଠି ଅସହାୟା ବାଳିକା ଉପରେ ବଳାତ୍କାର ହେଲାଣି ତ କେଉଁଠି ଅବଳା ନାରୀଟିକୁ ଜୋର ଜବରଦସ୍ତି ଉଠାଇ ନିଆହେଲାଣି । ସହରର ଏ ମୁଣ୍ଡରେ ଖୁନ୍‌ଖରାବ ହେଲାଣି ତ, ଆର ମୁଣ୍ଡରେ ଡକାୟତି । ଛନ୍ଦ, କପଟ, ବ୍ୟଭିଚାର, ଅନାଚାରଏ ମହାନଗରୀରେ ମହାମାରୀ ପରି ବ୍ୟାପିଗଲାଣି । ଏ ସଂକ୍ରାମକ ବ୍ୟାଧିରୁ ଆଖପାଖ ଗାଁଗଣ୍ଡା ମଧ୍ୟ ଛାଡ଼ ପାଇ ନାହାନ୍ତି ।

 

ଏବେ କିଛି ଦିନ ତଳେ ସ୍କୁଲ ଫେରନ୍ତା ତେର ଚଉଦ ବର୍ଷର ଝିଅଟିକୁ କୁଆଡ଼େ ଉଠାଇ ନିଆଯାଇଛି । ଦିନ ଦି’ପହରଟାରେ ଏଭଳି ଜଘନ୍ୟ କାଣ୍ଡ ଘଟିଯାଇଛି । ଚାରିଆଡ଼ ଖୋଜା ହେଲାଣି । ଦୁର୍ବୃତ୍ତମାନେ ତାକୁ କେଉଁ ପାତାଳ ଭିତରେ ଲୁଚାଇ ରଖିଛନ୍ତି ଯେ ପତ୍ତା ମିଳୁନି । ଗୁଜବ ଉଠିଛି ଯେ ବେଶ୍ୟାବୃତ୍ତିରେଭର୍ତ୍ତି କରିବା ପାଇଁ ତାକୁ କେଉଁଠି ଲୁଚାଇ ରଖାଯାଇଛି ।

 

ପନ୍ଦର ଦିନ ହେଲାଣି । ଏବେ ବି ଏହି ସମ୍ବାଦ ସବୁ ଖବରକାଗଜଗୁଡ଼ିକରେ ପ୍ରଥମ ପୃଷ୍ଠା ମଣ୍ଡନ କରୁଛି । ଏଥିପାଇଁ ସ୍କୁଲ କଲେଜ ବନ୍ଦ ହୋଇଛି । ଏ ଅପକର୍ମରେ ଶାସକଦଳର ଗୁଣ୍ଡାମାନେ ସାମିଲ ଅଛନ୍ତି ବୋଲି ବିରୋଧୀ ଦଳର ନେତାମାନେ ଆକ୍ଷେପ କରିଛନ୍ତି । ପୁଣି ଅପବାଦ ହୋଇଛି ଯେ ଆମ ପୋଲିସ ବିଭାଗର କର୍ମଚାରୀ କୁଆଡ଼େ ଏ ରାକେଟ୍‌ ସହ ସଂପୃକ୍ତ । ନାରୀ ଅନୁଷ୍ଠାନଗୁଡ଼ିକର ଶୋଭାଯାତ୍ରା ଓ ସ୍ଲୋଗାନ୍‌ରେ ମହାନଗରୀ ପଡ଼ିଛି ଏବଂ ଉଠିଛି ।

 

ଏପଟୁ ଉପର ହାକିମଙ୍କ ଚାପ । ସେପଟୁ ଜନସାଧାରଣଙ୍କ ଚାପ । ମୃଦଙ୍ଗ ଦୁଇଆଡ଼ୁମାଡ଼ ଖାଇଲା ଭଳି ଆମର ଅବସ୍ଥା । ଏଥିରେ ମୁଣ୍ଡଟା ଠିକ୍‌ ବା ରହନ୍ତା କେମିତି ?

 

ଗତ ପନ୍ଦର ଦିନ ହେଲା ଆମ ବିଭାଗ ତରଫରୁ ସହରର ବିଭିନ୍ନ ବେଶ୍ୟାପଡ଼ା ଓ ଅସାମାଜିକ ଲୋକଙ୍କ ଆଡ୍‌ଡାସ୍ଥଳୀମାନଙ୍କରେଚଢ଼ାଉ ଚାଲିଛି । ଏ ଅଭିଯାନ ଅବକାଶରେ ଅନେକ ନୂଆ ତଥ୍ୟ ଆବିଷ୍କୃତ ହୋଇଛି । ବେଶ୍ୟାବୃତ୍ତି ଯେ ପୃଥିବୀରେ କେଉଁ ଅନାଦି କାଳରୁ ଚାଲିଆସିଛି ଏହା କାହାକୁ ଅଛପା ନାହିଁ । କିନ୍ତୁ ଏ ଧନ୍ଦାରେ ମଧ୍ୟ ଅନେକ ପ୍ରକାରର ଢାଞ୍ଚା ପରିବର୍ତ୍ତନ ହେଲାଣି । ଆଉ ସୋନାଗାଛି, ରାମ ବାଗାନ, ସେଠ ବାଗାନ, ବହୁ ବଜାର, କାଳୀଘାଟ ପ୍ରଭୃତି ପୁରୁଣା ରେଡଲାଇଟ ଇଲାକାରେ ଏ ଧନ୍ଦା ସୀମିତ ନାହିଁ । ଏସବୁ ସ୍ଥାନରେ ବୃତ୍ତି ବ୍ୟାପକ ହେବା ସଙ୍ଗେ ସଙ୍ଗେବଡ଼ବଡ଼ ହୋଟେଲ, ଗେଷ୍ଟହାଉସ ଓ ରେସିଡେନ୍‌ସିଆଲଫ୍ଲାଟମାନଙ୍କୁ ମଧ୍ୟ ଏହା ବ୍ୟାପିଗଲାଣି ।

 

ଏଇ କିଛି ଦିନ ଆଗରୁ କୌଣସି ସମ୍ବାଦପତ୍ରରେ ଏକ ଗବେଷଣାମୂଳକ ଲେଖା ପଢ଼ିଥିଲି । ସେଥିରେ ଲେଖାଥିଲା ଯେ, ପୂଜାର ଅବ୍ୟବହିତ ପୂର୍ବରୁ କିଛି ଗାଁଗହଳିର ଝିଅମାନଙ୍କର ଏହା ଏକ ସାମୟିକ ପେଷା । ଦୁର୍ଗାପୂଜା ଆଗରୁ ଶାଢ଼ି, ପୋଷାକ, ଗହଣା କିଣା, ସିନେମା ଦେଖା, ବଜାର ବୁଲା ପାଇଁ ତାଙ୍କୁ ପ୍ରଚୁର ପଇସା ଦରକାର । ସେହି ଝିଅମାନେ ସନ୍ଧ୍ୟା ନଇଁଲେ ରେଡ୍‌ ରୋଡ୍‌ କଡ଼େକଡ଼େ ଆସ୍ଥାନ ଜମାଇଥାନ୍ତି । ନିଶୂନ ରାତିରେ ମୈଦାନର ପ୍ରଶସ୍ତ ଘାସର ଶେଯ ଉପରେ ତାଙ୍କର ଅବାଧ ବେପାର ଚାଲେ । ଦରକାର ହେଲେ ସେମାନେ କାହାର ସ୍କୁଟର ବା ଗାଡ଼ିରେ ଯାଇ ପୂର୍ବ ନିର୍ଦ୍ଦିଷ୍ଟ ଗେଷ୍ଟହାଉସ୍‌ରେ ରାତ୍ରି କଟାଇ ଫେରିଆସନ୍ତି ।

 

ଏବେ ଆମେ ବଡ଼ଧର୍ମ ସଂକଟରେ ପଡ଼ିଛୁ । ଯେଉଁଠି ସନ୍ଦେହ କରି ଚଢ଼ାଉ କରିବାକୁ ଯୋଜନା କରୁଛୁ, ସେଠି ହୁଏତ ବଡ଼ବଡ଼ିଆ ବ୍ୟକ୍ତି ଜଡ଼ିତ ଅଛନ୍ତି ତ କେଉଁଠି ସତକୁ ସତ ନିରୀହ ଭଦ୍ର ପରିବାରର ଲୋକ ହାବୁଡ଼ି ଯାଉଛୁ । ତେଣୁ ଧରପଗଡ଼ ଆଗରୁ ଅନେକ ଥର ଭାବୀ ପରିଣାମ ଉପରେ ଚିନ୍ତା କରିବାକୁ ପଡ଼ୁଛି ।

 

ଏହି ସ୍ୱତନ୍ତ୍ର ଅଭିଯାନ ଫଳରେ ଅନେକ ବେଶ୍ୟା ଧରା ପଡ଼ିଲେଣି । କିଛି ଗ୍ରାହକ ମଧ୍ୟ ହାଜତକୁ ଆସିଲେଣି । ଗ୍ରାହକମାନଙ୍କ ମଧ୍ୟରେ ସହରର କେତେକ ନାମଜାଦା ବ୍ୟକ୍ତି ମଧ୍ୟ ଅନ୍ତର୍ଭୁକ୍ତ । ମାନ୍ୟଗଣ୍ୟ ଲୋକଙ୍କ ମଧ୍ୟରେ ପଡ଼ୋଶୀ ରାଜ୍ୟର ଜଣେ ମନ୍ତ୍ରୀ ବି ଧରା ପଡ଼ିଥିଲେ । ଅଧିକାଂଶ ବେଶ୍ୟା ଏବଂ ତାଙ୍କ ଗ୍ରାହକ ଜମାନବନ୍ଦୀରେ ମୁକୁଳି ଗଲେଣି । ସେମାନଙ୍କୁ ଧରିବା, ପୁଣି ସେମାନେ ଜାମିନରେ ଛାଡ଼ ପାଇବାଏସବୁ ଏକ ନିତିଦିନିଆରୁଟିନ୍‌ରେ ପରିଣତ ହୋଇଗଲାଣି । ଏସବୁ ଦେଖି ଶୁଣି ଆଉ ଦେହ କିମ୍ବା ମନରେ ଚମକ ସୃଷ୍ଟି ହେଉନି ।

 

ଏପର୍ଯ୍ୟନ୍ତ ଆମେ ନିଖୋଜ ହୋଇଥିବା ଝିଅଟିକୁ ଠାବ କରିବାକୁ ସମର୍ଥହୋଇନୁ । ସିଟି ପୋଲିସ୍‌ରେ ଡେପୁଟି କମିଶନର ଭାବେ ଏହା ମୋର ବ୍ୟକ୍ତିଗତ ବିଫଳତା ଭାବେ ଧରିନିଆଯିବ ବୋଲି ଡି.ଜି. ପୋଲିସ ତାଗିଦ୍‌ କଲେଣି ।

 

କଲିକତା ମହାନଗରୀ । ପ୍ରାୟ ଏକ କୋଟି ଲୋକଙ୍କ ହସ, କାନ୍ଦ, ଦୌଡ଼ଧାପଡ଼ ଓ କୋଳାହଳର ପ୍ରାଣବିନ୍ଦୁ । ସତେ ଯେପରି ଏକ ବିରାଟକାୟ ଚୁମ୍ବକ ପରି, ରାଜ୍ୟରୁ ଓ ରାଜ୍ୟ ବାହାରୁ ଏ ମହାନଗରୀ ଲୋକମାନଙ୍କୁ ଟାଣି ଆଣେ । ଅଧିକାଂଶ ଏହାର କବଳରେ ପଡ଼ି ହନ୍ତସନ୍ତ ହୁଅନ୍ତି । ଫେରିଯିବାର ବାଟ ନଥାଏ । ଇଚ୍ଛା ନଥିଲେ ବି ପରିସ୍ଥିତି କବଳରେ ସେମାନେ ଅପରାଧୀ ହୁଅନ୍ତି, ଅପକର୍ମ କରନ୍ତି । ଏଭଳି ମହାନଗରୀରେ ଏକ ସମାନ୍ତରାଳ ଅନ୍ଧାରୀ ରାଜ୍ୟ ଅଛି । ସେଠିକୁ ସୂର୍ଯ୍ୟ ଚନ୍ଦ୍ର ବି ପହଞ୍ଚି ପାରନ୍ତି ନାହିଁ । ପୋଲିସର ହାତ ତ ଖୁବ୍‌ ଛୋଟ । ତେଣୁ ଏଠି ଅପରାଧ ଉପରେ ନିୟନ୍ତ୍ରଣ ରଖିବା ଏତେ ସହଜ ନୁହେଁ । କିନ୍ତୁ ଏ କଥା କିଏ ବା ବୁଝିବ ।

 

ଉପର ହାକିମ ଏ ଯୁକ୍ତିକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ତେଣୁ ଆମର ଏବେ ରାତି ଦିନ ବୋଲି କିଛି ନାହିଁ । ସହରର କୋଣେ ଅନୁକୋଣେଚଢ଼ାଉ କଲୁଣି । କେତେ ଯେ ଗଳିକନ୍ଦି, ଷ୍ଟେସନ ତଳି, ଅପନ୍ତରା ଜାଗା ବୁଲିଲୁଣିକିନ୍ତୁ ଏ ପର୍ଯ୍ୟନ୍ତ ସଫଳ ହୋଇନୁ । ସେହି ଝିଅଟି ଏବେ ବି ନିଖୋଜ ଅଛି ।

 

କାଲି ରାତି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି, ନିଖୋଜ ଝିଅକୁ ଖୋଜୁ ଖୋଜୁ ଏକ ଅଦ୍ଭୁତ କେସ୍‌ ସାମ୍‌ନାକୁ ଆସିଛି । ଏକ ନୂଆକରିଗଢ଼ିଉଠୁଥିବାଗେଷ୍ଟହାଉସ୍‌ରୁ ଆମେ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଧରିଛୁ । ସହରଠାରୁ ଦୂରରେ ଏକ ରେସିଡେନ୍‌ସିଆଲଫ୍ଲାଟ୍‌ରେ ସେମାନେ ରାତ୍ରି ଯାପନ କରିବା ସମୟରେ ଆମ କବଳରେ ପଡ଼ିଛନ୍ତି ।

 

ନୂଆ ଇଲାକା । ଚାରିପାଖେ ଘଞ୍ଚ ବୃକ୍ଷଲତା । ଏହି ବୃକ୍ଷଲତା ଗହଳରେ ଫ୍ଲାଟରକିୟଂଦଶ ମାତ୍ର ରାସ୍ତାକୁ ଦିଶୁଛି । ଜାଗା ବଡ଼ ନିକାଞ୍ଚନ । ଏହି ଅନ୍ଧାରୁଆ ଗୋଟିକିଆ ଫ୍ଲାଟଟିକୁ ଦେଖି ମୋର କାହିଁକି ସନ୍ଦେହ ହେଲା । କେବଳ ଗୋଟିଏ ଫ୍ଲାଟରେ ହିଁ ଆଲୁଅ ଜଳୁଥିଲା । ଅନ୍ୟ ସବୁ ପ୍ରକୋଷ୍ଠରେ ନିରନ୍ଧ୍ର ଅନ୍ଧାର । ସଲଫଲେକ୍‌ରୁବାଇପାସ୍‌ ରାସ୍ତାରେ ଫେରୁଥିବା ସମୟରେ କୌତୂହଳବଶତଃ ସେଠିକୁ ପଶିଯାଇଥିଲୁ । କାଳେ ଏହି ଅନ୍ଧାରୁଆ ଅପନ୍ତରା ଜାଗାରେ ସେ ଝିଅଟି ମିଳିଯାଇପାରେ ।

 

ତଳ ମହଲାରେ କେବଳ ଚୌକିଦାରଟି ଖଟ ପକାଇ ଶୋଇଥିଲା । ଉପରକୁ ଯାଇ ଆଲୁଅ ଆସୁଥିବା ଫ୍ଲାଟର କବାଟରେ ଠକ୍‌ ଠକ୍‌ କଲୁ । ଅନେକ ସମୟ ଧରି କୌଣସି ସୋର ଶବ୍ଦ ନାହିଁ । ଖୁବ୍‌ ଜୋର୍‌ରେବାଡ଼େଇବା ପରେ ଯୁବକଟିଏ କବାଟ ଖୋଲିଲା ।

 

ଭିତରକୁ ଯାଇ ଖାନ୍‌ତଲାସି କଲୁ । ବେଡ୍‌ରୁମ୍‌ର ଶଯ୍ୟା ଉପରେ ତରୁଣୀଟିଏ ବସି ଥରୁଥିଲା । ବେଶବାସଅସଞ୍ଜତ । ଚୁର୍ଣ୍ଣକୁନ୍ତଳଆଲୁଳାୟିତ । ଏତେ ରାତିରେ ଅପ୍ରତ୍ୟାଶିତ ଭାବେ ଆମକୁ ଦେଖି ସେ ଖୁବ୍‌ ଭୟ ପାଇ ଯାଇଥିଲା ।

 

ପାଖ ଟେବୁଲ୍‌ରେ ସେମାନଙ୍କର ଡିନର ପ୍ଲେଟ୍‌, ଟିଫିନ୍‌ କ୍ୟାରିଅର, ପାଣି ବୋତଲ ଇତ୍ୟାଦି ପଡ଼ିଥିଲା । ଅନ୍ୟ କୌଣସି ଜିନିଷପତ୍ର ନଜରକୁ ଆସୁନଥିଲା ।

 

ତରୁଣୀ ପିନ୍ଧିଥିଲା ସ୍କଟ୍‌ଟିଏ । ମୁହଁରେ ବହଳ ମେକ୍‌ଅପ୍‌ ଦାଉ ଦାଉକରୁଥିଲା । ତରୁଣଟି ଜିନ୍‌ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧିଥିଲା । ଡେଙ୍ଗା, ବଳିଷ୍ଠ ଓ ସୁଗଠିତ ଚେହେରା ।

 

ସେମାନଙ୍କୁ ଆମର ପରିଚୟ ଦେଲୁ । ସେମାନଙ୍କର ପରିଚୟ, କେଉଁଠୁ ଆସିଛନ୍ତି, ଆସିବାର କାରଣ ଇତ୍ୟାଦି ପ୍ରଶ୍ନ କଲାବେଳେ ଯୁବତୀଟି କୌମସି ଉତ୍ତର ଦେଇନଥିଲା । କିନ୍ତୁ ଯୁବକଟି ଖୁବ୍‌ ଦୃଢ଼ତାର ସହିତ କହିଲା, “ଆମେ ପତିପତ୍ନୀ । ଆପଣ ଆମକୁ ରାତି ଅଧରେ ହଇରାଣ କରୁଛନ୍ତି କାହିଁକି ?’’

 

ତା’ର କଥାରେ ଟାଣ ଥିଲା, ଓଜନ ନଥିଲା । ମୁଁ ଜାଣିଥିଲି ଏଭଳି ଜବାବ ମିଳିବ ବୋଲି । ପୋଲିସ୍‌ ଆଖିକୁ ଫାଙ୍କିବା ଏତେ ସହଜ ନୁହେଁ । ଆମେ ଗୋଟିଏ ଧାଡ଼ି କଥାରୁ ଠଉରାଇ ନଉ ଯେ କିଏ ସତ କହୁଛି କିଏ ଜଳଜଳା ମିଛ କହୁଛି ।

 

ଯୁବତୀର ବୟସ ଯୁବକର ବୟସ ଠାରୁ ଅଧିକ ଜଣାପଡ଼ୁଥିଲା । ବହଳ ମେକଅପ୍‌ ଭିତରେ ବି ଉତୁରି ଯାଇଥିବା ବୟସଟା ଧରା ପଡ଼ିଯାଉଥିଲା । କିନ୍ତୁ ଏହା ମାନିବାକୁ ପଡ଼ିବ ଯେ ବଢ଼ନ୍ତା ବୟସରେ ବି ସେ ଝିଅଟି ଦିଶୁଥିଲା ଅତ୍ୟନ୍ତ ସୁନ୍ଦରୀ ।

 

ଯୁବକଟି ମଧ୍ୟ ଥିଲା ସୌମ୍ୟଦର୍ଶନ । ବୟସ ପଚିଶ ଛବିଶରୁ ଅଧିକା ହେବନି । ଜଣାପଡ଼ୁଥିଲା ଖେଳ କସରତ କରି ଦେହକୁ ତାଗଡ଼ା ରଖିଛି । ପୋଷାକ ମଧ୍ୟ ଖୁବ୍‌ ଦାମିକା । ଦେହରୁ ଫ୍ରେଞ୍ଚ ଅତରର ଭୁରୁଭୁରୁ ଗନ୍ଧ ଛୁଟୁଥିଲା । ସେ ସମ୍ଭ୍ରାନ୍ତ ଘରର ପିଲା ପରି ଜଣାପଡ଼ୁଥିଲା ।

 

ଜେରା କଲାବେଳେ ଯୁବକଟି ଖୁବ୍‌ ଉତ୍ତ୍ୟକ୍ତ ହୋଇପଡ଼ୁଥିଲା“ଦେଖନ୍ତୁ ମୁଁ ଆଉ ଥରେ କହିଦେଉଛି ଯେ ଆମେ ସ୍ୱାମୀ ସ୍ତ୍ରୀ । ହନିମୁନ୍‌ରେ ଆସିଛୁ । ଆପଣ ଆମକୁ ଅଯଥାରେ ରାତି ଅଧରେ ହଇରାଣ କରୁଛନ୍ତି ।’’

 

ମୁଁ କହିଲି“ଦେଖ ଯୁବକ, ତୁମେ ସ୍ୱାମୀ ସ୍ତ୍ରୀ ବିଲ୍‌କୁଲ ନୁହଁ । ସେଇଟା ତୁମ ଦୁହିଁଙ୍କ ବୟସର ତାରତମ୍ୟରୁ ଜଣାପଡ଼ିଯାଉଛି । ପୁଣି ହନିମୁନ୍‌ରେ ଆସି କଲିକତାର ଏ ସହରତଳିରେ ଏ ନିକାଞ୍ଚନ ଗେଷ୍ଟହାଉସରେ ରହିଛ କାହିଁକି ?’’

 

“ଅମେ ଆଜି ସନ୍ଧ୍ୟାରେ ଆସି ପହଞ୍ଚିଲୁ । ଅନ୍ୟ କୌଣସି ହୋଟେଲରେ ଜାଗା ନ ପାଇ ଏଠି ରହିବାକୁ ବାଧ୍ୟ ହେଲୁ । ଏଥିରେ ଆପଣଙ୍କର ଆପତ୍ତି କାହିଁକି ?’’ ଯୁବକଟିର ସ୍ୱରରୁ ସେ ପର୍ଯ୍ୟନ୍ତ ତେଜ ଯାଇନଥିଲା ।

 

“ତା’ହେଲେ ତୁମର ଲଗେଜ କାହିଁ ?’’

 

ଏଭଳି ଗୁଡ଼େଇତୁଡ଼େଇ ପଚାରିବା ବେଳେ ତରୁଣୀଟି ଅସମ୍ଭବ ଭାବେ ଏକ ନୀରବତାର ଖୋଳ ଭିତରେ ଯେମିତି ପଶିଯାଇଥିଲା । କିନ୍ତୁ ଯୁବକଟି ରାଗରେ ପାଚି ଥମ୍‌ ଥମ୍‌ ହେଉଥିଲା ।

 

ସେ ଆମକୁ ରୀତିମତ ଧମକ ଦେବାକୁ ଆରମ୍ଭ କଲା, “ଦେଖନ୍ତୁ ମୁଁ ହେଉଛି ଦିଲ୍ଲୀ ସିଟି ମାଜିଷ୍ଟ୍ରେଟ୍‌ ବିମଳରାଠୋରଙ୍କ ପୁଅ । ମୁଁ କହି ରଖୁଛି ଆପଣ ସାପ ଲାଞ୍ଜରେ ହାତ ଦେଉଛନ୍ତି । ମୁଁ ଆପଣଙ୍କ ନାଁରେ ମାନହାନି ମୋକଦ୍ଦମା କରିବି । ପୋଲିସମାନଙ୍କ ଜୁଲମ ଯୋଗୁ ଏବେ ସେମାନଙ୍କୁ କି ଦଶା ଭୋଗିବାକୁ ପଡ଼ୁଛି, ଆପଣ ଭଲ ଭାବେ ଜାଣନ୍ତି ।’’

 

“ପୋଲିସ୍‌ ଥାନାକୁ ଚାଲ୍‌ । ତା’ପରେ କିଏ କାହା ନାଁରେ କେଶ୍‌ କରିବ ସେଠି ବିଚାର କରାଯିବ ।’’ ଏହା କହି ସେ ଦୁହିଁଙ୍କୁଗାଡ଼ିରେ ବସାଇ ମୁଁ ଥାନାକୁ ନେଇ ଆସିଥିଲି ।

 

ସେତେବେଳେ କଲିକତା ମହାନଗରୀ ନିଘୋଡ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଥିଲା । ଆସିଲାବେଳେ ତରୁଣୀଟିର ଛାତି ଭିତରୁ କୋହ ଉଠୁଥିଲା ।

 

ଜେଲ୍‌ର ଲକ୍‌ଅପ୍‌ ଭିତରେ ସେମାନଙ୍କୁ ବନ୍ଦ କରିଦେବା ପରେ ତରୁଣଟିର ନିÒଳ କ୍ରୋଧ ବଦଳି ଯାଇଥିଲା କାକୁତି ମିନତିରେ । ତରୁଣୀଟିର ଜମାଟବନ୍ଧା କୋହ ପରିଣତ ହୋଇଥିଲା ଲୁହର ବନ୍ୟାରେ ।

 

ଆସିଲାବେଳେ ଗେଷ୍ଟହାଉସ୍‌ର ଅନତିଦୂରରେ ଗୋଟିଏ କାର ପାର୍କିଂ ହୋଇଥିବାର ମୋର ନଜରରେ ପଡ଼ିଥିଲା । ଥାନାର ସବ୍‌ ଇନ୍‌ସପେକ୍ଟରଙ୍କୁ ସେ ଗାଡ଼ି ଉପରେ ତଦନ୍ତ କରିବାକୁ ପଠାଗଲା ।

 

ରାତି ଏବେ ନିବିଡ଼ରୁନିବିଡ଼ତର ହେଲାଣି । ଡିଉଟିରେ ଥିବା ପୋଲିସ୍‌ଙ୍କ ସଂଖ୍ୟା ନଗଣ୍ୟ । ମୁଁ ଜଣେ କନେଷ୍ଟବଳଙ୍କୁ ସେମାନଙ୍କ ଉପରେ ନଜର ରଖିବାକୁ କହିଲି । ପରଦିନ ସକାଳେ ସେମାନଙ୍କର କେଶ୍‌ ଫାଇନାଲ ହେବ ବୋଲି କହି ଘରକୁ ଫେରିବାକୁ ବାହାରିଲି ।

 

ଯୁବକଟିର ସ୍ୱର ପଛରୁ ଶୁଭିଲା“ସାର୍‌, ଟିକିଏ ଶୁଣନ୍ତୁ । ମୋ ପାଖରେ ଏତିକି ଅଛି । ଏହାକୁ ନେଇ ଆମକୁ ଛାଡ଼ି ଦିଅନ୍ତୁ ।’’

 

ମୁଁ ବିରକ୍ତ ହୋଇ କହିଲି, “ଏସବୁ ତମ ପାଖରେ ରଖ । ମୋକଦ୍ଦମା ବେଳେ କାମରେ ଆସିବ ।’’

 

ଗାଡ଼ି ବାହାର କରି ରାଗରେ ତମ ତମ ହୋଇ ଚାଲିଆସିଲି । ସକାଳ ହେବାକୁ ବେଶୀ ଡେରି ନଥିଲା । ଗାଧୁଆ ପାଧୁଆ କରି ଯାଇ ତାଙ୍କଠୁ ଅସଲ କଥା ଆଦାୟ କରିବାକୁ ମନସ୍ଥ କଲି ।

 

ଫେରିଲାବେଳକୁ ପୋଲିସ୍‌ ଷ୍ଟେସନ୍‌ ଲୋକାରଣ୍ୟ । ଲକ୍‌ଅପ୍‌ ଭିତରେ ସମ୍ଭ୍ରାନ୍ତ ଘରର ଦୁଇଟି ତରୁଣ ତରୁଣୀଙ୍କୁ ଦେଖିବାକୁ ସେ ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ତୁମୁଳ ଉଦ୍ଦୀପନା ଓ ଠେଲାପେଲା । ସକାଳ ଡିଉଟିରେ ବେଶୀ ସଂଖ୍ୟାରେ ପୋଲିସ୍‌ ଥିଲେ ବି ଲୋକମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯାଇଥିଲା । କେତେ କନେଷ୍ଟବଳ ତରୁଣୀଟିକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଅଶ୍ଳୀଳ ଗାଳିଗୁଲଜ କରିବାକୁ ଆରମ୍ଭ କରିଥିଲେ ।

 

ତରୁଣୀଟିର କୋହର ଉଚ୍ଛ୍ୱାସରୁଜଣାପଡ଼ୁଥିଲା ଯେ ମୋର ଅନୁପସ୍ଥିତିରେ ତାକୁ କିଭଳି ନିର୍ଯ୍ୟାତନା ଦିଆଯାଇଛି । କାନ୍ଦି କାନ୍ଦି ତା’ର ଆଖି ପତାରେ ମାଖିଥିବା ରଙ୍ଗ ଲିଭି ଲିଭି ଆସିଥିଲା । ‘ପ୍ଲକ’ କରିଥିବା ସୁନ୍ଦର ଇନ୍ଦ୍ରଧନୁପରିଭ୍ରୂଲତା ବିବର୍ଣ୍ଣ ହୋଇଯାଇଥିଲା ।

 

ରୂପଜୀବୀ ରମଣୀମାନଙ୍କ ଆଡ଼କୁ ଧନୀ, ସମ୍ଭ୍ରାନ୍ତ, ରାଜନୀତିଜ୍ଞ, ସଭିଏଁ ଆପେ ଆପେ ଢଳି ହୋଇଆସନ୍ତି । ଇତିହାସ ପୃଷ୍ଠାରେ ଏଭଳି ଅନେକ ଚମତ୍କାର କାହାଣୀର ଦୃଷ୍ଟାନ୍ତ ରହିଛି । କିନ୍ତୁ ସମାଜ ସେମାନଙ୍କୁ ଭିନ୍ନ ଚକ୍ଷୁରେ ଦେଖେନି । ଅଥଚ ବେଶ୍ୟାମାନଙ୍କୁ ସବୁ ନିନ୍ଦା, ଅପବାଦ, ଭର୍ତ୍ସନା ଓ କୁତ୍ସା ମଥାପାତି ସହିବାକୁ ପଡ଼େ ।

 

ଆଇନ୍‌ ଆଖିରେ ବେଶ୍ୟା ଏବଂ ତା’ର ଗ୍ରାହକ ସମାନ ଭାବରେ ଦଣ୍ଡନୀୟ । କିନ୍ତୁ ଲୋକଚକ୍ଷୁରେ ବେଶୀ ନିନ୍ଦିତା ହୁଏ ବେଶ୍ୟା । ଏହାର କାରଣ ଖୋଜିବାକୁ ମୁଁ ଚେଷ୍ଟା କରୁଥିଲି ।

 

ବୋଧହୁଏ ସମାଜ ଏପର୍ଯ୍ୟନ୍ତ ପୁରୁଷପ୍ରଧାନ ହୋଇରହିଆସିଛି । ସେଥିପାଇଁ ପୋଲିସମାନେ ଲକ୍‌ଅପ୍‌ ସାମନାରେ ଆବଶ୍ୟକତାଠାରୁ ଅଧିକ ଥର ଟହଲ ମାରି ଆଖିରେ, କଥାରେ ଏବଂ ଇଙ୍ଗିତରେ ତରୁଣୀଟିକୁ ଲହୁଲୁହାଣ କରି ଦେଉଥିଲେ ।

 

ମୁଁ ଆସିଲା ପରେ ଏସବୁ ବନ୍ଦ ହୋଇଗଲା । ପୋଲିସ୍‌ ଷ୍ଟେସନ ସାମନାରେ ଅଧିକ ସଂଖ୍ୟକ ପୋଲିସ ମୁତୟନ କରିଦେଲିଯେମିତି ଭିତରକୁ କେହି ପଶି ନ ପାରନ୍ତି । ଖବରଟା ଏପରି ରାଷ୍ଟ୍ର ହୋଇଯାଇଥିଲା ଯେ କିଛି ସାମ୍ବାଦିକ ଓ ଫଟୋଗ୍ରାଫର ଇତି ମଧ୍ୟରେ ହାଜର ହୋଇଯାଇଥିଲେ ।

 

ତେବେ ଭିତରକୁ କାହାକୁ ଆସିବାକୁ ଅନୁମତି ନ ଦେଇ ମୁଁ ଲକ୍‌ଅପ୍‌ ଗଲି । ଏ ଭିତରେ ସେହି ଗେଷ୍ଟହାଉସ୍‌କୁ ତଦନ୍ତ କରିବା ପାଇଁ ଯାଇଥିବା ସବ୍‌ଇନସ୍‌ପେକ୍ଟର ଫେରିଆସି ରିପୋର୍ଟ ଦେଲା ।

 

ମୁଁ ତରୁଣୀଟିକୁ ପଚାରିଲି, “ଓଃ ଆପଣ ତାହାହେଲେ ଲିଲି ସେନ୍‌ ? ଗେଷ୍ଟହାଉସ୍‌ ସାମନାରେ ଥିବା ଗାଡ଼ିରୁ ଆମେ ଆପଣଙ୍କ ଅସଲ ପରିଚୟ ପାଇଛୁ । ଆପଣ ଏତେ ତଳକୁ ଯାଇପାରିଲେ ? ଆପଣଙ୍କର ପଇସାର ଅଭାବ କ’ଣ ? ଆପଣ ଜଣେ କୋଟିପତିଙ୍କ ଦୁଲାଳୀ । କିଏ ବା ବିଶ୍ୱାସ କରିବ ଯେ ଜଣେ ଧନୀକ ସମ୍ଭ୍ରାନ୍ତ ଘରର ଏକମାତ୍ର କନ୍ୟା ଏକ କଲଗାର୍ଲ ?’’

 

ଏତିକି କଥାରେ ତରୁଣୀଟିର ସବୁ ଆଶା, ସବୁ ପ୍ରତ୍ୟାଶାର ଦମ୍ଭର ପାଚେରି ଯେପରି ଭାଙ୍ଗୁରୁଜି ଯାଇଥିଲା ଏବଂ ତା’ର ଆଖିରୁ ଏବେ ଅବାରିତ ଲୁହର ଧାରା ଶ୍ରାବଣ ବହି ଚାଲିଥିଲା ।

 

“ନାଁସାର୍‌, ଆପଣ ଯାହା ଭାବୁଛନ୍ତି ତା’ ଠିକ୍‌ ନୁହେଁ,’’ ଏତିକି କହୁ କହୁ ସେ ଝିଅଟି ଭୋ ଭୋ କରି କାନ୍ଦିଉଠିଲା ।

 

ଯୁବକଟି ଧୀର ସ୍ଥିର ହୋଇବସିଲା । କହିଲା, “ସାର୍‌ ମୋର କିଛି ଆପଣଙ୍କୁ କହିବାର ଅଛି, ଏକାନ୍ତରେ ।’’

 

କନେଷ୍ଟବଳମାନଙ୍କୁ ଦୂରକୁ ପଠାଇଦେଲା ପରେ ସେ ଆରମ୍ଭ କଲା ।

 

“ସାର୍‌, ମୋତେ ଏବେ ବିଶ୍ୱାସ କରନ୍ତୁ । ଆଗରୁ ମୁଁ ଯାହା କହିଛି, ସବୁ ଡାହା ମିଛ । ମୁଁ ଦିଲ୍ଲୀ ମାଜିଷ୍ଟ୍ରେଟଙ୍କ ପୁଅ ନୁହେଁ । ଆମେ ଦୁହେଁ ସ୍ୱାମୀ ସ୍ତ୍ରୀ ନୁହଁ । ଯାହାକୁ ଆପଣ କଲ୍‌ଗାର୍ଲ ବୋଲି ଭାବୁଛନ୍ତି ସେ କଲ୍‌ଗାର୍ଲ ମଧ୍ୟ ନୁହେଁ । ବେଶ୍ୟା ମୁଁ । ଧନ୍ଦା ମୁଁ କରେ । ମୁଁ ଜଣେ ବେକାର ଯୁବକ । ଘରେ ଆମର କିଛି ଧନ ସମ୍ପତ୍ତି ନାହିଁ । ଏହି ବଳିଷ୍ଠ ଚେହେରା ଖଣ୍ଡକ ହିଁ ମୋର ଏକମାତ୍ର ସମ୍ବଳ ଏବଂ ଏହାକୁ ବିକି ମୁଁ ଚଳେ । ସହରରେ ଅନେକ ସମ୍ଭ୍ରାନ୍ତ ପ୍ରତିଷ୍ଠିତ ମହିଳାଙ୍କ ଅନୁକମ୍ପା ଯୋଗୁଁ ମୋର ପରିବାର ପ୍ରତିପାଳିତ ହୁଏ । ମୋତେ ବାନ୍ଧି ରଖନ୍ତୁ । ମ୍ୟାଡାମ୍‌ଙ୍କୁଛାଡ଼ି ଦିଅନ୍ତୁ ।

Image

 

ତ୍ରିଧାରା

 

ଢେଙ୍କାନାଳର ପାହାଡ଼ ପର୍ବତ ଘେରା ଏକ ଶାନ୍ତ, ଘୁମନ୍ତ ଗାଁରେ ମୋର ଜନ୍ମ । କଲେଜକୁ ଆସିଲା ପରେ ଷ୍ଟଡିଟୁର୍‌ରେ ଯାଇଥିବା ସମୟରେ ମୋର ପ୍ରଥମଥର ପାଇଁ ଭେଟ ହୁଏ ସମୁଦ୍ର ସହ । ସେହିଦିନ ଠାରୁ ଆରମ୍ଭ ହୋଇଛି ମୋର ସମୁଦ୍ର ପ୍ରତି ଏକ ଦୁର୍ବାର ଆକର୍ଷଣ ।

 

ଓଡ଼ିଶା ଓ ଓଡ଼ିଶା ବାହାରେ ଅନେକ ସମୁଦ୍ର କୂଳକୁ ମୁଁ ଯାଇଛି । କିନ୍ତୁ ସମସ୍ତଙ୍କ ଭିତରେ ପୁରୀର ବେଳାଭୂଇଁ ମୋତେ ଲାଗେ ଖୁବ୍‌ ଚମତ୍କାର । ମାଇଲ ମାଇଲ ଧରି ଲମ୍ବିଥିବା ଏହି ବେଳାଭୂଇଁ ନିକଟରେ ଅନ୍ୟମାନେ ଗୋଷ୍ପଦପୁଷ୍କର ଭଳି ଖର୍ବକାୟ ଲାଗନ୍ତି ।

 

ସେଥିପାଇଁ ସୁଯୋଗ ମିଳିଲେ କର୍ମଭୂମି ମହାନଗରୀ ଛାଡ଼ି ମୁଁ ପୁରୀ ଚାଲିଆସେ । ନିର୍ଜନ ସମୁଦ୍ରକୂଳରେ ଏକା ଏକା ଘଣ୍ଟା ଘଣ୍ଟା ଧରି ବସେ । ବେଳାଭୂଇଁ ଉପରେ ଚକ୍କର କାଟି ଉଡ଼ିଯାଉଥିବା ପକ୍ଷୀମାନଙ୍କୁ ମୁଗ୍ଧହୋଇ ଚାହିଁ ରହେ । ସେମାନଙ୍କ ବୁଝି ହେଉନଥିବା କିଚିରିମିଚିର ଆଳାପ, ସମୁଦ୍ରର ଘୋ ଘୋ ଗର୍ଜନ, ଝାଉଁବଣର ସାଇଁ ସାଇଁ ଶବ୍ଦରୁ ମୁଁ ଖୋଜୁଥିବା ଶବ୍ଦମାନଙ୍କୁ ସାଉଁଟି ପାଏ ।

 

ସେଦିନ ସକାଳୁ ସକାଳୁଗପଟିଏ ଲେଖିବାକୁ ବସିଥିଲି । ଅନେକ ଦିନ ହେଲା କିଛି ଲେଖା ହୋଇନଥିଲା ବଡ଼ଅଶ୍ୱସ୍ତିକର ଲାଗୁଥିଲା । ସମୁଦ୍ର କୂଳରେ ରେଳବାଇ ବିଭାଗର ଏଇ ରେଷ୍ଟହାଉସ୍‌ । ସହରର ହୈ ଚୈ ଠାରୁ ଦୂରରେ, ଏକ ଶୂନ୍‌ଶାନ ଇଲାକାରେ ଆସ୍ଥାନ ମାଡ଼ିବସିଛି କାହିଁ କେତେ ବର୍ଷରୁ ସମୁଦ୍ରକୂଳକୁ ଏତେ ପାଖ ଯେ, ଜୁଆର ଆସିଲେ ରେଷ୍ଟହାଉସ୍‌ର ପ୍ରତିଟି ବଖରା ସେଥିରେ ନିଜର ପ୍ରତିଛବି ଦେଖିପାରୁଥିବେ । ସୁଯୋଗ ପାଇଲେ ମୁଁ ଏଠିକୁ ଚାଲିଆସେ । ସପ୍ତାହଟିଏ ପାଇଁ ବାହାର ଦୁନିଆଠାରୁ ଅଲଗା ହୋଇଯାଏ ।

 

ଖାତା, କଲମ, ଚା’ କପେ ଧରି ରେଷ୍ଟହାଉସ୍‌ର ପ୍ରଶସ୍ତ ବାରଣ୍ଡାରେ ବସି ଯାଇଥିଲି ।

 

ସମୁଦ୍ରର ପେଟ ଚିରି ସୂର୍ଯ୍ୟ କେତେବେଳୁ ଆକାଶକୁ ଉଠିଲେଣି । ମୁଁ ଏକ ଧ୍ୟାନରେ ଦୂର ଦିଗ୍‌ବଳୟ ଆଡ଼େ ଚାହିଁ ରହିଥିଲିଯେଉଁଠି ସମୁଦ୍ରର ନୀଳିମା ଓ ଆକାଶର ନୀଳିମା ପରସ୍ପରକୁ ଚୁମା ଦେଉ ଦେଉଏକାକାର ହୋଇଯାଇଥିଲେ ।

 

ଏବେ ବେଳାଭୂଇଁଶୂନ୍‌ଶାନ୍‌ ହୋଇସାରିଥିଲା । ପାଖ ହୋଟେଲମାନଙ୍କରୁ ଆସିଥିବା ଟୁରିଷ୍ଟମାନେ ଫଟୋ ଉଠେଇ, ସମୁଦ୍ର ସ୍ନାନକରି, ଲାଲ କଙ୍କଡ଼ାମାନଙ୍କ ସହ ଖେଳି ଖେଳି ହାଲିଆ ହୋଇ ଫେରିଗଲେଣି । ଟୁରିଷ୍ଟମାନେ ଚାଲିଗଲା ପରେ ମସଲା ମୁଢ଼ିବାଲା, ଚେନାଚୁର ବାଲା, ସିଙ୍ଗଡ଼ା ବିକାଳି ସମସ୍ତେ ଉଭାନ ହୋଇଗଲେଣି । ନୋଳିଆମାନଙ୍କ ହୁଲୀ ଡଙ୍ଗା ଦୂରକୁ ଚାଲିଗଲାଣି । ସେସବୁ ଦିଶୁଥାନ୍ତି ଗୋଟିଏ ଗୋଟିଏ ଛୋଟ ଧଳା ପ୍ରଜାପତି ପରି ।

 

ଏହି ଖାଁଖାଁନିର୍ଜନ ବେଳାଭୂଇଁରେବିଦେଶିନୀଟିଏଛଡ଼ା କେହି ନଥିଲେ ।

 

ସେ ଖରାକୁ ମୁହଁକରି ଶୋଇଥିଲା ମୁହଁ ସାମନାରେ ବହିଟିଏ ପରିଧେୟ ବିକିନିଟିଏ ମାତ୍ର । ପାଖରେ ବାଲି ଉପରେ ପୋଷାକକୁ ଖୋଲି ରଖିଦେଇଥିଲା ।

 

ସେତେବେଳକୁ ମୋର ସକାଳର ସେକେଣ୍ଡ ରାଉଣ୍ଡ ଚା’ ଆସି ଯାଇଥିଲା । ଗପ ଲେଖିବାର କାଗଜ ଛାଡ଼ି ମୁଁ ତାହାରି ଆଡ଼କୁ ଜଳଜଳ କରି ଚାହିଁ ରହିଥିଲିସ୍କୁଲ ଝର୍କା ବାଟେ ଆଇସ୍‌କ୍ରିମ୍‌ ଭରା ଠେଲାବାଲାକୁ ଅପଲକ ନୟନରେ ଚାହିଁଥିବା ପିଲାଟିଏ ପରି ।

 

ଦୂରରୁ ଯାହା ଅନୁମାନ ହେଉଥିଲା, ବିଦେଶିନୀଟି ଥିଲା ସୁଶ୍ରୀ, ତରୁଣୀ ଏବଂ ସର୍ବୋପରିକୃଶାଙ୍ଗୀ ।

 

ମଝିରେ ମଝିରେ ଉଠିପଡ଼ି ସେ ସମୁଦ୍ର ପାଣିକୁ ପଶି ଯାଉଥିଲା । ଲହଡ଼ି ଭାଙ୍ଗି ବୁଡ଼ଦେଇ ପୁଣି ଉପରକୁ ଆସି ତଉଲିଆରେ ଦେହ ପୋଛି, ସତରଞ୍ଜି ଉପରେ ଶୋଇ ଯାଉଥିଲା ପୂର୍ବପରି ।

 

ମୋ’ ମନରେ ପ୍ରଶ୍ନଟିଏ ଉଙ୍କି ମାରୁଥିଲାସାତ ସମୁଦ୍ର, ତେର ନଈ ପାରି ହୋଇ ଭାରତବର୍ଷକୁ ଟୁରିଷ୍ଟ ତରୁଣୀମାନେ ଚାଲିଆସନ୍ତି କାହିଁକି ? କ’ଣ ଖାଲି ଖରା ପୋଇଁବା ପାଇଁ, ନାଁଛଳଛଳ ତାରୁଣ୍ୟର ଏହା ଏକ ବିଲକ୍ଷଣ ?

 

ଏବେ ମନଟା ସେଇଆଡ଼କୁ ବେଶୀ ବେଶୀ ଟାଣି ହୋଇଯାଉଥିଲା । ଇଚ୍ଛା ହେଉଥିଲା, ରେଷ୍ଟହାଉସ୍‌ର ଉପର ମହଲାରୁ ଏକ ଡିଆଁକେ ତା’ ପାଖରେ ପହଞ୍ଚି ଯାଆନ୍ତି ।

 

ପୁଣି ଭାବିଲି, କେମିତି ଯିବି ? କଅଣ କହିବି ? କିଭଳି ଭାବେ ଆଳାପ ଆରମ୍ଭ କରିବି ? ଏବେ ଅଙ୍ଗ ପ୍ରତ୍ୟଙ୍ଗରେ ବୟସ ଦାଉ ସାଧିଲାଣି । ତଳି ପେଟରେ ମେଦର ପ୍ରକୋପ । ଧୀରେ ଧୀରେ ପତଳା ହୋଇଯାଉଥିବା କେଶରାଶିରେ ଠାଏ ଠାଏ ଧଳା କେଶର ଚଅଁର । ଏହି ରୂପ ଦେଖି, ସେ ଚିର୍‌ଚିରେଇ ହୋଇ ପଳାଇ ଯିବ ନାହିଁ ତ !

 

ପର ମୁହୂର୍ତ୍ତରେ, ସେ ତରୁଣୀଟି ଏକ ସାଥୀ ହଜେଇ ଦେଇଥିବା ପକ୍ଷୀ ପରି ବୋଧ ହେଉଥିଲା । ବିଦେଶରୁ ଟୁରିଷ୍ଟମାନେ ପ୍ରାୟ ଯୋଡ଼ିଯୋଡ଼ି ହୋଇ ଆସନ୍ତିସ୍ୱାମୀ ସ୍ତ୍ରୀ ହେଉ ବା ବାନ୍ଧବ-ବାନ୍ଧବୀ ହୁଅନ୍ତୁ । ଏକା ଏକା କୌଣସି ବିଦେଶିନୀ ଆସିବା କ୍ୱଚିତ୍‌ ଦେଖାଯାଏ ।

 

ମନେ ହେଉଥିଲା, ସେ ଏକ ସ୍ନେହ-ବିରହିତାହିନିମାନୀ, ଦୁଃଖିନୀ,ନାରୀଟିଏ । ସ୍ୱାମୀ ପରିତ୍ୟକ୍ତା ବି ହୋଇଥାଇପାରେ ।

 

ଏବେ ଧୀରେ ଧୀରେ, ମୁଁ ତରୁଣୀଟିର ପ୍ରେମରେ ପଡ଼ି ଯାଇଥିଲି ।

 

ପ୍ରେମ ବି ଗୋଟିଏ ଅଜବ ଅନୁଭୂତି । ଏମିତି ବେଳେବେଳେ ହାଉଁ କରି ଅତର୍କିତ ଭାବେ ମାଡ଼ିବସେ । ପାଖରେ ଥାଅ, ଦୂରରେ ଥାଅ ସେଥିରେ କିଛି ଯାଏନି, ଆସେନି । ଚନ୍ଦ୍ର ଆଉ ନୀଳକଇଁର ଯୁଗ ଯୁଗର ପ୍ରେମକୁ କଳ୍ପନା କରି ଅନେକକ୍ଷଣ ମୁଁ ଏକ ଅନନ୍ୟ ରସାନୁଭୂତି ମଧ୍ୟରେ ଉବୁଟୁବୁ ହେଉଥିଲି ।

 

ଦଳେ ସ୍ତ୍ରୀଲୋକ ପାଖ ବସ୍ତିରୁ ବାହାରି ମୋର ସ୍ୱପ୍ନ ଭାଙ୍ଗିଦେଲେ । ସେମାନଙ୍କର ଗାଧୋଇବା ସମୟ ହୋଇଯାଇଥିଲା । କିଏ ଦାନ୍ତ କାଠିରେ ଦାନ୍ତ ରେନ୍ଥିରେନ୍ଥି, ଆଉ କିଏ ଗୁଡ଼ାଖୁ ଘଷି ଘଷି ସମୁଦ୍ର ଆଡ଼କୁ ଚାଲିଥିଲେ ।

 

ସେମାନେ ବିଦେଶିନୀର ଅର୍ଦ୍ଧ-ଉଲଗ୍ନ ଦେହ ଦେଖି ହସାହସି ହେଉଥିଲେ । ତା’ ପାଖରେ ଦଣ୍ଡେ ଠିଆହୋଇ ଆଗକୁ ଚାଲିଥିଲେ ।

 

ସେମାନେ ଚାଲିଗଲା ପରେ ମୁଁ ପୁଣି ମୋର ସ୍ୱପ୍ନ ରାଜ୍ୟକୁ ଫେରିଆସିଥିଲି । ଏବେ ଦେହରେ ଡେଣା ଲାଗିଲା ପରି ଲାଗୁଥିଲା ।

 

ମନେ ହେଉଥିଲା, ଆମେ ଦୁହେଁ ସମୁଦ୍ର ଉପରେ ଏକ ପ୍ରବାଳ ଦ୍ୱୀପକୁଉଡ଼ିଚାଲିଛୁ । ପୁଣି କେତେବେଳେ ବାଲିହରିଣ ପରି, ବାଲିକୁଦରୁ ବାଲିକୁଦକୁ ଡେଇଁ ଡେଇଁ ଚାଲିଛୁ ।

 

ସ୍ୱପ୍ନର ଚରମ ରୋମାଞ୍ଚକର ମୁହୂର୍ତ୍ତ ନ ଆସୁଣୁ ସେ ପାଣିଫୋଟକା ପରିଫୁଟିଗଲା ।

 

ଏବେ ଲୁଗାପଟା ଧରି ବୁଢ଼ୀଟିଏ ସେଇଠି ହାବୁଡ଼ି ଗଲା । ସାଙ୍ଗରେ ଛୋଟ ପିଲାଟିଏ । ପଛେ ପଛେଖଣ୍ଡିଗୋଡ଼ିଆ କୁକୁରଟିଏ । ଛୋଟେଇ ଛୋଟେଇ ଚାଲିଲାବେଳେ ଢେଙ୍କି କୁଟିଲା ପରି ଲାଗୁଥାଏ ।

 

ସେମାନେ ଗାଧୋଇ ଯିବା ନାଁଭୁଲି ଯାଇ ଏବେ ସେ ବିଦେଶିନୀ ଶୋଇଥିବା ଜାଗାଠାରୁ କିଛି ଦୂରରେ ବସି ହାଁକରି ଅନାଇଁ ରହିଲେ । ସତେ ଯେମିତି ସମୁଦ୍ର ପାଣି ଭିତରୁ ବାଲି ଉପରକୁ କିଛି ଅଦ୍ଭୁତ ଜୀବଟିଏ ଭାସିଆସିଛି ।

 

ବିଦେଶିନୀକୁଅଶ୍ୱସ୍ତି ଲାଗୁଥିଲେ ମଧ୍ୟ, ସେ କଡ଼ ଲେଉଟାଇ ବହି ପଢ଼ିବାକୁ ଆରମ୍ଭ କଲା । କିଛି ସମୟ ପରେ ଆକାଶକୁ ପିଠିକରିମୁହଁମାଡ଼ି ଶୋଇଲା । ବୁଢ଼ୀଟି ତଥାପି ବସିଥାଏ ।

 

ତା’ ଗଣ୍ଠୁଲି ଭିତରେ ସେ ଯେମିତି ବାନ୍ଧି ରଖିଛି ଅସରନ୍ତି ସମୟ । ତେଣୁ ସେ ଉଠିବାର ନାଁଧରୁ ନଥିଲା ।

 

ମୋତେ ଖୁବ୍‌ ଚିଡ଼ି ଲାଗୁଥିଲା । ଇଚ୍ଛା ହେଉଥିଲା, ବୁଢ଼ୀଟିର ଅଷ୍ଟବକ୍ର ପିଠିରେ ଦୁଇଟି ଉତ୍ତମ ମଧ୍ୟମ ଚଢ଼ାଇସିଧାକରି ଦେବାକୁ ।

 

ଏବେ ତରୁଣୀଟି ସମୁଦ୍ର ଭିତରକୁ ବୁଡ଼ଦେବାକୁ ଚାଲିଗଲା । ବୁଢ଼ୀ ବିଉଠିଗଲା । ଗାଧୁଆ ବେଳର ଖରା ତା’ ଅଧା ଫୁଙ୍ଗୁଳା ପିଠିର ହାଡ଼ମାନଙ୍କୁଫୋଡ଼ି ଦେବାକୁ ଆରମ୍ଭ କଲା ବୋଧହୁଏ ।

 

ଏ ଭିତରେ ତୃତୀୟ ଥର ଚା’ ମଧ୍ୟ ଆସି ଯାଇଥିଲା । ଲେଖାର ଗୋଟିଏ ଧାଡ଼ି ମଧ୍ୟ ଆରମ୍ଭ ହୋଇପାରି ନଥାଏ । ତରୁଣୀଟି ପୁଣି ଆସି, ନିଜ ସ୍ଥାନରେ ଶୋଇ ଟାଣ ଖରାରେ ଦେହକୁ ଟ୍ୟାନିଙ୍ଗ କରୁଥିଲା । ମନେ ହେଉଥିଲା, ଏମାନଙ୍କ ଦେଶରେ ବୋଧେ ସବୁ ସୁଲଭ । ଖରା ହିଁ ଦୁର୍ଲ୍ଲଭ ।

 

ହଠାତ୍‌ ବେଳାଭୂଇଁର ନୀରବତା ଭାଙ୍ଗି, ଏକ ଅଜଣା ଆତଙ୍କ ଖେଳିଗଲା । ପାଖ ୟୁଥ୍‌ ହଷ୍ଟେଲରୁ ଦଳେ ଯୁବକ ଯେପରି ହସର ନଡ଼ିଆବଣ ଫୁଟାଇ ସେଆଡ଼କୁମାଡ଼ି ଆସୁଥିଲେ । ବେଳାଭୂଇଁରେ ଏକାକିନୀ ବିଦେଶିନୀକୁଦେଖି ତାଙ୍କର ଜାନ୍ତବ ନଖ ଦାନ୍ତ ଯେପରି ଗଜୁରି ଉଠିଥିଲା । ସେମାନେ ଫେରିଯାଇ ବିଦେଶିନୀକୁ ଅଶ୍ଳୀଳ ଇଂଗିତଦେବା ଆରମ୍ଭ କଲେ ।

 

ତରୁଣୀଟି ଏବେ ଭୟରେ ଜୁଡ଼ୁବୁଡ଼ୁ ହୋଇଉଠିଲା । ପୋଷାକ ପିନ୍ଧିବାକୁ ବାହାରିଲା ବେଳେ ସେମାନେ ତା’ଠୁ ଛଡ଼ାଇ ନେଲେ ।

 

ବେଳାଭୂଇଁରେ ସେ କାମାନ୍ଧ ଯୁବକ ପଲ ଏବଂ ଏକାକିନୀବିଦେଶିନୀ । ଆଉ କେହି ନଥିଲେ । ଖରା ଟାଣ ହୋଇଗଲାଣି । ସେ ପର୍ଯ୍ୟନ୍ତ ନୋଳିଆମାନେ ମାଛମାରି ଫେରିନଥିଲେ ।

 

ତରୁଣୀଟି ଏବେ ବିକଳରେ ଚିତ୍କାର କଲା । ଆଉ ମୁଁ ସହିପାରିଲିନି । ଚୌକି ଛାଡ଼ି ଉଠି ଠିଆହେଲି । କିଛି ସମୟ ଆଗରୁ ତରୁଣୀ ପାଇଁ ଉଦ୍ରେକ ହୋଇଥିବା କଦର୍ଯ୍ୟ ଭାବନା ଆଖି ପିଛୁଳାକେ ଉଭେଇଗଲା । ଏବେ ମନେ ହେଉଥିଲା, ସେ ଯେପରି ମୋର ଜନ୍ମିତାନୟନପିତୁଳା କନ୍ୟାଯାହାକୁ ଦଳେ ଭୋକିଲା କୋକିଶିଆଳ ଘେରି ଯାଇଛନ୍ତି ଏବଂ ସେ ‘ବାପା ବାପା’ କରୁଣ ଚିତ୍କାର କରୁଛି ।

 

କ’ଣ କରିବି ବୋଲି ମୋତେ କିଛି ରାସ୍ତା ଦିଶୁନଥିଲା । ଏବେ ଝିଅଟି ଆଗେ ଆଗେ ଧାଇଁ ଚାଲିଥିଲା । ସେମାନେ ବାଲି ହରିଣୀ ପଛେ ପଛେ ଦଳେ ବଳିଆ କୁକୁର ପରି ଗୋଡ଼ାଇଥିଲେ । ହୋଟେଲ ଆଡ଼କୁ ଧାଇଁଲେ ସେମାନେ ବାଟଓଗାଳୁଥିଲେ । ତେଣୁ ସେ ସମୁଦ୍ର ପାଣି ଭିତରକୁ ପଶିଲା ।

 

“ମୁଁ ଆସୁଛି ଲୋ ଝିଅ’’, ପାଟି କରି କରି, ଯାହା ପିନ୍ଧିଥିଲି, ସେହି ପୋଷାକରେ ଷ୍ଟେୟାରକେସ୍‌ ଡେଇଁ ଦୌଡ଼ିଲି । ଷ୍ଟେୟାରକେସ୍‌ରେ ଢୋଳାଉଥିବା ଚୌକିଦାର, ‘ସାର୍‌’ଙ୍କର କ’ଣ ହୋଇଗଲା ବୋଲି ତଟସ୍ଥ ହୋଇ ଅନାଇ ରହିଥିଲା ।

 

ସେତେବେଳକୁ ବହୁତ ମଜା ହୋଇଗଲାଣି ଭାବି ହେଉ, ବା କିଛି ଅଘଟଣ ଘଟିବ ଏହି ଡର ଯୋଗୁଁ ହେଉ କେତେ ଜଣ ଟୋକା ଗୋଠଛାଡ଼ି ନିରାପଦ ଦୂରତ୍ୱରେ ଅପେକ୍ଷା କରିଥିଲେ । କେବଳ ଦୁଇଟି ଟୋକା ତଥାପି ଗୋଡ଼ାଇଥିଲେ । ଝିଅଟି ଅନ୍ୟ ଉପାୟ ନ ଦେଖି ସମୁଦ୍ର ଜଳ ଭିତରେ ଝାସ ଦେଲା । ସେ ଦୁହେଁ ମଧ୍ୟ ତା’ ପଛେ ପଛେଲମ୍ଫ ଦେଲେ ।

 

ମୁଁ ସେତେବେଳକୁ ସମୁଦ୍ରକୂଳରେ ପହଞ୍ଚି ଯାଇଥିଲି । ଅପେକ୍ଷାକୃତ ଶାନ୍ତଥିବା ସମୁଦ୍ର ଭିତରୁ ଏବେ ଅତିକାୟ ଲହଡ଼ିମାନମାଡ଼ିଆସୁଥିଲେ ।

 

ମୁଁ ବି ସେମାନଙ୍କ ପଛେ ପଛେ ଗଭୀର ଜଳ ଭିତରକୁ ଡେଇଁପଡ଼ିଥିଲି ।

 

ହୋସ୍‌ ଆସିଲା ପରେ ଦେଖିଲି ଯେ, ମୁଁ ପାଖ ବି.ଏନ୍‌.ଆର୍‌. ହୋଟେଲରେ ଗୋଟିଏ କୋଠରି ଭିତରେ ଶୋଇଛି । ପାଖରେ ପୋଲିସ୍‌ ଇନ୍‌ସପେକ୍ଟର । ତାଙ୍କ ମୁହଁରୁ ଯାହା ଶୁଣିବାକୁ ପାଇଲି, ତା’ର ସାରାଂଶ ହେଲା ରେଳବାଇ ଚୌକିଦାରଠାରୁ ଖବର ପାଇ ପୋଲିସ୍‌ ଫୋର୍ସ ଯଥା ସମୟରେ ବେଳାଭୂମିରେ ପହଞ୍ଚି ଯାଇଥିଲେ । ସେମାନେ ଆସିଲାବେଳକୁ ବଦମାସ ଯୁବକ ଦୁହିଁଙ୍କର ପତ୍ତା ନଥିଲା । ତାଙ୍କୁ ଲେଉଟାଣି ଲହଡ଼ି ସମୁଦ୍ର ତଳକୁ ଟାଣି ନେଇଥିଲା । ମୁଁ ପାଣିରେ ଉବୁଟୁବୁ ହେଉଥିବା ସମୟରେ ବିଦେଶିନୀଟି ମୋର ପଞ୍ଜାବୀକୁ ଟାଣିଧରି ମୋତେ କୂଳକୁ ନେଇଆସିଥିଲା ।

 

ସାମୟିକ ଉତ୍ତେଜନାରେ ମୁଁ ଭୁଲି ଯାଇଥିଲି ଯେ ମୋତେ ସମୁଦ୍ର ପହଁରା ଜଣା ନ ଥିଲା । କିନ୍ତୁ ତରୁଣୀଟି ପହଁରିବାରେ ଓ ସମୁଦ୍ର ଲହଡ଼ି ଭାଙ୍ଗିବାରେ ବେଶ୍‌ ନିପୁଣା ଥିଲା । ସେ ମୋତେ କୂଲକୁ ଆଣି ମୋର ପ୍ରାଥମିକ ଉପଚାର କଲା । ମୋ’ ଉପରେ ବସି ପିଇଥିବା ପେଟେ ପାଣି ବାହାର କଲାପରେ, ତା’ରି ନିର୍ଦ୍ଦେଶରେ ମୋତେ ସେ ରହୁଥିବା ହୋଟେଲକୁ ନିଆଯାଇଥିଲା ।

 

ପୋଲିସ୍‌ ଇନ୍‌ସପେକ୍ଟରଙ୍କ ବକ୍ତବ୍ୟ ସରିଲା । ମୁଁ ପଛକୁ ଅନାଇଁ ଦେଖିଲିଧୋବ ଫରଫର ଶାଢ଼ିଟିଏ ପିନ୍ଧି ସେହି ବିଦେଶିନୀ ଗରମ ଦୁଧ ଧରି ମୋର ମଥା ପାଖରେ ଠିଆ ହୋଇଥିଲେ ।

 

ମନେ ହେଉଥିଲା, ଯେମିତି କାହିଁ କେତେ ବର୍ଷ ପୂର୍ବେ ତାରାଙ୍କ ଗହଣରେ ହଜିଯାଇଥିବା ମୋର ଜନନୀ ମୋ ପାଖକୁ ଆକାଶରୁ ଓହ୍ଲେଇ ଆସିଥିଲାମୋତେ ପୁନର୍ଜନ୍ମ ଦେବାପାଇଁ ।

 

ମୋର ମନ ଓ ଅନ୍ତଃକରଣ ଉଛୁଳି ଉଠୁଥିଲା ଏକ ସ୍ନେହର ତ୍ରିଧାରାରେ ।

Image

 

Unknown

ଚାକିରି

 

ସେଦିନ ସକାଳୁ ସକାଳୁ, କାଉ ନ ରାବୁଣୁ ସନାତନଙ୍କ କାନରେ କଲିଂବେଲର ଲମ୍ବା କର୍କଶ କ୍ରୀଂ...କ୍ରୀଂ... ଶବ୍ଦ ଶୁଭିଲା । ରାତିରେ ବହୁ ଡେରିରେ ଶୋଇଥିବାରୁ ତାଙ୍କ ନିଦଟା ପାକଳ ହୋଇନଥିଲା । ନିଦ୍ରାରେ ବ୍ୟାଘାତ ଘଟିବାରୁ ସନାତନ ବିରକ୍ତ ହୋଇ ଆଖି ଖୋଲିଲେ, ଦୁଇ ପଟକୁ ଚାହିଁଲେ । ଅଳସ ହାଇଟିଏ ମାରିଲେ । କ୍ଷଣିକର ବିରତି ପରେ ପୁଣି ସେଇ ବିରକ୍ତିକର କ୍ରୀଂ...କ୍ରୀଂ... । ନା... ସୁନନ୍ଦାଙ୍କୁ ଏବେ କାନମୂଳିଆଚଟକଣାଟିଏ ମାରିଲେ ବି ସେ ସାତଟା ପୂର୍ବରୁ ଉଠିବା ଲୋକନୁହନ୍ତି । ସନାତନଙ୍କୁ ହିଁ ଉଠି ଦ୍ୱାର ଖୋଲିବାକୁ ପଡ଼ିବ । ସେ ଉଡ଼ିବାକୁ ଉଦ୍ୟତ ହେଉଥିବା ପକ୍ଷୀଭଳି ନିଜର ଦୁଇଟି ବାହୁକୁ ପ୍ରସାରିତ କରି ଉଠିଲେ ।

 

କବାଟ ଖୋଲି ଦେଖିଲେ, ଅତିଥି । ଦୁଧବାଲା ନୁହେଁ ବା ଖବରକାଗଜବାଲା ନୁହେଁ । ଅତିଥିମାନେ ଗାଁରୁ ଆସିଥିଲେ । ସନାତନ ଆନନ୍ଦିତ ହୋଇ ସେମାନଙ୍କୁ ଘର ଭିତରକୁ ପାଛୋଟି ଆଣିଲେ ।

 

“କ’ଣ ନାନୀ ! ଚିଠିପତ୍ର ନାହିଁ ହଠାତ୍‌... ?’’ ପଚାରିଲେ ସେ ।

 

ଅତିଥିମାନେ ହେଲେ ସନାତନର ସମ୍ପର୍କୀୟ ପିଉସା, ପିଉସୀନାନୀ ଓ ସେମାନଙ୍କର ପୁଅ ବୁଲୁ । ସନାତନଙ୍କ ପିଉସା ବଳଭଦ୍ରବାବୁ କହିଲେ, “ନାଇଁ, ସେମିତି ମାଡ଼ିଆସିଲୁ । ତୁମ୍ଭେମାନେ ତ ସହରୀ ବାବୁ ହୋଇଗଲ । ଗାଁକୁ ଯିବାର ନାହିଁ କି ଆମକୁ ପଚାରିବାର ନାହିଁ । ଭାବିଲୁ, ଆମେ କଲିକତା ଯାଇ ନାତି ନାତୁଣୀଙ୍କୁ ଟିକେ ଦେଖିଆସିବା ।’’

 

ସେମାନଙ୍କ ଜିନିଷପତ୍ର ସନାତନ ଭିତରକୁ ବୋହି ଆଣିଲେ ।

 

“ଆଉ ଗାଁଆଡ଼େ ସବୁ ଭଲ ତ ?’’

 

“ହଁ ସେମିତି... ପ୍ରଭୁଙ୍କ ଦୟାରୁ ।’’

 

“ଆଉ ବର୍ଷା କେମିତି ?’’

 

“ବର୍ଷା ଏଥର ଆସିଲା, କିନ୍ତୁ ବହୁତ ବିଳମ୍ବରେ । ରଜ ଗଲାର ଦଶଦିନପରେ । ଫସଲ ଅଧା ହେଲା ଭଳି ଲାଗୁନି ।’’

 

ସନାତନ ଏବେ ଆଉ ଗାଁକୁ ଯାଇପାରୁ ନାହାନ୍ତି । ରେଳବାଇ ଚାକିରିର ସିଡ଼ିରେ ସେ ଯେତିକି ଉପରକୁ ଉପରକୁ ଉଠିଛନ୍ତି, ଗାଁକୁ ଯିବାଟା ସେଇ ଅନୁପାତରେ କମି ଆସିଛି । ହେଲେ ତାଙ୍କ ମନଗହନର କେଉଁ ଏକ ନିଭୃତ କୋଣରେ ଗାଁର ସ୍ମୃତିଟି ବେଶ୍‌ ଆସ୍ଥାନ ଜମାଇ ବସିଛି । ଗାଁଆଡ଼ୁ କେହି ଆସିଲେ, ଏକ ଅଜଣା ଉଦ୍‌ବେଗ ତାଙ୍କ ଶିରା ପ୍ରଶିରାରେ ଖେଳିଯାଏ ଏବଂ ସେଇ ଏକା କଥା ସେ ପଚାରନ୍ତି, “ଆଉ ଗାଁଆଡ଼େ ସବୁ ଭଲ ତ ? ଘରେ ସମସ୍ତେ କେମିତି ଅଛନ୍ତି ? ବର୍ଷା ହେଉଛି କି ନାହିଁ ? ଆଉ ଧାନ କେମିତିକା ହୋଇଛି ?

 

“ହଉ, ଗୋଡ଼ହାତ ଧୁଆଧୋଇ କର । ମୁଁ ବାଥ୍‌ରୁମ୍‌ରୁ ଚାଲିଆସୁଛି’’ କହି ସନାତନ ବେଡ୍‌ରୁମ୍‌କୁ ଆସିଲେ ।

 

ମଶାରି ଭିତରେ ମୁଣ୍ଡ ଗଳାଇ ପତ୍ନୀଙ୍କ ନିଦୁଆନିଦୁଆ ଆଖିରେ ଦୁଇଟି ବୋକ ଦେଲେ । ପତ୍ନୀଙ୍କଠୁ କିଛି ଅନୁଗ୍ରହ ହାସଲ କରିବାକୁ ପଡ଼ିଲେ, ବେଳେବେଳେ ତାଙ୍କୁ ଏହିଭଳି ଗୌରଚନ୍ଦ୍ରିକାର ଆଶ୍ରୟ ନେବାକୁ ପଡ଼େ । ଆଗନ୍ତୁକମାନଙ୍କ ବିଷୟରେ ଏକ ସଂକ୍ଷିପ୍ତ ସୂଚନା ଦେଇ, ଚା’ ଟିକିଏ ବସାଇବାକୁ ସେ ଅନୁରୋଧ କଲେ ।

 

ବାଥ୍‌ରୁମ୍‌ରେ ଥାଇ ଚା’ ପିଇବାର ଝଣତ୍କାର ଶୁଣିଲାବେଳେ ସେ ଖୁବ୍‌ ଆମୋଦିତ ହୋଇଉଠୁଥିଲେ । ଦୂରଦର୍ଶନରେ ସକାଳର ମାଙ୍ଗଳିକ କାର୍ଯ୍ୟକ୍ରମରେ କେହି କଳାକାର ଜଳତରଙ୍ଗ ପରିବେଷଣ କରୁଥିଲା ଭଳି ତାଙ୍କୁ ଲାଗୁଥିଲା । ବାଥ୍‌ରୁମ୍‌କୁ ଗଲା ପୂର୍ବରୁ ତାଙ୍କ ମନରେ ଗୋଟିଏ ‘କିନ୍ତୁ’ ଥିଲାକାଳେ ସୁନନ୍ଦା ଚର୍ଚ୍ଚାରେ କିଛି ଗୋଳମାଳ କରିଦେବେନି ତ !

 

ବୁଲୁ ଜିନିଷପତ୍ରଗୁଡ଼ିକୁ ଖୋଲି ସାରିଥିଲା । ସେମାନେ ସାଥିରେ ଆଣିଥିଲେ କଳାକୋଦମାର ସରୁ ଅରୁଆ ଚାଉଳ, ସିମେଣ୍ଟ ବସ୍ତାରେ ଗଅଣ୍ଠ ବସ୍ତାଏ । ଢେଙ୍କିକୁଟାଗାଁଚୁଡ଼ା, ଚାରି ପାଞ୍ଚ ଗଉଣି ହେବ । ବନ୍ତଳ କଦଳୀ ଦୁଇଫେଣା । ଜରିରେ ଜରିଏ ଫୁଲବଡ଼ି, ରାଶିଲଡ଼ୁ ଓ ଗୁଆଘିଅ ।

 

“ବୋହୂ, ଶୁଣ । ତୋ’ ପିଲାଙ୍କ ପାଇଁ ପୋଡ଼ପିଠା ତିଆରି କରି ଆଣିବି ବୋଲି ଭାବୁଥିଲି, ନଡ଼ିଆ ତୋଳି କରି ବି ରଖିଥିଲି, ଜିନିଷ ବହକେଇବ ବୋଲି ଆଣିଲୁନି ।’’ ସନାତନଙ୍କ ନାନୀ ସେବତୀ କହିଲେ ।

 

ସୁନନ୍ଦା ଗଦ୍‌ଗଦ୍‌ ହୋଇ କହୁଥିଲେ, “ଆରେ ନାନୀ, ଏତେ ଜିନିଷ କାହିଁକି ଆଣିଲ ମ ? କଲିକତାକୁ ଜିନିଷ ବୋହିକରି ଆଣିବା କ’ଣ କମ୍‌ କଷ୍ଟ ?’’

 

ପିଲାଙ୍କୁ ସ୍କୁଲକୁ ଯିବା ପାଇଁ ପ୍ରସ୍ତୁତ କରିବାକୁ ହେବ କହି ସୁନନ୍ଦା ଉଠିଆସିଲେ । ସନାତନ ଆସି ତାଙ୍କ ପାଇଁ ଘୋଡ଼ା ହୋଇଥିବା ଚା’ କପ୍‌ଟି ଧରିଲେ ।

 

କିଛି ସମୟର ନୀରବତା । ତା’ପରେ ଆଳାପର ଦିଗଟି ପରିବର୍ତ୍ତନ ହୋଇଥିଲା । “ଆରେ, ସନିଆଁ ! ବୁଲୁଟା କ’ଣ ଏମିତି ବୁଲୁଥିବ ?’’

 

ସେବତୀ ନାନୀ ଅସଲି ବିଷୟ ଉପରକୁ କଥାଟିକୁ ମୋଡ଼ିଲେ ।

 

“ମୁଁ କ’ଣ କରିବି ନାନୀ ?’’

 

“ତୁ ଏତେ ବଡ଼ ବାବୁ ହୋଇଚୁ । ତୋର ଭାଇଟିଏ ଭିକମାଗିବ ନାକ’ଣ ? ପୁଣି କହୁଛୁ, କ’ଣ କରିବୁ ।’’

 

“ହଁ, ତା’ର କିଛି ଗୋଟାଏ ବ୍ୟବସ୍ଥା କରିଦିଅ ସନାତନ ।’’

 

ବଳଭଦ୍ରବାବୁ ପାଳି ଧରିଲେ । “ଆଉ ତ କୁଆଡ଼େ ଚାକିରି ବାହାରୁନି । ତୁମେ ତାକୁ ଟିକିଏ ରେଲେୱରେ ଭର୍ତ୍ତି କରିଦିଅ । ତା’ପରେ ଆମେ ବୁଢ଼ାବୁଢ଼ୀ ଟିକିଏ ଶାନ୍ତିରେ ମରିପାରିବୁ ।’’

 

ପିଉସା ପିଉସୀଙ୍କୁ ନିଜର ଅସହାୟତା କେମିତି ବୁଝାଇବେ, ସନାତନ ଭାବି ପାରୁନଥିଲେ । ଦିନ ଥିଲା, ରେଲେୱ ଅଫିସରମାନଙ୍କ କଲମରେ ଥିଲା ଅଖଣ୍ଡ କ୍ଷମତା । ଆଖିପିଛୁଳାକେ ଜଣକୁ ଚାକିରିରେ ବାହାଲ କରିପାରୁ ଥିଲେ । କାଣି ଆଙ୍ଗୁଳି ଇଶାରାରେ ଜଣକୁ ମଧ୍ୟ ଚାକିରିରୁ ବରଖାସ୍ତ କରିଦେଇ ପାରୁଥିଲେ । କିନ୍ତୁ ଏବେ ସମୟ ବଦଳିଛି । ଅଫିସରମାନଙ୍କ ହାତଗୋଡ଼ମାନ ବନ୍ଧା ନ ହେଲେ ବି, ରେଳ ଇଞ୍ଜିନ ପରି ତାଙ୍କୁ ଗୋଟିଏ ସୁନିର୍ଦ୍ଦିଷ୍ଟ ରାସ୍ତାରେ ବାଟ ଚାଲିବାକୁ ପଡ଼େ । ଟିକିଏ ବାମକୁ ଡାହାଣକୁ ବୁଲିଲେ ବିପଦ ।

 

କିନ୍ତୁ ଗାଁର ଲୋକଙ୍କୁ ବୁଝାଇବା କଷ୍ଟ । ସେମାନଙ୍କ ଆଖିରେ ରେଲେୱ ଅଫିସରମାନେ ସର୍ବଶକ୍ତିମାନ । ସେମାନେ ଚାହିଁଲେ ସବୁ ଅସାଧ୍ୟ ସାଧନ ହୋଇଯିବ ।

 

ମାପଚୁପ କଥାବାର୍ତ୍ତାରେ ଅଭ୍ୟସ୍ତ ସନାତନ ସଂକ୍ଷେପରେ କହିଲେ“ଆଉ କ’ଣ ସେ କ୍ଷମତା ଆମମାନଙ୍କ ହାତରେ ଅଛି ? ସେଥିପାଇଁ ରିକୃଟମେଣ୍ଟ ବୋର୍ଡଅଛି । ସେମାନେ ଲିଖିତ ପରୀକ୍ଷା କରି, ମୌଖିକ ପରୀକ୍ଷା କରି ଯୋଗ୍ୟତା ଭିତ୍ତିରେ ଚାକିରି ଦେବେ । ଅଫିସରମାନେ ଯେତେ ଚାହିଁଲେ ବି କିଛି ହେବନି ।’’

 

ସେବତୀ ଅଭିମାନ ଭରା କଣ୍ଠରେ କହିଲେ, “ତୁ କ’ଣ ତୋ’ର ନିଜ ଭାଇ ହୋଇଥିଲେ ଏମିତି କହିଥାନ୍ତୁ ?’’

 

“ନାଇଁ ମୋ’ କହିବା କଥା, ଯେତେ ପରୀକ୍ଷା ବାହାରୁଛି, ସବୁ ପାଇଁ ଦରଖାସ୍ତ ପକାଉ । ବି.ଏ. ପଢ଼ିଛି । ରୀତିମତ ପ୍ରସ୍ତୁତି କରୁ । କେଉଁ ଗୋଟିଏ ଚାକିରି ବାଜି ଯିବନି ?’’

 

“ନାଇଁ, ସନିଆଁ, ଆଜିକାଲି କ’ଣ ପରୀକ୍ଷା ଦେଲେ ଚାକିରି ହେଉଛି । ସବୁଠି ତ ନେଣଦେଣ, ତେରାମେରା ଚାଲିଛି ।’’

 

ବଳଭଦ୍ରବାବୁ କିଛି ଗୋଟିଏ କହିବେ ବୋଲି ଅନେକ ବେଳୁ ନିଜକୁ ପ୍ରସ୍ତୁତ କରୁଥିଲେ । ସେ ଗଳା ଖଙ୍କାରି ଅସ୍ପଷ୍ଟ ସ୍ୱରରେ କଥା ଯୋଡ଼ିଲେ“ସନାତନ, ଆମେ ବି ଦବାକୁ ପ୍ରସ୍ତୁତ ।’’

ଏହି ସମୟରେ ଜଳଖିଆ ପ୍ରସ୍ତୁତ କରି ସୁନନ୍ଦା ଆସିଯିବାରୁ କଥାଟି ଅର୍ଦ୍ଧ ଉଚ୍ଚାରିତ ହୋଇ ରହିଗଲା । ପିଲାମାନେ ସ୍କୁଲ ଚାଲିଗଲେ । ବାକୀ ସମସ୍ତେ ପ୍ରସ୍ତୁତ ହୋଇ ଡାଇନିଂ ଟେବୁଲରେ ଜଳଖିଆ ଖାଇବାକୁ ବସିଲେ ।

 

ସେତିକିବେଳେ “ସନିଆଁ, କ’ଣ ଭାବିଲୁ’’ ବୋଲି ପ୍ରଶ୍ନ କଲାରୁ ସନାତନ ଟିକିଏ ବିରକ୍ତିଭାବ ପ୍ରକାଶ କରି କହିଲେ, “ଗାଁରେ ଚାଷ ଜମି ଅଛି । ସେ ଫାର୍ମ କରୁ । ଫାର୍ମ ନ କଲେ, ବ୍ୟବସାୟୀ ଘର ପିଲାବ୍ୟବସାୟ କରୁ । ଯେଉଁ ଟଙ୍କା ତୁମେ ଚାକିରିରେ ଖର୍ଚ୍ଚ କରିବାକୁ ଚାହୁଁଛ, ସେଥିରେ ବ୍ୟବସାୟ କରି ବୁଲୁ କ’ଣ ନିଜ ଗୋଡ଼ରେ ଠିଆ ହୋଇପାରିବନି ?’’

 

“ବୁଲୁ ହାତରେ କି ଚାଷ, କି ବ୍ୟବସାୟ ହେବ ? ସେ ତ ବୁଲା ବାଇଆଟା ।’’

 

ବଳଭଦ୍ରବାବୁ କଥା ଯୋଡ଼ିଲେ, “ଆରେ ବାବୁ, ମୁଲିଆମାନଙ୍କ ଯାହା ଭାଉ ହେଲାଣି ନା, ଆଉ କିଏ ଚାଷ କରି ଚଳିପାରିବ ? ତା’ପରେଗାଁରେ କି ବ୍ୟବସାୟ ହେବ ? ବାକୀଟାକି ନେଇ ବୁଡ଼ାଇ ଦେବେ ।’’

 

ସନାତନ ସେମାନଙ୍କ ସହ ଯୁକ୍ତି କରିବାକୁ ସମୟର ଅପଚୟ ବୋଲି ମନେ କରୁଥିଲେ । ଭାବୁଥିଲେଏ ରାଜ୍ୟରେ ଏତେ ଖଣିଜ ସମ୍ପଦ, ଏତେ ବନ୍ୟ ସମ୍ପଦ, ଏତେ ଜଳସମ୍ପଦ ଓ ଶସ୍ୟଶ୍ୟାମଳା ଭୂମି ଥାଇ ବି ଲୋକେ ଉପରକୁ ଉଠିପାରୁ ନାହାନ୍ତି । ସମସ୍ତଙ୍କର ଇଚ୍ଛା, କିରାଣୀଟିଏ ହେବେ । କିଛି କାମ ନ କରି ରାତାରାତି ଲକ୍ଷପତି ହୋଇଯିବେ । ସେଥିପାଇଁ ଏ ରାଜ୍ୟ ଅନ୍ୟ ଉପରେ ଏତେ ନିର୍ଭରଶୀଳ । ଏଠିକୁ ଅଣ୍ଡା, ମାଛ, କଦଳୀ ଆସିବ ଆନ୍ଧ୍ରରୁ । ଲେମ୍ବୁ, ପରିବାପତ୍ର ଆସିବ ମାନ୍ଦ୍ରାଜରୁ । ଆଳୁ, ଫୁଲ ପ୍ରଭୃତି ଆସିବ କଲିକତାରୁ । ମେହେନତ କରିବାକୁ ଲୋକେ ନାରାଜ ।

 

ତା’ପରେ କହିଲେ, “ବୁଲୁ ଯଦି ଚାକିରି କରିବା ପାଇଁ ଅଡ଼ିବସିଛି, ତା’ହେଲେ ତୁମେ କଳେବଳେ ଚେଷ୍ଟାକର । ମୁଁ କ’ଣ କରିବି ?’’

 

“ଆମର ରିକ୍ରୁଟମେଣ୍ଟ ବୋର୍ଡରେ କିଏ ଅଛି ? ଗାଁଗାଁରେ ଟାଉଟର ଦଲାଲମାନେ ବୁଲୁଛନ୍ତି । ତାଙ୍କୁ କେଉଁ ଭରସା ? ପଇସା ବୁଡ଼ିଯିବ ।’’

 

“ଓଃ, ତା’ହେଲେ ମୋତେ ଦଲାଲୀ କରିବାକୁ ପଡ଼ିବ ।’’ ଏହା କହି ବିରକ୍ତ ହୋଇ ସନାତନ ଅଫିସ୍‌ ଚାଲିଯାଇଥିଲେ ।

 

ସେ ଦିନସାରା କାମରେ ବ୍ୟସ୍ତ ରହିଲେ । ଅତିଥିମାନେ ମଧ୍ୟ ଦିନବେଳେ କଲିକତା ସହର ଦେଖିବାକୁ ଯାଇଥିଲେ । ରାତିରେ ପୁଣି ଖାଇବା ଟେବୁଲରେ ସମସ୍ତେ ଏକତ୍ରିତ ହେଲେ ।

 

ସେତିକିବେଳେ ସେବତୀ ଚାଳିଶି ବର୍ଷର ଅତୀତକୁ ରୋମନ୍ଥନ କରୁଥିଲେ, “ତୁ କ’ଣ ସବୁ ଭୁଲିଗଲୁ କିରେ ? ତୋ’ ପିଲାଦିନେ ତୋ’ ପାଇଁ ଏତେ କରିଥିଲି । ତୋତେ ଖେଳାଉଥିଲି, ବୁଲାଉଥିଲି । ପିଠିରେ ଲାଉକରି ଜହ୍ନ ଦେଖାଉଥିଲି । ପାଖ ଗାଁର କାର୍ତ୍ତିକ ପୁନେଇଁ ଯାତରା ଦେଖିବାକୁ ଗଲାବେଳେ ତିନିମାଇଲ ରାସ୍ତା କାଖେଇ କାଖେଇ ନେଉଥିଲି । ଥରେ ତୁ ଢୋଳେଇ ଢୋଳେଇ ଯାଉ ଯାଉ ଏକ କରିଦେଲୁ ଯେ... ।’’

 

ସନାତନ କୁକୁଡ଼ାଗୋଡ଼ଟିଏ ପାଟିରେ ପୂରାଇ କାମୁଡ଼ୁକାମୁଡ଼ୁ ଜିଭଟାକୁ କାମୁଡ଼ି ପକାଇଲେ । ତାଙ୍କ ଗାଲ, କାନମୁଣ୍ଡ ପାଚି ଲାଲ ହୋଇଗଲା । ଅନ୍ୟମାନେ ହୋ ହୋ ହୋଇ ହସିଉଠିଲେ । ସୁନନ୍ଦା ଖାଇବା ଜିନିଷ ପରଷୁଥିବା ବେଳେ ମୁର୍କିମୁର୍କି ହସୁଥିଲେ ।

 

ଶେଯ ଉପରେ ସୁପ୍ତାବସ୍ଥାରେ ଏକ କରି କାନମୋଡ଼ା ଖାଇବାର ସନାତନଙ୍କର ମନେଅଛି । କିନ୍ତୁ ଉଜ୍ଜ୍ୱଳ ଦିବାଲୋକରେ ଚାଲୁଥିବା ଅବସ୍ଥାରେ କେତେବେଳେ ଏଭଳି ଗର୍ହିତ କାର୍ଯ୍ୟ କଲେ ? ସେହିଭଳି ଏହି ନାନୀ ଆଉ କ’ଣ ସେବା କରିଛନ୍ତି, ସେ ଚେଷ୍ଟାକରି ମନେପକାଇ ପାରୁନଥିଲେ । ତେବେ ପାଖ ଗାଁକୁ ଥରେ ଯାତ୍ରା ଦେଖି ଯିବାଟା ତାଙ୍କର ବେଶ୍‌ ମନେଅଛି । ସେତେବେଳେ ବୟସ ତୁଳନାରେ ସନାତନଙ୍କ ବପୁ ଥିଲା ଟିକିଏ ପୃଥୁଳ । ଯାହା ଫଳରେ ସମ୍ପର୍କୀୟମାନେ ତାଙ୍କୁ ଧରିବାକୁ କୁଣ୍ଠା ପ୍ରକାଶ କରୁଥିଲେ । ସେଥିରେ ଯାତ୍ରାକୁ ଗଲାବେଳେ ଫର୍ଲଙ୍ଗେ ବାଟ ଏହି ନାନୀ ତାଙ୍କୁ ଧରିଥିବେ କି ନାହିଁ, କହିଲେ, “ଏ ସୀତା, ତୋ’ ପୁଅକୁ ଧର । ଏ ଧୁଣ୍ଡାଟାକୁ କାଖେଇ କାଖେଇ ଅଣ୍ଟା ପରାସ ହେଲାଣି ।’’ ଏତିକି କହୁ କହୁ ସନାତନଙ୍କୁ ତଳେ ପକାଇ ଦେଇଥିଲେ ଯେ ତାଙ୍କ ପିଚାଠାରୁ ଅଣ୍ଡକୋଷ ପର୍ଯ୍ୟନ୍ତ ପୀଡ଼ା ପ୍ରସାରିତ ହୋଇଯାଇଥିଲା ।

 

ତଳେ କଚାଡ଼ିଦେବା ଯୋଗୁଁ ଯେତିକି ନୁହେଁ, ‘ଧୁଣ୍ଡା’ ଶବ୍ଦଟିର ପ୍ରୟୋଗ ଯୋଗୁଁ ତାଙ୍କ ମା’ ନଈବାଲିରେ ସେଦିନ ଯେଉଁ ଦୃଶ୍ୟଟି ସୃଷ୍ଟି କରିଥିଲେ, ସେଥିପାଇଁ ସନାତନଙ୍କ ଚାଳିଶି ବର୍ଷର ଅତୀତଟା ଅକ୍ଷରେ ଅକ୍ଷରେମନେଅଛି ।

 

“କିଛି ଗୋଟାଏ ନିର୍ଭର ଜବାବ ନ ଦେଲେ, ଆମେ ଏଠୁ ଯିବୁନି ।’’ ଏହା ଥିଲା ସେବତୀ ନାନୀଙ୍କର ବ୍ରହ୍ମାସ୍ତ୍ର ।

 

ସନାତନ ପ୍ରମାଦ ଗଣିଲେ ।

 

“ହଉ ବୁଲୁ, ତୁ ଯା’ । ଗାଇଡ୍‌ ବହି ନେଇ ଆଜିଠୁ ପ୍ରସ୍ତୁତିରେ ଲାଗିଯା’ । ତୋ’ର ତ ଗଣିତ ଭଲ ହୁଏ । ଇଂରାଜୀ ଓ ସାଧାରଣ ଜ୍ଞାନରେ ଟିକିଏ ଜୋର ଦେବୁ । ଦେଖିବା ।’’

 

ବୁଲୁ ଓରଫ ଗୋବର୍ଦ୍ଧନକୁ ଚାକିରିର ବିଜୟଶ୍ରୀ ପ୍ରାପ୍ତ ହୋଇଥିଲା । ପୋଷ୍ଟିଂ ମିଳିଥିବା ମଧ୍ୟପ୍ରଦେଶର ବସ୍ତର ଜିଲ୍ଲାର ଏକ ଛୋଟ ଷ୍ଟେସନରେ ।

 

କିଛି ମାସର ବ୍ୟବଧାନ ପରେ ବଳଭଦ୍ରବାବୁଙ୍କ ଚିଠି ଆସିଲା ।

 

“ବାବୁ ସନାତନ ! ଆଶା, କୁଶଳରେ ଥିବ । ଲେଖିବାର କାରଣ ଏହିକି ଯେ ବୁଲୁଟା ବହୁ ଦୂରରେ ରହିଲା । ଗେଲବସରିଆ ହୋଇଥିବା ଯୋଗୁଁ ନାନୀର କାନ୍ଦି କାନ୍ଦି ଦିନ ସରୁନି । ବୁଲୁଟା ବି ସେଠି ବାର ରୋଗ ବଇରାଗରେ ପଡ଼ୁଛି । ଖାଇବାକୁ ହଇରାଣ । ପାଖରେ ବଜାର ହାଟ କିଛି ନାହିଁ । ଏବେ କିଛି ଦିନଧରି ନାଳ-ରକ୍ତ ଝାଡ଼ା ହୋଇଥିଲା । ସେ ବି ମେଲେରିଆ ଜାଗା । ତାକୁ ବଦଳି କରି ଟିକିଏ ପାଖକୁ ନେଇଆସ । ଏତିକି ବିନତି । ବୋହୂ ଓ ପିଲାମାନଙ୍କୁ ଆଶୀର୍ବାଦ । ଇତି ।

 

ପିଉସା ।’’

 

ପିଉସାଙ୍କ ଚିଠିର ପ୍ରତିଧ୍ୱନି ସ୍ୱରୂପ ବୁଲୁ ପାଖରୁ ଚିଠି ଆସିଲା କିଛିଦିନ ପରେ । ଚିଠିର ମର୍ମ ସେହି ଗୋଟିଏ । ଏହିଭଳି ଚିଠି ଆସିଲା ନିୟମିତ ବ୍ୟବଧାନରେ । ସେବତୀ ନାନୀଙ୍କ ଡିକେଫସନ । ବଳଭଦ୍ରବାବୁଙ୍କ ସ୍ୱହସ୍ତ ଲିଖିତ ପତ୍ର ।

 

ସନାତନ ବ୍ୟସ୍ତ ବିବ୍ରତ ହୋଇପଡ଼ୁଥିଲେ । ଏ ପିଲାମାନେ ଏତେ ହୋମ୍‌ସିକ ହୁଅନ୍ତି କାହିଁକି ? ସେମାନଙ୍କ ପିତାମାତାମାନେ ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି କାହିଁକି ? ଏହି ରାଜ୍ୟର ପୂର୍ବଜମାନେ ଦିନେ ସାତସମୁଦ୍ର ପାରିହୋଇ କୁଆଡ଼େ ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଓ ସିଂହଳ ପ୍ରଭୃତି ଦୂରଦୂରାନ୍ତ ଦେଶରେ ବାଣିଜ୍ୟ କରୁଥିଲେ । ଏସବୁ ତାଙ୍କୁ ମନଗଢ଼ା କାହାଣୀ ଭଳି ଲାଗୁଥାଏ ।

 

ସନାତନ ରାଗିଲେ ବି କାହାକୁ ମନ କଷ୍ଟ ହେଲାଭଳି ଅପଶବ୍ଦ ଉଚ୍ଚାରଣ କରିପାରନ୍ତିନି । କୌଣସି ଚିଠିର ଉତ୍ତର ନ ଦେଇ ସେ ନିଜର ଅସନ୍ତୋଷକୁ ଜାହିର କରୁଥିଲେ । କିଛିଦିନ ପରେ ତାଙ୍କର ଫ୍ଲାଟରେ ପୁଣି ଉପସ୍ଥିତ ହୋଇଥିଲେ ସେବତୀ ନାନୀ, ବଳଭଦ୍ର ପିଉସା ଓ ପଛେ ପଛେ ବାଧ୍ୟ ପୁତ୍ରପରିଗୋବର୍ଦ୍ଧନ ।

 

“ଏତେଟା ଚିଠି ଦେଲୁ । ଗୋଟିକର ଉତ୍ତର ଦେଲୁନି ? କ’ଣ ରାଗିଛୁ ?’’

 

ଏଥର ସେମାନେ ଧରିଆସିଥିଲେ ଅଧବସ୍ତେ ଉଷୁନା ଚାଉଳ । ଚକାପଖିଆ ଧାନର କିଛି ଚୁଡ଼ା, ଦେଶୀ ଆଳୁ, ଛୋଟ ଛୋଟ କୋଲାର ଦେଶୀ ପିଆଜ । ଗଲାଥର ଅପେକ୍ଷା ଜିନିଷର ପରିମାଣ କିଛି କମ୍‌ ଥିଲା । କିନ୍ତୁ ଗାଁଗୋହିରିମଧ୍ୟଦେଇ ପ୍ରବାହିତ ଖତମିଶା ପାଣିରେ ପରିପୁଷ୍ଟ ଫସଲର ସତେଜ ବାସ୍ନାରେ ସେ ବିଭୋର ହୋଇପଡ଼ିଥାନ୍ତେ, ଯଦି ଏସବୁ ଜିନିଷସବୁ ଅମିଶ୍ରିତ ସ୍ନେହର ସନ୍ତକ ହୋଇଥାନ୍ତା । ଉଦ୍ଦେଶ୍ୟ ପ୍ରଣୋଦିତ ହୋଇନଥାନ୍ତା ।

 

“ଦେଖ, ବୁଲୁକୁ । କି ଅବସ୍ଥା ହେଲାଣି । ଏଇ ମେଲେରିଆରୁ ଉଠିଆସିଛି । ତୁ ଚାହିଁଲେ ବଦଳିଟା ହୋଇଯା’ନ୍ତା । ଅସଲ କଥା ତୁ ଚାହୁଁନୁ... ।’’

 

ବୁଲୁର ଚେହେରାରୁ ସେ ରୋଗଶଯ୍ୟାରୁଉଠିଆସିବା ଭଳି କୌଣସି ଆଭାସ ନ ଥିଲା । ବରଂ ରାତି ଅନିଦ୍ରା ଯୋଗୁଁ ତା’ ଆଖିଗୁଡ଼ିକ ଦିଶୁଥିଲା ନିଦୁଆନିଦୁଆ ଓ ଫୁଲିଲା ଫୁଲିଲା । ମୁହଁଟାରେ ମଧ୍ୟ ପରିଦୃଷ୍ଟ ହେଉଥିଲା ମାଂସର ବହଳତା ।

 

ସେବତୀ ନାନୀଙ୍କ ପରେ ବଳଭଦ୍ର ବାବୁଙ୍କ ପାଳି, “ସେ ମାସେ ହେଲା ଛୁଟି ନେଇ ଘରେ ବସିଛି । ବାବୁ ସନାତନ, କିଛି ଗୋଟିଏ ବ୍ୟବସ୍ଥା କର । ତା’ ଦେହରେ ସେ ଜଙ୍ଗଲୀ ପାଣି ଯାଉନି ।’’

 

ବୁଲୁ ଉପରେ ଚିଡ଼ିବେ, ରାଗିବେ ବା ସହାନୁଭୂତିଶୀଳ ହେବେ, ସନାତନଙ୍କୁ କିଛି ବୁଦ୍ଧିବାଟ ଦିଶୁନଥିଲା ।

 

ଏହା ଭିତରେ ଅନେକ ଦିନ ବିତି ଯାଇଥିଲା । ବୁଲୁର ବଦଳି ୱାଲଟିୟରଡିଭିଜନରୁଖୋର୍ଦ୍ଧାରୋଡ ଡିଭିଜନ ହୋଇଯାଇଥିଲା । ତା’ର ବିବାହ ନିମନ୍ତ୍ରଣ ପତ୍ର ଠିକ୍‌ ସମୟରେ ପହଞ୍ଚିଥିଲା । କିନ୍ତୁ କାର୍ଯ୍ୟବ୍ୟସ୍ତତାର ବାହାନା ଦେଖାଇ ସନାତନ ଗାଁକୁ ଯାଇନାହାନ୍ତି । ଏବେ ଗାଁକୁ ଯିବାକୁ ସେ ବଡ଼ ବିମୁଖ । ଦିନ ଥିଲା, ଗାଁନାଁଶୁଣିଲେ ତାଙ୍କ ଛାତି କୁେ„ ମୋଟ ହୋଇଯାଉଥିଲା । ବସ୍‌ରୁ ଦୂରରୁ ଗାଁର ପରିଚିତ ଦୃଶ୍ୟ ଦେଖି ରକେଟ୍‌ ଭିତରେ ମହାକାଶଚାରୀଟିଏ ପରି ତାଙ୍କୁ ଉଡ଼ିଲା ଭଳି ଲାଗୁଥିଲା । ଏବେ ଗୋଟିଏ ଦୁଇଟି ଦିନ ଗାଁରେ ବିତାଇବା ବଡ଼ଯନ୍ତ୍ରଣାଦାୟକ । ସଂକୀର୍ଣ୍ଣ ରାଜନୀତି, ଜାତିଆଣବାଦ, ହୀନମନ୍ୟତା ଓ ପରଶ୍ରୀକାତରତାରେ କଳୁଷିତ ହୋଇଯାଇଛି ଗ୍ରାମ୍ୟ ପରିବେଶ । ଗାଁଟା ଯେପରି ହତଶ୍ରୀ ହୋଇଯାଇଛି । ଲୋକଙ୍କ ମୁହଁରେ ଆଉ ନାହିଁ ପୂର୍ବର ପରିପୂର୍ଣ୍ଣ ହସ ଅବା ଦାମ୍ଭିକତା । ଚାକିରିଟିଏ କରେଇ ଦିଅ ବୋଲି କହି ସନାତନଙ୍କୁ ଲୋକେ ବସାଇ ଉଠାଇ ଦିଅନ୍ତିନି ।

 

ବୁଲୁ ଚାକିରି କରି ବାହାସାହା ହେଲାଣି । ବର୍ଷେ ପରେ ପୁଅଟିଏ ହେଲାଣି ବୋଲି ବି ଖବର ଆସିଥିଲା । ସନାତନ ଭାବିଥିଲେ, ଏବେ ନାନୀଙ୍କ ଘର ଖୁସିରେଉଛୁଳି ଉଠୁଥିବ । ତାଙ୍କ ପରିପୂର୍ଣ୍ଣ ସଂସାରଟା ହାସ୍ୟ କଳରୋଳରେମୁଖରିତ ହୋଇଉଠୁଥିବ ।

 

ପୁଣି ଭଳଭଦ୍ର ବାବୁଙ୍କ ଚିଠି ।

 

“ବାବୁ ସନାତନ, ଆଶା କରେ, ସର୍ବମଙ୍ଗଳମୟ ଭଗବାନଙ୍କ ଅସୀମ କରୁଣାରୁ ଭଲରେ ଥିବ । ଆମର ଏଠି ସବୁ କୁଶଳ । ହେଲେ, ବୁଲୁଟା ଅପଦାର୍ଥହୋଇଗଲା । ବାହାହେଲା ପରେ, ସ୍ତ୍ରୀର କାଣି ଆଙ୍ଗୁଳି ନିର୍ଦ୍ଦେଶରେ ନାଚୁଛି । ମାଇଚିଆଟା । ଆମେ ଗୋଟିଏ ପୁଅ ବୋଲି ଏତେ ଗେଲବସର କରି ପାଳିଲୁ, ପୋଷିଲୁ, ବଡ଼ କଲୁ । ତୋ’ ଦୟାରୁ ଚାକିରି ଖଣ୍ଡେ ଦିଆଇଲୁ । ଏବେ ଆମକୁ ପଚାରୁନି । ତା’ର ସ୍ତ୍ରୀ ଆମକୁ ବଡ଼ ହଇରାଣ କରୁଛି । ସବୁବେଳେ ଝିଙ୍ଗାସ ବଚନ । ତୁ ତାକୁ ଚିଠି ଖଣ୍ଡିଏ ଦେ’ । ସେ ଟିକିଏ ବାଟକୁ ଆସୁ ।’’

 

ଏଭଳି ଚିଠି ଆସିଲେ ସନାତନଙ୍କ ବିମର୍ଷ ଭାବ ବଢ଼ିଯାଏ । ସେ ଭାବପ୍ରବଣ ହୋଇଉଠନ୍ତି । ଅଫିସ୍‌ରେଠିକ୍‌ରେ କାମ କରିପାରନ୍ତିନି । ଭାବନ୍ତି, ଗାଁରୁ, ପୂର୍ବର ସେ ସୁଖ, ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟ ଗଲା କୁଆଡ଼େ ? ଏପରିକି ପର୍ବପର୍ବାଣିରେ, ବିବାହ ବ୍ରତରେ ମଧ୍ୟ ପୂର୍ବର ସେ ଛଳଛଳ ହସ ଆଉ ନାହିଁ । ବାପପୁଅ, ଶାଶୂବୋହୂ ଓ ଭାଇ ଭାଇ ଭିତରେ ଖାଲି ମନୋମାଳିନ୍ୟ, କଳି କନ୍ଦଳ । ତାଙ୍କର ମନେପଡ଼ିଯାଏ, ସୁନିଆଁବେଳେ ପୂରା ପରିବାର କଦଳୀ ପତ୍ରରେ ଏକାଠି ନୂଆ ଭାତ ଖାଇବାର ଦୃଶ୍ୟ । ଦୀପାବଳିରେ ବଡ଼ବଡ଼ୁଆ ଧରି ଜଣକ ପଛରେ ଜଣେ ଗଙ୍ଗା ଯା’ ଗୟା ଯା’ କହି ଭିତର ଘରୁ ଦାଣ୍ଡକୁ ଆସିବାର ଦୃଶ୍ୟ । ସେତେବେଳେ ଅଳ୍ପକରେ ଲୋକେ ବୋଧେ ତୃପ୍ତି ଲାଭ କରୁଥିଲେ । ଏବେ ସହରୀ ସଭ୍ୟତାର ପ୍ରଭାବରେ, ଲୋକଙ୍କ ଆଶାର ଘୋଟକ ଯେପରି ଆକାଶରେ ଉଡ଼ୁଛି । ପୁଣି ଅଭାବ ହେଉଛି ଏକ ସଂଘର୍ଷମୟ ଜୀବନର । ଗାଁରେ ବର୍ଷକ ପାଇଁ ଚାଉଳ ମହଜୁଦ୍‌ । ହାତ ବଢ଼େଇଲେସଜନା ଗଛରେ ଛୁଇଁ, ନଇଁପଡ଼ିଲେନେଉଟିଆ ପଟାଳିରେ ଅଣ୍ଟିଏ ଶାଗ । ବାଡ଼କଡ଼େକଡ଼େ ଛାଏଁ ଛାଏଁ ଲଟେଇ ଯାଏ ଖମ୍ବଆଳୁ, କୁନ୍ଦୁରି, ବରଗୁଡ଼ି । ଖାଲି ତୋଳ, ଖୋଳ ଏବଂ ଖାଅ । ସମୟ ପ୍ରଚୁର । ପରିଶ୍ରମ କମ୍‌ । ସେଥିପାଇଁ ବୋଧହୁଏ ଗାଁରେ ଲୋକଙ୍କ ମନଟା ସ୍ୱତଃଉଡ଼ିଯାଏପରଚର୍ଚ୍ଚା, କୁତ୍ସାରଟନା, ଗୁଲିଗଳ୍ପଆଡ଼େ । ଯା’ର ଅଭାବ ନାହିଁ ଯେମିତି, ଯାହା ଘରେ ପ୍ରକୃତରେ ଅଭାବ ଅଛି ତା’ର ଅବସ୍ଥା ମଧ୍ୟ ତଦ୍ରୁପ । ସେମାନଙ୍କ ସମ୍ପର୍କର ରକ୍ତଟା କେଉଁ କାରଣରୁ ପାଣିଚିଆ ହୋଇଯାଏ, ତା’ର କୂଳକିନାରା ପାଉନଥିଲେ ସନାତନ ।

 

ସୁନନ୍ଦା ତାଙ୍କୁ ବୁଝାନ୍ତି“ତୁମେ ଅନ୍ୟମାନଙ୍କ ସମସ୍ୟାରେ ମୁଣ୍ଡ ପୂରାଇବା ଦରକାର ନାହିଁ । ସେମାନେ ନିଜ କଥା ନିଜେ ବୁଝନ୍ତୁ । ନିଜ ଗୋଡ଼ରେ ଠିଆ ହେବାକୁ ତାଙ୍କୁ ସୁଯୋଗ ଦିଅ । ସେମାନଙ୍କ ଚିଠିର ଉତ୍ତର ଦେବାର ପ୍ରୟୋଜନ ନାହିଁ ।’’

 

ସନାତନ ତାଙ୍କର ପିଉସାଙ୍କ ଚିଠିର କୌଣସି ଉତ୍ତର ଦେଇନାହାନ୍ତି । କିନ୍ତୁ ଦିନେ ତାଙ୍କର ଆଶଙ୍କାକୁ ରୂପଦେଇ ବଳଭଦ୍ରବାବୁ ଏବଂ ସେବତୀ ନାନୀ ପୁଣି ହାଜର । ସେ ଦୁହେଁ ଆସିଥିଲେ ପୁରୀ-ହାଓଡ଼ାଏକ୍ସପ୍ରେସ୍‌ ଗାଡ଼ିରେ । ଏଥର ସେ ଦୁହିଁଙ୍କ ମୁହଁ ଶୁଖି ଯାଇଥିଲା । ସାଥିରେ ନ ଥିଲା ଅରୁଆ ଚାଉଳ, ଦେଶୀ ଆଳୁ ବା ବନ୍ତଳ କଦଳୀ । ତାଙ୍କର ଅବସ୍ଥା କ’ଣ ସତେ ଏତେ ଶୋଚନୀୟ ହୋଇଗଲା ନା ସେମାନେ ନିଜର ଦୁଃଖକୁ ପ୍ରକାଶ୍ୟ ଭାବରେ ସୂଚାଇବାକୁ ଚାହୁଁଥିଲେ ତାହା ସନାତନଙ୍କୁ ଜାଣିବାର ଉପାୟ ନଥିଲା ।

 

ସେ ଦୁହେଁ ସନାତନଙ୍କ ପାଖରେ ଗୋବର୍ଦ୍ଧନ ଓ ତା’ର ସ୍ତ୍ରୀ ସମ୍ପର୍କରେ ଫେରାଦ କରୁଥିଲେ । ଫେରାଦ କରୁ କରୁ ସେବତୀ ନାନୀଙ୍କ ଆଖିରୁ ଝର ଝର ହୋଇ ଲୁହ ବୋହି ଯାଉଥିଲା । “ଏଇ ପୁଅ ଆମ ବିରୁଦ୍ଧରେ ଯିବ ବୋଲି ଆମେ ଭାବି ନଥିଲୁ । ବାହା ହେଲା ପରେ ଲୋକ ଏପରି ବଦଳି ଯାଆନ୍ତି ? ତା’ର ମାଇପ ଆମକୁ ଭଲକରି ଗଣ୍ଡେ ଖାଇବାକୁ ଦେଉନି । ସେ ସବୁ ଦରମା ଟଙ୍କା ମାଇପ ପାଖରେ କୁଢ଼ୋଉଛି । ଭଉଣୀମାନଙ୍କୁ ବର୍ଷରେ ଶାଢ଼ି ଖଣ୍ଡିଏ ଦେବାକୁ ତା’ ହାତ ଯାଉନି । କହିଲେ ନାଲି ଆଖି ଦେଖାଉଛି । ପୁଅ ନୁହେଁ ତ ସେଇଟା କଂସାସୁର । ବାପା ମା’କୁବୁଢ଼ା ବୟସରେ କଷ୍ଟ ଦେଉଛି । ତୁ ତାକୁ ଚାକିରିରୁ ବରଖାସ୍ତ କରିଦେ ।’’

 

ସନାତନ ନିଜର କାନ ଦୁଇଟିକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲେ । ଏଁ, କ’ଣ ଶୁଣିଲେ ସେ ! ବଡ଼ ଆଶ୍ଚର୍ଯ୍ୟ ଲୋକ ଏମାନେ ! ଗୋବର୍ଦ୍ଧନର ଚାକିରି ପାଇଁ ଏମାନେ ଏତେ ବାଟ ଦୌଡ଼ି ଆସିଥିଲେ । ପିତାମାତା ହୋଇ ପୁତ୍ରକୁ ଚାକିରିରୁ ବହିଷ୍କାର କରିଦେବା କଥା ତାଙ୍କ ମନକୁ ଆସିପାରିଲା କେମିତି ? କୁହାଯାଏ ଯେ, ସଂସାରରେ କୁପୁତ୍ର କେବେ କେବେ ଦେଖିବାକୁ ମିଳେକିନ୍ତୁ କୁମାତା ଦେଖିବାକୁ ମିଳନ୍ତିନାହିଁ । ସେ ମା’ ହୋଇ ପୁଅର ଅନିଷ୍ଟ କଥା ଭାବିପାରୁଛନ୍ତି କେମିତି ?

 

ସନାତନଙ୍କୁ କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ଦେଖି ସେବତୀ ନାନୀ ଭାବିଲେ ଯେ ସେ ବୋଧେ କିଛି ଗୋଟାଏ ମସ୍ତବଡ଼ ଭୁଲ କରିପକାଇଲେ । “ଆଗୋ, ତମେ କୁହନା, ହାଁକରି କ’ଣ ସେଇଠି ଠିଆ ହୋଇଛ’’ବୋଲି ସେ ସ୍ୱାମୀଙ୍କୁଲକ୍ଷ୍ୟକରିକହିଲେ ।

 

“ସନାତନ ! ବାବୁ, ତାକୁ ବହୁତ ଦୂରକୁ ବଦଳି କରିଦିଅ । ସେ ଆମ ପାଖରେ ରହିବା ଆବଶ୍ୟକତା ନାହିଁ ।’’

 

ସେବତୀ ନାନୀ କହୁଥିଲେ, “ହଁ ତାକୁ ଏକବାର ଜିଲ୍ଲା ପାରି କରିଦେ ।’’

 

ଇତ୍ୟବସରରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ରେ ସ୍ତ୍ରୀ ଓ ପିଲାକୁ ଧରି ପହଞ୍ଚି ଯାଇଥିଲା ଗୋବର୍ଦ୍ଧନ । ବାପା ମା’ କଲିକତା ଯାଇଥିବାରୁ କିଛି ଅନିଷ୍ଟ ହେବାର ଆଶଙ୍କା କରି ସେ ଡେକ୍‌ଚିଏଛେନାପୋଡ଼ ଧରି ଉପସ୍ଥିତ ।

 

ଗୋବର୍ଦ୍ଧନ ପ୍ରତିବାଦ କରୁଥିଲା“ଭାଇନା, ଏମାନେ ଯାହାସବୁ କହୁଛନ୍ତି, ସବୁ ଜଳଜଳା ମିଛ । ଲଳିତା ଆମ ଘରକୁ ଆସିଲା ପରେ ମା’ ରୋଷେଇ ଘରମାଡ଼ିବା ବନ୍ଦ କରିଦେଇଛି । ଲଳିତାକୁ ଚାକରାଣୀ ଭଳି ଆଖିରେ ଦେଖୁଛି । ସେ ଛୋଟପିଲା ନେଇ ସବୁ କାମ କରିବ । ଏମାନେ ଚଉକିରେ ବସି ଆଦେଶ ଦେଉଥିବେ । କୁଟାଖଣ୍ଡଦି’ଖଣ୍ଡ କରିବାକୁ ନାରାଜ । ମୁଁ କହିଲାରୁ କଳିର ସୂତ୍ରପାତ ।’’

 

ସନାତନ ଦାରୁଭୂତ ମୁରାରି ପରି ଠିଆହୋଇ ସବୁ ଶୁଣୁଥିଲେ । କିଏ ଠିକ୍‌, କିଏ ବେଠିକ୍‌ ବିଚାର କରିବା ତାଙ୍କ ବୋଧଗମ୍ୟ ବାହାରେ ଥିଲା । ଏଇ ପିଉସା ଓ ପିଉସୀନାନୀ କ’ଣ ସତରେ ଅସହାୟ, ଦୁର୍ଦ୍ଦଶାରେ ପୀଡ଼ିତ ନା କଳିକାଳରେଶ୍ରବଣକୁମାର ସନ୍ଧାନରେ ଘୂରି ବୁଲୁଥିବା ଦୁଇଟି ସ୍ୱାର୍ଥାନ୍ଧ ପିତାମାତା ?

 

ବୈଠକଖାନା ଏବେ ଏକ ରଣାଙ୍ଗନରେ ପରିବର୍ତ୍ତିତ ହୋଇଥିଲା । ଦୁଇପକ୍ଷର ବାଦ ପ୍ରତିବାଦ, ଉକ୍ତି ପ୍ରତୁ୍ୟକ୍ତି ଓ ବାକ୍‌ବିତଣ୍ଡାରେ ପଡ଼ୁଥିଲା ଉଠୁଥିଲା । ପାଖ ଫ୍ଲାଟ୍‌ର ଲୋକେ ଝର୍କାମାନ ଖୋଲିବାର ଶବ୍ଦ ସନାତନ ବେଶ୍‌ ଶୁଣିପାରୁଥିଲେ ।

 

ସନାତନ ନିଜର ବେଡ୍‌ରୁମ୍‌ ଭିତରକୁ ପଶିଯାଇ ସେଇଠି ବସି ରହିବାକୁ ନିରାପଦ ମଣୁଥିଲେ । ଏ ପର୍ଯ୍ୟନ୍ତ ସୁନନ୍ଦା ଚୁପ୍‌ଚାପ୍‌ ଥିଲେ । ବହୁତ ହୋଇଗଲା ବୋଲି ଭାବି ବେଡ୍‌ରୁମ୍‌ ଭିତରୁ ଗର୍ଜନ କରି କହୁଥିଲେ, “ଏ କ’ଣ ଗାଁଚଉପାଢ଼ି ନା ପୋଖରୀ ତୁଠ ? ଆମର କ’ଣ ଏଠି ମାନମର୍ଯ୍ୟାଦା ନାହିଁ ? ଆମର କ’ଣ ନିଜର ସୁଖ ଶାନ୍ତି ବୋଲି କିଛି ଜିନିଷ ନାହିଁ ? ଏଇମାନେ ଏଇମିତି ଆସୁଥିବେ, କଳି କରୁଥିବେ, ଆମର ମାନସିକ ଶାନ୍ତି ଭଙ୍ଗ କରୁଥିବେ । ଆମେ କ’ଣ ଜୀବନସାରା ଏମାନଙ୍କ ଦୁଃଖ ସୁଖ ବୁଝୁଥିବା ? ଆମର ପିଲାଛୁଆ ନାହାନ୍ତି ? ସେମାନଙ୍କର କ’ଣ ଭବିଷ୍ୟତ ନାହିଁ ? ସେମାନେ ପାଠ ପଢ଼ିବେ ନା ଏହିଭଳି କୁରୁକ୍ଷେତ୍ର ଯୁଦ୍ଧର ଦୃଶ୍ୟ ଦେଖୁଥିବେ ? ଚାକିରି ଦିଅ । ଚାକିରି ମିଳିଲା । ଘର ପାଖକୁ ବଦଳି କର । ବଦଳି ହେଲା । ଏବେ କି ଫାର୍ସ ? ତୁମେ ସେମାନଙ୍କୁ କିଛି କହିପାରୁନା । ତୁମ ସରଳତାର ସୁଯୋଗ ନେଇ ସେମାନେ ତୁମକୁ ବ୍ଲାକ୍‌ମେଲ୍‌ କରି ଚାଲିଛନ୍ତି ।’’

 

ତାଙ୍କ କଣ୍ଠର ସ୍ୱରବେଡ୍‌ରୁମ୍‌ର କାନ୍ଥ ଓ କବାଟ ଭେଦକରିଡ୍ରଇଂରୁମ୍‌ରେ ଅତିଥିମାନଙ୍କ କାନରେ ପ୍ରବେଶ କରିସାରିଥିଲା ନିଶ୍ଚୟକାରଣ ସେମାନଙ୍କ ହୈ ଚୈ ସ୍ତିମିତ ହୋଇଯାଇଥିଲା ।

 

ସୁନନ୍ଦା ପୁଣି ଆରମ୍ଭ କଲେ, “ତମେ ଯଦି କହିପାରିବନି, ମୁଁ କହିଦେଉଛି । ଡ୍ରାଇଭରକୁ ଡାକୁଛିଫିଙ୍ଗିଦେବ ସେମାନଙ୍କ ଜିନିଷପତ୍ର । ଆଉ ଏମାନଙ୍କୁ ସମସ୍ତଙ୍କୁ ଜିଲ୍ଲା ପାରି କରିଦେଇଆସିବ ।’’

 

କେତେ ସହଜ ଓ ସାବଲୀଳ ଭାବରେ ସୁନନ୍ଦାଙ୍କ ପାଟିରୁ ବାହାରିଗଲା କଥାର ବାଟୁଳିଗୁଡ଼ିକ ! ଏତିକି କହିବା ପାଇଁ ସନାତନଙ୍କୁ ପ୍ରଥମେ ପୁଳା ପୁଳାକେଶରାଶିଉପାଡ଼ିବାକୁ ପଡ଼ିଥାନ୍ତା । ତା’ପରେ ଉପଯୁକ୍ତ ଶବ୍ଦମାନ ବାଛିବା ପାଇଁ ବିତିଯାଇଥାନ୍ତା ଗୋଟିଏ ଯୁଗ । ସେ ଏବେ ବୁଝୁଥିଲେ, ସ୍ତ୍ରୀଙ୍କୁ କାହିଁକି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଶକ୍ତି ରୂପରେ । ଭାବପ୍ରବଣତାର ସୁଅରେ ବହିଯାଉଥିବା ସ୍ୱାମୀଙ୍କୁ ସେମାନେ ବୋଧେ ଠିକଣା ଘାଟରେ ଲଗାଇଥାନ୍ତି । ସାଂସାରିକ ଜଞ୍ଜାଳରେ ଜର୍ଜରିତ ହୋଇ ଅମଡ଼ାବାଟରେ ମୁହାଁଇଥିବା ସ୍ୱାମୀଙ୍କୁ ସେମାନେ ବୋଧେ ବାଟକୁ ଆଣନ୍ତି । ଯେଉଁଠି ପୁରୁଷର ପୌରୁଷ ନିଷ୍ପ୍ରଭ ହୋଇଯାଏ, ସେଇଠି ସେମାନେ ଖଣ୍ଡା ଧରନ୍ତି, ଖର୍ପର ଧରନ୍ତି । ସନାତନ ସୁନନ୍ଦାଙ୍କର ସେହି ରୂପଟିର ପରିଚୟ ପାଇ ମନରେ ସମ୍ବିତ୍‌ ଫେରି ପାଉଥିଲେ ।

 

ବଳଭଦ୍ରବାବୁଙ୍କ କଥା ଶୁଭୁଥିଲା, “ଚାଲ, ବୁଲୁବୋଉ । ଫେରଯିବା । ଧର ବୁଲୁ, ଜିନିଷ ଧର ।’’

 

ବୁଲୁ କହୁଥିଲା, “ହଉ ବାପା !’’

Image

 

ନିଥର ହ୍ରଦ : ନିର୍ବାକ ପର୍ବତ

 

ରୋଗଶଯ୍ୟାରେ ଶୋଇଛନ୍ତି ସୁଚିତ୍ରା । ଉଠିବାକୁ ଶକ୍ତି ନାହିଁ । କଥା କହିବାକୁ ଜୁ’ ନାହିଁ । ଘାସପଡ଼ିଆ ଉପରେ ଉପୁଡ଼ି ପଡ଼ିଥିବା ଫୁଲଗଛଟିଏ ପରି ଶେଯ ଉପରେ ତାଙ୍କର ଶରୀରଟି ପଡ଼ି ରହିଥିଲା ନିସ୍ତେଜ ହୋଇ । ଦୁଧ ଅଳତା ରଙ୍ଗର ଦେହଟା ଝାଉଁଳି ପଡ଼ିଥିଲା ଦ୍ୱିପ୍ରହର ଖରାରେ ମଉଳି ପଡ଼ିଥିବା ଦୁଦୁରା ଫୁଲପରି । ପଚିଶ ବର୍ଷ ତଳେ ଏହି ପଲଙ୍କଟି ତାଙ୍କ ସହ ବାପଘରୁ ଆସିଥିଲା । କଳା-ଭଅଁର ଶିଶୁ କାଠରେ କୁନ୍ଦକରାକାମ । ସେଥିରେ ଆଭିଜାତ୍ୟର ରଙ୍ଗ ଏବେ ବି ଉତ୍‌କୀର୍ଣ୍ଣ । ବାପଘରୁ ଆଣିଥିବା ଆହୁରି କେତେ ଆସବାବପତ୍ର ଭାଙ୍ଗିରୁଜି ଗଲେଣି । ପଲଙ୍କଟି ଅକ୍ଷୁଣ୍ଣ ଥିଲା । ସେଥିରେ ତକିଆ ଉପରେ ମଥା ଦେଇ ସେ ଉପରକୁ ଫାଙ୍କା ଆଖିରେ ଚାହିଁ ରହିଥିଲେ । ଆଖିରୁ ନିଦ ଉଭାନ ହୋଇଯାଇଥିଲା । ଆଉ କେତେ ବା ଶୋଇବେ ? ଏବେ ରାତିଦିନ କେବଳ ସେଇ ଗୋଟିଏ କାମ । ଶୋଇ ରହିବା ଛଡ଼ା ଅନ୍ୟ କୌଣସି ପାଇଟି ନାହିଁ ।

 

ପଲଙ୍କ ପାଖରେ ଟି’ପୟ ଉପରେ କାଚ ଜାରରେ ଫୁଟାପାଣି ରଖାଯାଇଥିଲା । ଗ୍ଲାସରେ ଢାଙ୍କୁଣି ଘୋଡ଼ା ହୋଇ ରଖାଯାଇଥିଲା ଫଳ ରସ । ଛୋଟ ଟ୍ରେ ଉପରେ ଜାତିଜାତିକାଔଷଧପତ୍ର । ଆଉ ଏସବୁ ଔଷଧ କାମରେ ଲାଗିବେନି ।

 

ଏଇ କିଛିଦିନ ତଳେ ସୁଚିତ୍ରା ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ଭଲ ହୋଇଗଲେଣି ବା ଖୁବ୍‌ ଶୀଘ୍ର ଭଲ ହୋଇଯିବେଏ ବିଚାରରେ ନୁହେଁ । ତାଙ୍କର ଆଉ ଭଲ ହେବାର ଆଶା ନାହିଁ । ସବୁ ଏଣିକି ଭଗବାନଙ୍କ ଉପରେ ନିର୍ଭର କରେ । ତାଙ୍କୁ ହିଁ ପ୍ରାର୍ଥନା କଲେ କାଳେ କିଛି ଚମତ୍କାର ଘଟିପାରେ ।

 

ପାଖରେ ଏକ ଚଉକି ଉପରେ ନୀରବରେ ବସିଛନ୍ତି ତାଙ୍କ ସ୍ୱାମୀ ପ୍ରଭାତ । ମୁହଁଟି କାନ୍ଦ କାନ୍ଦ । ଶରୀର କ୍ଳାନ୍ତ ଶ୍ରାନ୍ତ । କେତେ ରାତି ହେଲା ବୋଧହୁଏ ଭଲଭାବେ ଶୋଇନାହାନ୍ତି । ସେ ମନରେ ଆଶା ବାନ୍ଧି ବସିଛନ୍ତି । ଏ ଦୁନିଆରେ କ’ଣ ଚମତ୍କାର ଘଟୁନି ? ସୁଚିତ୍ରା ଭଲ ହୋଇଯିବେ ।

 

ପାଖରେ ଆଉ କେହି ନାହାନ୍ତି । ଝିଅ ସୁମନ । ବିବାହ ପରେ ସ୍ୱାମୀ ସହ ରହେ ଜାମସେଦ୍‌ପୁରରେ । ତା’ କୋଳରେ ଏବେ ଛୋଟ ପିଲାଟିଏ । ପୁଅ ସୁବୋଧ ପଢ଼େ ଦିଲ୍ଲୀରେ । ସେମାନେ କିଛି ଦିନ ଭୁବନେଶ୍ୱରରେ ରହି ରୋଗଶଯ୍ୟାରେ ଥିବା ମା’ଙ୍କୁ ଦେଖି ଫେରିଯାଇଛନ୍ତି । ସୁଚିତ୍ରାଙ୍କ ଅବସ୍ଥା ଗୁରୁତର ହେବା ପରେ ସେମାନଙ୍କ ନିକଟକୁ ପୁଣି ଖବର ଯାଇଛି । ସେମାନେ ଯେକୌଣସି ମୁହୂର୍ତ୍ତରେ ପହଞ୍ଚି ପାରନ୍ତି ।

 

ସୁଚିତ୍ରା ଏକଦା କଲେଜ କୁଇନ୍‌ ଥିଲେ । ବାଟରେ, ଘାଟରେ, କଲେଜ ଛକରେ, ଲାଇବ୍ରେରୀରେ ସବୁ ଜାଗାରେ ସେ ଥିଲେ ଚର୍ଚ୍ଚାର ବିଷୟ । ତାଙ୍କର ଅପରୂପ ସୌନ୍ଦର୍ଯ୍ୟ ଦେଖି ଦୋକାନରୁ ସେଲ୍‌ସମ୍ୟାନମାନେହାଁକରି ଅନାଉଥିଲେ । ପୂର୍ବାପର ସମ୍ପର୍କ ଭୁଲିଯାଇ ବଡ଼ ଅସଂଗତ ଭାବେ ବକ୍ତୃତା ଦେଉଥିଲେ କଲେଜର ଅଧ୍ୟାପକମାନେ । ତାଙ୍କୁ କେନ୍ଦ୍ରକରି ଅନେକ କବିତା ରଚନା କରାଯାଉଥିଲା ସେହି ସମୟରେ ।

 

ଏବେ ସେ ରୂପଲାବଣ୍ୟ ନାହିଁ । ମାତ୍ର କେତୋଟି ବର୍ଷରେ ଧୂଳିସାତ୍‌ ହୋଇଯାଇଛି ତାଙ୍କ ତନୁଶ୍ରୀର କୋଣାର୍କ ।

 

ସୁଚିତ୍ରାଙ୍କୁ ଦୁଃସାଧ୍ୟ କର୍କଟ ରୋଗ । ଦିନେ ଦର୍ପଣ ସାମ୍‌ନାରେଶାଢ଼ି ବଦଳାଉଥିବା ବେଳେ ସେ ଏକ ଆଶ୍ଚର୍ଯ୍ୟ ଜିନିଷ ଆବିଷ୍କାର କଲେ । ସେ ଲକ୍ଷ୍ୟ କଲେ ଯେ ତାଙ୍କ ବାମ ସ୍ତନଟି ଡାହାଣ ସ୍ତନ ତୁଳନାରେ ଅପେକ୍ଷାକଗୃତବଡ଼ ଦିଶୁଛି । ତାଙ୍କ ମନରେ ଏକ ଅଜଣା ଆତଙ୍କ ସୃଷ୍ଟି ହୋଇ ଲିଭିଯାଇଥିଲା । କିଛି ମାସ ପରେ ଦେଖିଲେ, ତାଙ୍କର ବକ୍ଷୋଜଟିରେ ପୂର୍ବର ସ୍ନିଗ୍ଧତା ନାହିଁ । ତା’ର ନିମ୍ନାଂଶରେ କୋତିଟି ଉପଳ ଖଣ୍ଡ ଜମିଗଲା ଭଳି ହାତକୁ ଲାଗୁଥିଲା ।

 

ସେତିକିବେଳେ ତାଙ୍କ ବକ୍ଷୋଜ ଦେଇ ଦେହର ପଞ୍ଜରା ଭିତରେ ସତେ ଯେପରି ଘଡ଼ଘଡ଼ିଟିଏ ପ୍ରବାହିତ ହୋଇଗଲା । କ’ଣ କରିବେ ? କାହାକୁ କହିବେ ? ପ୍ରଭାତଙ୍କୁ ଦେଖାଇବେ ? ନା.. ଥାଉ । ନିଜେ ଡାକ୍ତରଖାନାକୁ ଯିବେ ? ଆଉ କିଛିଦିନ ଯାଉ ଦେଖାଯିବ । ସୁମନକୁ ଅବଶ୍ୟ କୁହାଯାଇପାରେ । ସେ ଏବେ କଲେଜ ଗଲାଣି । ତା’ର ବୁଝିବା ଶୁଝିବାର ବୟସ ହେଲାଣି । ଏହିଭଳି ନିଜ ସହ ଅନେକ ମନ୍ତ୍ରଣା କରି ସେ ସୁମନକୁ ସବୁ କହିଥିଲେ । ହସ୍‌ପିଟାଲଗଲାବେଳକୁ ଅନେକ ଡେରି ହୋଇଯାଇଥିଲା ।

 

ପ୍ରଭାତଙ୍କୁ ଏ ବିଷୟରେ କହିବା ପାଇଁ ସେ ସବୁ ଆବେଗ ହରାଇ ବସିଲେ କାହିଁକି ? ସ୍ୱାମୀ ଓ ସ୍ତ୍ରୀର ସୂକ୍ଷ୍ମ ସମ୍ବେଦନଶୀଳ ସମ୍ପର୍କ ମଝିରେ କି ଅଲଂଘ୍ୟ ପ୍ରାଚୀର ମୁଣ୍ଡ ଟେକିଲା ଯେ ସେ ପ୍ରଭାତଙ୍କୁ ମନଖୋଲି ସବୁ କହିପାରିଲେ ନାହିଁ ?

 

ସୁଚିତ୍ରାଙ୍କର ବକ୍ଷୋଜର ସୌଷ୍ଠବ ନେଇ ଅନେକ ଗର୍ବ କରିବାର ଥିଲା । ସ୍ୱଭାବ ବଶତଃ ବେରସିକ ଭାବେ ଗଣା ହେଉଥିବା ପ୍ରଭାତ ମଧ୍ୟ ଟିªଣୀ ଦିଅନ୍ତି ଯେ ତାଙ୍କ ସମ୍ପଦଟି ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ଭାବେ ଗଣା ଯାଇପାରେ । ସେ ପୁଣି କହନ୍ତି ଯେ ଏଭଳି ସମ୍ପଦଟି ଦେଖିବାକୁ ମିଳେ ରବିବର୍ମାଙ୍କ ଚିତ୍ରରେ କିମ୍ବା କେଉଁ ମଧ୍ୟଯୁଗୀୟ ମନ୍ଦିରର ଗାତ୍ରରେ । ସେହି ପ୍ରଭାତଙ୍କୁ ଏ ବିଷୟରେ କହିବା ପାଇଁ ସୁଚିତ୍ରା ଚାହିଁଲେ ନାହିଁ, କାହିଁକି ?

 

ଏକ ସାମାନ୍ୟ ଘଟଣାରୁ ସେମାନଙ୍କ ଦାମ୍ପତ୍ୟର ମୂଳଦୂଆ ଦୋହଲି ଯାଇଥିଲା । ପ୍ରଭାତଙ୍କର ଭୁବନେଶ୍ୱର ପ୍ଲଟରେ ଯେତେବେଳେ ଘର କରିବା ପ୍ରସ୍ତାବ ଉଠିଲା, ସୁଚିତ୍ରା କହିଲେ, “ଘର ଏକାଥରକେ ଉଠାଇ ଦେବା । ଗୋଟିଏ ଚିନ୍ତା ଚାଲିଯିବ । ଲୋକେ ଜାଗା ମାଡ଼ି ଆସିବାର ଭୟ ଅଛି । ପୁଣି, ସିମେଣ୍ଟ, ଛଡ଼ଦରଦାମ୍‌ ବି ହୁ ହୁ ହୋଇ ବଢ଼ୁଛି ।’’

 

“ଘର କରିଦେଲେ ରହିବ କିଏ ? ଏତେ କଷ୍ଟରେ ଘର କରିବ । ଆସିଲା ବେଳକୁ ଭଡ଼ାବାଲାଙ୍କୁ ଉଠାଇ ହେବନି । ଉଠିଲେ ବି, ଘରର ବାର ବାଜି ଯାଇଥିବ । ମୁଁ ଭାବୁଛି, ସେଠି ଖାଲି ଗୋଟିଏ ଧାଡ଼ିଆଉଟହାଉସ୍‌ କରି ଛାଡ଼ିଦେବା । ବାକୀ ଜାଗାରେ ଗଛ ଲଗାଇଦେବା ।’’

 

“ତମ ଆଉଟ୍‌ ହାଉସ୍‌ରେ କିଏ ରହିବ ଶୁଣେ ?’’

 

“ଗାଁରୁ ଏତେ ପିଲା ଏଠି ଅଛନ୍ତି । ସେମାନଙ୍କ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ । ସେମାନଙ୍କୁ ଆଶ୍ରା ମିଳିଗଲେ, ସେମାନେ ନିଜ ଗୋଡ଼ରେ ଠିଆ ହୁଅନ୍ତେ । ଆମ ଜାଗାର ବି ରକ୍ଷଣାବେକ୍ଷଣ ହୋଇଯାଆନ୍ତା ।’’

 

“ଗାଁପିଲା ?’’ ଆଖିରେ ଏକ ପ୍ରଶ୍ନବାଚୀ ଚିହ୍ନଟିଏ ଆଙ୍କିଦେଇ ସୁଚିତ୍ରା ହୋ ହୋ ହୋଇ ହସିଉଠିଲେ । ସତେ ଯେପରି ଗାଁପିଲାଙ୍କ ପରି ଏକ ବଣୁଆ ଜାତି ସହର ମଧ୍ୟରେ କୌଣସି ଘରର ଆଉଟ୍‌ ହାଉସ୍‌ରେ ରହିବାକୁ ଅଯୋଗ୍ୟ । ଆଉଟ୍‌ହାଉସ୍‌ର ମେଜିଆ ତାଙ୍କ ପାଦସ୍ପର୍ଶରେ ଖଣ୍ଡିଆ ଖାବରା ହୋଇଯିବ କିମ୍ବା ସାରା ବାତାବରଣ ଦୂଷିତ ହୋଇଯିବ ।

 

“ତୁମର କ’ଣ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାର ଅଛି କି ? କୌଣସି ଗାଁପିଲାଙ୍କ ଛାଇ ସେଠି ପଡ଼ିବନି, ଶୁଣିଥା ।’’

 

ଏହି ଧମକରେ ପ୍ରଭାତଙ୍କ ମନରେ କଅଁଳି ଉଠିଥିବା କିଛି କଞ୍ଚା ଆଦର୍ଶର ଗଜାମରୁଡ଼ି ହୋଇଯାଇଥିଲା ।

 

ଆଉ ଦିନେ । ବଡ଼ ତନ୍ମୟ ହୋଇ ପ୍ରଭାତ ନିଜର ଭାବୀ ଯୋଜନା ସମ୍ପର୍କରେ ଟିକିନିଖି ବୁଝାଇ ଚାଲିଥିଲେ ନିଜର ସାନଭାଇ ପ୍ରକାଶକୁ । ରୋଷେଇ ଘରେ ବ୍ୟସ୍ତ ଥିଲେ ବି ସୁଚିତ୍ରାଙ୍କ କାନଟି ଠାକିଥିଲା ବୈଠକଖାନାରେ ।

 

“ଗାଁରେ ଗୋଟିଏ ଚକଡ଼ାରେ ଯେଉଁ ଦଶ ଏକର ଜମି ଅଛି, ତାକୁ ଆଗ କଣ୍ଟାବାଡ଼ ଘେରି ଦେବା । ତାର ବାଡ଼ ଦେଲେ ବହୁତ ଖର୍ଚ୍ଚ ହୋଇଯିବ । କଣ୍ଟାବାଡ଼କଡ଼େକଡ଼େ ଲାଗିବ ପିଆଶାଳ ଓ ଶାଗୁଆନ ଗଛ ।’’ ଏକ ସାଦା କାଗଜରେ ସେ ଚିତ୍ରକରି ବୁଝାଉଥିଲେ“ଏହି ଗୋଟିଏ ଏକରରେ ଆମ୍ବଗଛ ଲାଗିବ । ଆମ୍ବଗଛ ତଳ ଜାଗାରେ ସପୁରି । ଏଇ ଗୋଟିଏ ଏକରରେ ପିଜୁଳି । ଏଇ ଜାଗାରେ ଲେମ୍ବୁ । ମଝିରେ ରହିବ ପୋଖରୀ । ହୁଡ଼ାରେ ବତକମାନଙ୍କ ପାଇଁ ଘର ହେବ । ଉପରେ ଯେଉଁଠି ପଥୁରିଆ ଜାଗା ଅଛି ସେଠି ନଅର କୋଳି ଲାଗିବ । ବାକୀ ଜାଗାରେ ଲାଗିବ ପରିବା ଏବଂ କଦିଳ ।’’

 

ଏହି ଗାଉଁଲି ‘କଦିଳ’ ଶବ୍ଦଟି ଶୁଣି ସୁଚିତ୍ରା ଆଉ ନିଜ ଉପରେ ନିୟନ୍ତ୍ରଣ ରଖିପାରି ନଥିଲେ । ସେ ହସରେ ଘର ଝରକା କବାଟ ଫଟାଇ ଦେଇଥିଲେ । ଏପରିକି ଚା’ ଟ୍ରେନେଇଆସିଲା ବେଳେ ଜଣାପଡ଼ୁଥିଲା ଯେ ସେ ଯେପରି କେବଳ ମୁହଁରେ ନୁହେଁ, ପୂରା ଶରୀରରେ ହସୁଛନ୍ତିଯା’ର ପ୍ରଭାବରେ ଚା’ ଟ୍ରେ ମଧ୍ୟ ଝଣଝଣ ଆୱାଜ କରି ପାଳି ଧରିଲା ଭଳି ଲାଗୁଥିଲା ।

 

“ଆଉ ତମ କଦିଳ ଖାଇବ କିଏ ? ...ଭୂତ ?’’

 

ସୁଚିତ୍ରା ସେଠି ବସିଲେ । ପ୍ରକୃତିସ୍ଥ ହେଲା ପରେ କହିଲେ, “ସେ ବାଜେ କଥାଗୁଡ଼ା ଶୁଣନି ପ୍ରକାଶ । ୟେ’ ଖାଲି ଜୀବନସାରା ସେମିତି ଦିବାସ୍ୱପ୍ନ ଦେଖୁଥିବେ । ୟା’ଙ୍କ ଦେଇ ଗୃହସ୍ଥିଗିରି ହେବା ଲେଖା ନାହିଁ । ଶୁଣ... ତମକୁ କହି ରଖୁଛି । ଗାଁରେ ଆଉ ଗୋଟିଏ କଣା ପଇସା ବିନିର୍ବ୍ୟୟ ହେବନି । ବହୁତ ହୋଇଗଲା । ଯାହା କରିବ, ନିଜେ ଯାଇ କରିବ ।’’

 

“ଆଉ କ’ଣ ବୁଢ଼ାବେଳେ ଯାଇ ଫାର୍ମ କରିବି ? ତୁ ଗଲୁ ପ୍ରକାଶ, ଏଇ ଦଶ ହଜାର ଟଙ୍କା ନେଇଥା’ । ବାକୀ ପରେ ଦେଖିବା । ତୁ ଏ ମାଇକିନାଙ୍କ କଥା ଶୁଣନା ।’’

 

‘ମାଇକିନା’ ଶବ୍ଦଟି ‘ସ୍ତ୍ରୀ’ ଶବ୍ଦର ଏକ ମଫସଲୀ ପର୍ଯ୍ୟାୟବାଚୀ ଶବ୍ଦ । କିନ୍ତୁ ଏଥିରେ କି ବାରୁଦ ଥିଲା କେଜାଣି, ସୁଚିତ୍ରା ବିସ୍ପୋରଣ କରିଉଠିଲେ“ଦେଖ, ସେଭଳି କିଛି ହୋଇପାରିବନି, ଏ ଘରେ ।’’

 

“ଅଲବତ ହେବ ।’’

 

“ତା’ହେଲେ, ମୁଁ ଯାଉଛି ବାପଘର । ତମେ ତମ ଘର ସମ୍ଭାଳ ।’’

 

ସାଧାରଣତଃ ଶାନ୍ତ, ନମ୍ର ପ୍ରକୃତିର ପ୍ରଭାତଙ୍କ ମୁଣ୍ଡକୁ କିଭଳି ଭୂତ ଆକ୍ରମଣ କଲା କେଜାଣି ସେ ଏବେ ଦୁର୍ବାସାର ରୂପ ନେଇ କହିଲେ, “ଯାଅ, ଏଇନେ ଯାଅ ।’’ ତା’ପରେ ସେ ସୁଚିତ୍ରାଙ୍କ ବାହୁକୁ ଧରି ଘରୁ ଫାଟକ ଯାଏ ଟାଣି ଟାଣି ନେଇଗଲେ ।

 

ସୁଚିତ୍ରା ଫାଟକ ପାଖରେ ସ୍ଥାଣୁ ହୋଇ ଦଣ୍ଡେ ଠିଆ ହୋଇଗଲେ । ତାଙ୍କୁ କେବଳ ପ୍ରଭାତଙ୍କ ତାଚ୍ଛଲ୍ୟର ଶବ୍ଦ, “ଯାଅ, ଯାଅ,’’ ଏହାହିଁ ଶୁଭୁଥିଲା । ଆଉ କିଛି ଶୁଭୁନଥିଲା । ଆଉ କିଛି ଦୃଶ୍ୟ ହେଉନଥିଲା ।

 

ରାଗଟା ପଞ୍ଚମ ପର୍ଯ୍ୟନ୍ତ ଉଠିବାକୁ ବାକୀ ଥିଲା ବୋଧହୁଏ । ପ୍ରଭାତ ଆଉ ଦୁଇଟି ଅପମାନଜନକ ବାକ୍ୟ ପ୍ରୟୋଗ କଲେ ।

 

“ଜିନିଷପତ୍ର ନେଇଚାଲିଯା । ଏ ଘରେ ଆଉ ପାଦ ଦେବନି ।’’

 

ପ୍ରଭାତ ଭଦ୍ର । ଚୁପ୍‌ଚାପ୍‌, ମାର୍ଜିତ ଭାଷା ତାଙ୍କର । କିନ୍ତୁ ତାଙ୍କର ଏହି ଦୁଇଟି ଅମାର୍ଜିତ ନିଷ୍ଠୁର ବାକ୍ୟରେ କି ଜହର ଥିଲା ଯେ, ଘରେ, ବାହାରେ, ବାୟୁମଣ୍ଡଳରେ, ଦୂର ଦିଗ୍‌ବଳୟରେ ସବୁଠି ବ୍ୟାପିଗଲା ସୀମାହୀନ ହାହାକାର । ଝିଂକାରୀରଝିଁଝିଁ ଶବ୍ଦରେ, ପକ୍ଷୀମାନଙ୍କ କିଚିରିମିଚିରିରେ, ପବନର ସିରିସିରି ଶବ୍ଦରେ ସବୁଠି ସୁଚିତ୍ରା ଶୁଣୁଥିଲେ ଦୁଇଟି ନିଷ୍ଠୁର ଶବ୍ଦ “ଯାଅ, ଚାଲିଯାଅ ।’’ ଫାଟକ ପାଖରୁ ଅନୁଭବ କରୁଥିଲେ, ଯେପରିକି ତାଙ୍କର ସୁନାର ସଂସାର ହୁତୁହୁତୁ ହୋଇ ଜଳିଯାଉଛି । କୋଡ଼ିଏ ବର୍ଷର ଗାର୍ହସ୍ଥ୍ୟର ମନ୍ଦିରରୁ ଖଣ୍ଡ ଖଣ୍ଡ ହୋଇ ପଥର ଓ ଚୂନ ଖସିପଡ଼ୁଛି ।

 

ପ୍ରକାଶ ଟଙ୍କା ଥୋଇଦେଇ କେଉଁ ବାଟେ ଖସିଗଲା ଯେ, ତା’ର ଚିହ୍ନବର୍ଣ୍ଣ ମିଳିଲାନି । ସ୍କୁଲରୁ ଫେରିଥିବା ପୁଅ ଝିଅ ଦୁଇଟି ପଥର ମୂର୍ତ୍ତି ପରି ଠିଆ ହୋଇଥିଲେ ବାରନ୍ଦାର କାନ୍ଥ କଡ଼େକଡ଼େ ।

 

ଅବଶ୍ୟ ସୁମିତ୍ରା ସେଦିନ ବାପଘର ଗଲେନି । ତା’ପର ଦିନ ବି ଗଲେନି । ତା’ପରେ ବୋଧେ କେବେ ବି ଯାଇନାହାନ୍ତି । ବାପଘରକୁ ଯିବାକୁ ସେ ଧମକ ଦେଉଥିଲେ କେବଳ । ରାତି ହେଲେ ମଧ୍ୟ ବାପଘରକୁ ଯାଇପାରିଥାନ୍ତେ । ତେବେ ବାପ ଘରେ ଆଉ ଥିଲା ବା କ’ଣ ? ବାପା ମା’ କେବେଠୁ ସଂସାର ତେଜିଲେଣି । ମା’-ବାପା ନଥିବା ବାପଘରର ମାନେ କିଛି ନଥାଏ । ଦିନ ଥିଲା, ଘରକୁ ସୁଚିତ୍ରା ଆସିଲେ ମା’, ବାପାଙ୍କ ପାଦ ଦୁଇଟି ଭୂଇଁରେ ଲାଗୁନଥିଲା । କାହିଁ କେଉଁଠୁ ଦୌଡ଼ିଯାଇ ବା ଲୋକ ପଠାଇ ବାପା ନେଇ ଆସୁଥିଲେ, ପୋହଳା ମାଛ, ପାଳଛତୁ କିମ୍ବା ଛେନାପୋଡ଼, ଯାହା ଯାହା ଥିଲା ସୁଚିତ୍ରାଙ୍କର ଅତି ପ୍ରିୟ ଖାଦ୍ୟ । ମା’ ବସି ଯାଉଥିଲେ ଗପର ପେଡ଼ି ମେଲିଦେଇ । ରାତ୍ରିର ନିଭୃତପ୍ରହରଯାଏ ଚାଲୁଥିଲା ଦୁଇଟି ସମ୍ବେଦନଶୀଳ ହୃଦୟର ମାର୍ମିକ ସମ୍ଭାଷଣ । ସେ ଦିନର ଘଟଣା ପରଠୁ ପ୍ରଗଲ¶ା ସୁଚିତ୍ରା ବଦଳି ଗଲେ ମୌନାବତୀସୁଚିତ୍ରାରେ । ସତେ ଯେପରି ସଙ୍ଗୀତ ପ୍ରାଣବୁଲବୁଲ୍‌ଟିଏ ନିଜର ଚଞ୍ଚୁ ହାଣି ଦେଇଛି । ଗୋଲାପର କଣ୍ଟାରେ ଫୋଡ଼ି ରକ୍ତସ୍ନାନ କରିଦେଇଛି ତା’ର ସ୍ୱରନଳୀକୁ । ଆଉ ସେ ଗୀତ ଗାଇବନି । ବର୍ଷାରେ ଅବା ବସନ୍ତରେ, ସୁନେଲି ସକାଳରେ ଅବା ରକ୍ତିମ ସାୟାହ୍ନରେ ଆଉ ସେ କେବେ ବି ଗାଇବନି ତା’ର ଆବେଗମୟ ମଧୁର ସଙ୍ଗୀତ, କେବେ ନୁହେଁ ।

 

ସୁଚିତ୍ରା ବାପଘର ଗଲେନି । କିନ୍ତୁ ରହିଲେ ଠାକୁର ଘରେ । କୋଡ଼ିଏ ବର୍ଷର ହର୍ଷ ମାଧୁର୍ଯ୍ୟ ଭରା ଦାମ୍ପତ୍ୟ ଜୀବନରେ ତାଙ୍କର ମନର ସାମ୍ରାଜ୍ୟରୁ ଠାକୁରମାନେ ବିତାଡ଼ିତ ହୋଇଯାଇଥିଲେ । ପାଠ ପଢ଼ୁଥିଲା ବେଳେ କେଉଁ ଅକାଳେ ସକାଳେ ଠାକୁର ମନେପଡ଼ନ୍ତି । ତାଙ୍କର ସୌନ୍ଦର୍ଯ୍ୟ ନେଇ ଏପରି ଅହଂକାର ଥିଲା ଯେ ମନଲାଖି ବର ମିଳୁ ବୋଲି ସେ ବୋଧହୁଏ କେବେ ଭଗବାନଙ୍କୁ ସ୍ମରଣ କରିନଥିବେ । ତଥାପି ଭଗବାନ ତାଙ୍କୁ ଯୋଗ୍ୟ ବର ଦେଇଥିଲେ । ସବୁ ସାଙ୍ଗମାନେ କହନ୍ତି, “ତୁ ବଡ଼ ସୌଭାଗ୍ୟବତୀ, ଚିତ୍ରା । ତୋ’ର ବର ରୂପ ଗୁଣ ସବୁଥିରେ ସୁନ୍ଦର ।’’

 

କିନ୍ତୁ ବେଶୀଦିନ ସେ ସୁଖ ଦିନଗୁଡ଼ିକ ରହିନାହାନ୍ତି । ଏବେ ଠାକୁର ଘର ତାଙ୍କର ଶୟନକକ୍ଷ, ବୈଠକଖାନା ସବୁକିଛି । ସେଥିରେ କେତେ ଦେବଦେବୀଙ୍କ ଫଟୋ ଓ ପ୍ରତିମୂର୍ତ୍ତି । ସେଠି ଥିଲେ ଲବଣୀଚୋରବାଳଗୋପାଳ । ସେଠି ଥିଲେ ଶିବ ପାର୍ବତୀ । ସେଠି ପୁଣି ଥିଲେ ସତ୍ୟସାଇବାବା, ଶ୍ରୀମା ଓ ଅରବିନ୍ଦଙ୍କ ଫଟୋଗ୍ରାଫ୍‌ । ସେ ସକାଳୁ ଉଠି ଠାକୁରମାନଙ୍କ ପାଇଁ ଫୁଲ ତୋଳନ୍ତି । ଘରଟି ନିଜେ ଲିପାପୋଛା କରନ୍ତି । ଫଟୋ ଓ ମୂର୍ତ୍ତିଗୁଡ଼ିକ ସଫା କରନ୍ତି । ସେଥିରେ ଫୁଲ ଓ ଚନ୍ଦନ ଦେଇ ଛୋଟ ଘଣ୍ଟିଟିଏ ବଜାଇ ଗୁଣୁଗୁଣୁ କରି ଅନେକ ସମୟ ପ୍ରାର୍ଥନା କରନ୍ତି । ସନ୍ଧ୍ୟାରେ ପୁଣି ସେହି କର୍ମକାଣ୍ଡର ପୁନରାବୃତ୍ତି । ଏହି ଧରାବନ୍ଧା ରୁଟିନ୍‌ରେ ସେ ନିଜର ଛାତିତଳେ ଥିବା ପୁଞ୍ଜୀଭୂତ ହାହାକାରକୁ ଭୁଲିବାକୁ ଚେଷ୍ଟା କରନ୍ତି ।

 

ସକାଳ ନଅଟାରେ ପ୍ରଭାତ ଚାଲିଯାନ୍ତି ଅଫିସ୍‌ । ଝିଅ ଯାଏ କଲେଜକୁ ଓ ପୁଅ ସ୍କୁଲକୁ । ରୋଷେୟା ସେମାନଙ୍କ ଖାଇବା କଥା ବୁଝିନିଏ । ସେ ନିଜେ ଦିନରେ ଦୁଇ ବକ୍ତ ଖାଆନ୍ତି । ମାଛ, ମାଂସ ନ ହେଲେ ଯାହାର ତଣ୍ଟିକୁ ଭାତ ଯାଏନା, ଆଜି ସେହି ସୁଚିତ୍ରା ସମ୍ପୂର୍ଣ୍ଣ ନିରାମିଷାଶୀ । ଜାତି ଜାତି ଖାଦ୍ୟ, ଭଳି ଭଳି ବ୍ୟଞ୍ଜନ ତିଆରି କରି ନିଜେ ଖାଇବା ଓ ଅନ୍ୟମାନଙ୍କୁ ଖୁଆଇବାରେ ସନ୍ତୋଷ ପାଉଥିବା ନାରୀଟି ଏବେ ରୋଷେଇଘର ପ୍ରତି ବିମୁଖ ।

 

ଶୁଅନ୍ତି ଠାକୁରଘର ଚଟାଣରେ । ମସିଣା ଉପରେ । ଅନେକ ଦିନ ପରେ ପୁଣି ଆସିଛନ୍ତି ବେଡ୍‌ରୁମ୍‌କୁ । ଦେହ ଖରାପ ହେଲା ପରେ ଅନେକ ବନ୍ଧୁବାନ୍ଧବ ଦେଖିବାକୁ ଆସନ୍ତି । ଡାକ୍ତର ମଧ୍ୟ ନିୟମିତ ବ୍ୟବଧାନରେ ଆସନ୍ତି । ଠାକୁରଘରେ ଏଭଳି ସ୍ୱଚ୍ଛଳ ଚାଲିଚଳନ ଅସମ୍ଭବ ବୋଲି ସେ ପୁନର୍ବାର ନିଜ ବେଡ୍‌ରୁମ୍‌ରେ ପାଦ ରଖିଛନ୍ତି ।

 

ସୁଚିତ୍ରାଙ୍କ ବକ୍ଷୋଜରେ କର୍କଟ ରୋଗର ଆକ୍ରମଣ । ଅନେକ ଦିନର ଅବହେଳା ଯୋଗୁଁ ସେ ହରାଇଥିଲେ ବାମସ୍ତନ । ଏହାକୁ ସର୍ଜରୀ କରି କାଟିଦେବା ଛଡ଼ା ଅନ୍ୟ ଉପାୟ ନଥିଲା । ଡାକ୍ତର କହିଥିଲେ, ଏ ଅପରେସନ ପରେ ଚିନ୍ତାର କାରଣନାହିଁ । କେତେ କେତେ ମହିଳା ଅବଶିଷ୍ଟ ଜୀବନ ନିର୍ବିଘ୍ନରେ ଅତିବାହିତ କରିବାର ଉଦାହରଣ ଅଛି ।

 

ନିଜର ପୀନୋନ୍ନତ ବକ୍ଷକୁ ନେଇ ଏକଦା ଗର୍ବ କରୁଥିବା ସୁଚିତ୍ରା ଆଉ ବାହାରକୁ ଗୋଡ଼କାଢ଼ିବାକୁ ଶକ୍ତି ସଞ୍ଚୟ କରିପାରୁ ନଥିଲେ ।

 

କିଛି ବର୍ଷ ପରେ ରୋଗ ସଂକ୍ରମିତ ହେଲା ଡାହାଣ ସ୍ତନକୁ । ଡାକ୍ତରଙ୍କ ଆଶା, ଭରସା ଓ ଆଶ୍ୱାସନାନିÒଳ ହେଲା । ସୁଚିତ୍ରା ଭାବିଲେ, ନିଜ ସବୁଜ ଦିନଗୁଡ଼ିକରେ ଗର୍ବ ଓ ଅହଂକାରର ଏହା ବୋଧହୁଏ ଶାସ୍ତି । ଦୁଇଟି ବକ୍ଷୋଜର ଗମ୍ବୁଜ ଧୂଳିସାତ୍‌ ହେଲା ପରେ ବି କର୍କଟ ରୋଗର ଆକ୍ରମଣ ଜାରି ରହିଥିଲା । ଏ ରୋଗର ଜୀବାଣୁ ଧୀରେ ଧୀରେ ଅଗ୍ରସର ହେଲେ ତାଙ୍କ କାଖତଳଗ୍ରନ୍ଥିମାନଙ୍କୁ । ତା’ପରେ ଶ୍ୱାସନଳୀକୁ । ଆଉ ହାତ ଉଠାଇବାକୁ ଶକ୍ତି ନାହିଁ । ଆଉ ତଣ୍ଟିରେ କିଛି ଯାଉନି । ତରଳ ଖାଦ୍ୟ ପଦାର୍ଥ, ଫଳରସ, କ୍ଷୀର ବି ଢୋକିବା କଷ୍ଟ । କଥା କହିବା ଦୂରର କଥା ।

 

ପ୍ରଭାତ ନିଃଶବ୍ଦରେ ପଲଙ୍କ ଉପରେ ବସି ରହିଥିଲେ । ଏକ ନିସ୍ତରଙ୍ଗ ନିଥର ହ୍ରଦକୁ ପାଶ୍ୱର୍ବର୍ତ୍ତୀ ନିର୍ବାକ ପାହାଡ଼ଟିଏ ଅନାଇ ରହିଲା ପରି ପ୍ରଭାତ ସୁଚିତ୍ରାଙ୍କୁ ଅନାଇ ରହିଥିଲେ । ପାଞ୍ଚ ଛ’ଟିମହାର୍ଘ ବର୍ଷ ବିତିଯାଇଛି ଏ ଭିତରେ । ଏହି ବର୍ଷ କେତୋଟିରେ ସେମାନେ ସତକୁ ସତ ପାଖକୁ ପାଖ ଲାଗି ଦୁଇଟି ପର୍ବତ ଓ ହ୍ରଦପରି ରହିଗଲେ । ଜଣେ ପର୍ବତ ପରି ଅନମନୀୟ ଆଉ ଜଣେ ହ୍ରଦଟି ପରି ଅନୁଦ୍‌ବେଳ । ସେମାନେ ନିତି ପ୍ରତି ପରସ୍ପରକୁ ଦେଖନ୍ତି, ଅଥଚ ଭାଗୀ ହୋଇପାରି ନାହାନ୍ତି ପରସ୍ପରର ସ୍ପନ୍ଦନରେ, ଦୁଃଖରେ ଏବଂ ହାହାକାରରେ । ପାହାଡ଼ ସାରା ନିଆଁଲାଗିଛି । କିନ୍ତୁ ତା’ର ଉତ୍ତପ୍ତ ପ୍ରଶ୍ୱାସକୁ ହ୍ରଦ ଅନୁଭବ କରିପାରିନି । ହ୍ରଦର ହୃଦୟ ମଧ୍ୟରେ ଲାଭାର ଉଦ୍‌ଗୀରଣ ହୋଇଛି, ଅଥଚ ସେ ହାହାକାର ପହଞ୍ଚିନି ପାହାଡ଼ର କାନରେ ।

 

ପ୍ରଭାତ ଓ ସୁଚିତ୍ରା... ଗୋଟିଏ ଛାତତଳେ ରହି ସେମାନେ ଯେପରି ଦୁଇଟି ଭିନ୍ନ ଗ୍ରହର ଦୁଇଟି ଅପରିଚିତ ଜୀବ ଭଳି ଚଳପ୍ରଚଳ କରିଛନ୍ତି ଏହି ଦିନଗୁଡ଼ିକରେ । ଦାମ୍ପତ୍ୟ ଜୀବନର ଶୀତଳ ଯୁଦ୍ଧରେ କେହି ବିଜୟଶ୍ରୀ ଲାଭ କରେନା । ପତିପତ୍ନୀ ଉଭୟଙ୍କର ପରାଜୟ ହୁଏ । ଏତିକି କଥା ପ୍ରଭାତଙ୍କ ମଗଜରେ ପଶିଲା ନାହିଁ କାହିଁକି ? ସୁଚିତ୍ରାଙ୍କରମୌନତାରହାତୁଡ଼ି ପ୍ରହାରରେ ତାଙ୍କର ବର୍ଷ ବର୍ଷର ଦାମ୍ଭିକତାର ପାହାଡ଼ଭାଙ୍ଗିପଡ଼ିଛି । ସୁଚିତ୍ରାଙ୍କର ଗର୍ବ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇପାରେ ବୋଲି ତାଙ୍କର ପୌରୁଷର ଅହଂକାର ତାଙ୍କୁ ପ୍ରରୋଚନା ଦେଉଥିଲା । ଆଜି ସେ ସୁଚିତ୍ରାଙ୍କୁହାତଧରିକ୍ଷମାଭିକ୍ଷା କରିବେ । କହିବେ“ଚିତ୍ରା, ମୋତେ କ୍ଷମା କରିଦିଅ । ଭୁଲ ମୋର । ତମର ନୁହେଁ ।’’

 

ପ୍ରଭାତ ଭାବୁଥିଲେ, ସତରେ କ’ଣ ଖୁବ୍‌ ଶୀଘ୍ର ଅସ୍ତମିତ ହୋଇଯିବ ତାଙ୍କର ପଚିଶ ବର୍ଷର ସମ୍ପର୍କ ?

 

ବିଗତ ଦିନଗୁଡ଼ିକ ଗୋଟି ଗୋଟି ହୋଇ ମନେପଡ଼ି ଯାଉଥିଲେ । ସୁଚିତ୍ରାଙ୍କ ସହ ପ୍ରଥମ ସାକ୍ଷାତ୍‌କାର ଦିନ । ସର୍ବଭାରତୀୟ ଚାକିରିରେ କୃତିତ୍ୱ ହାସଲ କରିବା ପରେ ସୁଚିତ୍ରାଙ୍କ ଅଭିନନ୍ଦନ । ତା’ପରେ ପାରମ୍ପରିକ କନ୍ୟା ଦେଖା, ବିବାହ, ଝିଅର ଜନ୍ମ, ପୁତ୍ରର ଆଗମନତଡ଼ିତ୍‌ ବେଗରେ ଗୋଟିଏ ପରେ ଗୋଟିଏ ଦୃଶ୍ୟ ଆଖି ଆଗରେ ଭାସି ଯାଉଥିଲା । କେଡ଼େଜଲ୍‌ଦି କ୍ଷୟ ହୋଇଗଲା ଦାମ୍ପତ୍ୟ ଜୀବନର ମଧୁମୟ ପ୍ରଥମ କୋଡ଼ିଏ ବର୍ଷ । ସେଗୁଡ଼ିକୁ ଗଣିବା ପାଇଁ ମଧ୍ୟ ଅବକାଶ ମିଳିଲାନି । କିନ୍ତୁ ପରବର୍ତ୍ତୀ ପାଞ୍ଚବର୍ଷ । ଓଃ... ତାକୁ ସ୍ମରଣକୁ ଆଣିଲା ମାତ୍ରେ ତାଙ୍କ ଦେହ ଶୀତେଇ ଉଠୁଥିଲା ।

 

ସୁଚିତ୍ରାଙ୍କର ବହୁତ କିଛି କହିବାକୁ ଇଚ୍ଛା ହେଉଥିଲା । କିନ୍ତୁ ଓଠ ଦୁଇଟି କଥା ମାନୁ ନଥିଲେ । ଜିଭ ମଧ୍ୟ ଅବାଧ୍ୟ ହେଉଥିଲା । ସେ ଜାଣନ୍ତି, ତାଙ୍କର ସମୟ ସରି ସରି ଆସୁଛି । କିନ୍ତୁ ପୃଥିବୀ ଏବେ ବେଶୀ ଲାଗୁଛି ମମତା-ଭରା । ଛାଡ଼ିଯିବାକୁ ମନ ବଳୁନି । ତାଙ୍କ ପାଖରେ କିଛି ପଛେ ନ ଥାଉ । ନ ଥାଉ ଗତାୟୁ ଯୌବନର ଆକର୍ଷଣ । ନ ଥାଉ ଦାମ୍ପତ୍ୟ ଜୀବନର ସୁଖଦ ମୁହୂର୍ତ୍ତଗୁଡ଼ିକ । ଯିବାକୁ ବିଲ୍‌କୁଲ୍‌ ଇଚ୍ଛା ହେଉନି । ପୁତ୍ର କନ୍ୟାଙ୍କର ମାୟାର ଡୋର ତାଙ୍କୁ ଟାଣି ଧରିଥିଲା । ସେ ଦୁହେଁ ସାଙ୍ଗ ହୋଇ ଏବେ ଗୋଟିଏ ଟ୍ରେନ୍‌ରେ ଫେରୁଥିବେ ।

 

ପର ମୁହୂର୍ତ୍ତରେ ସୁଚିତ୍ରା ଭାବୁଥିଲେ, ଏ ଜୀବନଟା ତାଙ୍କୁ କ’ଣ ବା ଦେଇଛି ? ସବୁ ହିସାବ ନିକାଶ କଲେ, କହିବାକୁ ପଡ଼ିବ ଯେ ଜୀବନ ତାଙ୍କଠୁ ନେଇଛି ବେଶି, ଦେଇଛି ଖୁବ୍‌ କମ୍‌ । ନାରୀର ଜୀବନରେ ଦୁଃଖ ବେଶି, ସୁଖ କମ୍‌ । ଶାସ୍ତ୍ର-ପୁରାଣ ତାକୁ ଦୁହିତା ବୋଲି ଆଖ୍ୟା ଦେଲାବେଳେ ବାସ୍ତବରେ ସେ କେଉଁ କୂଳକୁ ହୋଇରହେନି । କେଉଁଠି ନ ଥାଏ କର୍ତ୍ତୃତ୍ୱ । ଦୟା ଏବଂ ଅନୁକମ୍ପାର ଏକ ଭିକ୍ଷାଥାଳି ଧରି ତାକୁ ବିତାଇବାକୁ ପଡ଼େ ଏକ ସୁଦୀର୍ଘ ବିରକ୍ତିକର ଜୀବନ ।

 

ବିଗତ ପାଞ୍ଚବର୍ଷ ଧରି ସେ କେତେ ଯେ ଦୁଃଖ ହଜମ କରିଛନ୍ତି, ତା’ର ହିସାବ ନାହିଁ । କେବେ କାହା ସାମ୍‌ନାରେ ଦୁଃଖର ପସରା ମେଲେଇ ଦେଇନାହାନ୍ତି । କେବଳ ସୁମନ ଛଡ଼ା । ଝିଅପିଲା ସେ । ଖୋଲି ନ କହିଲେ ବି ଅନେକ କିଛି ବୁଝିଯାଏ । ତେବେ ସେ ଯେତିକି ଜାଣିଛି, ତାହା ସାମାନ୍ୟ । ତାକୁ ଚାଳିଶି ବର୍ଷ ହେଲା ପରେ ସେ ବୋଧହୁଏ ବାକୀ ସବୁ ବୁଝିଯିବ । ସେତିକିବେଳେ ଦେହର ଉତ୍ତାପର ପ୍ରଶମନ ନ ହେଲେ ବି, ସ୍ୱାମୀରସାନ୍ନିଧ୍ୟର ବେଶୀ ଆବଶ୍ୟକତା ପଡ଼େ । ସେ ଟିକିଏ ହାତଧରି ବସନ୍ତେ କି ପାଖରେ ! ନିଭୃତ ମୁହୂର୍ତ୍ତରେ ହୃଦୟର ଦୁଃଖ ସୁଖ ହୁଅନ୍ତେ କି ? ଆଜି ପୃଥିବୀ ଛାଡ଼ି ଯିବାକୁ ଗୋଡ଼କାଢ଼ି ବସିଲାବେଳେ ସ୍ୱାମୀଙ୍କୁ ଏସବୁ ବଖାଣିବାରେ କି ଲାଭ ହେବ ? ପ୍ରଭାତ ଯେ ନିଜ କୃତକର୍ମ ପାଇଁ ଲଜ୍ଜିତ ଓ ଦୁଃଖିତ, ସେସବୁ ତାଙ୍କ ଆଖି ଓ ଓଠର ସ୍ପନ୍ଦନରୁ ବୁଝିପାରିଛନ୍ତି । ତାଙ୍କ ଆଖିରେ ଆଖି ପଡ଼ିବା ମାତ୍ରେ ସେ ଝାଉଁଳି ପଡ଼ନ୍ତି । ଏତିକିବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ନ୍ତୁ, ଏହା ସୁଚିତ୍ରା ଚାହାନ୍ତି ନାହିଁ । ତେଣୁ ସେ ଘଡ଼ିଆଡ଼େ ହାତ ଠାରିଲେ । ପ୍ରଭାତ ବୁଝିପାରିଲେ । ଟ୍ରେନ୍‌ ଆସିବାର ବେଳ ହୋଇଗଲାଣି । ସୁମନ ଓ ବୁଲୁ ଆସୁଥିବେ । ପ୍ରଭାତ ଫୋନ୍‌ କରିବାକୁ ଡ୍ରଇଂରୁମ୍‌କୁ ଗଲେ ।

 

ଏହି ସୁଯୋଗରେ ସୁଚିତ୍ରା କାଗଜ କଲମ ଧରି ଚିଠିଟିଏ ଲେଖିଲେ । ହାତ ଧରି ଯାଉଥିଲା । ଅକ୍ଷର ଅଙ୍କାବଙ୍କା ହୋଇଯାଉଥିଲା । ଏହି ନିରୋଳା ମୁହୂର୍ତ୍ତରେ ଆଖିରୁ ଅମାନିଆ ଅଶ୍ରୁଧାର ଝରି ଯାଉଥିଲା ।

 

“ବହୁତ ହନ୍ତସନ୍ତ କଲିଣି ତମକୁ । ଗଲା ଜନ୍ମରେ କି ପାପ କରିଥିଲି କେଜାଣି, ଏ ଜୀବନରେ ନରକ ଯନ୍ତ୍ରଣା ଭୋଗିବାକୁ ପଡ଼ିଲା । ସେହି ନରକକୁ ତୁମ ସମସ୍ତଙ୍କୁ ଟାଣିଆଣିଲି ।

 

ହେଲେ, ଏବେ ଯାଉଛି । ଆଉ ତୁମକୁ ଖର୍ଚ୍ଚାନ୍ତ କରିବିନି । ଆଉ ତୁମେ ମୋ’ ପାଇଁ ରାତି ରାତି ଅନିଦ୍ରା ହେବନି ।

 

ସୁମନ ଓ ବୁଲୁ ଏ ପର୍ଯ୍ୟନ୍ତ ଆସିଲେନି । ତାଙ୍କୁ ଦେଖିଥିଲେ ଆଖି ବୁଜିବା ପୂର୍ବରୁ ମନଟା ପୂରିଥାନ୍ତା । ମଲା ପୂର୍ବରୁ ଅନ୍ତତଃ ତୁମକୁ ଦେଖି ମଲେ ମୋର ଜୀବନ ସାର୍ଥକ ହେବ । ସ୍ୱାମୀ ପାଖରେ ଥାଇ ଶେଷ ନିଃଶ୍ୱାସ ତ୍ୟାଗ କରିବାଠାରୁ ଆଉ ବଡ଼ ସୌଭାଗ୍ୟ ସ୍ତ୍ରୀ ପାଇଁ କାହିଁ ? ପିଲା ଦୁହେଁ ଲାଗିଲେ । ସେମାନଙ୍କୁ ମୋର ସ୍ନେହ ଦେବ ।

 

ଶେଷରେ ଆଉ ଗୋଟିଏ କଥା କହିଦିଏ । ଏହା ମୋତେ ବହୁ ପୂର୍ବରୁ ବୁଝିବାର ଥିଲା ଏବଂ କହିବାର ଥିଲା । ତୁମେ ସ୍ୱାମୀ, ତୁମେ ହିଁ ବଡ଼ । କେବଳ ବୟସରେ ନୁହେଁ, ବିଦ୍ୟା ଓ ବୁଦ୍ଧିରେ ମଧ୍ୟ । ସ୍ୱାମୀ-ସ୍ତ୍ରୀ ସମାନ ବୋଲି ଡିବିଡିବି କରି ଡିଣ୍ଡିମ ପିଟିବା ଏକ ମସ୍ତବଡ଼ ଭ୍ରମ । ଅହଂକାରର ଶିକାର ନ ହୋଇ, ମୁଁ ତୁମ ପଛେ ପଛେ ଚାଲିବାର ଉଚିତ ଥିଲା । ଛାଡ଼, ଯାହା ହେବା କଥା ହୋଇଯାଇଛି । କ୍ଷମାର ସାଗର ତୁମେ । ମୋର ଏହି ଅହଂକାର ପାଇଁ କ୍ଷମା କରିଦେବ ।

 

ମୋର ସୁନା ସବାରି ଆସିଗଲା । ମୁଁ ଏବେ ଚାଲିଲି... । ମୋର ବାପଘରଯେଉଁଠିକୁ ସେଦିନ ଯାଇପାରି ନଥିଲି... ।’’

 

ବାହାରେ କାର୍‌ର ହର୍ଣ୍ଣ ଶୁଭିଲା । ଟେଲିଫୋନ୍‌ ଛାଡ଼ିଦେଇ ପ୍ରଭାତ ଘରର ଫାଟକ ପାଖକୁ ଦୌଡ଼ିଗଲେ । ସୁମନ୍‌, ତା’ର ସ୍ୱାମୀ, ପିଲା ଓ ବୁଲୁ ସମସ୍ତେ ଆସିଛନ୍ତି । ସେମାନଙ୍କୁ ନେଇ ଗଳଦ୍‌ଘର୍ମ ହୋଇ ପ୍ରଭାତ ଶୋଇବା ଘରକୁ ଯାଇ କହିଲେ, “ଦେଖ, ଚିତ୍ରା, କିଏ ଆସିଛି ।’’

 

ସୁଚିତ୍ରାଙ୍କ ହାତରେ ଚିଠିଟି ଥିଲା । ପଲଙ୍କ ତଳକୁ ହାତଟି ଓହଳି ପଡ଼ିଥିଲା । ଅପଲକ ଆଖି ଦୁଇଟି ଅନାଇ ଥିଲେ ଘରର ଛାତ ଆଡ଼େ । ମୁହଁରେ ଲାଖିଥିଲା କରୁଣ ହସରୁ ଚେନାଏ ।

 

ଚିଠି ଲେଖିବା ପାଇଁ ପରାଙ୍‌ମୁଖସୁଚିତ୍ରାଙ୍କର ଶେଷ ଚିଠିଟିକୁ ବାରମ୍ବାର ପଢ଼ୁଥିଲେ ପ୍ରଭାତ । ସତେ ଯେପରି ସେଇ ଚିଠି ତାଙ୍କ ଜୀବନର ପ୍ରଥମ ଓ ଶେଷ ପ୍ରେମପତ୍ର । ବୋଧହୁଏ, ତାହା କେବଳ ଏକ ପ୍ରେମପତ୍ର ନଥିଲା । ଏକାଧାରରେ ସେଇଟି ଥିଲା ପୁତ୍ର କନ୍ୟାଙ୍କ ପାଇଁ ସ୍ନେହ ଓ ଶ୍ରଦ୍ଧା ବଣ୍ଟନର ଏକ ‘ଉଇଲ’ ଏବଂ ସାରା ଦୁନିଆର ପତିପତ୍ନୀଙ୍କ ପାଇଁ ଏକ ଦୁର୍ମୂଲ୍ୟ ଶିଳାଲିପି ।

Image

 

ଗଡ଼ଜୟ

 

ଡେଙ୍ଗୁରାବାଲା ସକାଳୁ ସକାଳୁ ଡେଙ୍ଗୁରା ଦେଇଗଲାଣି । ରେଲେୱ ଷ୍ଟେସନ ପାଖ ଗାନ୍ଧୀ ନଗର ବସ୍ତି ଭଙ୍ଗାଯିବ । ସେଥିପାଇଁ ବସ୍ତିବାଲା ନିଜ ନିଜ ଜିନିଷପତ୍ର ନେଇ ଅନ୍ୟତ୍ର ଚାଲିଯାଆନ୍ତୁ ।

 

କାହିଁ କେତେ ବର୍ଷ ପୂର୍ବେ ସହରର ନାମଜାଦା ବ୍ୟବସାୟୀ ରେବତୀ ନନ୍ଦନ ଝୁନ୍‌ଝୁନ୍‌ୱାଲାଙ୍କର ଏ ଜାଗାରେ ଥିଲା ବଗିଚା । ଏଠି ଏବେ ତାଙ୍କ ବଂଶଧରମାନେ ଗଢ଼ିବେବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ । ଏକଦା ପରିତ୍ୟକ୍ତ ଏହି ଇଲାକାରେ ନିଜର ମାଲିକାନା ଫେରାଇ ଆଣିବା ପାଇଁ ସେମାନେ କୋର୍ଟରୁ ଅର୍ଡର ନେଇ ଆସିଛନ୍ତି । ରେଳ ଷ୍ଟେସନ ପାଖାପାଖି ହୋଇଥିବାରୁ ଏହି ଅପାଂକ୍ତେୟ ଜାଗାର ମୂଲ୍ୟ ଏବେ ଖୁବ୍‌ ବଢ଼ିଛି ।

 

ଗାନ୍ଧୀ ନଗର ବସ୍ତି । ସହରର ସବୁଠୁ ଅସନା ଅପରିଚ୍ଛନ୍ନ ଜାଗା ହିସାବରେ ଗଣା । ମାଡ଼ ଫୌଜଦାରୀ, ଚୋରୀନାରୀ ଏବଂ ଅନେକ ଅପକର୍ମ ପାଇଁ କୁଖ୍ୟାତ ଏହି ବସ୍ତିର ଗଳି, ଉପଗଳି । ଏଇ ବସ୍ତିକୁ ଏକ ନୂଆ ରୂପ, ନୂଆ ରଙ୍ଗ ଦେଇ ଗଢ଼ିବାର ପ୍ରତିଶ୍ରୁତି ଦେଇ ବସ୍ତିର ଆରମ୍ଭରେ ଫଳକଟିଏ ଝୁଲିଲାଣି, ‘ଝୁନ୍‌ଝୁନ୍‌ୱାଲା ଆପାର୍ଟମେଣ୍ଟସ୍‌’ ।

 

ଅଙ୍କାବଙ୍କା ହୋଇ ତିନି ଚାରି ଧାଡ଼ି ହୋଇ ପ୍ରାୟ ଶହେଟି ଘରର ଏ ବସ୍ତି । ଇଟା ବା ମାଟିର କାନ୍ଥ ଉପରେ କେରପାଲ ବା ତାରପୁଲିନ୍‌ ଢଙ୍କା ହୋଇଛି । କେତୋଟି ଝୁମ୍ପୁଡ଼ି ଉପରେ ଟିଣ ଛାତ । ପବନରେ ଉଡ଼ି ନଯିବା ପାଇଁ ପଥର ମଡ଼ାଣ ଦିଆଯାଇଛି । ଅନେକ ଝୁମ୍ପୁଡ଼ିରେ କବାଟ ନାହିଁ । କେତେକ ଜାଗାରେ ରେଳଡ଼ବାମାନଙ୍କୁସନ୍ତର୍ପଣରେ କଟାହୋଇ ଆସିଥିବା ଝର୍କା ଲାଗିଛି ।

 

ଗାଡ଼ିରେ କେତେକ ଘରର ଛାତଦେଇ ଜହ୍ନ ଦିଶେ । ତାରାମାନେ ଜୁଳୁଜୁଳୁ କରି ଅନାନ୍ତି । ବର୍ଷାଦିନେ ପାଣି ଗଳି ତଳେ ରଖା ହୋଇଥିବା କଡ଼େଇ ବା ଡେକ୍‌ଚିରେ ସୃଷ୍ଟି କରେ ଅପୂର୍ବ ଜଳତରଙ୍ଗର ସ୍ୱର ।

 

ଯେତେ କୁତ୍ସିତ, କଦର୍ଯ୍ୟ ହେଲେ ବି ବସ୍ତିବାଲାଙ୍କ ପାଇଁ ତାହା ହିଁ ପ୍ରିୟ ଭିଟାମାଟି । ବସ୍ତିଭଙ୍ଗା ହେବାର ଡେଙ୍ଗୁରା ଶୁଣି ଆଜି ହୈ ଚୈ ସୃଷ୍ଟି ହୋଇଛି । କେହି କାମଧନ୍ଦାକୁ ଯାଇନାହାନ୍ତି । ଆଗରେ ଅନିଶ୍ଚିତ ଭବିଷ୍ୟତର ଘନଘୋର ଅନ୍ଧକାର ।

 

କେତେ ଥର ଏ ବସ୍ତିକୁ ବିପଦ ଆସିଛି । ଟଳି ଯାଇଛି । ଆଜି ମଧ୍ୟ ଏ ବିପଦକୁ କୌଣସି ମତେ ଟାଳିବାକୁ ପଡ଼ିବସମସ୍ତଙ୍କ ମନରେ ଏହି ଗୋଟିଏ ଆଶାରଉଚ୍ଛ୍ୱାସ ।

 

ମ୍ୟୁନିସିପାଲିଟି ପାଣି ପାଇଁ ହେଉ, ବା କଣ୍ଟ୍ରୋଲ କିରୋସିନ ପାଇଁ ହେଉଟିକିଏ ଟିକିଏ କଥାରେ ବସ୍ତିର ଲୋକେ ନିଜ ନିଜ ଭିତରେ ହାତାହାତି, କାମୁଡ଼ାକାମୁଡ଼ି ହୋଇଯାଆନ୍ତି । ଆଜି କିନ୍ତୁ ସମସ୍ତେ ଏକଜୁଟ । ସମସ୍ତଙ୍କ ମୁଣ୍ଡ ଉପରେ ଯେମିତି ଆକାଶରୁ ଫାଳେ ଫାଟି ଝୁଲୁଛି ।

 

ବସ୍ତିମୁଣ୍ଡରେବଜରଙ୍ଗବାଲୀ ଚା’ ଦୋକାନ । ଗୋଟିଏ ଝଙ୍କାଳିଆ ବରଗଛ ମୂଳରେ ଦୋକାନଟି ଆସ୍ଥାନ ଜମାଇଛି । ସେହି ଚା’ ଦୋକାନ ହିଁ ଏ ବସ୍ତିର କ୍ଲବ୍‌ ଘର, ବୈଠକଖାନା, ରାଜନୀତି ଚର୍ଚ୍ଚାର ଆଡ୍‌ଡାସବୁକିଛି । ଏହାର ମାଲିକ ଭୀମସେନ ଓରଫ ଭୀମାଦାଦା । ସେ ଏ ବସ୍ତିର ମୁଖିଆ, ମାମଲତକାରସବୁ ନାଟର ଗୋବର୍ଦ୍ଧନ । ତା’ର ଅଙ୍ଗୁଳି ନିର୍ଦ୍ଦେଶରେ ଏ ବସ୍ତି ଉଠେ ଏବଂ ପଡ଼େ ।

 

ସକାଳ ଆଠଟା ହେଲାଣି । ଖରା ଟିକିଏ ଟାଣ ହେଲାଣି । ଡେଙ୍ଗୁରାବାଲା ଚାଲିଗଲା ପରେ ଆସିଲା ବୁଲଡୋଜର୍‌ । ତା’ପରେ ଆସିଲା କ୍ରେନ୍‌ । ତା’ପରେ ଦଳେ ମୂଲିଆ ନେଇ ଟ୍ରକ୍‌ଟିଏ । ଗାଁରେ ଯାତ୍ରା ଆରମ୍ଭ ହେବା ପୂର୍ବରୁ, ବାଜାବାଲା, ହାର୍‌ମୋନିୟମ୍‌, ଡୁବି ତବଲା ଗୋଟିଏ ଗୋଟି ହୋଇ ଆସି, ଉତ୍କଣ୍ଠାର ଶେଷରେ ନାୟକ ନାୟିକାମାନେ ମଞ୍ଚସ୍ଥ ହେଲାପରି, ସବା ପଛରେ ଆସିଲା ପୁଲିସ୍‌ ଭ୍ୟାନ୍‌ । ପୁଲିସ୍‌ ଭ୍ୟାନ୍‌କୁ ଅନୁସରଣ କରି କାର୍‌ରେ ଆସିଲେ ଝୁନ୍‌ଝୁନ୍‌ୱାଲାବିଲଡର୍ସର ଲୋକମାନେ ।

 

ବସ୍ତିର ଲୋକମାନେ ଚା’ ଦୋକାନ ପାଖରେ ବସ୍ତିକୁ ଯିବା ରାସ୍ତାକୁ ଖଟ, ଚଉକି, ମେଜ ପ୍ରଭୃତି ପକାଇ ଅବରୋଧ କରିଛନ୍ତି । ପୋଲିସ୍‌ ଗାଡ଼ି ସେଇଠି ରହିଗଲା । ପାଲ ଭିତରୁ ଜଣ ଜଣ ହୋଇ ପୁଲିସ୍‌ ତଳକୁ ଡେଇଁଲେ ।

 

ସବ୍‌ ଇନିସ୍‌ପେକ୍ଟରଙ୍କ ଆଦେଶରେ ସେଇଠି ଫଲ୍‌-ଇନ୍‌ କରି ଧାଡ଼ିବାନ୍ଧି ଠିଆ ହୋଇଗଲେ ।

 

ପୁଲିସ୍‌ ଇନିସ୍‌ପେକ୍ଟର ଏବେ ମାଇକ୍‌ରୁ ଘୋଷଣା କଲେବସ୍ତିବାଲା ଘର ଛାଡ଼ି ଚାଲିଯାଆନ୍ତୁ । କାହାର ଜୀବନହାନି, ଅଙ୍ଗପ୍ରତ୍ୟଙ୍ଗ ହାନି ହେଲେ ପୋଲିସ୍‌ ଦାୟୀ ରହିବ ନାହିଁ ।

 

ପୁଲିସ୍‌ ବନ୍ଧୁକ ଧରି ବସ୍ତିବାଲାଙ୍କ ମୁହାଁମୁହିଁ ହୋଇ ଠିଆ ହୋଇଥାନ୍ତି । ବସ୍ତିବାଲାଙ୍କ ମଧ୍ୟରେ ମୃଦୁ ଗୁଞ୍ଜରଣ । ସେମାନଙ୍କର ଆଖି କହୁଥିଲା, ସେମାନେ ଯେପରି କାହାକୁ ଖୋଜି ବୁଲୁଛନ୍ତି ।

 

ପରିସ୍ଥିତି ଧୀରେ ଧୀରେ ଅସମ୍ଭାଳ ହେଉଥିଲା । ଝୁନ୍‌ଝୁନ୍‌ୱାଲାବିଲଡର୍ସର ଲୋକେ ମଧ୍ୟ ବସ୍ତିଭଙ୍ଗା ଆରମ୍ଭ ନ କରି, କାହାର ରାସ୍ତାକୁ ଅନାଇ ବସିଥିଲେ ।

 

ଦଶ ବାର ବର୍ଷ ତଳେ ମଧ୍ୟ ଏ ବସ୍ତି ଭାଙ୍ଗିବା ପାଇଁ ଉଦ୍ୟମ ହୋଇଥିଲା । ସେଦିନ ଭୀମସେନ ଥିଲା ତାଙ୍କର ତ୍ରାଣକର୍ତ୍ତା । ଭୀମା ତା’ର ନିର୍ଘାତିଆଛାତିପିଟି, ବପୁବନ୍ତ ଜଙ୍ଘ ବାଡ଼େଇ, ରଣ ହୁଙ୍କାର ଦେଇ ବସ୍ତିଭଙ୍ଗାଳୀମାନଙ୍କର ସାମ୍‌ନା କରିଥିଲା । ଘାଇ ବାଟଦେଇ ମାଡ଼ି ଆସୁଥିବା ନଈବଢ଼ିର ପାଣିର ସାମ୍‌ନାରେ ଏକ ଓସାରିଆ କବାଟପରିବସ୍ତିଭଙ୍ଗାଳୀଙ୍କୁ ଏଇ ଭୀମା ରୋକି ଦେଇଥିଲା । ତା’ ଦେଖାଦେଖି ବସ୍ତିର ବୁଢ଼ା, ପିଲା, ତିର୍ଲା ସମସ୍ତେ ମାତି ଉଠିଥିଲେ । ସେହି ହୋ ହଲ୍ଲା ଭିତରେ ତା’ ଦୋକାନ ପଛପଟୁ ବୋମାଟିଏ ଫୁଟି ତା’ ଦୋକାନ ସମେତ କିଛି ଘର ଜଳି ଯାଇଥିଲା ।

 

ସେଥରବସ୍ତିଭଙ୍ଗାଳୀମାନେ ଫେରି ଯାଇଥିଲେ ।

 

ବସ୍ତିବାଲାମାନେ ବୋଧେ ଭୀମାର ଅପେକ୍ଷାରେ ଥିଲେ । ମନେ ମନେ ଭାବୁଥିଲେ, ସେଥର ଭଳି ଏବେ ବି କିଛି ଚମତ୍କାର ଘଟିବ । ବସ୍ତିଭଙ୍ଗା ବନ୍ଦ ହୋଇଯିବ ।

 

“ଭୀମା ଦାଦା କାହିଁ ? ଭୀମା ଦାଦା କାହିଁ ?’’

 

ଏହି ମୃଦୁ ଗୁଞ୍ଜରଣ ଏବେ ସର୍ବବ୍ୟାପକ ଶବ୍ଦ ହୋଇ ବସ୍ତି ସାରା ଛାଇ ହୋଇଯାଇଥିଲା । ଆଜିର ଦୁର୍ଦ୍ଦିନରେ ଭାସି ଯାଉଥିବା ଗୋପପୁରକୁ କେବଳ ଭୀମା ହିଁ ଗିରି ଗୋବର୍ଦ୍ଧନ ପରି ଟେକି ଧରିବ । ଭୋଟ୍‌ ବେଳେ ଆସୁଥିବା ନେତା, ମନ୍ତ୍ରୀ ଆଜି କେହି ପିଠିରେ ପଡ଼ିବେ ନାହିଁ ।

 

ବେଳ ଯେତିକି ଯେତିକି ଗଡ଼ି ଚାଲିଥିଲା, ସେମାନଙ୍କର ଆଶାର ଡେଣା ସେତିକି ସେତିକି ଲମ୍ବି ଚାଲିଥିଲା । ଭୀମା ଆସିଲେ କିଛି ଗୋଟିଏ ଚମତ୍କାର ଘଟିବ । ପେଟରେ ଯାହାର ଡହଡହ ଭୋକ, ପିଠିରେ ଚିରାଫଟା ପୋଷାକ, ଆଉ ମୁଣ୍ଡ ଉପରେ ଭଙ୍ଗାରୁଜା ଛାତ କିଛି କଞ୍ଚା ସ୍ୱପ୍ନ ଓ କଇଁଛ ଆଶାକୁ ନେଇ ବଞ୍ଚିଥାନ୍ତି ସେମାନେ ।

 

ଝୁନ୍‌ଝୁନ୍‌ୱାଲାଙ୍କ ଲୋକମାନେ ଅତିଷ୍ଠ ହୋଇଉଠୁଥିଲେ । ବହୁତ ଡେରି ହେଲାଣି ।

 

ମନେ ହେଉଥିଲା, ଯେପରି ଦୁଇ ଦଳ ସୈନିକ ସାମ୍‌ନାସାମ୍‌ନି ହୋଇ ଠିଆ ହୋଇଛନ୍ତି । ସେନାପତି ଆସିନାହାନ୍ତି ।

 

ଝୁନ୍‌ଝୁନ୍‌ୱାଲାଙ୍କ ଲୋକେ କାହାକୁ ଅପେକ୍ଷା କରିଥିଲେ ବସ୍ତିବାଲା ଠଉରାଇ ପାରୁନଥିଲେ । ସେମାନଙ୍କ ‘ଟେନ୍‌ସନ୍‌’ ବଢ଼ିବଢ଼ି ଚାଲିଥିଲା ।

 

ବାହାରେ କିଛି ଚହଳ ଶୁଭିଲା । ବୋଧହୁଏ ଭୀମା ଆସିଗଲା । ବସ୍ତିର କେତେକ ପିଲା ମେଜ ଉପରେ ଠିଆ ହୋଇ ‘ଭୀମା ଦାଦା ଆସିଗଲା’ ବୋଲି ଘୋଷଣା କରିଦେଲେ ।

 

ଭୀମା ଆସୁଥିଲା ଟଳି ଟଳି । ତା’ ସାଥୀରେ ଜିପ୍‌ରେ ଆଉ ସାତ ଆଠ ଜଣ ଲୋକ । ସମସ୍ତେ ମଦ ପିଇ, ହଲି ହଲି, ହୋ-ହଲ୍ଲା କରି କାହାକୁ ଅଶ୍ରାବ୍ୟ ଭାଷାରେ ଗାଳି ଦେଇ ଆସୁଥିଲେ, ଏଭଳି ଗଣ୍ଡଗୋଳିଆ ପରିସ୍ଥିତିରେ ବୁଝିବା କଷ୍ଟକର ହେଉଥିଲା ।

 

ଭୀମାର ଜିପ୍‌ ଚାରିପଟେ ବସ୍ତିବାଲା ଘେରିଗଲେ । ‘କୁଆଡ଼େ ଯାଇଥିଲୁ ଦାଦା’, ‘କେଉଁଠି ଥିଲୁରେ ବାପା’, ‘ଏ ସଂକଟରୁ ରକ୍ଷା କର ପୁଅ’ଏହିଭଳି କାକୁତି ମିନତିରେ ଚାରିଆଡ଼ମୁଖରିତ ହୋଇଗଲା ।

 

କିନ୍ତୁ ଏ କ’ଣ ? ଭୀମା ଗର୍ଜିଉଠିଲା“ଖବରଦାର୍‌ ! ଏ ରାସ୍ତାରୁ ହଟିଯା’, କହୁଛି । ଏ ଜାଗା, ତୁମ ବାପା ଗୋସବାପାଙ୍କର ନୁହେଁ । ଇଟାଟିଏ ରଖିଦେଲେ, କେରପାଲଟିଏ ଢାଙ୍କି ଦେଲେ ଏ ଜାଗା କ’ଣ ତୁମର ହୋଇଗଲା ? ଏ ଜାଗାରୁ ଉଠ, ନ ହେଲେ ଗୋଟି ଗୋଟି କରି କୁକୁଡ଼ା ବେକ ମୋଡ଼ିଲା ଭଳି ମୋଡ଼ିଦେବି ।’’

 

ବସ୍ତିବାଲା ଏହା ଶୁଣି ଅବାକ୍‌ । ଏ କ’ଣ ଭୀମା ଦାଦା କହୁଛି ? ପାଗଳ ହୋଇଗଲା ନା କ’ଣ ?

 

ଏହି ଭୀମା ଥିଲା ବସ୍ତିବାଲାଙ୍କ ଆଖିରେ ହିରୋ । ସେମାନଙ୍କ ପାଇଁ ସାକ୍ଷାତ୍‌ ଚଳନ୍ତି ଭଗବାନ୍‌ । ସେ ଯାହା କହେ, ସେମାନେ ପାଳନ୍ତି । ପିଲାମାନେ ତା’ର ଚା’ ଜଳଖିଆ ନେବା ଆଣିବା ଠାରୁ ଆରମ୍ଭ କରି, କଜଳୀ ବାଈ ପାଖକୁ ବେଉରା ନେବା ପର୍ଯ୍ୟନ୍ତ ସବୁ ବୋଲହାକ ବିନା ଦ୍ୱିଧାରେ କରନ୍ତି । ବସ୍ତିର ଡ୍ରାମାରେ ସବୁ କଳାକାର ମଞ୍ଚ ଉହାଡ଼ରୁ ବାହାରନ୍ତି । ଭୀମା ହାତ ହଲାଇ ହଲାଇ ଦର୍ଶକମାନଙ୍କ ଭିତରୁ ବାହାରେ । ତା’ର ସମସ୍ତ କାର୍ଯ୍ୟକଳାପ ବସ୍ତିବାଲାଙ୍କ ପକ୍ଷେ କରତାଳି ସହ ଗ୍ରହଣୀୟ ।

 

କିନ୍ତୁ ଆଜିର ଏ ପଟ୍ଟପରିବର୍ତ୍ତନକୁ ସେମାନେ ଗ୍ରହଣ କରିପାରୁ ନଥିଲେ ।

 

ଏ ବସ୍ତି ଭଙ୍ଗାରେ ପୋଲିସ୍‌ମାନଙ୍କର ସେଭଳି କିଛି ଭୂମିକା ନଥିଲା । ପରିସ୍ଥିତି ଅଣାୟତ୍ତ ହେବା ଭୟରେ ସେମାନଙ୍କୁ ଅଣା ଯାଇଥିଲା । କଥା ଥିଲା, ଝୁନ୍‌ଝୁନ୍‌ୱାଲା ନିଜ ଲୋକଙ୍କ ଦ୍ୱାରା ବଳପ୍ରୟୋଗ କରିବେ । ବସ୍ତିଭଙ୍ଗା ସଦୃଶ ସଂବେଦନଶୀଳ କାମରେ ସାମିଲ ହେବାକୁ ପୋଲିସ୍‌ କର୍ତ୍ତୃପକ୍ଷ ଚାହୁଁନଥିଲେ ।

 

ବସ୍ତୁତଃ, ତାହାହିଁ ଘଟିଲା । ଭୀମା ଓ ତା’ର ସାଥୀମାନେ ବୁଲ୍‌ଡୋଜର ଆଗରେ ଶୋଇଥିବା ବସ୍ତି ଲୋକଙ୍କୁ ଟାଣି ଓଟାରି ଉଠାଉଥିଲେ । ଯେ ପ୍ରତିରୋଧ କରୁଥିଲା, ତାକୁ ଧକ୍‌କାମାରି ପକାଇ ଦେଉଥିଲେ । ପୁରୁଷମାନଙ୍କୁ ମୁଥମାରିଲହୁଲୁହାଣ କରିଦେଲେ । କେତେ ସ୍ତ୍ରୀ ଲୋକଙ୍କର ଲୁଗା ଟାଣି ଅର୍ଦ୍ଧ-ଉଲଗ୍ନ କରିଦେଲେ ।

 

ଭୀମସେନ ଓ ତା’ର ଭଡ଼ାଟିଆ ଗୁଣ୍ଡା ଦଳଙ୍କ ଯୋଗୁଁ ବସ୍ତିରେ ସୃଷ୍ଟି ହୋଇଯାଇଥିଲା ହାହାକାର, ତୁମୁଳ ଆତଙ୍କ ।

 

ବସ୍ତିବାଲାଙ୍କର ସବୁ ଆଶା ଭରସା ଚୁର୍‌ମାର୍‌ ହେବାକୁ ଯାଉଥିଲା । କୌଣସି ଚମତ୍କାର ଘଟିଲାନି । ନା ବର୍ଷା, ନା ବିଜୁଳି । ନା ତୋଫାନ, ନା ଘଡ଼ଘଡ଼ି । ଭୀମାର ନିର୍ଦ୍ଦେଶରେ ବୁଲଡୋଜର୍‌ ଖଟ ଚଉକି, ମେଜ ଓ ନିଶୁଣି ପ୍ରଭୃତିର ଅବରୋଧ ଭାଙ୍ଗି ମାଡ଼ିଚାଲିଲା ଆଗକୁ ଆଗକୁ ।

 

ହଠାତ୍‌ ଏ କୋଳାହଳକୁ ଭେଦକରି ଶୁଭିଲା ବନ୍ଧୁକର ଶବ୍ଦ । ତା’ ସଙ୍ଗେ ସଙ୍ଗେ ଏକ ଆର୍ତ୍ତଚିତ୍କାର । ଗୋଲ ଗାବଦୁଲ୍‌ ଭୀମକାୟ ଭୀମସେନ ନିଜର ବାମଗୋଡ଼କୁଜାବୁଡ଼ି ଧରି ଟଳିପଡ଼ିଲା ।

 

ଭୀମା ତଳେ ପଡ଼ିଯିବା ଦେଖି ତା’ର ସାଥୀ ଭଡ଼ାଟିଆ ଗୁଣ୍ଡାମାନେ ପୃଷ୍ଠଭଙ୍ଗ ଦେଲେ । ବସ୍ତିର ପଛ ରାସ୍ତାଦେଇ ସେମାନେ ରେଳଷ୍ଟେସନ ଆଡ଼େ ମୁହାଁଇଲେ । ବିଜୟ ଉଲ୍ଲାସରେ ତାଙ୍କ ପଛେ ପଛେ ବସ୍ତିର କିଛି ଟୋକା ଗୋଡ଼ାଇଥିଲେ ।

 

ପୋଲିସ୍‌ ଫୋର୍ସ ଗହଣରେ କନେଷ୍ଟବଲ୍‌ ସନାତନ ଏ ପୃଷ୍ଠଭଙ୍ଗର ଦୃଶ୍ୟ ଦେଖି ହସି ହସି ଗଡ଼ି ଯାଉଥିଲା । ଅନେକ ବର୍ଷ ତଳେ ଭୀମା ଦାଦାର ନିର୍ଦ୍ଦେଶରେ ବୋମା ଫିଙ୍ଗି ସେ ବସ୍ତିଭଙ୍ଗା ରୋକି ଦେଇଥିଲା ଏବଂ ନିଜେ ଅନ୍ତର୍ଦ୍ଧାନ ହୋଇଯାଇଥିଲା । ଭାଗ୍ୟଚକ୍ରରେ ଏବେ ସେ ପୋଲିସ୍‌ ଫୋର୍ସରେ ସାମିଲ ହୋଇଛି । ମା’ ଛେଉଣ୍ଡ ସନିଆ ଓରଫ ସନାତନ ଏହି ବସ୍ତିରେ ହୋଇଥିଲା ପ୍ରତିପାଳିତ । ସେ ବସ୍ତି ଥିଲା ତା’ର ମା’ । ଜୀବନରେ ସେ ଯାହାକୁ ହିରୋ ଏବଂ ନିଜର ଆଦର୍ଶ ପରି ମାନି ନେଇଥିଲା, ସେ ଲକ୍ଷ୍ୟ କରୁଥିଲା ଯେ ସେ କିପରି ଏକ ପାତିମାଙ୍କଡ଼ରେ ରୂପାନ୍ତରିତ ହୋଇଛି । ଏକ ଅଦୃଶ୍ୟ ମାଙ୍କଡ଼ିଆର କୁହାଟରେ ସେ ହାତ ଟେକୁଛି, ଗୋଡ଼ ଟେକୁଛି ଏବଂ ଶେଷରେ ବସ୍ତିକୁ ନାରଖାର କରିବାକୁ ବାହାରିଛି । ଏହି ଚରମ ବିଶ୍ୱାସଘାତକତା ତା’ ପକ୍ଷରେ ଅସହ୍ୟ ଥିଲା ।

 

ସେଥିପାଇଁ ସେ ଭୀମାଦାଦାକୁ ଦେଇଛି ଶାସ୍ତି । ନିଜର ଏହି ବିଜୟକୁ ମନାଇବା ପାଇଁ ସେ ରାଇଫଲରେ ଗୋଟିକ ପରେ ଗୋଟିଏ ଗୁଳି ଭର୍ତ୍ତି କରି ଉପରକୁ ଫାଙ୍କା ଗୁଳି ଚାଳନା କରିଚାଲିଥିଲା ।

 

ପୋଲିସ୍‌ ସବ୍‌ଇନ୍‌ସ୍ପେକ୍ଟର ଭାବୁଥିଲେ ଯେ ବୋଧେ ସନାତନ ପାଗଳ ହୋଇଗଲା । ତାକୁ ଅନ୍ୟ ପୋଲିସ୍‌ମାନେକାବୁକରି ପକାଇଲେ । ଆହତ ଭୀମସେନକୁ ଭ୍ୟାନକୁ ଉଠାଇ ନେବାକୁ ପୋଲିସ୍‌ ସବ୍‌ଇନିସ୍‌ପେକ୍ଟର ନିର୍ଦ୍ଦେଶ ଦେଲେ । ପରିସ୍ଥିତିର ଗତି ଏଭଳି ମୋଡ଼ ନେବ ବୋଲି ତାଙ୍କ କଳ୍ପନାର ବାହାରେ ଥିଲା ।

 

ପ୍ରକୃତରେ ପରିସ୍ଥିତି ଏବେ ସଂଗୀନ୍‌ ହୋଇଯାଇଥିଲା । ଆଉ କିଛି ଭାବିବାକୁ ସମୟ ନ ପାଇ ସେ ସ୍କ୍ୱାଡକୁ ନିର୍ଦ୍ଦେଶ ଦେଲେ ।

 

“ସ୍କ୍ୱାଡ... ପିଛେମୁଡେଗା, ପିଛେ ମୁଡ୍‌ !’’

 

“ସ୍କ୍ୱାଡ... ଆଗେ ବଢ଼େଗା, ଆଗେ ବଢ୍‌ !’’

 

ଝୁନଝୁନ୍‌ୱାଲାଙ୍କ ଲୋକେ ହାଁକରି ଅନାଇ ରହିଥିଲେ ।

Image

 

ଛାଡ଼ଖାଇ

 

ଏଇ କେତେ ଦିନ ହେଲା ହୁରୁଷି ଦେଖୁଛି, ତା’ର ଚାଞ୍ଚରେ ମାଛ ବେଶି ପଡ଼ୁନାହାନ୍ତି । ଆଗରୁ ସଞ୍ଜବେଳେ ବିଲ ହୁଡ଼ାରେଚାଞ୍ଚ ବସାଇ ଦେଇ ଆସିଲେ ସକାଳୁ ତିନି ଚାରି କିଲୋ କେରାଣ୍ଡି, ତୋଡ଼ି, ମିରିକାଳି ପ୍ରଭୃତି ପଡ଼ୁଥିଲେ । ଦିନେ ଦିନେବଡ଼ବଡ଼ ଛେଲା କେରାଣ୍ଡି ଓ ବମ୍ବତୋଡ଼ି ମଧ୍ୟ ଲାଗି ଯାଉଥିଲେ । ସେଦିନ ଘରେ ରତନା ମା’ ଆମ୍ବୁଲ ପକାଇ ଝୋଳ କରୁଥିଲା । ଏବେ କିଛି ଦିନ ହେଲା କାହାର ନିଃଶ୍ୱାସ ପଡ଼ିଛି ଯେ, ବଡ଼ ମାଛର ତ ଦର୍ଶନ ନାହିଁ, ଚୂନା ମାଛ ବି କିଲେ ଲାଗୁନି ।

 

ଏଇ ଗୋବରୀ ବିଲ ଗାଁର ସବୁଠୁ ବେଶୀ ଉର୍ବର ଜମି । ଏଇ ଚକଡ଼ାରେଗାଁଗୋହିରିର ସବୁ ଖତ, ମୂତ, ଗୋବର ଜମା ହୁଏ ବୋଲି ତା’ର ନାଁଗୋବରୀ । ଏଠି ଆଉ ଖତ ସାର ଦେବାକୁ ପଡ଼େନି । ରୋଇଦେଲେ ଧାନ ଆପେ ଆପେ ଥୁଆ । କଳା ମସ୍‌ମସ୍‌ ହୋଇ ଚକାପଖିଆ ଧାନ ଏଠି ମୁଣ୍ଡେ ଉଞ୍ଚ ଠିଆହୁଏ ।

 

ଧାନବେଳେ ଯେମିତି ଧାନ, ଚତୁର୍ମାସ୍ୟାରେ ଯାହାକୁ ପାରେ ଯେତେ ମାଛ । ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର ମାସରେ ଆଣ୍ଠୁଏ ପାଣିରେ ଧାନ ଠିଆ ହୋଇଥାଏ । ବିଲରୁ ପାଣି ମାଡ଼ି ଚାଲିଥାଏ ଏବଂ ସେ ସମୟରେ ଢେର ମାଛ ଧରାହୁଏ । କୁଟୁମ୍ବ ସାରା ଖାଇ ଖାଇଅଜିଗିଳା ହୋଇଯାଏ । ବଳିଲା ମାଛ ଶୁଖୁଆ ହୁଏ ।

 

ହୁରୁଷି ଚିନ୍ତା କରୁଥିଲାମାଛ କମିଗଲେ କାହିଁକି ? ପାଣିର ଧାର ତ କମିନି । ଆଉ କ’ଣ କିଏ ହାତ ସଫେଇ କରୁଛି କି ?

 

ରାତି ପାହିଲେ ଛାଡ଼ଖାଇ । କାର୍ତ୍ତିକ ମାସ ସାରା ଯେଉଁମାନେ ଆଇଁଷଛାଡ଼ିଥିବେ, ଏଇ ଦିନଟିକୁ ବୋଧହୁଏ ଚାତକ ପରି ଚାହିଁ ବସିଥିବେ । ଏଦିନ ପାଟିରେ ମାଛମାଂସ ଟିକିଏ ନ ବାଜିଲେ ସେମାନେ ବୋଧେ ମନେକରନ୍ତି ଯେ ସେମାନଙ୍କ ତପସ୍ୟା କେଉଁଠି ଅପୂର୍ଣ୍ଣ ରହିଗଲା । ଏଦିନ ମାଛ ମାଂସ ଅଦର ଦର ହୁଏ । ମାଂସ ନାଁରେ ଖାସି, ଛେଳି, ବୋଦା, ଗାରଡ଼ ସବୁ କଟିଯାଏ । ଏ ଦିନ ମଧ୍ୟ କାହା ଗୁହାଳରୁ ଖାସି, କାହା ଢାବଲରୁ କୁକୁଡ଼ା, କାହାର ମାଛ ସହ ମୁଗୁରା ଉଭାନ ହୋଇଯାଆନ୍ତି ।

 

ବିଶେଷ କରି ସେଥିପାଇଁ ଆଜି ହୁରୁଷିର ଆଖିରେ ନିଦ ନାହିଁ । ଶୋଇ ଶୋଇ ସେ ଭାବୁଥିଲା, ଏବେ ଯଦି ତା’ ବିଲରୁ ମାଛ ଚୋରି ହେଉଥାଏ, ତା’ହେଲେ ଚୋର କିଏ ହୋଇପାରେ ?

 

ହୁରୁଷିର ବିଲ ତଳକୁ ଫଗୁଆର ବିଲ । ବିଲରେ ବଦଳ ପାଣି ପଶିଆସିଲେ, ପାଣି କଟାକଟିକୁ ନେଇ ବା ହୁଡ଼ାର କତି ମରାମରିକୁ ନେଇ, ସେମାନେ ଥରେ ଅଧେ ମନ ଫଟାଫଟି ହୁଏ ସିନା, ମୋଟାମୋଟି ସେମାନଙ୍କ ସମ୍ପର୍କ ଭଲ । ସେମାନେ ପ୍ରାୟ ସମବୟସୀ ଓ ସୁରୁଯ ମଇତ୍ର । ଜଙ୍ଗଲରୁ କାଠ, ଝାଟିମାଟି ଆଣିବାକୁ ଗଲେ, ପାଲା, ଯାନିଯାତ୍ରାଦେଖିଗଲେ ବା ଶୁକ୍ରବାର ହାଟକୁ ଗଲେ ଦୁହେଁ ଡକାହକା ହୋଇଯାଆନ୍ତି । ଫଗୁଆ ଯେ ତା’ର ଚାଞ୍ଚରୁ ମାଛ ଉଠାଇ ନେଉଥିବଏଇଟା ତା’ର କଳ୍ପନାର ବାହାରେ ଥିଲା ।

 

ତେବେ ମଣିଷ ମନ ତ ! ମାଛ ମାଂସ ଦେଖୁ ଦେଖୁ ହାତ ଖଲ ଖଲ ହୁଏ । ଲୋଭର ଲାଉଡଙ୍କ ଗଜୁରି ଉଠେ । ହୁରୁଷିର ଉପରମୁଣ୍ଡ ଜମି ବଇଷମ ମଳିକଙ୍କର । ବୟସ ଷାଠିଏ । ଏବେ ସେ ସତକୁ ସତ ବଇଷମ ପାଲଟି ଗଲେଣି । ନିଶ, ଦାଢ଼ିଛାଡ଼ିଲେଣି । କିଛି ଗୋଟିଏ ଗୁରୁଦୀକ୍ଷା ନେଇଛନ୍ତି । ମାଛ, ମାଂସ ଦେଖିଲେ ମୁହଁ ବୁଲାଇ ନିଅନ୍ତି ।

 

ହେଲେ ମଣିଷର ମାୟାକିଏ ବୁଝିବ ? କହନ୍ତି, ନରମାୟା ନାରାୟଣଙ୍କୁ ବି ଅଗୋଚର । ତା’ପରେ କର୍ମଯୋଗୀ ହୁରୁଷିର ଏ ବାବାମାନଙ୍କ ପ୍ରତି ବଡ଼ ସନ୍ଦେହ । ତା’ ମତରେ ଜଟାଜୁଟ ଓ ଗେରୁଆ ପୋଷାକର ଅନ୍ତରାଳରେ ଏଇମାନେ ହିଁ ବେଶୀ ଅପକର୍ମ କରନ୍ତି । ଏଇ ଗାଁକୁ ଗୁମ୍ଫା ବାବା, ଅନ୍ଧବାବା କେତେ କେତେ ବାବା ଆସି ଲୋକଙ୍କୁ ଭୁଆଁବୁଲେଇ ଅନ୍ତର୍ଦ୍ଧାନ ହୋଇଛନ୍ତିତା’ର ହିସାବ ନାହିଁ । ହୁରୁଷି ଭଜନ କୀର୍ତ୍ତନକୁ ଯାଏ । ମୃଦଙ୍ଗ ବଜାଏ ଏବଂ ସେଇଠି ହୁଏ ତା’ର ସ୍ୱରର ସାଧନା । ଗାଁର ସେହି ଗୋଟିଏ ଲୋକଯାହାକୁ ସାଧୁ, ସନ୍ନ୍ୟାସୀ, ତାନ୍ତ୍ରିକ, ଜ୍ୟୋତିଷ କେହି କବ୍‌ଜା କରିପାରି ନାହାନ୍ତି ।

 

ହୁରୁଷି ଏବେ ଭାବୁଥିଲାଉପର ସାହିର ମଦନାଟା ଆଉ ଗାଁକୁ ଫେରିଆସିଲାକି ? ସେଇଟା ବଡ଼ ଟକଳା । ଗାଁରେ ଥିଲେ ହନୁମନ୍ତ ପରି ବଡ଼ ଉତ୍ପାତ କରେ । ତା’ ପ୍ରକୋପରେ କାହା ବାଡ଼ିରେ କଦଳୀ କାନ୍ଧିଟିଏ, ପିଜୁଳିଟିଏ ବା କାନ୍ଧିଆଟିଏ ରହିପାରେନା । ରାତିରେ ଚାଞ୍ଚ, ଧଉଡ଼ି ସହ ମାଛ ଗାଏବ ହୋଇଯାଏ । କେତେ କେତେ ଘରେ କଳାକନା ବୁଲାଇଲା ପରେ କଟକ ଯାଇ ମାଲଗୋଦାମରେ କାମ କରୁଥିଲା । ସେ ଯଦି ଫେରିଥାଏ, ସେହିଁ ନିଶ୍ଚିତ ଭାବେ ଏ ମାଛ ଚୋରି ସୁଆଙ୍ଗର ଖଳନାୟକ ।

 

ସିଏ ଯିଏ ବି ହେଉନା କାହିଁକି, ହୁରୁଷି କାଲି ସକାଳେ ତାକୁ ଧରିବ । ରାତି ଥାଉଁଥାଉଁବିଲମୁଣ୍ଡ ଗଛରେ ଚଢ଼ି ଜଗିବ ।

 

ରାତି ଆଉ ପହଡ଼େ ଥିବ କି କ’ଣ ଆଖିପତା ଭାରି ଭାରି ହୋଇ ଆସିଲାବେଳକୁଫେରଣ୍ଡାର କୁହାଟ ଶୁଣି ହୁରୁଷି ଉଠିପଡ଼ିଲା । ବାହାରୁ ଥଣ୍ଡା ପବନ ଦମକାଏଦମକାଏ ଆସୁଥାଏ ଏବଂ ତା’ର ଦେହ କୁରୁଳି ଉଠୁଥାଏ । ଜହ୍ନ ଢଳି ଆସିଥାଏ । ପୁନେଇଁ ରାତିର ଜହ୍ନ ହେଲେ ବି ପାହାନ୍ତିଆକୁହୁଡ଼ି କାକର ବୋଳିହୋଇ ଯେମିତି ତା’ର ତେଜ ମହଳଣ ପଡ଼ିଆସୁଥାଏ ।

 

ହୁରୁଷି ଠିକ୍‌ କଲାବିଲକୁ ଯିବାପାଇଁ ଏହାହିଁ ଉଚିତ ସମୟ । ଆଉ ଟିକିଏ ପରେ ଗାଁମାଇପେ ଦାଣ୍ଡ ଖରକିବାକୁ ବାହାରି ପଡ଼ିବେ । ନିଆଁବରୁଆରେ ନିଆଁଧରାଇ ନଅଁ ନୁଆଁଣିଘଉଡ଼ାଇବା ପାଇଁ ଠେଙ୍ଗାଟିକୁ ଠକ୍‌ ଠକ୍‌ କରି ସେ ବିଲଆଡ଼େ ମୁହାଁଇଲା । ବିଲର ଅଳ୍ପ ଦୂରରେ ଥିବା ଝଙ୍କା ବରଗଛ ଉପରେ ଚଢ଼ି ବସିରହିଲା ।

 

କିଛି ସମୟ ବିତିଗଲା । କାଇଁକୁଆଡ଼ୁ କିଛି ସୋର୍‌ ଶବ୍ଦ ନାହିଁ । ଦୂରରୁ ସ୍ତ୍ରୀ ଲୋକଟିର ଗର୍ଜନ ତର୍ଜନ ଶୁଭିଲା ଏବଂ ଛୋଟ ପିଲାଟିଏ ଚିରାଢ଼ି ଉଠିଲା । ବୋଧହୁଏ ପିଲାଟି ଶେଯରେ ଏକ କରିଦେଲା । ପିଲାର ନାହାଳିବା ଶବ୍ଦ ଶୁଣି କୁକୁରଟିଏ ବି ସ୍ୱର ଲମ୍ବାଇ ଭୁକିଉଠିଲାଗାଆଣ ପଛେ ପଛେଶିରିପାଳିଆ ପାଳି ଧରିଲାପରି ।

 

କେହି ଜଣେ ପାଦରୁ ମୁଣ୍ଡଯାଏ ଧଳା ଲୁଗା ବେଢ଼େଇ ସେ ଆଡ଼କୁ ଆସୁଥିବାର ଝାପ୍‌ସାଝାପ୍‌ସା ଦିଶିଲା । ଗାଁଗୋହିରି ଦାଣ୍ଡ ଛାଡ଼ି ସେ ବିଲର ହୁଡ଼ାଆଡ଼କୁ ଏବେ ବାଙ୍କିଲା ।

 

କିଛି ବାଟ ଗଲାପରେ ବିଲର ହୁଡ଼ାରେକୋଇଲୀଖିଆ କଣ୍ଟା ହେଉ ବା ଶିଆଳ ଖିଆ କଙ୍କଡ଼ାହାଡ଼ ହେଉ, କିଛି ଗୋଟିଏ ଜିନିଷ ଗୋଡ଼ରେ ଗଳିଯିବାରୁ ‘ଏ ମାଲୋ’ କହି ଆଗନ୍ତୁକଟି ଚିତ୍କାର କଲା ଏବଂ ତା’ ହାତରୁ ରସ ଢାଳଟି ଖସିପଡ଼ିଲା ।

 

ହୁରୁଷି ଚିତ୍କାରରୁ ଅନୁମାନ କଲା, ଆଗନ୍ତୁକଟି ପୁରୁଷ ନୁହେଁନାରୀ । ଏଣିକି ସମସ୍ତ ବୃତ୍ତାନ୍ତ ତାକୁ ରହସ୍ୟରୁ ରହସ୍ୟତରଜଣାପଡ଼ିଲା । ପିଲାଦିନେ ସେ ଶୁଣିଥିଲା ଯେ, ଏହି ସମୟରେ ହିଁ ଘର ପୁରୁଷକୁ କବାଟ କିଳିଦେଇ ଡାହାଣୀମାନେ ବାହାରନ୍ତି । ସେମାନେ କୁଆଡ଼େ ଉପରକୁ ଗୋଡ଼ ଟେକି ମଇଳା ଚରି ଚରି ଯାଆନ୍ତି । ସେତେବେଳେ ତାଙ୍କ ମୁହଁ ବାଟେ ଭକ୍‌ ଭକ୍‌ ନିଆଁବାହାରେ ।

 

ତା’ର ଛାତି ଏବେ ଧଡ଼ପଡ଼ ହେବାକୁ ଆରମ୍ଭ କଲା । ସେଇ ମୂର୍ତ୍ତିଟି ଯେତେବେଳେ ବିଲ ଭିତରକୁ ପାଣି ଚବ୍‌ଚବ୍‌ କରି ପଶିଲା, ସେ ଟିକିଏ ଦମ୍ଭ ଧରିଲା ଏବଂ ଗଛରୁ ଓହ୍ଲେଇ ବିଲ ଆଡ଼କୁ ମୁହାଁଇଲା ।

 

ସେଇ ମୂର୍ତ୍ତିଟି ଚାଞ୍ଚ ପାଖରେ ଟିକିଏ ଠିଆହେଲା ଏବଂ ଏଣେ ତେଣେ ଚାହିଁଲା । ତା’ପରେନଇଁକରି ମାଛ ଧରିବାକୁ ଲାଗିଲା । କେତୋଟି ମାଛ ଢାଳରେ ପୂରାଇଲା । ତୋଡ଼ି ମାଛ ବୋଲି ଯେଉଁ ଲମ୍ବା ମାଛଟିକୁ ଧରିବାକୁ ଗଲା, ସେଇଟା ସରସର ହୋଇ ଚାଞ୍ଚ ବାହାରକୁ ଚାଲିଆସିବାରୁ ସେ ଚମକି ଉଠିଲା । ବୋଧହୁଏ, କୋଚିଆଟିଏ ପଡ଼ିଥିଲା । ଏହି ସମୟରେ ହୁରୁଷି ସେଠି ପହଞ୍ଚି ଯାଇଥିଲା ଏବଂ “କିଏ ମାଛ ନେଉଛ’’ କହି ତା’ର ଲୁଗା କାନିଟି ଧରି ପକାଇଲା ।

 

ଲୁଗା ଖୋଲିଦେଇ ସେହି ମୂର୍ତ୍ତିଟି ପ୍ରାଣ ବିକଳରେ ଡଗଡଗ ହୋଇ ଧାଇଁକରି ଉପର ପଟ ଆଖୁ ବିଲ ଭିତରେ ପଶିଗଲା ଏବଂ କରଡ଼ା ଝାଟି ପାଖରେ ଜାକିଜୁକି ହୋଇ ବସିରହିଲା ।

 

ହୁରୁଷିର ଗଳାରେ ଏବେ ଅସ୍ୱାଭାବିକ ଉତ୍ତେଜନା । ହାତରେ ଠାକି ଯାଇଥିଲା ମରଦ ପିନ୍ଧା ଲୁଗାଟିଏ ।

 

“କିଏ ତୁ ବାହାରି ଆ ! ନ ହେଲେ ଏଇନା ପାଟି କରିବି । ପାଖ ଉଘାରିରୁ ଲୋକ ଦୌଡ଼ି ଆସିବେ । ବାହାରି ଆ’ କହୁଛି ।’’

 

ହୁରୁଷିର ଧମକ ଚମକ ଶୁଣି କାନ୍ଦିଉଠିଲା ନାରୀଟିଏ । ମାଛ ମୁଗୁରାରେ ପଶି ଯାଇଛି ଯେମିତି ମାଗୁର ମାଛଟିଏ । ଆଉ ମୁକୁଳିବାର ଚାରା ନାହିଁ ।

 

“ଭାଇ, ମୋତେ ଆଗ ଲୁଗାଟି ଦିଅ ।’’

 

ବାଡ଼ ସେପଟକୁ ଲୁଗାଟି ଦେଇ ଡୁଙ୍ଗି ଦେଲାବେଳକୁହୁରୁଷି ନିଜ ଆଖି ଦୁଇଟିକୁ ବିଶ୍ୱାସକରିପାରିଲାନି । ଏ ତ ବ୍ରାହ୍ମଣ ଘରର ବିଧବା ଝିଅ କମଳି । ବିଧବା ହେଲାପରେଗାଁରେ ଆସି ରହୁଛି ।

 

“ଆରେ, କମଳି ତୁ, ପୁଣି ମାଛ ?’’

 

କମଳିର ଆଖିରୁ ଧାର ଧାର ଲୁହ ବହିଗଲା ।

 

ଭାଇ, ରବି ଏବେ ଗାଁକୁ ଆସିଛି । ଛାଡ଼ଖାଇରେ ପିଲାଟି ମୁହଁକୁ କେମିତି ଆଇଁଷ ଟିକିଏ ଚଖେଇବି, ସେଥିପାଇଁ ଆସିଥିଲି । ମୁଁ ତ ବିଧବା । କୋଉ ବଜାର ହାଟକୁ ମାଛ ମାଂସ ପାଇଁ ଯାଇପାରିବି ?’’

 

ଏଇ କମଳି । କୋଉକୋଡ଼ିଏ ପଚିଶ ବର୍ଷ ତଳେ ସେ ଥିଲା ତା’ର ପିଲାଦିନର ଖେଳ ସାଥୀ । ଏଇ ପାଖ ପୋଖରୀରୁ କଇଁଫୁଲ ତୋଳିଛନ୍ତି । ଅଟକାଳୀ ଫୁଲ ଗୋଟାଇ ମାଳ ତିଆରି କରିଛନ୍ତି । ପାଖ ହୁଡ଼ିକୁ ଯାଇ ଦୁହେଁ ମିଶି ଛତୁ ତୋଳିଛନ୍ତି । ଚଷା ଘରର ପୁଅ ସାଙ୍ଗେ ସାଙ୍ଗ ହେବାରୁ କମଳି ଅନେକ ବାର ମାଡ଼ ଖାଇଛି । ତା’ପରେ ପରେ ଚାହୁଁ ଚାହୁଁଆକାସିଆଗଛପରିବଢ଼ିଛିକମଳି । ସେମାନଙ୍କ ରାସ୍ତା ସମ୍ପୂର୍ଣ୍ଣ ଅଲଗା କରିଦେଲା କମଳିର କୈଶୋର, ଯୌବନ, ବିବାହ ଏବଂ ଅକାଳ ବୈଧବ୍ୟ ।

 

ହୁରୁଷିର ଭାବିବାକୁ ସମୟ ନଥିଲା । କହିଲା, “ଲୁଗା ପିନ୍ଧି ଚଟାପଟ ଚାଲିଯା’ । ସିନ୍ଦୁରା ଫାଟି ଆସିଲାଣି । ବଡ଼ ଅନର୍ଥ ହୋଇଯିବ । ଏଇନେ ତୋ’ ଢାଳ । ପଚାରିଲେ, ମଇଦାନ ଆସିଥିଲୁ ବୋଲି କହିଦେବୁ । ମୁଁ ତୋ’ ଘରକୁ ମାଛ ପଠାଇଦେବି ।’’

 

କମଳିଗଲାପରେହୁରୁଷି ନିଜ ଚାଞ୍ଚଆଡ଼େ ଚାହିଁ ହତୋତ୍ସାହ ହୋଇପଡ଼ିଲା । ସେଇଟା ଦଳା ଚକଟାରେ ପାଣି ଭିତରେ ପଶିଯାଇଛି । ସବୁ ମାଛ ପାଣି ଓ କାଦୁଅ ଭିତରେ ଉଭାନ୍‌ ହୋଯାଇଛନ୍ତି । କେତୋଟି ଦରମଲାପୋବତା ମାଛ ଚାଞ୍ଚର ବାଉଁଶରେ ଲାଗି ସୁକୁସୁକୁ ହେଉଥିଲେ ଏବଂ ଚାଞ୍ଚର ପେଟ ଭିତରେ ଲାଗି ରହିଥିଲା କିଛି ନାଁନ ଜଣା ଦଳ ଓ ଗେଣ୍ଡା ଶାମୁକା ।

 

ହୁରୁଷି ଏବେ ପ୍ରମାଦ ଗଣିଲା । ଆଜି କେମିତି କରିବ ଛାଡ଼ଖାଇ ? ପିଲାଏ ଓ ରତନା ମା’ ଚାହିଁ ବସିଥିବେ ମାଛ ପାଇଁ । ମନେପଡ଼ି ଯାଉଥିଲା ଏଇ ଟିକିଏ ଆଗରୁ କମଳିକୁ ଦେଇଥିବା ପ୍ରତିଶ୍ରୁତି ।

 

ପିଲାଦିନର ମଧୁମୟ ସ୍ମୃତି ଏବେ ଆଣିଦେଲା ମୁହଁରେ ଅପୂର୍ବ ଦୀପ୍ତି । ବଳିଲା ବଳିଲା ମାଂସପେଶୀକୁ ଫେରିଆସୁଥିଲା ଅଫୁରନ୍ତ ଉତ୍ସାହ ।

 

ଜାତି ଜାତିକା ମାଛରେ ପରିପୂର୍ଣ୍ଣ ଫଗୁଆରଚାଞ୍ଚକୁ ଧରି, ନିଜ ଚାଞ୍ଚକୁଫଗୁଆର ବିଲରେ ରଖିଦେଇ ହୁରୁଷି ଧପାଳିଲା ଗାଁଆଡ଼େ ।

Image

 

ସାବ୍‌ଜାଶିଝୁବଣ

 

ସେଦିନ ରାମହରିଙ୍କ ଘରେ ମାଗୁରମାଛ ଝୋଳ ହୋଇଥିଲା । ଲଳିତା ତାଙ୍କ ପୁରୁଣାକାଳିଆ ଢାଞ୍ଚାରେ ବେସର ବାଟି ଝୋଳ କରିଥିଲେ । ରାମହରିଙ୍କୁ ଏବେ ଟିକିଏ ଚିଡ଼ିଚିଡ଼ା ରୋଗ ଧରିଲାଣି । ବୋଧହୁଏ ବୟସ ଦୋଷ । ମାଛ ତରକାରୀ ଗିନାଟିକୁ ଦୂରକୁ ଠେଲିଦେଇ କହିଲେ, “ବୁଢ଼ୀଟିଏ ହେଲଣି । ମାଗୁର ମାଛ ଝୋଳ କରି ଆସିଲାନି ? ଯାଇ ବୋହୂଠୁ ଟିକିଏ ଶିଖି ଆସୁନା ।’’

 

ରାମହରି ସତେ ଯେପରି ସାପ ଲାଞ୍ଜରେ ହାତ ମାରିଦେଲେ । ଲଳିତା ଫେରି ଯାଉଥିଲେ । ଏବେ ସାପ ପରି ଫଁ କରି ବୁଲିଆସିଲେ, “ବହୂ ପରଷା ଖାଇବାକୁ ଯଦି ଏତେ ମନ ହାଇଁପାଇଁ ହେଉଛି, ଯାଉନା । କିଏ ତମକୁ ଅଟକେଇଛି ବା ?’’

 

ଏକା ଏକା ଘର ଜଞ୍ଜାଳ ମୁଣ୍ଡେଇ ଦୀର୍ଘ ଚାଳିଶି ବର୍ଷ ବିତିଗଲା । ଚଉଦ ବର୍ଷ ନ ହେଉଣୁ ବୋହୂ ହୋଇ ଆସିଥିଲେ ଯେ, ତା’ପରେ ଦିନେ କାଳେ ବାପଘରମାଡ଼ିବା କପାଳରେ ଲେଖା ହେଇନି । ଶାଶୂ ଶ୍ୱଶୁର ଅକାଳରେ ଗଲେ ଯେ, ଏତେବଡ଼ ଘର, ହଳିଆ କମୁତୁଣୀ, ତା’ପରେଦି’ଟା ଦିଅର, ତିନିଟା ନଣନ୍ଦ ଏମାନଙ୍କ ସମସ୍ତଙ୍କ କଥା ବୁଝି ବୁଝି ସେ ଅକାଳରେ ବୁଢ଼ୀ ହୋଇଗଲେ । ଏବେ ରୋଷେଇ ଶିଖିବା ଭଳି ମରମ ଫୋଡ଼ିବା କଥା କହିଲେ ସେ ଆଉ ହଜମ କରନ୍ତେ କିପରି ?

 

ତାଙ୍କୁ କାନ୍ଦ ଆସିଲା । ସେଥିରେ ବି ସେ ରାମହରିଙ୍କୁଖୁଞ୍ଚା ଦେବାକୁ ଭୁଲିଲେନି ।

 

“ବୁଢ଼ାର ବେଶୀ ପ୍ରପଞ୍ଚ ବାହାରୁଛି । ଯାଉନା ରହିବ ଭୁବନେଶ୍ୱରରେ ।’’

 

ଲଳିତାଙ୍କ ଏ କଟୁକଥା, ବିଶେଷକରି ‘ବୁଢ଼ା’ ଶବ୍ଦଟି ରାମହରିଙ୍କ ଦେହରେ ବାଟୁଳିଖଡ଼ା ପରି ବାଜିଲା । ସେ ଆଉ ନ ଖାଇ ଉଠିଗଲେ ।

 

ଖରାବେଳଟା ଯାକ ଗୁମ୍‌ସୁମ୍‌ ହୋଇ କଟିଗଲା । ଅଭିମାନରେ ସେ ଲଳିତାଙ୍କୁ ପାଣି ମନ୍ଦିଏ ବା ପାନ ଖିଲଟିଏ ବି ମାଗିଲେନି । ସଞ୍ଜବେଳକୁ ହଳିଆ ସନିଆକୁ ଡାକି ବିଲକାମ ବୁଝାଇ ଦେଲେ । ଦୁଇ କିଲୋ ମାଗୁର ମାଛ ପରଦିନ ସକାଳୁ ସକାଳୁ ଆଣିଦେବା ପାଇଁ ତା’ ହାତରେ ଗିରିଗିରିଆ ପାଖକୁ ବେଉରା ପଠାଇ ଦେଲେ । ବଡ଼ ତମ୍ବି ତୋଫାନରେ ନିଜର ବ୍ୟାଗ୍‌, ଛତା, ଲୁଗା, ଫତେଇ ଇତ୍ୟାଦି ଖଟ ପାଖରେ ଏକାଠି କରି ରଖିଲେ ।

 

ଲଳିତା ଜାଣିନେଲେ ଯେ ରାମହରିଙ୍କ ଭୁବନେଶ୍ୱର ଯିବାଟା ନିଧାର୍ଯ୍ୟ ହୋଇଗଲା । ସେଥିରେ ସେ ଟିକିଏ ବି ବ୍ୟସ୍ତ ହେଲେନି । ସେ ରାମହରିଙ୍କନାଡ଼ି ଚିପିଛନ୍ତି । ସେ ଘରଛାଡ଼ିଦି’ଦିନ ଠାରୁ ଅଧିକା କେଉଁଠି ରହିପାରିବେନି । ଭଲ ହେଲା, ଏଇ ମଉକାରେ ପୁଅ ପାଖକୁ ଚୁଡ଼ା ଗଣ୍ଡିଏ, ମୁଢ଼ି ଗଣ୍ଡିଏ, ବଡ଼ି ଓ ପିଠା ପଠାଇ ଦେବେ ।

 

ସୁକାନ୍ତକୁକାକରାପିଠା ଭଲ ଲାଗେ । ସାଙ୍ଗେ ସାଙ୍ଗେ ପିଠା କରିବାର ବରାଦ କଲେ । ରତନିକୁ କହିଲେ, ଚାଉଳଚୂନା କରି ନେଇଆସିବାକୁ । ନିଜେ ନଡ଼ିଆ କୋରି, ଛେନାମାରି ପୂର ବନାଇବାରେ ଲାଗିଗଲେ । ଜାତି ଜାତି ପିଠା ଗଢ଼ିବାରେସିଦ୍ଧହସ୍ତା ଲଳିତା ।

 

ଦିନ ସରି ରାତି ହେଲାଣି । ରାମହରି ସେମିତି ମୁହଁ ଫୁଲେଇ ଥା’ନ୍ତି । କେତେବେଳେ ଶୋଇଗଲେଣି । ପିଠା ଖାଇବାକୁ ଲଳିତା ଡାକିଲାବେଳେ ହାତ ଛିଞ୍ଚାଡ଼ି ଦେଇ ଛିଗୁଲେଇ ହୋଇ କହିଲେ, “କଥା କହିବାକୁ ଠୋ ଠା, କ’ଣ ନା ଖା’ କାକରା ପିଠା ।’’

 

ଲଳିତା ଜାଣିଥିଲେ ତାଙ୍କର ରାଗ ଏଭଳି ହୁଦସ୍ତ ଆସେ । ପିଠା ତିଆରି କରୁ କରୁ ରାତି ବେଶି ହୋଇଯାଇଥିଲା । ସେ ଉଠିବା ଆଗରୁ ରାମହରି ଭୋର ବସ୍‌ରେଗାଁଛାଡ଼ି ଦେଇଥିଲେ । ଧାର୍ଯ୍ୟ ଅନୁସାରେ, ବସ୍‌ଷ୍ଟାଣ୍ଡରେଗିରିଗିରିଆ ମାଛ ଧରି ଠିଆ ହୋଇଥିଲା ।

 

ବସ୍‌ ଚାଲିଥାଏ । ଦୁଇପଟେ ଧାନ ବିଲର କଳା ଛନଛନ ଚେହେରା ଦେଖି ରାମହରିଙ୍କ ମନଟା ଗାଁଆଡ଼େ ଟାଣି ହୋଇଯାଉଥାଏ । ବେହୁଡ଼ା, ବଛାବଛି କାମ ସରିଲାଣି । ହେଲେ ବି, ଅବିକା ବିଲରେ ପାଣି ବାନ୍ଧିକରି ରଖିବାକୁ ପଡ଼ିବ । ନିଘା ନ ରଖିଲେ, ବିଲରେ ଭୋଳକରି କିଏ ପାଣି ବାଟ ମାରଣା କରିଦେଇପାରେ ।

 

କିଏ ବା ହିଡ଼ କାଟି ଚାଞ୍ଚ ବା ମୁଗୁରା ବସାଇଲେ, ପାଣି ସବୁ ଖଲାସ ହୋଇଯାଇପାରେ ।

 

ହଠାତ୍‌ ଡେକ୍‌ଚିରେ ମାଗୁର ମାଛଙ୍କ ଫଡ଼ଫଡ଼ ଶୁଭିଲା । ମାଗୁର ମାଛ ଝୋଳ କଥା ମନେପଡ଼ି ମନଟା ଆମ୍ବିଳା ହୋଇଗଲା । ନାତି କଥା ମନେପଡ଼ିବାରୁ ମନଟା ଟିକିଏ ହାଲୁକା ହେଲା । ଅନେକ ଦିନ ହେଲା ମୁନ୍ନାକୁ ଦେଖି ନାହାନ୍ତି । ତାକୁ ଦେଖିବାକୁ ମନ ଉଚ୍ଛନ୍ନ ହେଲାଣି ।

 

ଭୁବନେଶ୍ୱର ପହଞ୍ଚୁ ପହଞ୍ଚୁ ଦିନ ଏଗାର । ନୂଆ ବସ୍‌ଷ୍ଟାଣ୍ଡ ଏବେ ସହରଠୁ ଅନେକ ଦୂରରେ । ସେଠୁ ଉଠାଣି ଗଡ଼ାଣି ରାସ୍ତାରେ ରିକ୍ସାରେ ଆସି ଆସିସୁକାନ୍ତରକ୍ୱାଟର ପାଖରେ ବାରଟା ବାଜିଗଲାଣି ।

 

ଭାଦ୍ରବ ମାସର ଖରା । ବିଚରା ରିକ୍ସାବାଲା ଝାଳରେ ତିନ୍ତିଗଲାଣି । ନୂଆପଲ୍ଲୀ ଆସିଗଲାରୁ ସେ ଟିକିଏ ଆଶ୍ୱସ୍ତ ହେଲେ । ନାତି କଥା ଭାବି, ପଥଶ୍ରମଟା ଆହୁରି ଊଣା ହୋଇଗଲା ।

 

କ୍ୱାଟର ସାମ୍ନାରେ ରିକ୍ସା ଛାଡ଼ିଦେଲା । ଏ କ’ଣ ? ଘର ଭିତରେ ଏଭଳି ହଟ୍ଟଗୋଳ କାହିଁକି ? ପାଟିତୁଣ୍ଡ ସାଙ୍ଗକୁ ବାସନକୁସନ ଫିଙ୍ଗା ଫୋପଡ଼ାର ଶବ୍ଦ ମଧ୍ୟ ମାଡ଼ିଆସୁଛି ।

 

ରାମହରି ରିକ୍ସାବାଲାକୁ ଚଟାପଟ ବିଦା କରିଦେଲେ । ନିଜର ବ୍ୟାଗ୍‌ ଓ ମାଛ ଡେକ୍‌ଚି ଧରି ବାରନ୍ଦାରେ ରଖିଲେ । ବ୍ୟାଗ୍‌ରୁ ଗାମୁଛା ବାହାର କରି ମୁହଁ ପୋଛିଲେ । ଝାଳ ଆହୁରି ବେଶି ବେଶି ବାହାରୁଥାଏଖରା ଯୋଗୁଁ ନୁହେଁଘର ଭିତରେ ଚାଲିଥିବା ଝଡ଼ତୋଫାନ ଯୋଗୁଁ । ମଝିରେ ମଝିରେ ଭାସିଆସୁଥାଏ ନାତିର କ୍ରନ୍ଦନ ରୋଳ ।

 

ରାମହରି କ’ଣ କରିବେ, ଭାବିପାରୁ ନଥିଲେ । ଯାହାହେଉ, ଭାଗ୍ୟ ଭଲ । ଗୋଟିକିଆ କ୍ୱାଟର ଯୋଗୁଁ ଏଠି ଏପର୍ଯ୍ୟନ୍ତ ଲୋକ ଜମାହୋଇ ନାହାନ୍ତି । ରକ୍ଷା ହୋଇଯାଇଛି ।

 

ପୁଅ ଆଜି ଅଫିସ୍‌ ଯାଇନି କାହିଁକି ? ଆଜି ତ କିଛି ପୂଜା ପାର୍ବଣ ନହିଁ । ଏୟା ଭାବି ଭାବି କବାଟ ଖଟ୍‌ଖଟ୍‌ କଲେ । ସୁକାନ୍ତ କବାଟ ଖୋଲିଲା ।

 

“ବାପା, ହଠାତ୍‌ ଆପଣ ?’’ ବୋଲି କହି ସସଂଭ୍ରମ ନମସ୍କାର କଲା ।

 

“ଏମିତି ହଠାତ୍‌ ଆସିଗଲି’’, କହି ମୁନ୍ନାକୁ କୋଳ କରିନେଲେ ରାମହରି । ଏହି ସୁଯୋଗରେ ସୁକାନ୍ତ ଭିତରକୁ ଚାଲିଗଲା । ବାପା ଆସିଛନ୍ତି ଜାଣି ମନୋରମା ବେଡ୍‌ରୁମ୍‌ ଭିତରେ ପଶିଗଲା ।

 

ଦୁଇ ତିନି ବର୍ଷ ପିଲାର କାନ୍ଦୁରା କାନ୍ଦୁରା ମୁହଁରେ ଏବେ ହସର ଝଲକଟିଏ ଖେଳିଗଲା ।

 

ରାମହରି ନାତିକୁ ଖେଳାଇ ଖେଳାଇ ଅନୁମାନ କରିପାରୁଥିଲେ ଯେ, ଏଇ ଟିକିଏ ଆଗରୁ ସିଂହରଡ଼ି ଦେଉଥିବା ସୁକାନ୍ତ ଏବେ ବିଲେଇ ଛୁଆପରି ବ୍ୟବହାର କରୁଛି । ବୋଧହୁଏ ସ୍ତ୍ରୀର ମାନଭଞ୍ଜନ କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛିଆଜି ଏତିକିରେ ଯୁଦ୍ଧ ଅବସାନ ଭେରୀ ବାଜୁ । ବାପା ଦିନେ ଦି’ଦିନ ରହି ସୁରୁଖୁରୁରେ ଚାଲିଯାଆନ୍ତୁ ।

 

ମନୋରମା ସହରୀ ଝିଅ । ଅବିକା ତାକୁ ସୁଯୋଗ ମିଳିଛି ସୁକାନ୍ତର ନାକ କାନ ମୋଡ଼ିବସଉଠ କରାଇବାକୁ । ସୁଯୋଗ ଛାଡ଼ିବ କାହିଁକି ? ଆଜି ସେ ବାପାଙ୍କଠୁ ଗାଳି ଖାଆନ୍ତୁ । ନଚେତ୍‌ ତାଙ୍କର ଗାଉଁଲିଆଅଣ୍ଡିରାପଣିଆ ଯିବନି ।

 

ବେଳ ଉଛୁର ହେଲାଣି । କାହିଁ ମନୋରମା ରୋଷେଇ ଘରକୁ ପଶି ଟୁଂ ଟାଂ କରିବାର ଶବ୍ଦ ତ ଆସିଲାନି । ବରଂ ବେଡ୍‌ରୁମ୍‌ କବାଟଟା ଧଡ଼କରି ବନ୍ଦ ହୋଇଗଲା । ଅଗତ୍ୟା ସୁକାନ୍ତ ସ୍କୁଟର ଧରି ଟିଫିନ୍‌ କ୍ୟାରିୟର ନେଇ ବାହାରକୁ ବାହାରିଲା । ରାମହରି ଦେଖି ନ ଦେଖିବାର ଛଳନା କଲେ ।

 

ମନ ଭିତରଟା ଗୋଳେଇ ଘାଣ୍ଟି ହେଲାଭାବିଲେ, ଯାଇ ବୋହୂକୁ ଡାକିବେ । ବୋଧହୁଏ, ତାଙ୍କ ମଧ୍ୟସ୍ଥତାରେ କିଛି ଗୋଟାଏ ସମସ୍ୟାର ସମାଧାନ ସୂତ୍ର ବାହାରିଯିବ । ଦୁଇ ପାଦ ଆଗକୁ ଯାଇ ପୁଣି ପଛକୁ ଫେରିଲେ । ଦେବୀ-ମନ୍ଦିରରେ ସତେ ଯେପରି ଶକ୍ତ ଲୁହାର କବାଟ ପଡ଼ିଛି । ତାକୁ ଡାକିଲେ, କାଳେ ରାମହରିଙ୍କୁଅନ୍‌ସନ୍‌ ବକିଯିବ ?

 

ବ୍ୟାଗ୍‌ରୁ ଗୋଟି ଗୋଟି ଜିନିଷ ଡାଇନିଂ ଟେବୁଲ ଉପରେ ରଖିଲେ । ପିଠା ପୁଡ଼ିଆଟିକୁ ଖୋଲିଲେ । ନାତିକୁ ଭୋକ ହେବଣି । କାକରା ପିଠାଟିଏ ଖୁଆଇଲେ ।

 

ନିଜକୁ ବି ଖୁବ୍‌ ଭୋକ ଲାଗିଲାଣି । କିନ୍ତୁ ପିଠା ଖାଇବାକୁ ହାତ ଯାଉନଥାଏ । କେତେ କ’ଣ ଭାବି କରିଆସିଥିଲେପାଠୋଇ ବୋହୂ । ରୋଷେଇରେ ଦୁଇ ତିନିଟା ଟ୍ରେନିଂ ନେଲାଣି । କେତେ ନୂଆ ଜିନିଷ ଶିଖିଲାଣି । ମାଗୁର ମାଛର ନୂତନ ବ୍ୟଞ୍ଜନ ଖାଇବେ ବୋଲି ମନରେ ପାଞ୍ଚି ଆସିଥିଲେ ।

 

ଭାବୁଥିଲେଏମାନଙ୍କର ପୁଣି ପ୍ରେମ ବିବାହ । ସେହି ଝିଅକୁ ବାହା ନ ହେଲେ ଆଦୌ ବାହା ହବନି ବୋଲି ଜିଦ୍‌ ଧରିଥିଲା ସୁକାନ୍ତ । ଗୋଟିଏ ବୋଲି ପୁଅ ତ ! ସେ ସୁଖୀ ହେବା ଦରକାର । ଯାନି ଯୌତୁକ ପଛେ ନ ମିଳୁ । ଏହା ଭାବି ରାମହରି ରାଜି ହୋଇଥିଲେ ।

 

କିନ୍ତୁ ଏ କ’ଣ ହେଲା ? ବୋହୂଟାର ଏତେ ଗଉଁ ? ଗାଁରୁ ଶ୍ୱଶୁର ଆସିଛନ୍ତି ଜାଣି ମଧ୍ୟ ଖେମ୍‌ଟା କରି ଶୋଇଛି । ଜନ୍ମକଲା ପିଲାଟା ମଧ୍ୟ ଖାଇଲା ନ ଖାଇଲା ପଚାରିବାକୁ ନାହିଁ । ରାଗରେ, ଅଭିମାନରେ ସେ ସନ୍ତୁଳି ହୋଇଯାଉଥିଲେ ଏବଂ ଭୋକ ଶୋଷ ଭୁଲି ଯାଇଥିଲେ । ମୁନ୍ନା ଆଙ୍ଗୁଳି ଦେଖାଇ ଡାକୁଥିଲା ବାହାରକୁ ବୁଲାଇ ନେବାକୁ । ରାମହରି ନିଜକୁ ସହଜ କରିନେଲେ । ହସି ହସିମୁନ୍ନାକୁ ପଚାରିଲେ“ନିଶ କାଇଁ ?’’

 

ମୁନ୍ନା ତାଙ୍କ ନିଶକୁ ଟାଣି କହିଲା, “ହେଇ...’’

 

“ମାଛର ନିଶ କାଇଁ ?’’

 

“କାଇଁ ?’’

 

“ରହ, ତୋତେ ମାଛର ନିଶ ଦେଖାଉଛି ।’’

 

ତା’ପରେରାମହରିଡେକ୍‌ଚିର ମୁହଁ ଖୋଲିଲେ । ମାଛଟିଏ ବାହାର କରି ନିଶ ଧରିଲାବେଳକୁ ସେଇଟା ଡେଇଁ ଡେଇଁ ନଳାରେ ପଡ଼ିଗଲା । ଛାଟିପିଟି ହୋଇ ଘୁଷୁରି ହୋଇ ଚାଲିଲା ବଡ଼ ନଳା ଆଡ଼କୁ । ମ୍ୟୁନିସିପାଲିଟି ନଳା । ବର୍ଷାଦିନ ଯୋଗୁଁ ପାଣି ବହିଯାଉଛି କଳ କଳ ହୋଇ ।

 

ଶିରକାଟି ନିଶ ଦେଖାଇ ମାଗୁର ମାଛ ଆଲକାତରା ପରି କଳା ଘୁମର ପାଣିରେ ହଜିଗଲା । ମୁନ୍ନା ତାଳିମାରି ହସିଉଠୁଥାଏ ।

 

ରାମହରି ଆଉ ଗୋଟିଏ ମାଛ ବାହାର କଲେ । ତା’ପରେ ଆଉ ଗୋଟିଏ... । ଗୋଟିଏ ଗୋଟିଏ ହୋଇ ମାଛସବୁଖପ୍‌ଖାପ୍‌ ଡେଇଁଗଲା ବେଳକୁ ମୁନ୍ନା ହସି ହସି ବେଦମ୍‌ ।

 

ଶେଷ ମାଛ ବେଳକୁ ବୋଧେ ନୟାନ୍ତ ହୋଇ ସେ ଢୋଳାଇବାକୁ ଆରମ୍ଭ କଲାଣି ।

 

ରାମହରିଡ୍ରଇଂରୁମ୍‌ରେମୁନ୍ନାକୁ ଶୁଆଇ ଦେଲେ । ସୁକାନ୍ତ ସେ ପର୍ଯ୍ୟନ୍ତ ଫେରିନି । ଦୁଇଟା ବେଳକୁ କେଉଁ ହୋଟେଲ୍‌ ବା ଖୋଲାଥିବ ?

 

କାକରାପିଠାପୁଡ଼ିଆରୁ ଦୁଇଟି ବ୍ୟାଗରେଭର୍ତ୍ତିକରି ଏକା ନିଃଶ୍ୱାସରେ ସେ ବସ୍‌ଷ୍ଟାଣ୍ଡକୁ ଛୁଟିଲେ ।

 

ବସ୍‌ରେ ନିଦ ଆସନ୍ତେ, ତାଙ୍କୁ ଯେପରି ବୋଧ ହେଲାସେ ଏକ ରଙ୍ଗ ବେରଙ୍ଗ ଏଣ୍ଡୁଅ ପାଲଟି ଯାଇଛନ୍ତି ଏବଂ ଡେଣାଲଗାବସ୍‌ଟା ତାଙ୍କୁ ଉଡ଼ାଇ ନେଉଛି ଏକ ସାବ୍‌ଜା ଶିଝୁ ବଣକୁ ।

Image

 

Unknown

ଝଡ଼ ଓ ଝାଉଁବଣ

 

ବାଂଲାଦେଶର ଆକାଶରେ ଆଜି ମୁକ୍ତିର ସୂର୍ଯ୍ୟ ଉଠିଛି । ରହିମ୍‌ ପରି ଅନେକ ନିଷ୍ପେଷିତ ବାଂଲାଦେଶୀ ପୁଣି ଭିଟାମାଟିକୁ ଫେରିଆସିଛନ୍ତି । କିଏ କୁଆଡ଼େ ହଜି ଯାଇଥିବା ଆତ୍ମୀୟସ୍ୱଜନ ପୁଣି ଏକାଠି ହୋଇଛନ୍ତି ।

 

ରହିମ୍‌ କିଛି ଫେରିପାଇନି ।

 

ରୋସ୍‌ନାରା ତା’ର ଜୀବନର ସବୁକିଛି ଥିଲା । ତାକୁ ଅନେକ ଖୋଜି ଖୋଜି ସେ ହତାଶ ହୋଇଛି । ଜୀବନର ସାଂୟକାଳରେ ସ୍ୱାଧୀନତା ବୋଲି ଜିନିଷଟି ତାକୁ କି ସାନ୍ତ୍ୱନା ଦେଇପାରେ !

 

ଉଦାସୀ ମନରେ ରହିମ୍‌ ପଦ୍ମା ବୁକୁରେ ଡଙ୍ଗା ବାହି ଦେଇଛି । ବାଲିପଠାରେଘଡ଼ିଆଳ କୁମ୍ଭୀରଟିଏ ଓଲଟିକରି ଶୋଇ ଉପରକୁ ଚାହିଁ ଯେପରି ସୂର୍ଯ୍ୟକିରଣ ପାଇଁ ଅଳି କରୁଛି । ଦଳ ଦଳ ମାଛରଙ୍କା ପକ୍ଷୀ ବେଳେବେଳେ ପଦ୍ମାର ନୀଳ ଜଳକୁ ଚୁମିଦେଇମନଖୁସିରେ ଚକ୍‌କର କାଟୁଛନ୍ତି । ସୂର୍ଯେ୍ୟାଦୟର ହିରଣ୍ମୟ କିରଣ ପଦ୍ମାନଦୀର ଜଳରେ ପ୍ରତିଫଳିତ ହୋଇ ଚିକ୍‌ ଚିକ୍‌ ମାରୁଛି । ରହିମ୍‌ ଡଙ୍ଗାର ଛାତ ଉପରେ ଭରାଦେଇ ଦୂର ଚକ୍ରବାଳକୁ ଚାହିଁଛି, ଅତି ପାଖରେ ଏସବୁ ସୌନ୍ଦର୍ଯ୍ୟର ବିଚ୍ଛୁରିତ ରନି ପ୍ରତି ତା’ର ଦୃଷ୍ଟି ନାହିଁ ।

 

ପ୍ରତିଦିନ କୁକୁଡ଼ା ଓ ବତକର ଅଣ୍ଡା ନେଇ ଆରପାରିରେ ସହରରେ ବିକିବା ତା’ର ବେଉସା । ସେଇ ଅବସରରେ କୌଣସି ହୋଟେଲରେ ବସି ଖବରକାଗଜ ପୃଷ୍ଠାଗୁଡ଼ିକ ସେ ତରତର କରି ଦେଖେ, କାଳେ ତା’ର ନିରୁଦ୍ଦିଷ୍ଟରୋସନାରା ସମ୍ପର୍କରେ କିଛି ଖବର ମିଳିଯିବ ।

 

ସେଦିନରକାଳରାତି । ମଧ୍ୟରାତ୍ରିରେ ମେସିନ୍‌ଗନ୍‌ର ପ୍ରକମ୍ପିତ ଶବ୍ଦ ଶୁଣି ରଙ୍ଗମାଟିଗାଁର ଲୋକେ ନିଦରୁ ଉଠିପଡ଼ିଥିଲେ । ସମସ୍ତଙ୍କୁ ମାଇକ୍‌ରେ ଆଦେଶ ଦିଆଯାଇଥିଲା, ଘରଭିତରୁ ରାସ୍ତାକୁ ବାହାରି ଆସିବାକୁ । ଯେଉଁମାନେ ଡରିମରି ଘର ଭିତରେ ଲୁଚି ରହିଥିଲେ, ରାଜାକାର ଓ ମୁଜାହିଦ୍‌ମାନଙ୍କଗୃହଦାହ ଫଳରେ ଘରଛାଡ଼ି ବାହାରକୁ ପଳାଇ ଆସିବା ବ୍ୟତୀତ ଗତ୍ୟନ୍ତର ନଥିଲା ।

 

ଅଜଣା ଆତଙ୍କରେ କାହା ମୁହଁରେ ପଦଟିଏ କଥା ନାହିଁ । ବାୟୋନେଟ୍‌ ମୁନରେ ଇଙ୍ଗିତ ଦେଇ ଅଫିସର ଜଣକ ଚଢ଼ାଗଳାରେ ନିର୍ଦ୍ଦେଶ ଦେଲେ ସ୍ତ୍ରୀ ଓ ପୁରୁଷ ଅଲଗା ଅଲଗାଲାଇନ୍‌ କରି ଠିଆହେବା ପାଇଁ ।

 

ବହଳିଆ ମୁଚ୍ଛ ତଳୁ ପାହାଡ଼ୀ ଅଫିସର ଜଣକ ଦିଶୁଥିଲେ ସୁନ୍ଦର ବନର ବାଘଠାରୁ ଆହୁରି ଦୁର୍ଦ୍ଦାନ୍ତ, ଆହୁରି ଭୟଙ୍କର ।

 

ଲାଇନ୍‌ ଭିତରୁ ସୁଶ୍ରୀ ତରୁଣୀମାନଙ୍କୁ ବଛାଗଲା । ଦଳେ ସୈନ୍ୟଙ୍କର ପହରା ଭିତରେ ସେମାନଙ୍କୁ କ୍ୟାମ୍ପକୁ ନେଇଗଲାବେଳେ ଯେଉଁ ଆତ୍ମୀୟସ୍ୱଜନମାନେ ବାଧା ଦେଲେ, ସେଇମାନେ ସଙ୍ଗେ ସଙ୍ଗେ ଗୁଳିର ଶିକାର ହେଲେ ।

 

ନିଜର ଏକମାତ୍ର କନ୍ୟାକୁ ବଳାତ୍କାର କରି ଭିଡ଼ି ନେଲା ଆଗରୁ ରହିମ ମନେ ମନେ ଆଲ୍ଲାଙ୍କୁ ସୁମରଣା କରୁଥିଲା । ସୈନ୍ୟମାନଙ୍କୁ ଆକୁଳ ଅନୁନୟ କରୁଥିଲା । ଧର୍ମର ଦ୍ୱାହି ଦେଇ କହୁଥିଲା, ଅବଳା ଉପରେ ଅତ୍ୟାଚାର କଲେ ଆଲ୍ଲା କ୍ଷମା କରିବେନି । ସବୁ କାକୁତି ମିନତିକୁ ଉପେକ୍ଷା କରି ରୋସନାରାକୁ ନେଇଯିବା ପରେ ସେ ମୂର୍ଚ୍ଛିତ ହୋଇଥିଲା । ପାହାନ୍ତାର କାକର ସ୍ପର୍ଶରେ ସେ ଯେତେବେଳେ ଚେତନା ପାଇ ଉଠେ, ଦେଖିବାକୁ ପାଏ ରାସ୍ତାରେ ପଡ଼ିଥିବା ଅନେକ ମୃତଦେହ । ରାସ୍ତାସାରାଜମାଟବନ୍ଧା ରକ୍ତର ଛିଟା । ଶବଗୁଡ଼ିକ ସେଇଠି ସେମିତି ପଡ଼ିଥିଲା । ସେଗୁଡ଼ିକ କବର ଦେବାପାଇଁ କେହି ସାହସ ସଞ୍ଚି ପାରିନଥିଲେ ।

 

କାଟ୍ରିଜ୍‌ର ଅପଚୟ ଭାବି ପାକିସ୍ଥାନୀମାନେ ଯେଉଁମାନଙ୍କୁ ଛାଡ଼ି ଯାଇଥିଲେ, ସେମାନେ ନିଜର ଅବଶିଷ୍ଟ ସମ୍ବଳ ଓ ପୈତୃକ ପ୍ରାଣଧରି ବାହାରିଲେ ହିନ୍ଦୁସ୍ଥାନ ।

 

କିନ୍ତୁ ରହିମ୍‌ ଯାଇପାରି ନଥିଲା । ନିଜର ଅଭାଗିନୀ କନ୍ୟାକୁ ବାହୁନି ବାହୁନି ସେ ଅହୋରାତ୍ରଅଶ୍ରୁବର୍ଷଣ କରୁଥିଲା । ଅନେକ ଦିନଧରି ମୁମୁର୍ଷୁ ଭାବେ ଘରେ ପଡ଼ିରହିବା ପରେ କେହି ଜଣେ ତାକୁ ମୁକ୍ତି-ବାହିନୀର ଅଣ୍ଡର ଗ୍ରାଉଣ୍ଡ କ୍ୟାମ୍ପରେ ଛାଡ଼ିଦେଇ ଯାଇଥିଲେ ।

 

ସେହିଦିନଠାରୁରହିମ୍‌ ଆଉ ରୋଗଶଯ୍ୟାରୁ ଉଠିନି । ମୁକ୍ତି-ବାହିନୀ ଗରିଲାମାନଙ୍କରନିଭୃତସୁଡ଼ଙ୍ଗରେ ଶୋଇରହି ସେ ରାତିସାରା ଭୟଙ୍କର ସ୍ୱପ୍ନ ଦେଖେ ।

 

ଶହ ଶହବାସ୍ତୁହୀନ ବାଂଲାଦେଶୀ ଧାଡ଼ିବାନ୍ଧି ଚାଲିଛନ୍ତି । ଅଶୀବର୍ଷର ବୃଦ୍ଧ କୌଣସି ଆତ୍ମୀୟ କାନ୍ଧରେ ଭରାଦେଇ, ଦୁଇ ଦିନ ଉପାସୀ ନାରୀ କାଖରେ ରୁଗ୍‌ଣ ଶିଶୁକୁ ଧରି ଝଡ଼ିବର୍ଷା ରାତିର ବିଭୀଷିକାକୁ ଖାତିର ନକରି ଚାଲିଛନ୍ତି । ଅବଶ ପାଦ ସବୁ ବାଧାବନ୍ଧନ, ପାଣି କାଦୁଅ ନ ମାନି ଆଗକୁ ଚାଲିଛନ୍ତି ।

 

ଆଗରେ ବଞ୍ଚିବାର ମୋହ ।

 

ଆଉ କେବେ ତା’ ଆଖିରେ ନିଜର ଗାଁଖେତବାଡ଼ି ଭାସିଯାଏ । କେଉଁଠି ଅଯନି ବର୍ଦ୍ଧିତ ଗାଈଗୋରୁ ପଶି ଧାନବିଲକୁଉଜାଡ଼ି ସାରିଲେଣି । ଶସ୍ୟଶ୍ୟାମଳାଗାଁଭୂଇଁ ହତଶ୍ରୀ ହେଲାଣି ।

 

ରଙ୍ଗମାଟିରେ ଆଜି ଜୀବନ ଥିବା ଭଳି ଜଣାପଡ଼ୁ ନାହିଁ । ଚାରିଆଡ଼େ ଶ୍ମଶାନର ନୀରବତା ଓ ପ୍ରେତପୁରୀରଆତଙ୍କରାଜ । ଏଣିକି ପ୍ରତିଦିନ ସକାଳ ହେଲେ ଏ ଚାଳରୁ ସେ ଚାଳ ଡେଇଁ କୁଆ ଶୁଭବାର୍ତ୍ତା ଦିଏନା । ପହଡ଼କେ ଥରେ ହିଡ଼ତଳୁ କିମ୍ବା କିଆବୁଦା ମୂଳୁ ବିଲୁଆପଲ ହୁକେ ହୋ ରାବ ଛାଡ଼ନ୍ତିନି ।

 

ପାକିସ୍ଥାନୀ ଫଉଜର ଆତଙ୍କରାଜ ଯୋଗୁଁ ରଙ୍ଗମାଟିର ଶାନ୍ତ ବାୟୁମଣ୍ଡଳରେ ଆଜି ଅଶାନ୍ତ ଝଡ଼ର ଝଙ୍କାର ଶୁଭୁଛି ।

 

ପ୍ରତିଦିନ ମୁକ୍ତି-ବାହିନୀ ଗରିଲାମାନଙ୍କବିଜୟବାର୍ତ୍ତା ଶୁଣି ବୃଦ୍ଧ ରହିମ୍‌ ରୋମାଞ୍ଚିତ ହୁଏ । ପୁଣି ପାକିସ୍ଥାନୀ ଫଉଜର ଗଣହତ୍ୟା ଓ ପାଶବିକ ଅତ୍ୟାଚାରର କାହାଣୀ ଶୁଣି ତା’ର ଶିଥିଳ ଧମନୀରେ ବିପ୍ଳବର ଅଗ୍ନି ଜଳିଉଠେ ।

 

ଭାରତୀୟ ସେନାବାହିନୀ ହସ୍ତକ୍ଷେପ କଲେଣି, ଏବେ ସେମାନେ ଘାଟି ଉପରେ ଘାଟି ଦଖଲ କରି ମାଡ଼ିଆସୁଛନ୍ତି ବୋଲି ଶୁଣି ତା’ର ବିଷଣ୍ଣ ମୁହଁର ଧବଳ ଧୂସର ଶ୍ମଶ୍ରୁରେ ହାତ ବୁଲାଇ ବୁଲାଇ ସେ ଭାବୁଥିଲା, ଏଣିକି ସେମାନଙ୍କର ଦୁର୍ଦ୍ଦିନର ପୂର୍ଣ୍ଣଚ୍ଛେଦ ପଡ଼ିବ ।

 

ଏହି ସୁଖସମ୍ବାଦ ଶୁଣି ଶୁଣି ସେ ଯେପରି ନିଜର ପୂର୍ବ ଉତ୍ସାହ ଓ ଶକ୍ତି ଫେରିପାଇଥିଲା । ଦିନେ ଶୁଣିବାକୁ ପାଇଥିଲା ସେ ଇଲାକାରୁ ପାକିସ୍ଥାନୀମାନେ ପଛଘୁଞ୍ଚା ଦେଇଛନ୍ତି । ରାତିର ଅନ୍ଧାର ଚିରି ମୁକ୍ତି ବାହିନୀର ବନ୍ଧୁକର ହୁଂକାରରେ ରଙ୍ଗମାଟିରକ୍ୟାମ୍ପରୁ କାହିଁ ପ୍ରତୁ୍ୟତ୍ତର ନାହିଁ ତ !

 

ନିଜର ଆତ୍ମବିଶ୍ୱାସ ଫେରିବା ପରେ ସେ ଡଙ୍ଗାଧରି ଆରପାରିକୁ ଯାଇଥିଲା । ଟର୍ଚ୍ଚ ବୁଲାଇ ତନ୍ନତନ୍ନ କରି ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗା ବାତୁଳ ପ୍ରାୟ ବୁଲିଥିଲା । କାଳେ ରୋସନାରା ମିଳିବ ।

 

ଅବଶେଷରେ ବୁଦିବୁଦିକିଆ ଜଙ୍ଗଲ ଭିତରେ ଢାଲୁ ଜାଗାଟିରେ ଦେଖିବାକୁ ପାଇଲା ମାଳ ମାଳ ନରକଙ୍କାଳ । ଶାଗୁଣା ଓ ଶୃଗାଲ ମୁହଁରୁ ଏତିକି ମାତ୍ର ଅବଶେଷ ରହିଛି ।

 

ରହିମ୍‌ ଆଉ କିଛି ବାଟଗଲା ପରେ ସ୍ତବ୍ଧ ହୋଇ ଠିଆହେଲା । ଆଗକୁ ଆଉ ଇଞ୍ଚେ ମାତ୍ର ଯିବା ପାଇଁ ତା’ର ଚଳତ୍‌ଶକ୍ତି ନଥିଲା । ଏ କ’ଣ ସେ ଦେଖୁଛି ? ଆଗରେ ଶହ ଶହ ନାରୀଙ୍କର ତାଜା ଶବ ପଡ଼ିଛି । ରହିମ୍‌ ରାତ୍ରିର ନିଭୃତ ପ୍ରହରରେ ଯେଉଁ ଭୟାନକ ସ୍ୱପ୍ନମାନ ଦେଖୁଥିଲା, ତାହା ଯେପରି ବାସ୍ତବ ରୂପ ନେଇଛି ।

 

ରହିମ୍‌ର ବୁଝିବାକୁ ବାକୀ ରହିଲା ନାହିଁ । ପୁନର୍ବାର ସମ୍ଭୋଗ ପାଇଁ ଅଯୋଗ୍ୟା ଏ ଅନ୍ତଃସତ୍ତ୍ୱା ନାରୀମାନଙ୍କୁ ରୁଣ୍ଡେଇ ପୁଣ୍ଡେଇ ନେଇ ଲାଭ କ’ଣ ? ବରଂ ଏ ମଉଳିଲା ଫୁଲଗୁଡ଼ିକୁ ଦଳି ମକଚି କିଛି ସାମୟିକ ଆନନ୍ଦ ଲାଭ କରାଯାଇପାରେ । ଏଥିପାଇଁ ଏ ସ୍ଥାନ ଛାଡ଼ି ଢାକା ଆଡ଼କୁ ଯିବା ପୂର୍ବରୁ ରଙ୍ଗମାଟି ଅଞ୍ଚଳରୁ ଅଣାଯାଇଥିବା ତରୁଣୀମାନଙ୍କୁ ଆଖିବୁଜିବାକୁ ପଡ଼ିଛି ।

 

ରହିମ୍‌ ଥରି ଥରି ଆଗକୁ ପାଦ ପକାଇଲା, ଟର୍ଚ୍ଚ ପକାଇ ଗୋଟି ଗୋଟି କରି ମୁହଁ ଦେଖିଲା ।

 

ଆଃ, କି ବୀଭତ୍ସ ଦୃଶ୍ୟ !

 

କେଉଁ ପୀନସ୍ତନୀର ବକ୍ଷୋଜ ବିଚ୍ଛିନ୍ନ ହୋଇଛି । କେଉଁ ଚାରୁନିତମ୍ବିନୀରଉରୁଭଗ୍ନ କରିଦିଆଯାଇଛି । କେଉଁ ସୁଲୋଚନାରନେତ୍ରପ୍ରାନ୍ତରୁ ରକ୍ତର ଧାର ବହୁଛି ।

 

କାହାର ହାତ ନାହିଁ ତ କାହାର ଗୋଡ଼ ନାହିଁ । ଆଉ କେହି ମୁଣ୍ଡ ନ ଥାଇ କବନ୍ଧ ଭଳି ଦିଶୁଛି । ସମସ୍ତ ଶାଳୀନତାକୁ ପଦାଘାତ କରି ଓ ମାତୃଜାତିକୁଅବଜ୍ଞାକରି କାହାର ଜନନେନ୍ଦ୍ରିୟରେ ବାୟୋନେଟ୍‌ ବିଦ୍ଧ କରାଯାଇଛି ।

 

ସମଗ୍ର ବିଶ୍ୱରେ ଓ ମାନବଜାତିର ଇତିହାସରେ ଏଭଳି ଜଘନ୍ୟ ଅତ୍ୟାଚାରର ପଟାନ୍ତର ନଥିବ ।

 

ମା’ ଓ କୁନିଛୁଆ କେଉଁଠି କୋଳାକୋଳି ହୋଇ ଆଖିବୁଜି ଦେଇଛନ୍ତି । ଚୀନାମାଟିର କେ„ଇ ସହ ଖେଳି ସାରିଲା ପରେ କିଏ ଯେପରି କେ„ଇଟିକୁ ଚଟାଣରେ ଫିଙ୍ଗି ଭାଙ୍ଗି ଦେଇଛି । କେଉଁ ନାରୀ ପାଇଁ ହୁଏତ ଗୁଳି ଗୋଳାର ଆବଶ୍ୟକତା ପଡ଼ିନି । ମିଳିତ ଧର୍ଷଣ ଯୋଗୁଁ ସେ ଭୂଲୁଣ୍ଠିତା ହୋଇଛି ।

 

ରହିମ୍‌ ଅଗଣିତ ଶବ ଭିତରେ ଶବ ପରେ ଶବ ଆଡ଼େଇ ଚାଲିଛି । କିନ୍ତୁ କାହିଁ ରୋସନାରାତା’ର ନୟନ ପିତୁଳା କନ୍ୟା ?

 

କେତେକ ମୁହଁ ଆଉ ଚିହ୍ନିବା ଅବସ୍ଥାରେ ନାହିଁ । କେଉଁ ନାରୀର କେଶପାଶ ମୁକୁଳି ମୁହଁସାରା ଖେଳାଇ ହୋଇ ଦନ୍ତ ଓ ମୁଖର କ୍ଷତକୁ ଲୁଚାଇ ଦେଇଛି । ଶତ୍ରୁ-ରକ୍ତରେ ବେଣୀବନ୍ଧନ କରିବାର ଶପଥ ପୂର୍ଣ୍ଣ ହେବା ଆଗରୁ ହତଭାଗିନୀଟି ଆରପୂରକୁ ଚାଲିଯାଇଛି ।

 

ରହିମ୍‌ ଆଣ୍ଠୁମାଡ଼ି ଅନେକ କ୍ଷଣ ବସିରହି ମନକୁ ମନ କହୁଥିଲା, “ହେ ମା’ ବସୁନ୍ଧରା, ଏ ନାରକୀୟ ଦୃଶ୍ୟ ଦେଖିବା ପୂର୍ବରୁ ତୁ ଦ୍ୱିଖଣ୍ଡ ନ ହେଲୁ କାହିଁକି ? ହେ ଆଲ୍ଲା, ଏସବୁ ଦେଖି ତୁମେ ସହିଲ କିପରି ?’’

 

ସେ ବୀଭତ୍ସ ଦୃଶ୍ୟ ଦେଖି ରହିମ୍‌ ଏପରି ଶକ୍ତ ଆଘାତ ପାଇଥିଲା ଯେ, ସେ ଯେପରି ତା’ର ବାକ୍‌ଶକ୍ତି ହରାଇ ବସିଥିଲା । ପ୍ରତିଦିନ ସହର ଯାଇ କାହା ସାଙ୍ଗରେ କଥାବାର୍ତ୍ତା ନ କରି ସେ ଖବରକାଗଜ ପଢ଼େ ଓ ପୁଣି ଫେରିଆସି ତା’ର ନିଃସଙ୍ଗ ନିଳୟରେ ରହିଯାଏ ।

 

ରହିମ୍‌ର ଜୀବନ-ଝାଉଁବଣରେ ବହୁବାର ଝଡ଼ ଆସିଛି । ବାରମ୍ବାର ତା’ର ନୀଡ଼ ଭାଙ୍ଗିଦେଇଛି । ଜଣକ ପରେ ଜଣେ ତା’ଠୁ ବିଦାୟ ନେଇଛନ୍ତି । ଆଦ୍ୟ-ଯୌବନରେ ଦେଶ ବିଭାଜନ ବେଳେ ଯେଉଁ ଝଡ଼ ଆସିଥିଲା, ସେଥିରେ ବଳି ହୋଇଥିଲା ତା’ର ବଡ଼ଭାଇକରିମ୍‌ । ତା’ର ଦଶବର୍ଷ ପରେ ବଢ଼ି ପରେ ପରେ ଯେଉଁ ମହାମାରୀ ଦେଖା ଦେଇଥିଲା, ସେଥିରେ କୁନି ଝିଅଟିକୁ ଛାଡ଼ି ଚାଲି ଯାଇଥିଲା ଫାତିମା ।

 

ପ୍ରତ୍ୟେକ ଝଡ଼ରେ ଯେପରି ଝାଉଁଗଛରେ ଗୋଟିଏ ଦୁଇଟି ଶାଖା ଭାଙ୍ଗି ପଡ଼ିଯାଏ । କିନ୍ତୁ ଏଥରରଝଡ଼ ତା’ର ମୂଳ ଉପାଡ଼ି ଚାଲିଯାଇଛି । ସେ ଅପେକ୍ଷା କରିଛି, ସେଇଦିନକୁ ଯେବେ ପଦ୍ମାର ବୁକୁରେ ଉଠିବ ଅଣଚାଶ ପବନ ଏବଂ ଶୁଖିଲା ଗଣ୍ଡିଭଳି ତା’ର ଦେହକୁ ଡଙ୍ଗା ସହ ଭଉଁରୀରେ ମାଡ଼ିଦେଇରୋସନାରାର ଆତ୍ମା ସହ ଏକାକାର କରିଦେବ ।

Image

 

ହାକିମଙ୍କ ଝିଅ

 

କଲିକତାରୁ ଖବର ଆସିଲାଆମ ବିଭାଗର ବଡ଼ ହାକିମ ଆମ ଡିଭିଜନ୍‌କୁଟୁର୍‌ରେ ଆସିବେ । ଖଣି ଅଞ୍ଚଳରେ ଏବେ ଲୋଡିଂ କମିଯାଇଛି । ଏ ବିଷୟରେ ସେ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବେ । କଞ୍ଚାମାଲ ଅଭାବରୁ ଇସ୍ପାତ କାରଖାନାଗୁଡ଼ିକ ଖୁବ୍‌ ତମ୍ବିତୋଫାନ କଲେଣି । ବଡ଼ ହାକିମ ଖଣି ମାଲିକଙ୍କ ସହ ମିଟିଂ କରିବେ ।

 

ବସ୍‌ଙ୍କର ଆଉ ଏକ ଆକର୍ଷଣ ଓଡ଼ିଶାର ଘନ ଘୋର ଜଙ୍ଗଲର ସୀମାହୀନ ସବୁଜିମା । ସେଥିପାଇଁ ସେ ଏହି ଅଞ୍ଚଳକୁ କୁଆଡ଼େ ନିୟମିତ ବ୍ୟବଧାନରେ ଆସନ୍ତି ।

 

ଏଥର ହାକିମଙ୍କ ସାଥିରେ ଆସୁଛନ୍ତି ତାଙ୍କ ପରିବାର-ପତ୍ନୀ ଏବଂ ତାଙ୍କର ଏକମାତ୍ର ଅଲିଅଳି କନ୍ୟା । ଆମ ଡିଭିଜନରେ ଦୁଇ ଦିନର ଗସ୍ତ ।

 

ମୋର ଉପର ହାକିମ ତାଙ୍କର ଗସ୍ତ ପାଇଁ ଯାବତୀୟ ଆୟୋଜନ କରିବାରେ ଲାଗିପଡ଼ିଲେ । କଲିକତାରୁ ସେଲୁନ୍‌ ଆସିଲେ ସେଲୁନ୍‌ କେଉଁଠି ଲାଗିବ, ତା’ପରେ ସେ ଯାଇ କେଉଁ ଗେଷ୍ଟ୍‌ ହାଉସ୍‌ରେ ରହିବେ, କେତୋଟି କାର୍‌ ଓ ଜିପ୍‌ ଆବଶ୍ୟକ ହେବ ଏସବୁ ଟିକିନିଖି ଯୋଗାଡ଼ଯନ୍ତ୍ର କରିବାରେ ସେ ଥିଲେ ଧୂରନ୍ଧର ।

 

ଆପାତତଃ ଏହିଭଳି ସ୍ଥିର ହୋଇଗଲା : କଲିକତାରୁ ସେଲୁନ୍‌ ଆସି ଲାଗିବ ନୋଆମୁଣ୍ଡି ଷ୍ଟେସନରେ । ସେଠୁ ଯାଇ ସେ ରହିବେ ଷ୍ଟିଲ୍‌ ପ୍ଲାଣ୍ଟ ଗେଷ୍ଟ ହାଉସ୍‌ରେ । ସେହି ଅଞ୍ଚଳଟି ଅନେକ ଦର୍ଶନୀୟ ସ୍ଥାନରେ ଭରପୂର । ପାଖରେ ଥିବା ମୁର୍ଗା ମହାଦେବ ମନ୍ଦିର, ହାଣ୍ଡିଧୂଆ ଜଳପ୍ରପାତ ବା ଆଦିବାସୀ ବସ୍ତିହାକିମଙ୍କ ପତ୍ନୀକୁଆଡ଼େ ବି ଦେଖିବାକୁ ମନ ବଳାଇପାରନ୍ତି । ସେଥିପାଇଁ ସବୁବେଳେ ମହଜୁଦ୍‌ ରହିବ କାର୍‌ ଏବଂ ଜିପ୍‌ ।

 

ସବୁ ଆୟୋଜନ ପରେ, ମୋର ଉପର ବସ୍‌ ଡାକି କରି କହିଲେ“ଶୁଣ, କିଛିଦିନ ହେଲା ମୋର ଦେହ ଭଲ ଲାଗୁନି । ତେଣୁ ବଡ଼ ହାକିମଙ୍କ ସହ ତୁମକୁ ଯିବାକୁ ପଡ଼ିବ ।’’

 

ସେ ବର୍ମା ସାହେବଙ୍କ ବିଷୟରେ ଏକ ଲମ୍ବା ଚଉଡ଼ାସର୍ମନ ଦେଲେ : ପରିଚାଳନା ବିଭାଗର ଜଣେ ପ୍ରବଦମାନ ପୁରୁଷ ସେ । ରେଳ ବିଭାଗରେ ଖୁବ୍‌ ନାଁଡାକ । କିନ୍ତୁ ଖୁବ୍‌ କଡ଼ା-ଟଫ୍‌ ଟାସ୍କମାଷ୍ଟର । ତାଙ୍କର ଏପରି ପ୍ରତାପ ଯେ, ସେ ଚାଲିଗଲେ ଷ୍ଟେସନ ପ୍ଲାଟଫର୍ମ ପଡ଼େ ଏବଂ ଉଠେ । ହକର, ପୋର୍ଟର ଓ ଅନ୍ୟାନ୍ୟ ଷ୍ଟାଫ୍‌ଙ୍କ ଭିତରେ ହୈ ଚୈ ସୃଷ୍ଟି ହୋଇଯାଏ ।

 

ମୁଁ ଏବେ ପ୍ରମାଦ ଗଣିଲି । ରେଳବାଇରେ ଏଇ ବର୍ଷେ ହେଲା ଜଏନ୍‌ କରିଛି । ଏତେ ବଡ଼ ହାକିମଙ୍କ ଟୁର୍‌ ପ୍ରୋଗ୍ରାମ୍‌ ସମ୍ଭାଳିବା କାମଟା ପର୍ବତ ମୁଣ୍ଡେଇ ବୁଲିଲା ସହ ସମାନ । ଏକରେ ବଡ଼କଡ଼ା ହାକିମ । ଦୁଇରେ, ହାକିମ ପୁଣି ଏକା ନୁହଁନ୍ତି । ସାଙ୍ଗରେ ସ୍ତ୍ରୀ ଏବଂ ଝିଅ ।

 

ବସ୍‌ ଆସିବାର ଗୋଟିଏ ଦିନ ଆଗରୁ ମୁଁ ସଦଳବଳ ନୋଆମୁଣ୍ଡିରେକ୍ୟାମ୍ପ ପକାଇଥାଏ । ସେ ରାତିରେ କଲିକତାରୁ ବାହାରି ପରଦିନ ବଡ଼ି ଭୋର ବେଳାରେ ନୋଆମୁଣ୍ଡିରେ ପହଞ୍ଚିବା କଥା ।

 

ରେଳବାଇର ବଡ଼ ହାକିମ ପରିଦର୍ଶନ କରିବାର ଥିଲେ ଖବରଟା ବିଜୁଳି ବେଗରେ ପ୍ରସାରିତ ହୋଇଯାଏ । ଷ୍ଟାଫ୍‌ମାନେଷ୍ଟେସନ୍‌କୁ ଷ୍ଟେସନ କଣ୍ଟ୍ରୋଲ ଫୋନ୍‌ ଜରିଆରେ ଖବରଟିକୁ ରାଷ୍ଟ୍ର କରିଦିଅନ୍ତି । ୟାର୍ଡରେ, କେବିନ୍‌ରେ, ପ୍ଲାଟଫର୍ମରେସବୁଆଡ଼େଚଳଚଞ୍ଚଳତାର ଚମକ ଖେଳିଯାଏ । ଷ୍ଟେସନ ଘରୁ ମାସ ମାସର ଅଳନ୍ଧୁ ଦୂର ହୋଇଯାଏ । ପ୍ଲାଟଫର୍ମରୁ ଘାସ, ଅରମାବଣ ସଫା ହୋଇଯାଏ । ରାତି ଦିନ ଲାଗି ରେକର୍ଡପତ୍ର ଠିକ୍‌ କରାଯାଏ । ଯେଉଁ ଷ୍ଟାଫ୍‌ମାନେ ଦିନ କୋଳେ ୟୁନିଫର୍ମପନ୍ଧିନ୍ତି ନାହିଁ, ସେମାନେ ଡରିମରିବେଖାପ ହେଲେ ବି ସେଗୁଡ଼ାକ ନ୍ଧିପକାନ୍ତି ।

 

ସେଦିନ ନୋଆମୁଣ୍ଡି ଷ୍ଟେସନ ନୂଆକରି ବେଶ ହୋଇଥିବା ବୋହୂରାଣୀ ପରି ଦିଶୁଥିଲା ।

 

ଏକ ଅଜଣା ଆଶଙ୍କା, ଉଦ୍‌ବେଗ ଓ ଉତ୍କଣ୍ଠା ସହ ବସ୍‌ଙ୍କ ଆସିବା ପାଇଁ ଆମେ ଅପେକ୍ଷା କରିଥାଉ । ଠିକ୍‌ ସମୟରେ ତାଙ୍କ ଟ୍ରେନ୍‌ ଆସି ପହଞ୍ଚିଗଲା ।

 

ବର୍ମା ସାହେବଙ୍କୁ ଆଗରୁ କେବେ ଦେଖିବାର ସୁଯୋଗ ହୋଇନଥିଲା । ସେ ସେଲୁନ୍‌ରୁ ପ୍ରଥମେ ଓହ୍ଲାଇଲେ । ଉତ୍ତର ଭାରତର ଲୋକ । ଦୀର୍ଘକାୟ, ବଳିଷ୍ଠ ଚେହେରା । ମୁହଁରେ ଲମ୍ବ ଓ ବହଳ ମୁଚ୍ଛ । ବୟସ ନିଶ୍ଚିତ ଭାବେ ପଚାଶ ଟପିଲାଣି । ମୁଣ୍ଡରେ କେରିକେରିଧବଳ କେଶର ଆଗମ ତାଙ୍କ ବୟସର ଆଭାସ ଦେଉଥିଲା ।

 

ଶ୍ରୀମତୀ ବର୍ମା ଅପେକ୍ଷାକୃତ କମ୍‌ ବୟସର । ବୋଧହୁଏ, ବହୁତ ଡେରିରେ ସେ ଆସିଛନ୍ତି ବସ୍‌ଙ୍କ ଜୀବନରେ । ତାଙ୍କ ସାଲୱାର ପଞ୍ଜାବୀ ପୋଷାକ ତାଙ୍କ ବୟସକୁ ଏତେ କମାଇ ଦେଇଥିଲା ଯେ, ତାଙ୍କ ବୟସ କଳନା କରିବା ସମୁଦ୍ରରେ ଲହଡ଼ି ଗଣିବା ଭଳି ଦୁଃସାଧ୍ୟ ଥିଲା ।

 

ତାଙ୍କର କନ୍ୟା ବେଶ୍‌ ସୁନ୍ଦରୀ । ପତଳା, ଗୋରା ତକତକ ଚେହେରା । ସେ ବି ସାଲୱାର, ପଞ୍ଜାବୀ ପିନ୍ଧିଥିଲା । ଦୁଇ ସୁନ୍ଦରୀଙ୍କ ମଧ୍ୟରେ ବସ୍‌ ଏକ ଦୈତ୍ୟରାଜ ପରି ଦିଶୁଥିଲେ । ତାଙ୍କୁ ଦେଖିଲେ ପେଟ ଭିତରୁ ହସର ହାବୁକା ଉଛୁଳି ଆସୁଥିଲା । କିନ୍ତୁ ହସିବାର ସମୟ ସେଇଟା ନଥିଲା ।

 

ସେମାନେ ପ୍ଲାଟଫର୍ମରେ ପଦାର୍ପଣ କଲା ପରେ, ଆମେ ଫୁଲତୋଡ଼ା ଧରି ସ୍ୱାଗତ କରିବାକୁ ଦୌଡ଼ିଗଲୁ ।

 

ଫୁଲତୋଡ଼ାଆଡ଼େ ଦୃଷ୍ଟି ନ ଦେଇ, ପ୍ଲାଟଫର୍ମରେ ଏଭଳି ଗହଳି କାହିଁକି ହୋଇଛି ତା’ର କାରଣ ଜାଣିବାକୁ ସେ ବଡ଼ବଡ଼ ଡୋଳା ଚାଳନା କରି ଚାରିଆଡ଼େ ସର୍ବେକ୍ଷଣ କରିନେଲେ ।

 

ମୋତେ ଗୋଟିଏ କଡ଼କୁ ଡାକିନେଇ ରୁକ୍ଷ ଗଳାରେ ପଚାରିଲେ, “ଏସବୁ ଜୋକରମାନେ କିଏ ?’’

 

ମୁଁ କିପରି ଭାବରେ କଥା ଆରମ୍ଭ କରିବି କହିବାକୁ ଛେପ ଢୋକୁ ଢୋକୁ ଇତିମଧ୍ୟରେ ଉପସ୍ଥିତ ଭଦ୍ରବ୍ୟକ୍ତିମାନେ ଗୋଟିଏ ଗୋଟିଏଫୁଲତୋଡ଼ା ଧରି ପହଞ୍ଚିଗଲେ ।

 

ମୁଁ ପରିଚୟ କରାଇଦେଲି ।

 

“ଏ ହେଲେ ମି. ଶର୍ମା, ଏଠିକାରମାଇନିଂକର୍ପୋରେସନ୍‌ର ଡାଇରେକ୍ଟର ।’’

 

“ଏ ହେଲେ ମି. ରାଜା ରେଡିପାଖ ସିମେଣ୍ଟ କାରଖାନାର ଜେନେରାଲ ମ୍ୟାନେଜର ।’’

 

“ଏ ରାଘବେନ୍ଦ୍ର ମହାପାତ୍ର, ଖଣି ମାଲିକ ।’’

 

ଯେଉଁମାନଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜାଣିନଥିଲି, ସେମାନେ ନିଜ ନିଜ ପରିଚୟ ଦେଲେ । ସେଥିରେ ଥିଲେ ଆଉ କିଛି ଖଣିର ମାଲିକ । ଆଉ କିଛି କାରଖାନାର କର୍ମକର୍ତ୍ତା ।

 

ଇତି ମଧ୍ୟରେ ବସ୍‌ଙ୍କର ଲଗେଜ୍‌ ଗାଡ଼ିକୁ ବୁହା ସରିଥିଲା । ସାକ୍ଷାତ୍‌ କରିବାକୁ ଆସିଥିବା ଭଦ୍ରବ୍ୟକ୍ତିମାନେ ନିଜ ନିଜଗାଡ଼ିକୁ ଫେରି ଯାଉଥିଲେ । ମୁଁ ଗାଡ଼ିର ଆଗ ସିଟ୍‌ରେ ବସିବା ମାତ୍ରେ ଗାଡ଼ି ଷ୍ଟାଟ୍‌ କଲା । ଆଉ ତା’ ସଙ୍ଗେ ସଙ୍ଗେ ପଛରୁ ଶୁଭିଲା ଗାଳିର ଗୁଡୁମ୍‌ ଗୁଡୁମ୍‌ ଆୱାଜ୍‌ ।

 

“କ’ଣ ମିଷ୍ଟର । ତମେ ତ ବଡ଼ ଅଦ୍ଭୁତ ଲୋକ । ପ୍ଲାଟଫର୍ମରେ ହିଁ ମିଟିଂ ଡାକିଦେଇଛ ।’’

 

“ନା ସାର୍‌, ମିଟିଂ ତ ଷ୍ଟିଲ୍‌ ପ୍ଲାଣ୍ଟ ଗେଷ୍ଟହାଉସ୍‌ରେ ।’’

 

“ତା’ହେଲେ ଏଠି ଏତେ ଲୋକଙ୍କର ଶୋଭାଯାତ୍ରା କାହିଁକି ? ସେମାନେ ଗେଷ୍ଟହାଉସ୍‌କୁ ଆସିଥିଲେ ତ ସାକ୍ଷାତ୍‌ ହୋଇଥାନ୍ତା । ଏମାନଙ୍କୁ ଏଠାକୁ କାହିଁକି ଡାକିଥିଲ ?’’

 

“ନା ସାର୍‌, ସେମାନେ ଆପଣଙ୍କୁ ସ୍ୱାଗତ ଜଣାଇବା ପାଇଁ ଆପେ ଆପେ ଆସିଥିଲେ । ଆପଣଙ୍କ ପରି ରେଳବାଇର ବଡ଼ ହାକିମ ଆସିବେଏ କଥା ପୁଣି ଅଛପା ରହିବ ?’’

 

ସକାଳୁ ସକାଳୁ ଗାଳିଦେବା କେତେକ ବସ୍‌ଙ୍କର ଅଭ୍ୟାସଗତ ପ୍ରକୃତି । ତେଣୁ ମୋତେ ଅପାରଗ, ଅପଦାର୍ଥ ପ୍ରଭୃତି ଯାହା ମନକୁ ଆସିଲା, କହିଯିବାକୁ ସେ ପଛଘୁଞ୍ଚା ଦେଲେ ନାହିଁ । ଏ ଗାଳିବର୍ଷଣ ଶୁଣି ଶୀତଦିନ ସକାଳେ ମୋ’ ଦେହରୁ ଗମ୍‌ ଗମ୍‌ ଝାଳ ବହିଯାଉଥିଲା ।

 

ଶ୍ରୀମତୀ ବର୍ମା ଓ ତାଙ୍କ ଝିଅ ମୋର ଏହିପରି ଦୟନୀୟ ଅବସ୍ଥା ଦେଖି ମୁର୍କିମୁର୍କିହସିଉଠୁଥିଲେ ।

 

ସେଦିନ ଏଗାରଟା ବେଳେ ମିଟିଂ ଥିଲା । ମୁଁ ଘଣ୍ଟାଏ ଆଗରୁ ପ୍ରସ୍ତୁତ ହୋଇ ଗେଷ୍ଟହାଉସ୍‌ ଲାଉଞ୍ଜରେ ଅପେକ୍ଷା କରିଥାଏ ।

 

ଲାଉଞ୍ଜର ଉପର ମହଲାରୁ ତଳକୁ ସିଡ଼ି । ପ୍ରାୟ ବାରଟାବେଳେରେଡ଼ କାର୍ପେଟ ପଡ଼ିଥିବା ଷ୍ଟେୟାରକେସ୍‌ରେବ୍ରିଫ୍‌କେଶ ଧରି ବସ୍‌ ଧୀରେ ଧୀରେ ଓହ୍ଲାଇଲେ । ମୁଁ ବ୍ରିଫ୍‌କେଶଟି ତାଙ୍କ ହାତରୁ ଧରିବା ପାଇଁ ଦୌଡ଼ିଗଲି ।

 

ସେ ଖୁବ୍‌ ଜୋର୍‌ରେଗର୍ଜିଉଠିଲେ “ଏ କି ଫାର୍ସ ? ତମେ କ’ଣ ପିଅନ ଯେ ବ୍ରିଫ୍‌କେଶ ଧରିବା ପାଇଁ ଦୌଡ଼ି ଆସୁଛ ?’’

 

ଗେଷ୍ଟହାଉସ୍‌ରଷ୍ଟାଫ୍‌, ଆମର ପିଅନ, ଡ୍ରାଇଭର ଅନେକ ଲୋକ ସେଠି ମହଜୁଦ ଥିଲେ । ସର୍ବୋପରିବସ୍‌ଙ୍କୁ ବିଦାୟ ଦେବାପାଇଁ ତାଙ୍କ କନ୍ୟା ସୁମନ ଉପରେ ଠିଆହୋଇ ହାତ ହଲାଉ ଥିଲା ।

 

ଶିକ୍ଷକ, ଅଧ୍ୟାପକ ଏବଂ ଅନ୍ୟ କେହି ଗୁରୁଜନ ଆସିଲେ ତାଙ୍କ ଜିନିଷପତ୍ର ବୋହି ଆଣିବା ଆମ ଶିକ୍ଷା ଓ ସଂସ୍କୃତିର ଏକ ଅଂଶବିଶେଷ । ବସ୍‌ ଏକ କାମୁଡ଼ା କୁକୁର ପରି କାହିଁକି ଖିଙ୍କାରି ହୋଇଉଠିଲେ, ତାହା ମୋର ଚିନ୍ତା ଓ ଚେତନାର ବାହାରେ ଥିଲା ।

 

ସମସ୍ତଙ୍କ ସାମନାରେ ଏଭଳି ରୁକ୍ଷ କର୍କଶ ବ୍ୟବହାର ମୋର ଅନ୍ତରାତ୍ମାକୁ ଖୁବ୍‌ ଆଘାତ ଦେଲା । ଦେହରୁ ଆଉ ପରସ୍ତେ ଝାଳ ବାହାରିଗଲା ।

 

ସେଦିନ ଗେଷ୍ଟହାଉସ୍‌ରେ ମିଟିଂ ପରେ ପରେଲଞ୍ଚର ଆୟୋଜନ ହୋଇଥିଲା । ମିଟିଂରେ ଭାଗ ନେଇଥିବା ଅଧିକାରୀମାନଙ୍କୁ ଛାଡ଼ି, ଆହୁରି ଅନେକ ବ୍ୟକ୍ତି ଆମନ୍ତ୍ରିତ ହୋଇଥିଲେ । ଯେହେତୁ ବର୍ମା ସାହେବ ସପରିବାର ଆସିଥିଲେ, ତାଙ୍କ ପତ୍ନୀଙ୍କୁ ସାହଚର୍ଯ୍ୟ ଦେବାପାଇଁ କେତେକ ଅଧିକାରୀଙ୍କ ପତ୍ନୀମାନେ ମଧ୍ୟ ଲଞ୍ଚ୍‌ରେ ସାମିଲ ଥିଲେ ।

 

ଡ୍ରିଂକ୍‌ସ ପାର୍ଟି ଥିଲା । ଏହିଭଳି ପାର୍ଟିଗୁଡ଼ିକୁ ଉପଭୋଗ କରିପାରେନି ମୁଁ । ଏଥିରେ ଖୁବ୍‌ ସମୟ ନଷ୍ଟ । ଲୋକେ ଟିକିଏ ଟିକିଏସୁରୁକିସୁରୁକିଡ୍ରିଂକ୍‌ସ ପିଅନ୍ତି । ଚିନାବାଦାମ ହେଉ ବା କାଜୁବାଦାମ ହେଉ, ଗୋଟିଏ ଗୋଟିଏକୁଟୁରୁକୁଟୁରୁ କରି, ଢିଙ୍କିଶାଳରୁ ଢେଙ୍କାନାଳ ଯାଏ ଗପନ୍ତି । ଗପମାନଙ୍କରଲାଞ୍ଜଗୁଡ଼ିକ ଏଭଳି ବନେଇ ଚୁନେଇ ଲମ୍ବାନ୍ତି ଯେ, ମୋତେ ଅଣନିଃଶ୍ୱାସୀ ହେଲାଭଳି ଲାଗେ ।

 

ମୋ’ ଭଳି ସ୍ୱଭାବତଃଲଜ୍ଜାଶୀଳ ଲୋକ ପାଇଁ ଏ ପ୍ରଲମ୍ବିତଲଞ୍ଚ ପାର୍ଟି ଅସହ୍ୟ ହେଉଥିଲା । ତେଣୁ କୋଲ୍‌ଡଡ୍ରିଂକ୍‌ସଗ୍ଲାସ୍‌ଟିଏ ଧରି କିଛି ଲୋକଙ୍କ ସହ ଔପଚାରିକ ଭାବେ କଥାବାର୍ତ୍ତା ପରେ, ମୁଁ ଗୋଟିଏ କୋଣରେ ବସିଥାଏ ।

 

ବର୍ମା ସାହେବଙ୍କର ଅସାଧାରଣ ଭାବେ ବଡ଼ବଡ଼ ଡୋଳା ଦୁଇଟି ମୋ ଉପରେ ଆସି କେନ୍ଦ୍ରିତ ହୋଇଗଲା । ସେ ଉଠିଆସିଲେ ।

 

“କ’ଣ ୟଙ୍ଗ୍‌ ମ୍ୟାନ୍‌ ! କୋଲ୍‌ଡଡ୍ରିଂକ୍‌ସ ଧରି ବସିଛ ?’’

 

“ସାର୍‌ ! ମୁଁ ଆଜିଯାଏ ମଦ୍ୟପାନ କରିନି ।’’

 

“ତା’ହେଲେ ଆଜି ଆରମ୍ଭ ହୋଇଯାଉ ।’’

 

“ନା ସାର୍‌, କ୍ଷମା କରିବେ । ମୁଁ ଏସବୁ ଜମା ସ୍ପର୍ଶ କରେନି ।’’

 

“କ’ଣ କିଛି ପଣ ରଖିଛ ? ବିଲ୍‌କୁଲ୍‌ ଭୀଷ୍ମ ପିତାମହ ପରି ?’’

 

ସେ ହୋ ହୋ ହୋଇ ହସିଉଠିଲେ । ତାଙ୍କ ହସ ଶୁଣି, କିଛି ଲୋକ ବୁଝି, ଆଉ କିଛି ନ ବୁଝି ହସର ଏକ ଲମ୍ବା ଧମାକା ଲଗାଇଦେଲେ । ସମସ୍ତଙ୍କ ଦୃଷ୍ଟି ଏବେ ମୋ’ ଉପରେ ଆସି ଠୁଳ ହୋଇଗଲା । ମୁଁ ଅପ୍ରସ୍ତୁତତାରେ ପାଚି ଲାଲ ହୋଇଗଲି ।

 

“କ’ଣ ରେଳବାଇ ଡିପାର୍ଟମେଣ୍ଟର ନାକ କାଟିକରି ଯିବ ? ନିଅ, ନିଅ, ଗ୍ଲାସ ଧର ।’’

 

ଏହି ସମୟରେ ସେଠି ଉପସ୍ଥିତ ଆଉ କେତେକ ଅଧିକାରୀ ଉଠିଆସିବସ୍‌ଙ୍କୁ ସମର୍ଥନ କଲେ ଓ ମୋତେ ଘେରିଗଲେ । ଜଣେ ଗ୍ଲାସରେ କିଛି ପ୍ରକାର ଡ୍ରିଂକ୍‌ସ ନେଇ ପହଞ୍ଚିଗଲେ, ଯାହାକି ମୋର ଜାଣିବାର ଉପାୟ ନଥିଲା ।

 

ଶ୍ରୀମତୀ ବର୍ମାଙ୍କର ଏବେ ପାଳି ।

 

“ଦେଖନା, ଲେଡିଜ୍‌ମାନେ ମଧ୍ୟ ‘ରମ୍‌’ ପିଉଛନ୍ତି ।’’

 

ତା’ପରେ ମୋର ବାରଣ ସତ୍ତେ୍ୱ ମୋତେ ଜବରଦସ୍ତ ପିଆଇ ଦିଆଗଲା ।

 

ମୋତେ ଲାଗୁଥିଲା, ମୋତେ ଯେମିତି ସଂଘବଦ୍ଧ ଭାବେ କଲେଜ ଷ୍ଟାଇଲ୍‌ରେର୍ୟାଗିଂ ହେଉଛି ।

 

ଡ୍ରିଂକ୍‌ସତକ ଢୋକିଲା ପରେ ମୋତେ ବାନ୍ତି ଲାଗିଲା । ମୁଁ ପାର୍ଟି ଛାଡ଼ି ଉଠିଆସିଥିଲି । ନିଜ କୋଠରିରେ ଶୋଇ, ଘଟି ଯାଇଥିବା ଘଟଣାକ୍ରମକୁ ରୋମନ୍ଥନ କଲାବେଳେ ବର୍ମା ସାହେବଙ୍କ ପ୍ରତି ଘୃଣା ଓ ବିଦେ୍ୱଷରେ ମୋର ଅନ୍ତର ଭରି ଯାଉଥିଲା ।

 

ଏବେ ବସ୍‌ଙ୍କ ‘ପ୍ଲେଜରଟ୍ରିପ୍‌’ର ପର୍ବ । ଶିକାର କରିବା ତାଙ୍କର ଗୋଟିଏ ବଡ଼ ସଉକ । ହେଡ୍‌କ୍ୱାର୍ଟରକୁ ଆସିବା ଆଗରୁ ସେ ନିର୍ଦ୍ଦେଶ ଦେଇଥିଲେ ଯେ, ତାଙ୍କ ପାଇଁ ଶିକାରର ସମସ୍ତ ଆୟୋଜନ କରିବାକୁ ।

 

ସେ ଅଞ୍ଚଳର ନାମଜାଦା ଶିକାରୀ ବିମ୍ବାଧର ଖବର ପାଇ ଆସିଥିଲା । ସେ ତାଙ୍କର ସବୁଜ ଦିନଗୁଡ଼ିକରେ ଏହି ଡିଭିଜନରେ କାମ କରୁଥିଲା ବେଳଠୁ ଏହି ବିମ୍ବାଧର ତାଙ୍କ ଶିକାରଗସ୍ତର ସହଚର ।

 

ପ୍ରୋଗ୍ରାମ୍‌ ହେଲାଜଲ୍‌ଦି ଡିନର୍‌ ଖାଇ ତା’ ସହିତ ସରଣ୍ଡା ଜଙ୍ଗଲକୁ ଯିବେ । ଜିପ୍‌ ପ୍ରସ୍ତୁତ ଥିଲା । ସାଥୀରେ ଶ୍ରୀମତୀ ବର୍ମା ମଧ୍ୟ ଗଲେ । କେବଳ ସୁମନ ଏକାକୀ ରହିଲା ।

 

ମୋର ଦେହ ଖରାପ କାରଣ ଦେଖାଇ ମୁଁ ସେଦିନ ଆଉ ତାଙ୍କ ସାମ୍‌ନାକୁ ଗଲିନି । ଗେଷ୍ଟହାଉସ୍‌ରେ ଶୋଇରହିଲି ।

 

ଆଜି ଦିନସାରା ଯେତେ ଗାଳି, ଅପମାନ ମିଳିଥିଲା, ତାହା ହଜମ କରିବା ମୋ’ ପକ୍ଷରେ ସମ୍ଭବ ନଥିଲା ।

 

ରେଲେୱରେ ଦିନରାତି କାମ । ଯେତେ କାମ କଲେ ବି କାମ ସରେନି, କି ବସ୍‌ ସନ୍ତୁଷ୍ଟ ହୁଅନ୍ତିନି । ଦିନସାରା ଫୋନ୍‌ରେ ଅଶ୍ରାବ୍ୟ ଗର୍ଜନ । ଭାବୁଥିଲି, ଅଧ୍ୟାପକ ଚାକିରି ଭଲ ଥିଲା । ମା’ ବି ରେଲେୱ ଚାକିରି ପାଇଲା ପରେ, ମୁଁ ଦୂରକୁ ପଳାଇଯିବି ବୋଲି ଖୁବ୍‌ କାନ୍ଦିଥିଲା । କାଶ୍ମୀରରୁ କନ୍ୟାକୁମାରୀ ଯାଏ ବୁଲିବାର ସ୍ୱପ୍ନ ହିଁ ମୋତେ ପ୍ରଲୁବ୍ଧ କରି ରେଲେୱକୁ ଟାଣି ନେଇଥିଲା ।

 

ଆଉ କିନ୍ତୁ ହେବନି । ରେଲେୱ ଖୁବ୍‌ ଦେଖିନେଲି । ଏହା ଭାବି ଇସ୍ତଫା ପତ୍ର ଲେଖିବାକୁ ବସିଗଲି । ମନ ଭିତରେ ତୁମୁଳ ଝଡ଼ ତୋଫାନ । ଆଉ ପଦେ ଅପମାନଜନକ କଥା ଶୁଣିଲେ ମୋର ଦେହର ଅନ୍ଦିକନ୍ଦିରେ କିଛି ଗୋଟାଏ ଫାଟି ଛିନ୍‌ଛତ୍ର ହୋଇପାରେ ।

 

କିଛି ସମୟ ପରେ କବାଟରେ ଠକ୍‌ ଠକ୍‌ ଶବ୍ଦ ହେଲା । ଇସ୍ତଫା ପତ୍ରଟିକୁ ପଞ୍ଜାବୀ ପକେଟରେ ପୂରାଇ କବାଟ ଖୋଲିଲି ।

 

କବାଟ ଆଗରେ ହାକିମଙ୍କ ଝିଅ । ମୁହଁରେ ମଲ୍ଲୀଫୁଲିଆହସଟିଏ । ଦିନସାରା ପ୍ରତିଶୋଧ ଭାବନାର ନିଆଁଦେହର ଶିରା ପ୍ରଶିରାରେ ରହିଛି । ହାକିମଙ୍କ ଝିଅର ସେ ସ୍ମିତ ହସଟି ସେ ନିଆଁକୁ ପ୍ରଶମିତ କରିପାରିବନି । ମନେହେଲା, ୟା’ର ବାପା ଦିନସାରା ଦେହକୁ କ୍ଷତବିକ୍ଷତ କଲା ପରେ, ଏ ଯେମିତି ଆସିଛି କଟା ଘା’ରେ ଲୁଣ ଛିଟା ଦେବାକୁ ।

 

“ହଁ, କୁହନ୍ତୁ, ମିସ୍‌ ବର୍ମା’’ମୁଁ ବେଖାତିର ଭାବେ ପଚାରିଲି ।

 

“ମୋର ନାଁସୁମନ୍‌ ।’’

 

“କାମ କ’ଣ କୁହନ୍ତୁ ।’’

 

“ଆସନ୍ତୁ ଖାଇବେ । ରୋଷେୟା, ଚାକର ବାକର ସମସ୍ତେ ଚାଲିଗଲେଣି । ଆମ ଦୁହିଁଙ୍କ ପାଇଁ ଟେବୁଲ ଉପରେ ଡିନର ଲଗା ହୋଇଛି ।’’

 

“ନା, ମୋତେ ଭୋକ ନାହିଁ ।’’

 

“ଆପଣ ଦିନବେଳେ ନ ଖାଇ ଉଠିଆସିଲେ । ଭୋକ ନାହିଁ କେମିତି ?’’

 

“ସେଥିରେ ଆପଣଙ୍କର କ’ଣ ଯାଏ ଆସେ ?’’

 

“ଦେଖନ୍ତୁ, ଆପଣ ନିଶ୍ଚିତ ଭାବେ ରାଗିଛନ୍ତି । ଏତେ ଅଭିମାନିଆ ହେଲେ ଚଳିବ ? ଚାଲନ୍ତୁ... ।’’

 

ଏହା କହି ସେ ମୋର ହାତଧରି ଟାଣିଲା । କୌଣସି ଅପରିଚିତା ନାରୀ ଏଭଳି ମୋର ହାତଧରି ଟାଣିବା ବୋଧହୁଏ ପ୍ରଥମ ଥିଲା । ଆଉ ନ ଯାଇ, ଗତ୍ୟନ୍ତର ନଥିଲା ।

 

ଡାଇନିଂ ଟେବୁଲରେ ବସି ମଧ୍ୟ ମୋର ରାଗ ଶାନ୍ତ ହେଉନଥାଏ । ସେ ଗୋଟିଏ ଗୋଟିଏ ବ୍ୟଞ୍ଜନ ବାଢ଼ି ଦେଉଥାଏ । ମୁଁ ଗମ୍ଭୀର ହୋଇ ଧୀରେ ଧୀରେ ଖାଉଥାଏ ।

 

“ଆଜି ଦିନରେ ଆପଣଙ୍କ ପ୍ରତି ବାପା ଦୁର୍ବ୍ୟବହାର କରିବା ଯୋଗୁଁ ମୁଁ ଖୁବ୍‌ ଦୁଃଖିତ । କିନ୍ତୁ, ଆପଣ ବାପାଙ୍କୁ ଭୁଲ ବୁଝିବେନି । ଏଇଟା ତାଙ୍କର କାମ କରିବାର ଶୈଳୀ ।’’

 

ମୁଁ ଏବେ ବିେÒାରଣକରିଉଠିଲି :

 

“ଆପଣଙ୍କ ବାପା ବିଷୟରେ ମୁଁ ଯାହାସବୁ ଶୁଣିଥିଲି ତା’ଠାରୁ ସେ କେତେ ଗୁଣ ଅଧିକ ବିପଜ୍ଜନକ ।’’

 

“କିପରି ?’’

 

“ଆଜି ଯେଉଁ ଭଦ୍ରବ୍ୟକ୍ତିମାନେ ଷ୍ଟେସନକୁ ଯାଇଥିଲେ, ସେମାନେ ସାର୍‌ଙ୍କର ଅଭ୍ୟର୍ଥନା ପାଇଁ ଜମା ହୋଇଥିଲେ । ଏଥିରେ ସେ ଖୁସି ହେବା କଥା, ରାଗିବାର କ’ଣ ପ୍ରୟୋଜନ ଥିଲା ?

 

“ପୁନଶ୍ଚ ମିଟିଂକୁ ଗଲାବେଳେ ଗୁରୁଜନ ହିସାବରେ ମୁଁ ତାଙ୍କର ବ୍ରିଫ୍‌କେଶ୍‌ଟିକୁ ଧରିବା ପାଇଁ ସ୍ୱତଃପ୍ରବୃତ ହୋଇ ଦୌଡ଼ି ଯାଇଥିଲି । ଏଥିରେ ଭୁଲ ରହିଲା କେଉଁଠି ?

 

“ତା’ପରେ ମଦ୍ୟପାନ କରିବା ମୋର ସ୍ୱଭାବ ବିରୁଦ୍ଧ । ମୋତେ ଜବରଦସ୍ତ ପିଆଇ ପାର୍ଟିରେ ଏତେ ଲୋକଙ୍କ ସାମନାରେ ଅପଦସ୍ଥ କରିବା କ’ଣ ଠିକ୍‌ ହୋଇଛି ?

 

ସୁମନ୍‌ ଖିଲ୍‌ଖିଲ୍‌ ହୋଇ ହସିଉଠିଲା । ତା’ପରେ ଆରମ୍ଭ କଲା :

 

“ଆପଣ ଥଣ୍ଡା ମିଜାଜରେ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କୁ ଏହା ବୁଝିବାର ଥିଲା ଯେ, ବାପା ଟୁର୍‌ରେ କେବଳ ଏକା ଆସିନାହାନ୍ତି, ଆମେମାନେ ବି ତାଙ୍କ ସାଙ୍ଗରେ ଅଛୁ । ଆମକୁ ପ୍ଲାଟଫର୍ମରେ ଠିଆ କରାଇ ଦେଇ ଏତେ ବେଳଯାଏସ୍ୱାଗତ ସମ୍ଭାଷଣର ପର୍ବ ବଢ଼ାଇବା କ’ଣ ଠିକ୍‌ ଥିଲା ?

 

“ଦ୍ୱିତୀୟତଃ, ଆପଣ କେନ୍ଦ୍ର ସରକାରଙ୍କର ଜଣେ ‘କ୍ଲାସ୍‌ୱାନ୍‌ ଅଫିସର୍‌’ । ବ୍ରିଫ୍‌କେଶ୍‌ ଧରିବା ପାଇଁ ଦୌଡ଼ିଯିବାଟା ଆପଣଙ୍କ ପକ୍ଷେ କ’ଣ ଶୋଭନୀୟ ଥିଲା ? ସେଇଟା ଏକ ଭାବପ୍ରବଣତାର କାର୍ଯ୍ୟ, ବିଜ୍ଞତାର ନୁହେଁ । ଏଥିରେ ଆପଣଙ୍କ ତଳିଆ ଲୋକେ ଆପଣଙ୍କୁ ଶସ୍ତା ବୋଲି ଭାବିବେ ।

 

“ତୃତୀୟତଃ, ଆପଣ ମଦ୍ୟପାନ କରନ୍ତି ନାହିଁ । କିନ୍ତୁ ବସ୍‌ କହିଲେ ଆପଣ ଡ୍ରିଂକ୍‌ସ ନେବାର ବାହାନା ତ କରିପାରିଥାନ୍ତେ । ତା’ପରେ ଥରେ ଅଧେ ଡ୍ରିଂକ୍‌ସ ନେଲେ ପୃଥିବୀରେ ଖଣ୍ଡପ୍ରଳୟ ଘୋଟି ଯାଇନଥାନ୍ତା । ବରଂ ଏହା ଆପଣଙ୍କୁ ସ୍ମାର୍ଟ କରିବାରେ ସାହାଯ୍ୟ କରିଥାନ୍ତା ।’’

 

ସତର ଅଠର ବର୍ଷର ଝିଅମୋଠୁ ଅତି କମ୍‌ରେ ଦଶବର୍ଷ ସାନ ହେବ ସୁମନ । ସେ ଏଭଳି ମୋର ସବୁ କଥାକୁ ଯୁକ୍ତିର ସହ କାଟିଦେବ, ଏହା ମୋର କଳ୍ପନାର ବାହାରେ ଥିଲା । ମୁଁ ଏବେ ବିନା ବାକ୍ୟବ୍ୟୟରେ ଡିନର ଖାଇ ଚାଲିଥିଲିସକାଳରୁ ସଞ୍ଜଯାଏ ଗାଳି ଫଜିତ୍‌ ଖାଇ ସାଆନ୍ତାଣୀଙ୍କ ଝିଅ ହାତରୁ ତୋରାଣି କଂସାଏ ପିଇ ଦୁଃଖ ଭୁଲି ଯାଇଥିବା ମୂଲିଆଟିଏ ପରି ।

 

ଡିନର ପରେ ସୁମନ୍‌କୁ ସରୁ ଧନ୍ୟବାଦଟିଏ ଦେଇ ମୁଁ ମୋର ପ୍ରକୋଷ୍ଠକୁ ଫେରିଲି ।

 

ବାହାରେ ଭରା ଜହ୍ନରାତି । ଝର୍କାରରେଲିଂବାଟେ ପୋଷ ପୋଷହେମାଳ ଜହ୍ନ କିରଣ ବିଞ୍ଚିହୋଇ ପଡ଼ୁଥିଲା । ଆଖିକୁ ନିଦ ଆସିଲାନି । ହାକିମ ଓ ତାଙ୍କ ଝିଅଆଗ ପଛ ହୋଇ ବାରମ୍ବାର ଚିନ୍ତାର ଦୁନିଆ ଭିତରକୁ ଧସି ଆସୁଥିଲେ । ଜଣେ ଥିଲା ଦିନ ବେଳର ଡହଡହ ଖରା, ଆଉ ଜଣେ ଏଇ ଶୀତଳ ସ୍ନିଗ୍ଧଜହ୍ନର ଜୋଛନା ପରି ।

 

ଅଧା ସ୍ୱପ୍ନ, ଅଧା ଜାଗରଣରେ ମୋତେ କେବଳ ସୁମନର ମୁହଁ ଦିଶୁଥିଲା । ଦିଶୁଥିଲା ବୈଦିକ ଯୁଗର ମହୀୟସୀ ନାରୀ ଗାର୍ଗୀ, ମୈତ୍ରେୟୀ ରୂପରେ । ମୁଁ ବସିଥିଲି ତାଙ୍କର ଶିଷ୍ୟ ଗହଣରେ । ଶୁଣି ଯାଉଥିଲି ଆଗାମୀ ଅନିଶ୍ଚିତ ଜୀବନକୁ ସମ୍ମୁଖୀନ ହେବାକୁ ଏକ ଦୀକ୍ଷାନ୍ତ ଭାଷଣ ।

 

ଇସ୍ତଫା ପତ୍ରଟି ତଥାପି ପଞ୍ଜାବୀ ପକେଟରେ ପଡ଼ିରହି ମୋର ସ୍ୱପ୍ନିଳ ନିଦ୍ରାକୁ ବ୍ୟାଘାତ କରୁଥିଲା । ଏବେ ତାକୁ ଚିରି ଚିରି ଟିକି ଟିକି କରି ଝର୍କାବାଟେ ଫିଙ୍ଗିଦେଲି । ଚିରା ଟୁକୁରା କାଗଜଗୁଡ଼ିକ ଧଳା ପାରାବତ ପରି ଡେଣା ହଲେଇ, ଗୋଡ଼ବାଡ଼େଇଉଡ଼ି ଯାଉଥିଲେ ଦୂରକୁ ଦୂରକୁ । ସେମାନଙ୍କର ଡେଣାର ଶବ୍ଦରେ ଉଡ଼ି ଯାଉଥିଲେ ମୋ’ ମନ ଭିତରୁ ସବୁ ନିରାଶାର ଅଳନ୍ଧୁ ।

 

ରାତ୍ରି ପ୍ରାୟ ଶେଷ ହୋଇଆସିଲା ବେଳକୁ ବାହାରେ ଜିପ୍‌ର ହର୍ଣ୍ଣ ଶୁଭିଲା । ଡ୍ରାଇଭର ଆସି ମୋର ରୁମ୍‌ ବାହାରୁ ଠକ୍‌ ଠକ୍‌ କଲା ।

 

କହିଲା, “ହାକିମ ଡାକୁଛନ୍ତି । ସେ ଆଜି କୁଟ୍ରା ଶିକାର କରି ଫେରିଛନ୍ତି । ଗେଷ୍ଟହାଉସ୍‌ରେ କେହି ନାହାଁନ୍ତି । ରୋଷେୟାମାନଙ୍କୁ ଡାକି ପଠାଇବାକୁ କହିଛନ୍ତି । କୁଟ୍ରାଟାକୁରୋଷ୍ଟ କରିବାକୁ ପଡ଼ିବ ।’’

 

“ସାହେବଙ୍କୁ କୁହମୁଁ ପିଅନ ନୁହେଁ । ଏ ମୋର ଶୋଇବା ସମୟ । ମୋତେ ଡିଷ୍ଟର୍ବ କରିବେନି ।’’

 

ସେତେବେଳକୁ ପୂର୍ବ ଆକାଶରେ ସିନ୍ଦୁରା ଫାଟି ଆସୁଥିଲା ।

Image

 

ସୁଡ଼ଙ୍ଗ

 

ହାଓଡ଼ା-ବମ୍ବେ ଟ୍ରଂକ୍‌ ଲାଇନ୍‌ରେସରଣ୍ଡାଟନେଲକୁ ନ ଜାଣେ କିଏ ? ଦକ୍ଷିଣ-ପୂର୍ବ ରେଳପଥର ଚକ୍ରଧରପୁରଡିଭିଜନରମହାଦେବସାଲ ଓ ପୋସାଇତା ଷ୍ଟେସନ ଦ୍ୱୟ ମଧ୍ୟରେ ଏକ କିଲୋମିଟରରୁ ଊଦ୍ଧ୍ୱର୍ ଦୀର୍ଘ ଏହା ଏକ କିମ୍ବଦନ୍ତୀ-ବହୁଳ ସୁଡ଼ଙ୍ଗ । ଏହାର ନାଁଶୁଣିଲେ ଡ୍ରାଇଭରମାନଙ୍କ ଛାତି ଧଡ଼ପଡ଼ ହୁଏ । ପାସେଞ୍ଜରମାନଙ୍କର କଲିଜା କମ୍ପିଉଠେ । ରେଳପଥର ରକ୍ଷଣାବେକ୍ଷଣ ବିଭାଗ କର୍ମଚାରୀମାନଙ୍କର ଆଖିରୁ ନିଦ ହଜିଯାଏ । ଏହାର କାରଣ ହେଲା ଯେ ଏହି ସୁଡ଼ଙ୍ଗର ଆଖପାଖରେ ଟ୍ରେନ୍‌ ଆକ୍ସିଡେଣ୍ଟ ଏକ ନିତିଦିନିଆ ଘଟଣା ।

 

ସତେ ଯେପରି କେଉଁ ଦୈବୀ-ଶକ୍ତିର ଅଭିସମ୍ପାତ ପଡ଼ିଛି ଏଠାରେ । ଯେତେ ସବୁ ଅଭାବନୀୟ ଘଟଣା ଘଟେ ଏଇଠି । ଯେତେ ସବୁ କାନ ନ ଶୁଣା କଥା ରୂପନିଏ ଏଇଠି । କେତେବେଳେ ଝଡ଼ ତୋଫାନରେ ପାଖ ଜଙ୍ଗଲର ମହା ମହା ଦ୍ରୁମ କିମ୍ବା ତାଙ୍କ ଶାଖାପ୍ରଶାଖା ପଡ଼ି ବିଜୁଳି ତାର ଛିଣ୍ଡିପଡ଼େ । କେତେବେଳେ କାଶ୍ମୀରରୁ କନ୍ୟାକୁମାରୀ ଘୂରି ଘୂରି ଆସିଥିବା ରେଳଡବା ବା ୱାଗନଗୁଡ଼ିକ ଏଇଠି ସ୍ପ୍ରିଂଗ୍‌, ବ୍ରେକ୍‌ ବିମ୍‌, ଅନ୍ୟାନ୍ୟ ପାର୍ଟସବୁ ଖସାଇ ପକାନ୍ତି, ଏକ କ୍ୟାବାରେର ନର୍ତ୍ତକୀ ନିଜର ଗୋଟିଏ ଗୋଟିଏ ପରିଧାନ ପରିତ୍ୟାଗ କଲାଭଳି । ଜଙ୍ଗଲ କ’ଣ ଅନ୍ୟଆଡ଼େ ନାହିଁ ? କେଉଁଠି କିଛି ହୁଏନି, ଏଇଠି କାହିଁକି ହୁଏ ଇଞ୍ଜିନ୍‌ରପ୍ୟାଣ୍ଟୋଗ୍ରାଫ୍‌ ଓ ସରୀସୃପମାନଙ୍କର ମରଣାନ୍ତକ ମିଳନ ? କାହିଁକି ଏ ସୁଡ଼ଙ୍ଗର ବାସ୍ନାରେ ଛୁଟିଆସନ୍ତି ଅରଣ୍ୟରୁ ମହାବଳ ବା ଗଜରାଜ ? ସୁଡ଼ଙ୍ଗ ଭିତରେ ଚାଲୁଥିବା କଳକଳ ପାଣିର ଡାକରେ କାହିଁକି ଦଳ ଭାଙ୍ଗି ଚାଲିଆସନ୍ତି ସମ୍ବରଖୁରିଙ୍ଗ ? ଏହିସବୁ ପ୍ରଶ୍ନ ରେଲେୱ ଲୋକଙ୍କୁ ଆନ୍ଦୋଳିତ କରେ ।

 

ଅନେକ କାହାଣୀ ଶୁଣିବାକୁ ମିଳେ ଏ ସୁଡ଼ଙ୍ଗ ସମ୍ପର୍କରେ । ୧୮୯୪ ମସିହାର କଥା । ସେପ୍ଟେମ୍ବର ମାସର ଏକ ଲୋମହର୍ଷଣକାରୀ ରଜନୀ । ରାତ୍ରିର ନିସ୍ତବ୍ଧ ପ୍ରହରରେ ମହାନିଶ୍ଚିନ୍ତରେ ବିଚରଣ କରୁଥିବା ଏକ ଦନ୍ତାହାତୀ ସହ କଲିକତାରୁ ଆସିଥିବା ହାଓଡ଼ା-ବମ୍ବେ ମେଲର ଏହି ସୁଡ଼ଙ୍ଗ ସାମ୍ନାରେ ହୋଇଥିଲା ଜବରଦସ୍ତ ଟକ୍କର । ଟ୍ରେନ୍‌ରଲମ୍ବମାନହୁଇସିଲ ଓ ଦନ୍ତାହାତୀରମରଣକାଳୀନ ପେଁକାଳି ଶବ୍ଦରେ ହୁଲୁସ୍ଥୁଲ ହୋଇଉଠିଥିଲା ଦୁଇପାଖରପାହାଡ଼ । ସେହି ଦୁର୍ଘଟଣାରେ ଟ୍ରେନ୍‌ର ଇଞ୍ଜିନ୍‌ ସମେତ ସାତଟି ବଗି ଲାଇନଚ୍ୟୁତ ହୋଇଥିଲେ । ଦନ୍ତାହାତୀଟିର ବିପୁଳକାୟ ଶରୀର ସାତଟୁକୁଡ଼ା ହୋଇ ଖସିପଡ଼ିଥିଲା ଚାଳିଶି ଫୁଟ ତଳକୁ । ସେ ହାତୀଟିର ଖପୁରି ଓ ଦାନ୍ତ ଏବେ ବି ଦିଲ୍ଲୀର ରେଲେୱ ମ୍ୟୁଜିୟମ୍‌ରେ ସୁରକ୍ଷିତ ହୋଇ ଶହେବର୍ଷ ତଳର ଦୁର୍ଘଟଣାର ସ୍ମୃତିକୁ ପୁନରୁଜ୍ଜୀବିତ କରେ ।

 

ସେହି ଗଜରାଜର ଅଶରୀରୀ ଆତ୍ମା କ’ଣ ସୁଡ଼ଙ୍ଗ ଚାରିପଟେ ପ୍ରଦକ୍ଷିଣକରୁଛି ? ପ୍ରତିଶୋଧର ମଦିରାରେ ଉନ୍ମତ୍ତ ହୋଇ ବିଭିନ୍ନ ରୂପ ଧାରଣ କରି ଏଠି ଦୁର୍ଘଟଣାର କାରଣ ହେଉଛି ତ କେତେବେଳେ ଗୁଣ୍ଡୁଚିମୂଷା ବା ସାପଟିଏ ପାଲଟି ଇଞ୍ଜିନର ପ୍ୟାଣ୍ଟୋଗ୍ରାଫ୍‌କୁଅକାମି କରିଦେଉଛି ?

 

ସବୁ ଘଟଣା ଏଠି ବୋଧହୁଏ ଅଦ୍ଭୁତ, ଆଧିଭୌତିକ ଏବଂ ରହସ୍ୟମୟ ।

 

ଦୁର୍ଘଟଣା ସ୍ଥଳକୁ ଧାଇଁ ଧାଇଁ, ଓଲଟି ପଡ଼ିଥିବା ଡବା ବା ୱାଗନଗୁଡ଼ିକୁ ଉଠାଇ, ଟ୍ରାକ୍‌ ମରାମତି କରି କରି ଏ ଡିଭିଜନର ଅଧିକାରୀ ଓ କର୍ମଚାରୀମାନେ ନୟାନ୍ତ । ଦକ୍ଷିଣପୂର୍ବ ରେଲେୱର ଜେନେରାଲ ମ୍ୟାନେଜର, ସେଫ୍‌ଟି ଅଫିସର ଏବଂ ଅନ୍ୟାନ୍ୟ ହେଡ୍‌ଅଫିସର ଅଧିକାରୀଙ୍କ ଅକଲ ଗୁଡୁମ୍‌ । ଟ୍ରାକ୍‌ର ମାନ ବୃଦ୍ଧି ପାଇଁ କେତେପ୍ରକାର ପଦକ୍ଷେପ ନିଆହେଲାଣି । ସୁଡ଼ଙ୍ଗସମ୍ମୁଖସ୍ଥ ‘କଟିଂ’ ଏବଂ ଦୁଇ ପାଶ୍ୱର୍ର ‘ଡ୍ରେନେଜ୍‌’ର ଉନ୍ନତି ବିଧାନ ହେଲାଣି । କେତେ କର୍ମଚାରୀଙ୍କ ଭାଗ୍ୟରେ ଦଣ୍ଡ ଭୋଗିବାକୁ ପଡ଼ିଲାଣି । ଡିଭିଜନାଲରେଲେୱ ମ୍ୟାନେଜର ମହାଦେବସାଲ ମହାପ୍ରଭୁଙ୍କ ପାଖରେ କେତେ ଥର ଭୋଗରାଗ ଚଢ଼େଇଲେଣି । ଏ ଅଞ୍ଚଳର ଗ୍ୟାଙ୍ଗ୍‌ କୁଲିମାନେ ବନଦେବୀଙ୍କ ପାଖରେ ବୋଦା ବଳି ଦେଲେଣି । ପରିସ୍ଥିତି ପୂର୍ବବତ୍‌ ରହିଛି ।

 

ଏବେ ବି ଚକ୍ରଧରପୁରରେ ବା ବନ୍ଧମୁଣ୍ଡାରେସାଇରେନ୍‌ ବାଜିଲେ, ଲୋକେ ନିର୍ବିଚାରରେ ଭାବିନିଅନ୍ତି, ଏ ସରଣ୍ଡାସୁଡ଼ଙ୍ଗରକମାଲ ।

 

କେତେବେଳେ ମନେହୁଏ, ସରଣ୍ଡାସୁଡ଼ଙ୍ଗରୁ ଯେପରି ନିସ୍ତାର ନାହିଁ, ମୁକ୍ତି ନାହିଁ । ଟ୍ରେନ୍‌ମାନେ ଲକ୍ଷ୍ୟପଥକୁ ଏକମୁହାଁହୋଇ ଦୌଡ଼ୁଥିବେ, କାରଣ ଦୌଡ଼ିବା ତାଙ୍କର ଧର୍ମ । ବେଳେବେଳେ ସରଣ୍ଡାସୁଡ଼ଙ୍ଗର ଯାଦୁକରୀ ଶକ୍ତି ଯୋଗୁଁ ଭୂଲୁଣ୍ଠିତ ହେଉଥିବେ । ଯେପରି ଜଟିଙ୍ଗାର ପକ୍ଷୀ । ସେମାନେ ପାହାଡ଼ ତଳେ ଏକ ନିର୍ଦ୍ଦିଷ୍ଟ ବୃକ୍ଷ ପାଖକୁ ଉଡ଼ି ଆସିବେ ଦୂରଦୂରାନ୍ତରୁ । କେତୋଟି ଚକ୍କର ଦେବେ, ଗାଇବେ ତାଙ୍କ ଜୀବନର ଶେଷତମ ସଙ୍ଗୀତ ଏବଂ ସେଇ ଜଟିଙ୍ଗାର ଗଛରେ ପିଟି ହୋଇ ତାଙ୍କର ଚଞ୍ଚୁ ଓ ଚକ୍ଷୁକୁ ନିବୁଜ କରିଦେବେ ଚିରଦିନ ପାଇଁ । ସେହିଭଳି ସରଣ୍ଡାସୁଡ଼ଙ୍ଗ ହିଁ ସର୍ବଶକ୍ତିମାନ । ଯେଉଁ ଟ୍ରେନପ୍ରତି ତା’ର ଛାତିରେ ଦରଦ, ସେ ତାକୁ ନିର୍ବିଘ୍ନରେ ପାରି କରିଦେବ, ଏକ ସୂତ୍ରଧର କ୍ରୀଡ଼ା ପୁତ୍ତଳିକାକୁ ଟାଣି ଆଣିଲା ଭଳି । ଅନ୍ୟ ଟ୍ରେନମାନେ ସେ ସୁଡ଼ଙ୍ଗର ଗର୍ଭରେ ନିଃଶେଷ ହେବା ହିଁ ତାଙ୍କର ଭବିତବ୍ୟ ।

 

ମୁଖ୍ୟ ନିରାପତ୍ତା ଅଧିକାରୀ ବର୍ମା ସାହେବଙ୍କୁ ବହୁଦିନ ତଳେ ଜଣେ ସାଧୁବାବା, ବସ୍ତୁତଃ ଏହି ମର୍ମର ଛୋଟକାଟିଆ ବକ୍ତୃତାଟିଏ ଦେଇଥିଲେ । ସେ ଇଲାକାର ଲୋକେ ବାବାଙ୍କ ନାଁରଖିଥିଲେ ସୁଡ଼ଙ୍ଗ ବାବା । ବର୍ମାସାହେବସୁଡ଼ଙ୍ଗ ବାବାଙ୍କର ସେ ପ୍ରବଚନକୁ ସେତେବେଳେ ଫୁଫୁ କରି ଉଡ଼ାଇ ଦେଇଥିଲେ ।

 

ଏ ସୁଡ଼ଙ୍ଗ ଉପରେ ଯେକୌଣସି ମତେ ବିଜୟ ହାସଲ କରିବାକୁ ପଡ଼ିବ ।

 

ସେଇଥିପାଇଁ ସେ ଛୁଟିଥିଲେ ରାଉରକେଲା । ହାଓଡ଼ା-ସମ୍ବଲପୁର ଏକ୍ସପ୍ରେସ୍‌ରେ ସକାଳୁ ସକାଳୁ ପହଞ୍ଚିଯିବେ । ସେଫଫିଟିମ୍‌ର ଦଳବଳ ସେଇଠି ଆଗତୁରା ପହଞ୍ଚିଛନ୍ତି । ଟ୍ରାକରେକଡିଂ କାର୍‌ ନେଇ ରାଉରକେଲା ପଟୁ ଆରମ୍ଭ ହେବ ତାଙ୍କର ବିଜୟ ଅଭିଯାନ ।

 

ସେଦିନ କଲିକତାରୁ ରେଲେୱ ପରିବାରର ଆଉ ଜଣେ ଭଦ୍ରମହିଳାଶ୍ରୀମତୀ ଶର୍ମା ଅତର୍କିତ ଭାବେ ଆସିଥିଲେ ହାଓଡ଼ା-ସମ୍ବଲପୁର ଟ୍ରେନ୍‌ ଧରିବାକୁ । ସେ ଘରେ ମନାନ୍ତର ସୃଷ୍ଟିକରି ଆସିଥିଲେ । ବାପଘର ଯିବେ । ଘରେ ଝଗଡ଼ା କରି, ତମ୍ବି ତୋଫାନ ଦେଖାଇ ଚାଲିଆସିଲେ ସିନା, ହାଓଡ଼ା ଷ୍ଟେସନର ପ୍ଲାଟଫର୍ମରେ ପାଦ ଦେଇ ନିଜକୁ ମନେକଲେ ଏକ ଅର୍କ୍ଷିତ ବସ୍ତି ପିଲାପରି । କଦବା କ୍ୱଚିତ୍‌ ସେ ଟ୍ରେନ୍‌ରେ ଯାଇଛନ୍ତି ଏକା ଏକା । ରିଜର୍ଭେସନ ହୋଇନି । କେଉଁ ପ୍ଲାଟଫର୍ମରେଗାଡ଼ି ଠିଆହୁଏ, ଜଣାନାହିଁ । ସ୍ୱାମୀରେଲେୱ ବିଭାଗର ଉଚ୍ଚ ପଦାଧିକାରୀ । ଏସବୁ ଜିନିଷ ପାଇଁ ତାଙ୍କୁ କେବେ ଆଗରୁ ମୁଣ୍ଡ ଖେଳେଇବାକୁ ପଡ଼ିନି ।

 

ସତରେ, ରେଲେୱ ମେମ୍‌ସାହେବମାନେସ୍ୱାମୀ ବିହୁନେ ବଡ଼ ଅସହାୟା । ଷ୍ଟେସନର ପ୍ଲାଟଫର୍ମର ହାଉହାଉ, ରାତିର ଅନ୍ଧକାର ତାଙ୍କୁ ଏ ମହାସତ୍ୟକୁ ଆଉଥରେ ମନେପକାଇ ଦେଲେ । ସେମାନେ ଟାଇମ୍‌ଟେବଲପଢ଼ିବୁଝିପାରିବେନି । ରିଜର୍ଭେସନ୍‌ ଚାର୍ଟ ମୁଣ୍ଡରେ ଢୁକିବନି । ଏନକ୍‌ୱାରୀ ଅଫିସ୍‌ କେଉଁଠି, ବାଟ ଜଣା ନାହିଁ ।

 

ସୁଟ୍‌କେଶ ଧରି ଗଳଦ୍‌ଘର୍ମ ହୋଇ, କୁଲିକୁ ପଚାରି ପଚାରି ଶେଷ ମୁହୂର୍ତ୍ତରେ ସେ ଟ୍ରେନ୍‌ ପାଖରେ ପହଞ୍ଚିଲେ । ଗାଡ଼ିଛାଡ଼ିବା ଉପରେ । ବର୍ଥଟିଏଯୋଗାଡ଼ କରିବାକୁ କଣ୍ଡକ୍ଟରକୁ କହିଲେ ।

 

ଫାଷ୍ଟକ୍ଲାସ୍‌ ଡବାରେ ମିଃ ବର୍ମାଙ୍କ ସହ ଭେଟ ହୋଇଗଲା । ସେ ଏକାକୀ ଗୋଟିଏ କୁପେରେ ଯାତ୍ରା କରୁଥିଲେ । ଅନ୍ୟ କୌଣସି କମ୍ପାର୍ଟମେଣ୍ଟରେ ଜାଗା ନଥିଲା । ଅଗତ୍ୟା କଣ୍ଡକ୍ଟର ଶ୍ରୀମତୀ ଶର୍ମାଙ୍କୁ ନେଇ ବର୍ମା ସାହେବଙ୍କ କମ୍ପାଟେମେଣ୍ଟରଦ୍ୱାର ଖଟ ଖଟ କଲା । କିଭଳି ଭାବେ ସେ ନିଜର ଉପରିସ୍ଥ ଅଧିକାରୀଙ୍କୁ ଅନୁରୋଧ କରିବ, ସେଥିପାଇଁ ସେ ଗଳା ଖଙ୍କାରିବା, ସ୍ମିତହାସ୍ୟଟିଏଛାଡ଼ିବା ଇତ୍ୟାଦି ଗୌରଚନ୍ଦ୍ରିକାରର ଆୟୋଜନ କରୁଥିଲା ।

 

ପରିସ୍ଥିତିକୁ ହାଲୁକା କରିବାକୁ ଯାଇ ମିଃ ବର୍ମା ଆରମ୍ଭ କଲେ,

 

“ଆପଣ ?’’

 

“ରାଉରକେଲା ଯାଉଛି । ଶେଷ ମୁହୂର୍ତ୍ତରେ ଚଢ଼ିଲି । ଜାଗା... ।’’

 

“ଓଃ... କିଛି ବ୍ୟସ୍ତ ହେବାର ନାହିଁ । ତଳ ବର୍ଥଟା ମୁଁ ଛାଡ଼ିଦେଉଛି... ।’’

 

ଶର୍ମା ସାହେବ ଓ ବର୍ମା ସାହେବ କେବଳ ଦୁଇ ସହକର୍ମୀ ନୁହନ୍ତି । ସେମାନଙ୍କ ଭିତରେ ଅନେକ ଦିନର ପାରିବାରିକ ବନ୍ଧୁତା । ଶ୍ରୀମତୀ ଶର୍ମା ଶ୍ରୀମତୀ ବର୍ମାଙ୍କର ଅନ୍ତରଙ୍ଗ ବାନ୍ଧବୀ । ମନଗହନର ଏଭଳି ଅକୁହା କଥା ନାହିଁ, ଯାହାକି ଦୁହେଁ ପରସ୍ପର ଭିତରେ ଅପ୍ରକାଶ୍ୟ ରଖିଛନ୍ତି ।

 

ରେଲେୱରେ ଚବିଶ ଘଣ୍ଟା କାମ । ଅଫିସରମାନେ ସବୁବେଳେ ବ୍ୟସ୍ତ ବିବ୍ରତ । ସେହି ତୁଳନାରେ ଦେଖିବାକୁ ଗଲେ ମେମ୍‌ ସାହେବମାନଙ୍କର ଜୀବନ ପ୍ରବାହ ବେଶ ସ୍ୱଚ୍ଛନ୍ଦ ଓ ନିରୁଦ୍‌ବିଗ୍ନ ।

 

ବାହାରେ କାମ ପାଇଁ ନୌକର, ଘର କାମପାଇଁ ଚାକର, ଆଉଟ୍‌ ହାଉସ୍‌ବାଲୀ । ସାହେବମାନେ ଘର କାମରେ ମୁଣ୍ଡ ପୂରାଇବାର ଆବଶ୍ୟକତା ପଡ଼େନା । ଯଥା ସମୟରେ ପହଞ୍ଚିଯାଏ ଦୁଧ, ପରିବା, କୁକିଂଗ୍ୟାସ୍‌, ବଜାର ସଉଦା । ସାହେବମାନେ କାମକୁ ଚାଲିଗଲା ପରେ ମେମ୍‌ସାହେବମାନଙ୍କର ଏକମାତ୍ର କାମ ଆରମ୍ଭ ହୋଇଯାଏ ଗପିବା । ଫୋନ୍‌ରେ ହେଉ, କାହା ଘରକୁ ଦୋପହରୀ ଗସ୍ତ ହେଉ, ଘଣ୍ଟା ଘଣ୍ଟା ଗପିବାରେ ଗିନଜ୍‌ ରେକର୍ଡ ବୁକ୍‌ରେ କେବଳ ଏମାନଙ୍କ ନାଁଚଢ଼ିପାରେ ।

 

ସୁଜାତା (ଶ୍ରୀମତୀ ଶର୍ମା) ଓ ସୁମିତ୍ରା (ଶ୍ରୀମତୀ ବର୍ମା) ଦୁଇ ମିତଣୀ ଏହି ‘ଗସିପ୍‌’ ନାମକ ରୋଗରୁ ମୁକ୍ତ ନଥିଲେ ।

 

ତେବେ ମେମ୍‌ସାହେବମାନଙ୍କ ଆଳାପରେ ଏତେ ବିଷୟବସ୍ତୁ ଗଜୁରେ କେଉଁଠୁ ? ପରଚର୍ଚ୍ଚାଏ ଏକ ଏଭଳି ବିଷୟ ସତେ ଯେପରି ଅସରନ୍ତି ଆଈମା’ କାହାଣୀ । ପରଚର୍ଚ୍ଚା ଚାରିଭାଗରୁ ତିନିଭାଗ ହୋଇଥିଲେ, ଆଉ ଗୋଟିଏ ଭାଗ ସମୟ ବୋଧହୁଏ ସେମାନେ ଖର୍ଚ୍ଚ କରୁଥିବେ ନିଜର ତଥା ନିଜ ପରିବାର ସମ୍ପର୍କିତ ଅନ୍ତର୍ଦୃଷ୍ଟିରେ ।

 

ସୁଜାତା ଓ ସୁମିତ୍ରାଙ୍କ ଉପରେ ସର୍ଚ୍ଚଲାଇଟ ଅନେକ ସମୟରେ କେନ୍ଦ୍ରିତ ଥାଏ ତାଙ୍କ ସ୍ୱାମୀମାନଙ୍କ ଉପରେ ।

 

“ସୁଜାତା, ଶର୍ମାସାହେବବଡ଼ଖୁସ୍‌ମିଜାଜର ଲୋକ । ସବୁବେଳେ ହସହସ । ବଡ଼ଦିଲୱାଲା । ଆମ ବାବୁଙ୍କ କଥା ନ କହିଲେ ଭଲ । ସବୁବେଳେ ଗୁମ୍‌ମାରି ବସିଥିବେ । କଥା କହିବେ ତ ବାସ ଦୁଇଧାଡ଼ି । ସବୁ କଥାଗୁଡ଼ା ବୋଧେ ସେ ଫୋନ୍‌ରେ ଆରପଟକୁ ଚାଲାଣ କରିଦିଅନ୍ତି । ସବୁବେଳେ କାମ ଆଉ କାମ । ସବୁବେଳେ ଘନଘନ ଫୋନ୍‌ । ମୁଁ ତ ବ୍ୟସ୍ତ ହୋଇପଡ଼ିଲିଣି ।’’

 

“ହଁଲୋ, ସିଏ ଯେଉଁ ପୋଷ୍ଟରେ ଅଛନ୍ତି, କାମ ବେଶି ନାହିଁ, ସେଥିପାଇଁ ତ ସେ ଏତେ ବେହଲ ହୋଇଯାଇଛନ୍ତି । ସବୁବେଳେ ବକର ବକର । ଅଫିସରୁ ଆସିବେ । ରୋଷେଇ ଘରେ ମୋ’ ପଛେ ପଛେ ଲଙ୍ଗର ପଙ୍ଗର ହେଉଥିବେ । କ’ଣ ନା ପକୁଡ଼ି ଛାଣନା, ବରା ଛାଣନା ! ମୋତେ ତ ଚିଡ଼ି ଲାଗେ ।’’

 

“ଏଥିରେ ଚିଡ଼ିବାରେ କ’ଣ ଅଛି ମ ? ତୋର ତ ସୌଭାଗ୍ୟ । ଅନ୍ତତଃ ଦୁଃଖ ସୁଖ ହେବାପାଇଁ ଜଣେ କିଏ ହମଦର୍ଦ୍ଦୀ ଲୋକ ଅଛି । ଘରେ ବସି ବସି ମୋର ତ ମୁଣ୍ଡଟା ବିଗିଡ଼ି ଗଲାଣି ।’’

 

“ନାଇଁଲୋ, ତାଙ୍କର ଏମିତି ଗୁଣଗ୍ରାମ ହେଲାଣି ଯେ ଲୋକେ କ’ଣ ଭାବୁଥିବେ କହିଲୁ ? ଘନ ଘନ ଚା’ ଆଉ ଥଣ୍ଡା ବରାଦ କରି ଲୋକଙ୍କୁ ବସାଇ ଖାଲି ଗପ ଜମାଇବେ । ଏଥିରେ ଲୋକେ ଶସ୍ତା ଭାବିବେନି । ଏପରିକି କିଛି ଷ୍ଟାଫ୍‌ ବି ଶର୍ମା ସାହେବ ନ କହି ଶର୍ମା ବାବୁ କହିବାକୁ ପଛାଉନାହାନ୍ତି ।’’

 

“ୟେ’ ତ ଅଫିସରୁ ଆସିଲେ ତାଙ୍କଠୁ ଦଶମିଟର ବ୍ୟବଧାନ ରଖି ଚଳିବାକୁ ପଡ଼େ । ୟା’ଙ୍କରି ମୁଣ୍ଡରେ ଯେମିତି ସାରା ରେଲେୱର ବୋଝ । ସେଥିପାଇଁ ସବୁବେଳେ ଖିଟ୍‌ଖିଟ୍‌, ଚିଡ଼ିଚିଡ଼ି । ୟା’ଙ୍କ କାମ କ’ଣ ମୁଁ ଜାଣିନି ? ଛାତ୍ରଜୀବନରେ ହାୟର ଫିଜିକ୍ସ, ହାୟର ମେଥ୍‌ମେଟିକ୍ସ ଇତ୍ୟାଦି ପଢ଼ିପଢ଼ିଦରବୁଢ଼ା ବେଳେ ଖାଲି ତ ମିଶାଣ ଫେଡ଼ାଣ କରୁଛନ୍ତି । ଯାହାହେଉ, ତୋ’ର ବୁଲାବୁଲି କରିବାକୁ ଟିକିଏ ସୁଯୋଗ ମିଳୁଥିବ ।’’

 

“ଆଲୋ, ନାଇଁଲୋ । ମୋ’ ମୁଣ୍ଡଟା କେଉଁ ହାଲୁକା ଯେ ମୁଁ ବୁଲିବାକୁ ଯିବି । ୟା’ଙ୍କୁ ତ ମୁଁ ଜଗିକରି ବସିଛି । ଏତ ସାହିତ୍ୟର ଛାତ୍ର । ରେଲେୱ ଚାକିରି ଆଗରୁ କଲେଜରେ ଅଧ୍ୟାପକ ଥିଲେ । ତାଙ୍କ ବକ୍ତୃତାରେ ଭୋଳ ହୋଇ କୁଆଡ଼େ ଝିଅମାନେ ଆସି ପିଠିରେ ପଡ଼ୁଥିଲେ । ଏଠି ତ ଅଫିସରେ ହଜାରେ ଝିଅ । ୟା’ଙ୍କର ଯେଉଁ ଗପିବାର ରୋଗ ନା କେଉଁଠି ଫସିଯିବାର ଭୟ । ସହଜେ ୟେ କଲିକତା । ଦେଖୁନୁ, ଏଠି ଝିଅମାନେ କେମିତି ସଜେଇ ଧଜେଇ ଆସନ୍ତି, ଓଠଟାକୁ ଗୋଲ ଗୋଲ କରି ଫେଣେଇ ଫେଣେଇ କଥା କହନ୍ତି । ଚାଲିଚଳଣରେ କେତେ ଛଟକ ! ମୋତେ ତ ଡରୟା’ଙ୍କୁ କେତେବେଳେ କିଏ ପାଲରେ ପକାଇ ଦେଲା ତ କଥା ସରିଲା !’’

 

କ୍ଲବରେ ହେଉ, ବା ବଜାରରେ ହେଉ, ଜେଟ୍ଟିରେ ହେଉ ବା ରାସ୍ତାରେ ହେଉ, ଏଇମିତି ଲମ୍ବି ଚାଲିଥାଏ ଅସରନ୍ତି ଗପର ସୂତା ଖିଅ । ମନଖୋଲା ଗପର ପରିଧି ଭିତରକୁ ଯେତେବେଳେ ବିଚରା ସ୍ୱାମୀମାନେ ଆସନ୍ତି, ତା’ର ସାରମର୍ମଟା ଏହିପରି : ଶ୍ରୀମତୀ ଶର୍ମାଙ୍କ ମତରେ ଶର୍ମା ସାହେବ ଯାହା କହୁଛନ୍ତି ତାହା ଠିକ୍‌ ନୁହେଁ । ତାଙ୍କ ପାଇଁ ଆଦର୍ଶ ହେଲେ ଗମ୍ଭୀର ସ୍ୱଭାବ ଓ ସ୍ୱାଭିମାନର ପ୍ରତୀକ ବର୍ମାସାହେବ । ଅନ୍ୟ ପକ୍ଷରେ, ଶ୍ରୀମତୀ ବର୍ମାଙ୍କ ଆକଳନରେ, ବର୍ମା ସାହେବ ତାଙ୍କ ରୀତିନୀତି ବଦଳାଇ ଆଜିକାର ଯୁଗ ସହ କଦମତାଲ କରି ଚାଲିବା ଉଚିତ । ତାଙ୍କ ଆଖିରେ କଥାବାର୍ତ୍ତାରେ ପାରଙ୍ଗମ ଶର୍ମାସାହେବ ହିଁ ଆଦର୍ଶ ।

 

ଉପର ବର୍ଥରେ ଚୁପ୍‌ଚାପ୍‌ ଶୋଇ ଭାବନାର ଅକାତ ସମୁଦ୍ର ଭିତରେ ଡୁବି ଯାଇଥିଲେ ବର୍ମାସାହେବ । ତଳ ବର୍ଥରେ ମଧ୍ୟ ଶ୍ରୀମତୀ ଶର୍ମା ତାଙ୍କର ଏହି କେତେ ଦିନର ଟେନସନପୂର୍ଣ୍ଣ ଘଟଣାବଳୀ ସମ୍ପର୍କରେ ରୋମନ୍ଥନ କରୁଥିଲେ ।

 

ସରଣ୍ଡାସୁଡ଼ଙ୍ଗର ରହସ୍ୟ କ’ଣ ? ସତେ କ’ଣ ୟେ’ ଏକ ଅଭିଶପ୍ତ ଇଲାକା ? ଏଠିକୁ ପ୍ରବେଶ କରୁ କରୁ କାହିଁକି ଡ୍ରାଇଭରମାନେ ହୋଇଯାଆନ୍ତି ଆନମନା ? ଆଖିକୁ ଦିଶେ ସବୁକିଛି ଜାଲୁଆଜାଲୁଆ । ସତେ ଯେପରି ସୁଡ଼ଙ୍ଗଟା ପହଁରୁଛି ଏକ ଧୂଆଁର ସମୁଦ୍ର ଭିତରେ । ଏ କ’ଣ ବାହାରକୁ ବାହାରି ନପାରି ଡହଳ ବିକଳ ହେଉଥିବା ଇଞ୍ଜିନର ଧୂଆଁ ? ନା ଏହା ଏକ ମନର ଭ୍ରମ । ବର୍ଷ ବର୍ଷ ଧରି ବସା କରିଥିବା ଏକ ଅହେତୁକ ଆଶଙ୍କା । ଯାହାକି ସେମାନଙ୍କର ହୃତ୍‌ସ୍ପନ୍ଦନବଢ଼ାଇ ଦିଏ । ମଜବୁର କରେ ଭୁଲ ପଦକ୍ଷେପ ନେବାପାଇଁ । କ’ଣ ଅଛି ଏ ସୁଡ଼ଙ୍ଗରେ ? ବର୍ମା ସାହେବଙ୍କର ମୁଣ୍ଡଟା ନଟୁଭଳି ଘୂରୁଥିଲା । ସେ ଏପଟ ସେପଟ କଡ଼ ଲେଉଟାଉଥିଲେ ।

 

ଶ୍ରୀମତୀ ଶର୍ମା ଭାବୁଥିଲେ, ବୋଧହୁଏ ସ୍ୱଭାବତଃଲଜ୍ଜାଶୀଳ ଓ ଚୁପ୍‌ଚାପ୍‌ ସ୍ୱଭାବର ଲୋକ ହୋଇଥିବା ଯୋଗୁଁ ତାଙ୍କୁ ଜଣେ ନାରୀଙ୍କ ସାନ୍ନିଧ୍ୟରେଅଶ୍ୱସ୍ତିକର ଲାଗୁଥିବ । “ବିଚରା ସାଧାସିଧା ଲୋକଟିଏ, ମୋ’ ଯୋଗୁଁ ଆଜି ହଇରାଣ ହେଲେ’’ ଏହି ଭାବନାରେ ଶ୍ରୀମତୀ ଶର୍ମା ନିଜେ ହନ୍ତସନ୍ତ ହେଉଥିଲେ । ସେ ବର୍ମାସାହେବଙ୍କୁ ନିଜର ସ୍ୱାମୀଙ୍କ ସହ ତୁଳନା କରୁଥିଲେ । ବର୍ମା ସାହେବଙ୍କ ବ୍ୟକ୍ତିତ୍ୱ କେଡ଼େଜାଜ୍ଜ୍ୱଲ୍ୟମାନ ! ଶାଳପ୍ରାଂଶୁ ଚେହେରା । ମୁହଁରେ ଉଜ୍ଜ୍ୱଳ ପୌରୁଷର ସନ୍ତକବହଳ ଧାଡ଼ିଏ ନିଶ । ମିଷ୍ଟଭାଷୀ । ଆଉ ଶର୍ମା ସାହେବ... । ମୁହଁରୁ ନିଶ କାଟିଦେଇ ଯାଉଁଣୁଆସୁଣୁ ପାନ ଚୋବେଇ, ଦାନ୍ତପାଟି ଲାଲ ଲାଲ କରି ଖାଲି ମୁଚୁକୁନ୍ଦ ହସ ହସୁଥିବେ । ମାଇଚିଆ କେଉଁଠିକାର ।

 

ସାରାଦିନ ମନାନ୍ତର, ମତାନ୍ତର ଜନିତ ଅବସାଦ ଓ ପଥଶ୍ରମର କ୍ଳାନ୍ତି ଯୋଗୁଁ ତାଙ୍କୁ କେତେବେଳେ ନିଦ ଅକ୍ତିୟାର କରି ନେଇଥିଲା । ତା’ପରେ ସେ ଶୋଇଛନ୍ତି ପ୍ରଗାଢ଼ ନିଦରେ । ସାଥୀରେ ବର୍ମା ସାହେବ ତ ଅଛନ୍ତି । କାହିଁକି ବା ଶୋଇବେନି ସବୁ ଦୁଶ୍ଚିନ୍ତାକୁ ଆବର୍ଜନା ଭଳି ଫିଙ୍ଗିଦେଇ ?

 

ବର୍ଥଆଡ଼େତେର୍ଚ୍ଛା ଚାହାଣି ଛାଡ଼ିଫ୍ୟାନ୍‌ ଦୁଇଟି ଚିରାଚରିତ ଶଗଡ଼ଗାଡ଼ିରଶବ୍ଦକରି ଚାଲୁଥିଲେ । ସେ ଫ୍ୟାନରବ୍ଲେଡ୍‌ରେ ପବନ ପରି ବର୍ମା ସାହେବଙ୍କ ବିକ୍ଷିପ୍ତ ଚିନ୍ତାଗୁଡ଼ିକଘୂରିବୁଲୁଥିଲେ । ତାଙ୍କ ଆଖି ଦୁଇଟିରୁ ନିଦ ରୂପକ ମହାର୍ଘ ସମ୍ପଦ କୁଆଡ଼େ ଚୋରି ହୋଇଯାଇଥିଲା ।

 

ମଧ୍ୟବୟସୀ ରାତ୍ରିରେ ନିସ୍ତେଜତା ଏବଂ ନିର୍ବେଦତା ଭରି ଆସୁଥିଲା ।

 

ଏଇ ଚକ୍ରଧରପୁର ଷ୍ଟେସନ ଚାଲିଗଲା । ଏହାର ବାର ମିନିଟ୍‌ ପରେ ଆସିବ ଲୋଟାପାହାଡ଼ ଷ୍ଟେସନ । ତା’ପରେସୋନୁଆଯେଉଁଠି ପ୍ଲାଟଫର୍ମ ଖାଲି ବୃକ୍ଷମୟ । ତା’ପରେଗୋଏଲକେରା । ସେ ଘଡ଼ି ଦେଖି ଚାଲିଥିଲେ । ଚକ୍ରଧରପୁର ଠାରୁ ସୁଡ଼ଙ୍ଗ ଯାଏ ପ୍ରାୟ ଚାଳିଶ ମିନିଟ୍‌ ଲାଗେ ।

 

ବର୍ମା ସାହେବ ଏ ଡିଭିଜନରଅନ୍ଦିକନ୍ଦି ସହ ପରିଚିତ । ସେ ଜାଣନ୍ତି କେଉଁ ଷ୍ଟେସନର ଜାମୁକୋଳି ମିଠା । କେଉଁଠି ଛତୁ ମିଳେ, କେଉଁଠି କୟାଁମିଳେ । ସୁଡ଼ଙ୍ଗରକେଉଁପଟେବାଘରା ମହୁମାଛିମାନେ ବସାକରି ରହନ୍ତି । କେଉଁ ଫାଟକ ଟୁଙ୍ଗୀକୁ ଜନ୍ତୁ ପଶି ଆସନ୍ତି ଅର୍ଦ୍ଧରାତ୍ରିରେ । ଏସବୁ ତାଙ୍କର ନଖଦର୍ପଣରେ ।

 

ଏଇ ସୁଡ଼ଙ୍ଗ ଆସିଲା । ସୁଡ଼ଙ୍ଗ ମୁହଁରେ ପବନର ସୁଉସୁଉ ଶବ୍ଦ ଶୁଭିଲାଣି ।

 

...ଏଇ ସୁଡ଼ଙ୍ଗର ଖୋଲି ଯାଇଥିବା ଓଠ...

 

ତା’ପରେ ଏକ ଅଭାବନୀୟ ଘଟଣା ଘଟିଗଲା ଅକସ୍ମାତ । ସୁଡ଼ଙ୍ଗ ଆସିଗଲା କହି ସେ ତଳ ବର୍ଥକୁ ଡେଇଁଥିଲେ ଏବଂ ନିଜକୁ ଆବିଷ୍କାର କରିଥିଲେ ଶ୍ରୀମତୀ ଶର୍ମାଙ୍କୁ ଦୃଢ଼ ଆଲିଙ୍ଗନ କରିବା ଅବସ୍ଥାରେ । ତାଙ୍କ ଶରୀରରୁ ଚେତନାକୁ କାଢ଼ିନେଲା କେହି ଯେପରି । କିଛି ସମୟ ପାଇଁ ତାଙ୍କ ଧମନୀରେ ରକ୍ତ ପରିବର୍ତ୍ତେ ପ୍ରବାହିତ ହେଲା ଉତ୍ତପ୍ତ ମଦିରା ।

 

ତା’ପରେ ଆକାଶରୁ ଚେନାଏ ଛିଡ଼ିଖସିପଡ଼ିଲା ଶ୍ରୀମତୀ ଶର୍ମାଙ୍କ ଉପରେ ଯେପରି । ସେ ଦେଖୁଥିବା ସ୍ୱପ୍ନର ରିଲ୍‌ ହଠାତ୍‌ କଟିଗଲା । ଗଭୀର ସୁଷୁପ୍ତିରେ ଇନ୍ଦ୍ରଧନୁ ଦେଖୁଥିବା ଶ୍ରୀମତୀ ଶର୍ମା ଏକ ଭୟଙ୍କର ଆର୍ତ୍ତନାଦ କରି ବର୍ଥରୁଖସିପଡ଼ିଥିଲେ ତଳକୁ ।

 

ସେତେବେଳେ ଫାଷ୍ଟକ୍ଲାସକମ୍ପାର୍ଟମେଣ୍ଟରେ ଅନ୍ୟ ଏକ କୁପେରେ କୌଣସି ପବ୍ଲିକ୍‌ ସେକ୍ଟର କମ୍ପାନୀର ଅଧିକାରୀମାନେ ମଦିରାରେ ମସଗୁଲ ଥିଲେ ବୋଧହୁଏ । ପାଖ ଡବାରେ କଅଁଳା ପିଲାଟିଏ ମା’ କ୍ଷୀର ପାଇଁ ଚିରଚିରେଇ କାନ୍ଦୁଥିଲା କି କ’ଣ । ନିଦ ଫାଙ୍କି ମାରିଥିବା ଯୋଗୁଁ କୌଣସି ପ୍ରୌଢ଼ବ୍ୟକ୍ତିବାଥରୁମ୍‌ ପାଖରେ ସିଗାରେଟ୍‌ ଲଗାଇ ପଦଚାରଣା କରୁଥିଲେ ବୋଧହୁଏ । ଅନ୍ୟ କେଉଁ ବଗିରେ ରାଉରକେଲା ପାଖ ହେଲା ବୋଲି କୌଣସି ବ୍ୟବସାୟୀ ନିଜର ଲଗେଜ୍‌ ସଜାଡ଼ୁ ଥିଲେ ବୋଧହୁଏ ।

 

ଶ୍ରୀମତୀ ଶର୍ମାଙ୍କର ଚିତ୍କାରରୁ ଆରମ୍ଭ ହେଲା ଅନ୍ୟମାନଙ୍କର ସମ୍ମିଳିତଚିତ୍କାର । ସୁଡ଼ଙ୍ଗ ଭିତରେ ପ୍ରତିଧ୍ୱନିତ ହୋଇ ଏହା ଏକ କିଳିକିଳା ରାବ ସୃଷ୍ଟି କରିଥିବ ନିଶ୍ଚୟ । ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ଏହିଭଳି କିଛି ହୋଇଥିବା ଅନୁମେୟ । ବାଥରୁମ୍‌, କରିଡର, ଲବି-ଯାହାର ହାତ ଯେଉଁଠି ପଡ଼ିଥିଲା ଯାତ୍ରୀମାନେ ବିପଦ ଶିକୁଳି ଟାଣିଥିବେ । ବ୍ରେକଭ୍ୟାନରେ ବସି ଢୋଳୋଉଥିବାଗାର୍ଡଭାକୁ୍ୟମବ୍ରେକ୍‌ ହାଣ୍ଡବ୍ରେକ୍‌ ଦୁଇଟିକୁ କଷି ଦେଇଥିବ । ଲାଞ୍ଜକୁ ଝିଙ୍କି ଧରିଲେ ଯେପରି ଫଣା ଟେକି ଠିଆ ହୋଇଯାଏ ଅହିରାଜ, ଲଗାମ କଷିଦେଲେ ଯେମିତି ହ୍ରେଷାରବ କରି ଆଗ ଗୋଡ଼ ଟେକିଦିଏ ଘୋଟକ, ସେହିପରି ବ୍ରେକ୍‌ ବାଇଣ୍ଡିଂ ଯୋଗୁଁ ସୁଡ଼ଙ୍ଗରୁ ବାହାରି ଟ୍ରେନ୍‌ର ଅଧିକାଂଶ ବଗି ହୋଇଥିଲେ ଲାଇନଚ୍ୟୁତ । ସୁଡ଼ଙ୍ଗ ବାହାରେ ଥିବା ବଗିଗୁଡ଼ିକପାହାଡ଼କଡ଼ରେ ଅଣେଇ ହୋଇ ଦିଶୁଥିଲେ ଗୁମ୍ଫା ବାହାରେ ଚାରିକାତ ମେଲି ପଡ଼ିଥିବା ଏକ ଡାଏନାସୋର ପରି ।

 

ଟ୍ରେନର ବିକଟାଳ ଶବ୍ଦ ସହ ତାଳ ଦେଇ ସରଣ୍ଡା ଜଙ୍ଗଲରୁ ଭୁକି ଉଠିଥିଲେ ପହଡ଼ିକିଆ ବିଲୁଆ । ଅନେକ ଯାତ୍ରୀ ସଂଜ୍ଞାହୀନ ହୋଇଥିଲେ ଶ୍ରୀମତୀ ଶର୍ମାଙ୍କସମେତ । ବଗିମାନଙ୍କରେବିଜୁଳିବତି ଲିଭି ଯାଇଥିଲା । ଚାରିଆଡ଼େ କିଟି କିଟିଅନ୍ଧାର । ସେହି ଅନ୍ଧାରର ପେଟ ଚିରି ଶୁଭୁଥିଲା ଅନ୍ତହୀନ କ୍ରନ୍ଦନ, ଦୀର୍ଘଶ୍ୱାସ ଏବଂ ହାହାକାର ।

 

ବର୍ମା ସାହେବଙ୍କର ଏସବୁ କ’ଣ ହୋଇଗଲା ସେ ବୁଝିପାରୁ ନଥିଲେ । ଏକ ଅଭୂତପୂର୍ବ ଉତ୍ତେଜନା କାବୁ କରିନେଇଥିଲା ତାଙ୍କ ଅଙ୍ଗପ୍ରତ୍ୟଙ୍ଗକୁ । ତା’ପରେ ସେ ନିଜକୁ ଆବିଷ୍କାର କରିଥିଲେ ଦୌଡ଼ିବା ଅବସ୍ଥାରେ । ଚକ୍ରଧରପୁରଡିଭିଜନର ଭୌଗୋଳିକ ପରିବେଶ ସହ ବେଶ ପରିଚିତ ବର୍ମା ସାହେବ ମହାଦେବସାଲ ଷ୍ଟେସନ ଆଡ଼େ ମୁହାଁଇଥିଲେ । ସୁଡ଼ଙ୍ଗର ଏକ ପାଶ୍ୱର୍ରେ ପାଣି ବହି ଯାଉଥିଲା କଳ କଳହୋଇ । ଛାତ ଉପରୁ ଝରିପଡ଼ୁଥିଲା ବୁନ୍ଦା ବୁନ୍ଦା ଝରଣାର ପାଣି ।

 

ସରଣ୍ଡାରଗଛପତ୍ରମାନେ ଆପାତତଃ ସ୍ଥିର ଥିଲେ । କିନ୍ତୁ ତାଙ୍କର ଧାବମାନ ଅବସ୍ଥାରେ ତାଙ୍କୁ ଶାଳଗଛମାନେ ଶହ ଶହ ଆଦିବାସୀ ପରି ଲାଗୁଥିଲେ । ସେମାନେ ମାଦଳ ବଜାଇ ମଶାଲ ଜଳାଇ ତାଙ୍କୁ ଗୋଡ଼ାଇଥିଲେ ଯେପରି । ସୁଡ଼ଙ୍ଗରବାଦୁଡ଼ି ଓ ଚେମେଣିଆମାନେ ଖୁମ୍ପିବାକୁ ଉଡ଼ିଥିଲେ ଯେମିତି । ଝିଙ୍କାରୀମାନଙ୍କ ଝିଁଝିଁ ଶବ୍ଦ ତାଙ୍କୁ ‘ଧର ଧର ମାର ମାର’ ଶବ୍ଦ ଭଳି ଶୁଭୁଥିଲା ଯେପରି । ଏକ ମୁହୂର୍ତ୍ତକରଉଦ୍ଦାମତା ବଦଳି ଯାଇଥିଲା ଲଜ୍ଜା ଓ ସମ୍ଭ୍ରମରେ । ସମ୍ଭ୍ରମ ପରିଣତ ହୋଇଥିଲା ଭୟରେ ।

 

ରେଳଧାରଣା କଡ଼େକଡ଼େ ଜମା ହୋଇଥିଲେ ଭଙ୍ଗା ପଥର, ଗୋଡ଼ି, କାଠର ସ୍ଲିପର, ବଙ୍କା ତେଢ଼ା ହୋଇ ପଡ଼ିଥିବା ଲୁହା ଧାରଣାର ଖଣ୍ଡ । ସୁଡ଼ଙ୍ଗ ବାହାରେ ବାଉଁଶ ଓ କଣ୍ଟାଝଟା ତଳକୁ ଉହୁଁକି ପଡ଼ିଥିଲେ । ସେସବୁ ଭ୍ରୂକ୍ଷେପ ନକରି, କେତେବେଳେ ଧାଇଁ ଧାଇଁ ତ କେତେବେଳେ ଗୁରୁଣ୍ଡି ଗୁରୁଣ୍ଡି ସେ ଚାଲିଥିଲେ ଆଗକୁ ଆଗକୁ ।

 

ଦୁର୍ଘଟଣା ସ୍ଥଳରେ ପ୍ରାଗ୍‌ଐତିହାସିକ କାଳର ଅରାଜକତା । କେଉଁଠି ମା’ଠାରୁ ବିଚ୍ଛିନ୍ନ ହୋଇଥିବା ଶିଶୁପୁତ୍ରର ମର୍ମଭେଦୀ କ୍ରନ୍ଦନ, କେଉଁଠି ପୁତ୍ରକୁ ଖୋଜି ପାଉନଥିବା ପିତାର ଆକୁଳ ହାହାକାର । ଚାରିଆଡ଼େରକ୍ତଜର୍ଜରିତ ଆହତ ଲୋକଙ୍କରପ୍ରଳାପ ।

 

ରେଳବାଇର ଅଧିକାରୀ ଭାବେ ଯାତ୍ରୀଗାଡ଼ିର ଦୁର୍ଘଟଣା ବେଳେ କ’ଣ କରିବାକୁ ହେବ, ତାହା ବର୍ମା ସାହେବଙ୍କୁ ଭାବିବାକୁ ଅବକାଶ ନଥିଲା । ଅନ୍ୟ କୌଣସି ଆଡ଼ୁ ଟ୍ରେନର ଆଗମନକୁ ପ୍ରତିରୋଧ କରିବା ପାଇଁ ରେଳଧାରଣାରେ ବିପଦ ସଙ୍କେତ ସୂଚକ ପତାକା ଲଗାଇବା କଥା । ଯାତ୍ରୀମାନଙ୍କର ଧନଜୀବନର ନିରାପତ୍ତା ତଦାରଖ କରିବା କଥା । ଆଖପାଖ ପୋଲିସ୍‌ ଷ୍ଟେସନ ଓ ହସପିଟାଲମାନଙ୍କୁ ଖବର ଦେବା କଥା । କେତେ ଥର ସେ ଟ୍ରେନିଂ ସ୍କୁଲରେ ଯାଇ ଦୁର୍ଘଟଣା ସମୟରେ କ’ଣ କରଣୀୟ, କ’ଣ ଅକରଣୀୟ, ସେ ସମ୍ପର୍କରେ ଭାଷଣ ଦେଇଛନ୍ତି । ସେମିନାରମାନଙ୍କରେ ଆଲୋଚନା କରିଛନ୍ତି । ଡିଭିଜନରେମକ୍‌ଡ୍ରିଲ କରିଛନ୍ତି । ସେସବୁ ତାଙ୍କ ସ୍ମୃତିର ବଳୟରୁ ନିର୍ବାସିତ ହୋଇଯାଇଥିଲା ।

 

ରେଳଧାରଣା ଠାରୁ ଯଥେଷ୍ଟ ଉଚ୍ଚରେ ମହାଦେବସାଲ ଷ୍ଟେସନ । ଷ୍ଟେସନ କହିଲେ ସତ୍ୟର ଅପଳାପ ହେବ । ପଏଣ୍ଟ, ସିଗ୍‌ନାଲଲିଭର ଓ ଲାଇନ୍‌ କ୍ଲିୟର୍‌ ଯନ୍ତ୍ରସବୁ ଗୋଟିଏ ଜାଗାରେ ଥାଇ ସେ ଏକ କ୍ୟାବିନ୍‌ । ସେଇ ଗୋଟିଏ ଜାଗାରେ ବସନ୍ତି ଷ୍ଟେସନ ମାଷ୍ଟର, କ୍ୟାବିନ୍‌ମ୍ୟାନ୍‌ ଓ ପୋଟର । ବଣଜଙ୍ଗଲର ହିଂସ୍ର ପ୍ରାଣୀ, ସାପ, ନଅଁନୁଆଣି ଠାରୁ ରକ୍ଷା ପାଇବା ପାଇଁ ଏକ ମଞ୍ଚାପରି ଏକ କ୍ୟାବିନ୍‌ଟି ତିଆରି ।

 

“ସମ୍ବଲପୁର ଏକ୍ସପ୍ରେସ... ଆକ୍ସିଡେଣ୍ଟ... ଫୋନ୍‌... ।’’ ଏହିଭଳି ଖଣ୍ଡ ବିଖଣ୍ଡିତ ସୂଚନା ଓ ନିର୍ଦ୍ଦେଶ ଦେଇ ସେ କେବିନ୍‌ ଭିତରେ ସଂଜ୍ଞା ହରାଇଥିଲେ ।

 

ଟ୍ରେନ୍‌ରୁଲମ୍ଫ ଦେଲାବେଳେ ସ୍ଲିପର ହଳକ ପାଦରେ ପୂରାଇବା ପାଇଁ ଅବକାଶ ମିଳିନି ତାଙ୍କୁ । ସେଥିପାଇଁ ଦୁଇ ପାଦ ଲହୁଲୁହାଣ । ସେହି ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ନିଆଯାଇଥିଲା ରାଉରକେଲା ।

 

ରାଉରକେଲା ହସ୍‌ପିଟାଲରେ ଆଜି ଅଭୂତପୂର୍ବ ଚାଞ୍ଚଲ୍ୟ । ବେଡ୍‌ଗୁଡ଼ିକ ଆହତ ଲୋକଙ୍କ ଦ୍ୱାରା ପରିପୂର୍ଣ୍ଣ । କିଛି ଆହତ ଲୋକଙ୍କୁ ଚକ୍ରଧରପୁରରେଲେୱ ହସ୍‌ପିଟାଲ ମଧ୍ୟ ନିଆଯାଇଛି । ଦୁର୍ଘଟଣାରେ କେହି ମରିଥିବାର ଖବର ମିଳିନି । ଆଜିକାଲିରଷ୍ଟିଲବଡି ଡବା ଯୋଗୁ ଅନେକ ଯାତ୍ରୀ ମରଣ ମୁହଁରୁ ବର୍ତ୍ତି ଯାଇଛନ୍ତି ।

 

ରାଉରକେଲା ହସ୍‌ପିଟାଲରେ ଦୁଇଟି ପାଖାପାଖି ବେଡ୍‌ରେ ଚିକିତ୍ସିତ ହେଉଛନ୍ତି ମିଃ ବର୍ମା ଓ ଶ୍ରୀମତୀ ଶର୍ମା । ଦୁହିଁଙ୍କ ମଝିରେ ଲମ୍ବା କରିଡର ।

 

ଦୁହିଁଙ୍କର ସଂଜ୍ଞା ଫେରିଲାଣି, ହେଲେ କେହି କାହାକୁ ଆଡ଼ଆଖିରେ ବି ଚାହୁଁ ନାହାନ୍ତି । ଜଣେ ଦେଖୁଛି ହସ୍‌ପିଟାଲରକଡିବରଗାଆଡ଼େ ତ ଅନ୍ୟ ଜଣେ ଝର୍କା ଏବଂ ପର୍ଦ୍ଦା ଆଡ଼େ ।

 

ମିଃ ବର୍ମାଙ୍କର ଦୁଇଗୋଡ଼ରେଆଣ୍ଠୁଯାଏବ୍ୟାଣ୍ଡେଜ ବନ୍ଧା ହୋଇଛି । ସେ ଉପରକୁ ଗୋଡ଼ ଟେକି ବିଶ୍ରାମ ନେଉଛନ୍ତି । ତାଙ୍କୁ ଦେଖି ଇଣ୍ଟରଭାଲ ସମୟରେ ପଡ଼ିଆରେ ବିଶ୍ରାମ ନେଉଥିବା ହକିର ଗୋଲକିପରର ଭ୍ରମ ସୃଷ୍ଟି ହେଉଛି ।

 

ବର୍ମା ସାହେବ ବେଡ୍‌ରେ ଶୋଇ ଗତ ରାତ୍ରିର ଘଟଣା ସମ୍ପର୍କରେ ଭାବି ଚାଲିଥିଲେ । ବେଳେବେଳେ ମୁଣ୍ଡକୁ ଛିଞ୍ଚାଡ଼ି ଦେଉଥିଲେ । ସତେ ଯେପରି ଯେତେସବୁ ଦୁଶ୍ଚିନ୍ତା ଅଜାଡ଼ିହୋଇପଡ଼ିବ ଏବଂ ସେ ତ୍ରାହି ପାଇଯିବେ । ତାଙ୍କ ମସ୍ତିଷ୍କର ସମୁଦ୍ର ଭିତରେ ହୁତୁହୁତୁ ହୋଇ ନିଆଁଜଳୁଛି ଯେପରି । ଭୁସ୍‌ଭୁସ୍‌ ହୋଇ ବାମ୍ଫ ଲମ୍ଫ ଦେଉଛି ସାତତାଳ ପାଣିର ହୃଦୟ ଭେଦକରି । ଜଳିଯାଉଛି ମାଇଲ ମାଇଲ୍‌ ଲମ୍ବର ପ୍ରବାଳ ପାଚେରି ।

 

ସେ ଏଭଳି କାଣ୍ଡ କାରଖାନା କାହିଁକି ଓ କିପରି ସୃଷ୍ଟି କଲେ ? କଲେଜ ଜୀବନରେ, ଚାକିରି ଜୀବନରେ ଅନେକ ରୂପସୀ ତରୁଣୀ ଆଗେଇ ଆସିଛନ୍ତି ତାଙ୍କର ସାନ୍ନିଧ୍ୟ ପାଇଁ । ଆଡ଼ ଆଖିରେ ଅନାଇ ନାହାନ୍ତି ସେମାନଙ୍କୁ । ଏକ ଦାରୁଣ ଅବସାଦର ଶାଙ୍କୁଚ ତାଙ୍କ ହୃଦୟକୁ ଖିନ୍‌ଖିନ୍‌ କରିଦେଉଥିଲା ଯେପରି ।

 

ବର୍ଷ ବର୍ଷର ତପସ୍ୟା ଯେପରି ଶୁଖୁଆ ପୋଡ଼ାରେ ହାତ ମାରୁ ମାରୁଚାଲିଗଲା । ଶ୍ରୀମତୀ ଶର୍ମାଙ୍କ ସହ ଦୁଇ ଦଶନ୍ଧିର ପାରିବାରିକ ସମ୍ପର୍କ । ସମ୍ମାନର ଶିଖର ସୋପାନକୁ ଉଠେଇ ନିଅନ୍ତି ସିଏ ମିଃ ବର୍ମାଙ୍କୁ । ମୁହଁ ସାମ୍ନାରେ ବି ପ୍ରଶଂସାରେ ଗଦଗଦ ହେବାକୁ ପଶ୍ଚାତପଦ ହୁଅନ୍ତିନି । ୟେ କ’ଣ କଲେ ସେ ? ସମସ୍ତ ବିଶ୍ୱାସ, ସମସ୍ତ ଆସ୍ଥାର ପ୍ରାସାଦକୁ ଚୁରମାର କରିଦେଲେ ନିଜ ହାତରେ ?

 

ଏଇ କିଛି ସମୟ ପରେ ସୁମିତ୍ରା ଆସିଲେ ସେ ଯଦି ତାଙ୍କୁ ସବୁ ଖୋଲିକରି କହିଦେବେ ? ତାଙ୍କର କଳଙ୍କିଭରାସ୍ୱରୂପଟାକୁ ଖୋଳ ଭିତରୁ ବାହାରକୁ ପ୍ରକାଶ କରିଦେବେ ?

 

ଶ୍ରୀମତୀ ଶର୍ମାଙ୍କୁ ଲାଗୁଥିଲା, ସବୁକିଛି ଏକ ଦାରୁଣ ଦୁଃସ୍ୱପ୍ନ ପରି । ସବୁ ସତ୍ୟ ହୋଇପାରେ । କିନ୍ତୁ ମିଃ ବର୍ମାଙ୍କ ଆଚରଣଟା ଅସତ୍ୟ ବୋଧହୁଏ ।

 

ବର୍ମା ସାହେବଙ୍କୁ ଦେଖିବା ପାଇଁ କଲିକତାରୁ ଶ୍ରୀମତୀ ବର୍ମା ଆସିପହଞ୍ଚିଲେ । ଡାକ୍ତରଖାନାରେ ପଶୁ ପଶୁ ଉଚ୍ଚ ସ୍ୱରରେ ପ୍ରଳାପ କରିଉଠିଲେ । ଆଖିବୁଜି ସେ ସ୍ତ୍ରୀଙ୍କ ହାତ ଦୁଇଟି ଧରିଲେ । ତାଙ୍କର ଏବେ ସୁର୍ଯ୍ୟକିରଣକୁଭୟ । ଦିନର ଆଲୁଅକୁ ଭୟ । ସବୁଠୁ ବେଶୀ ଭୟ ସୁମିତ୍ରାଙ୍କର କରୁଣ ଅଶ୍ରୁସିକ୍ତ ଆଖି ଦୁଇଟିକୁ । କିଛି କହିବା ପାଇଁ ଓଠରୁ ଭାଷା ସ୍ଫୁରିନଥିଲା ତାଙ୍କର ।

 

ଶର୍ମା ସାହେବ ମଧ୍ୟ ସ୍ତ୍ରୀଙ୍କ ଦୁର୍ଘଟଣାରେ ଆହତ ହେବା ଖବର ପାଇ କଲିକତାରୁ ଛୁଟିଥିଲେ । ତାଙ୍କୁ ଦେଖି ସୁଜାତାଙ୍କ ଆଖିରୁ ଧାର ଧାର ଲୁହ ବହି ଯାଇଥିଲା ।

 

ଶର୍ମା ସାହେବ ତାଙ୍କ ବେପରୁଆ ହସ ହସି ହସପିଟାଲରେ ବିମର୍ଷ ପରିବେଶକୁ ଆମୋଦିତ କରିବାକୁ ଚେଷ୍ଟା କରିଥିଲେ, “ମୋତେ ଛାଡ଼ି ତମେ ରହିପାରିବନିସୁଜାତା... ଗୋଟିଏ ଘଣ୍ଟା ବି । ...ହଉ, ମୁଁ ଆସିଗଲି । ଭୟ କ’ଣ ? ସୁନାଟା... କାନ୍ଦନା । ହସିଦିଅ ଟିକେ ।’’

 

ସୁଜାତାଙ୍କ ଆଖିରେ ଜମାଟ ବାନ୍ଧିଥିବା ଲୁହ, ମନ ଭିତରେ ଘନୀଭୂତ କୋହ, ଦୁଃଖ ଅବସାଦ ଏକାସାଥିରେ ବିସ୍ପୋରଣ କଲେ ସତେ । ସ୍ୱାମୀଙ୍କ ହାତକୁ ସେ ଛାତି ଉପରକୁ ଟାଣି ଆଣିଲେ । ଏବେ ସତରେ ତାଙ୍କର ଆଉ କିଛି ଦୁଃଖ ନାହିଁ । ତାଙ୍କର ସ୍ୱାମୀ ଅଛନ୍ତି ପାଖରେ ତାଙ୍କର ଓଠ ଓ ନାସିକାର ସମସ୍ତ ଉଷ୍ଣତା ନେଇ । ସେ ଦୁର୍ଘଟଣାରେ ଆଖି ଚାଲିଯାଇଥିଲେ ବି ସେ ଚରାଚରକୁ ଦେଖିଥାନ୍ତେ ତାଙ୍କରିଆଖିରେ । ଏଇ ଦୁର୍ଘଟଣାରେ ଗୋଡ଼ କଟି ଯାଇଥିଲେ ବି ସେ ଚାଲିଥାନ୍ତେ ତାଙ୍କ ସାହାରା ନେଇ । ନଥାଉ ପଛେ ତାଙ୍କର ଖଣ୍ଡାଧାର ନାକ, ବହଳିଆ ମୁଚ୍ଛ । ତାଙ୍କର ସହଜିଆ ଫୁଲାଫାଙ୍କିଆ ବ୍ୟକ୍ତିତ୍ୱ ଯୋଗୁଁ ତଳିଆ ଲୋକ ଶର୍ମା ସାହେବ ନ କହି ଡାକନ୍ତୁ ପଛେ ଶର୍ମାବାବୁ । ସେହି ତାଙ୍କର ଏକାନ୍ତ ପ୍ରିୟ ତାଙ୍କର ଏକାନ୍ତ ପ୍ରିୟ ଜୋକର୍‌ । ସତେ ଯେମିତି ନିଜେ ହସି ସମସ୍ତଙ୍କୁ ହସାଇବା ପାଇଁ ଅବତାରୀ ହୋଇଆସିଛନ୍ତି ସଂସାରକୁ । ଏତେ ଆଖିର ପହରା ନ ଥିଲେ ସେ ସ୍ୱାମୀଙ୍କ ଗାଲରେ ବୋଧେ ଆଙ୍କି ଦେଇଥାନ୍ତେ ଏକ ପ୍ରଗାଢ଼ଚୁମ୍ବନଟିଏ ।

 

ସୁମିତ୍ରା ଦୂରରୁ ଦେଖିଲେ ନିଜର ବାନ୍ଧବୀକୁ । ତା’ ପାଖରେ କାନ୍ଦୁଣୁମାନ୍ଦୁଣୁ ହୋଇ ତା’ର ମୁଣ୍ଡ ସାଉଁଳି କହୁଥିଲେ“ଆମ ଭାଗ୍ୟ ଜୋର, ସୁଜାତା । କେତେ ବଡ଼ବିପଦଟିଏ ଘଟିଗଲା । କେଡ଼େ ଭୟାନକ ଆକ୍ସିଡେଣ୍ଟରୁ ବଞ୍ଚିଗଲତ ମେମାନେ ।’’

 

ସୁଜାତା ଆଖି ନ ଖୋଲି ଅସ୍ପଷ୍ଟ ସ୍ୱରରେ କହୁଥିଲେ “ଆକ୍ସିଡେଣ୍ଟ । ହଁ ଲୋ, ଆଉ ଟିକକରେ ଆକ୍ସିଡେଣ୍ଟଟିଏ ହୋଇଥାନ୍ତା ।’’

 

ସୁମିତ୍ରା ସହ ସେଠି ଉପସ୍ଥିତ ଲୋକମାନେ ଭାବୁଥିଲେ, ସୁଜାତାଙ୍କର ବୋଧହୁଏ ଏପର୍ଯ୍ୟନ୍ତ ହୋସ ଫେରିନି । ତେଣୁ ସେ ପ୍ରଳାପ କରୁଛନ୍ତି ।

 

କେହି ଜଣେ ତଳିଆ କର୍ମଚାରୀ ଖବର କାଗଜଟିଏ ଆଣିଦେଲା ବର୍ମାସାହେବଙ୍କୁ । ଦୁର୍ଘଟଣା ସମ୍ପର୍କରେ ପ୍ରଥମ ପୃଷ୍ଠାରେ ବଡ଼ବଡ଼ ଅକ୍ଷରରେ ପ୍ରକାଶିତ ହୋଇଥିବା ସମ୍ବାଦ । ଗୋଟିଏ ଜାଗାରେ ବାରମ୍ବାର ଦୁର୍ଘଟଣା ହେଉଥିବା ଯୋଗୁଁ ରେଳବାଇ ବିଭାଗ ଉପରେ ହୋଇଥିବା ନିତ୍ୟନୈମିତ୍ତିକବିଷୋଦ୍‌ଗାର । ଖବରକାଗଜରେ ଏ ବି ଲେଖା ଥିଲା ଯେ କୁଆଡ଼େ ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତସେମାନଙ୍କର ଶବଗୁଡ଼ିକୁ ରେଳବାଇ କର୍ମକର୍ତ୍ତାମାନେ ଫିଙ୍ଗି ଦେଇଛନ୍ତି ପାହାଡ଼ତଳକୁ ।

 

ବକ୍ସ ନ୍ୟୁଜ୍‌ରେ ବର୍ମା ସାହେବଙ୍କ ଫଟୋ ସହ ଥିଲା ତାଙ୍କର ଭୁରି ଭୁରି ପ୍ରଶଂସା । ରେଳବାଇର ଜଣେ ପ୍ରବାଦ ପୁରୁଷ ସେ । ସୁଦକ୍ଷ, କର୍ତ୍ତବ୍ୟନିଷ୍ଠ ଅଧିକାରୀ । ତାଙ୍କର କର୍ତ୍ତବ୍ୟପରାୟଣତା ଓ ପ୍ରତୁ୍ୟତ୍ପନ୍ନମତିତା ଯୋଗୁଁ ଅନେକ ଯାତ୍ରୀଙ୍କ ପ୍ରାଣରକ୍ଷା ହୋଇପାରିଛି ।

 

ଖବରକାଗଜଟିକୁ ମୁହଁ ଉପରେ ପକାଇ ବର୍ମା ସାହେବ ଆଖିବୁଜି ଦେଇଥିଲେ । ସାରା ପୃଥିବୀ ତାଙ୍କୁ ଜଣାପଡ଼ୁଥିଲାସୁଡ଼ଙ୍ଗମୟ । ସବୁଠି ସୁଡ଼ଙ୍ଗର ଅଖଣ୍ଡ ପ୍ରଭୁତ୍ୱ । ଡାକ୍ତରଖାନାର ସବୁ ସମବେତ ରୋଗୀ, ଡାକ୍ତର, ନର୍ସ, ସମ୍ପର୍କୀୟମାନଙ୍କର କାନ ଅତଡ଼ା ଫଟାଇ ତାଙ୍କ କଣ୍ଠରୁ ନିର୍ଗତ ହେଲା ଏକ ବିକଟାଳ ହସ ।

 

ସମସ୍ତେ ଭାବୁଥିଲେ, ସତେ ଯେପରି ସୁଡ଼ଙ୍ଗର ଲୁକ୍କାୟିତ ରହସ୍ୟ ବର୍ମା ସାହେବ ଏବେ ଖୋଜି ପାଇଗଲେଯେଉଁଥିପାଇଁ ସେ ହେଡ୍‌କ୍ୱାର୍ଟରରୁ ଛୁଟି ଆସିଥିଲେ ।

Image

 

ଭୁଜଙ୍ଗ

 

ହାଓଡ଼ା-ଅହମଦାବାଦ ଏକ୍ସପ୍ରେସ୍‌ ଟ୍ରେନ୍‌ର ଏକ ଫାଷ୍ଟକ୍ଲାସକମ୍ପାର୍ଟମେଣ୍ଟ । ଏକ ବର୍ଷଣ ମୁଖର ରଜନୀର ତୃତୀୟ ପ୍ରହରରେ ଆମ କାହାଣୀର ଅୟମାରମ୍ଭ । କାହାଣୀର ଅବଧି ପ୍ରାୟ ଛତିଶ ଘଣ୍ଟାଅର୍ଥାତ୍‌ ଗୋଟିଏ ରାତି, ପରବର୍ତ୍ତୀ ପୂରା ଦିନ ଓ ପୂରା ରାତି ଏଥିରେ ଅନ୍ତର୍ଭୁକ୍ତ । ଟ୍ରେନ୍‌ର ଗତି ସଙ୍ଗେ ତାଳଦେଇ ଗଡ଼ିଚାଲେ ଆମ କାହାଣୀର ସ୍ରୋତ । ଟ୍ରେନ୍‌ଟି ଯେପରି ପାହାଡ଼ ପର୍ବତ ପାରହୋଇ ପୁଣି ଉପତ୍ୟକାକୁ ଖସିଆସେ, ସେହିପରି କ୍ଲାଇମାକ୍ସ ଓ ଆଣ୍ଟିକ୍ଲାଇମାକ୍ସ ଦେଇ କାହାଣୀର ଗତି । ଷ୍ଟେସନ୍‌ ଆସିଲେ ଟ୍ରେନ୍‌ଟିଅଟକିଯାଏ । କିନ୍ତୁ କାହାଣୀ ସରେନା । ମଣିଷର କାହାଣ । ସରିବ କିପରି ? ଏକ ପ୍ରଲମ୍ବମାନ ଇତିହାସର ଅନ୍ତ କାହିଁ ?

 

ଆମ କାହାଣୀର ହିରୋ ଜଣେ ରେଲେୱ ଅଫିସର । ଢଳଢଳସ୍ୱପ୍ନିଳ ବୟସ ତାଙ୍କର । ଅତିବେଶିରେ ଛବିଶ ସତେଇଶ ହେବ । ରେଳବାଇ ବିଭାଗରେ ସେ ନବାଗତ । ମନରେ ପଲ୍ଲବିତ ହୋଇଛନ୍ତି ଅନେକ ଆଶା, ଅସୁମାରି ଆକାଂକ୍ଷା । ଆଖି ଦୁଇଟି ସ୍ୱପ୍ନରେଜୁଡ଼ୁବୁଡ଼ୁ । ଅଙ୍ଗପ୍ରତ୍ୟଙ୍ଗରୁ ଏଭଳି ନିଷ୍ଠା ଓ ଆତ୍ମବିଶ୍ୱାସର ତରଙ୍ଗ ନିଃସୃତ ହେଉଥିଲା ଯେ, ମନେହେଉଥିଲା ସତେ ଯେପରି ତାଙ୍କ ଯାଦୁକରୀ ପ୍ରଭାବରେ ସମସ୍ତ ଟ୍ରେନ୍‌ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚି ଯିବେ ନିଜ ନିଜ ଲକ୍ଷ୍ୟସ୍ଥଳରେ । ମନେହେଉଥିଲା ସେହି ବ୍ୟକ୍ତିତ୍ୱର ପରାକାଷ୍ଠାରେ ରେଳ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ପରିଣତ ହୋଇଯିବେ ବିନମ୍ରତା, ପରୋପକାରିତା ଓ ସ୍ୱଚ୍ଛତାର ଏକ ମୂର୍ତ୍ତିମନ୍ତ ଅବତାରରେ ।

 

ହିରୋ ମସୌରୀରେଫାଉଣ୍ଡେସନ୍‌ କୋର୍ସଟ୍ରେନିଂ ସାରି ଏବେ ଯୋଗଦାନ କରିଛନ୍ତି ଦକ୍ଷିଣପୂର୍ବ ରେଳପଥରେ । ଦୁଇବର୍ଷରପ୍ରୋବେସନ ସମୟ । ଏ ସମୟ ମଧ୍ୟରେ ତାଙ୍କୁ ସାରା ଭାରତବର୍ଷ ଭ୍ରମଣ କରିବା ପାଇଁ ପଡ଼ିବ । ରେଳଷ୍ଟେସନ୍‌, ପାର୍ସଲ ଅଫିସ୍‌, ମାଲଗୋଦାମ, ରିଜର୍ଭେସନ ଅଫିସ୍‌, କୋଇଲା ଖଣି, ଇସ୍ପାତ କାରଖାନା ପ୍ରଭୃତି ପରିଦର୍ଶନ ଏସବୁ ତାଙ୍କର ଟ୍ରେନିଂ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ । ଭାରତ ଭ୍ରମଣ ପୂର୍ବରୁ ରେଲେୱ ବିଭାଗର ପ୍ରାରମ୍ଭିକ ଜ୍ଞାନ ଅର୍ଜନ କରିବା ପାଇଁ ସେ ବାହାରିଛନ୍ତି ବରୋଦା-ବରୋଦାସ୍ଥିତରେଲେୱ ଷ୍ଟାଫ୍‌ କଲେଜ ।

 

ଚକ୍ରଧରପୁର ଷ୍ଟେସନରେ ରାତି ଦେଢ଼ଟା ବେଳେ ଗାଡ଼ି ପହଞ୍ଚିଲା । ଏହି ଷ୍ଟେସନରେ ଗାଡ଼ିର କଣ୍ଡକ୍ଟରମାନେ ପରିବର୍ତ୍ତିତ ହୁଅନ୍ତି । ଖଡ଼ଗପୁରଡିଭିଜନ୍‌ର କଣ୍ଡକ୍ଟର ଚାର୍ଜ ଦିଅନ୍ତି ଚକ୍ରଧରପୁରର କଣ୍ଡକ୍ଟରଙ୍କୁ । ନୂଆ କଣ୍ଡକ୍ଟର ପରିଚୟ ଜାଣିବା ପରେ ଲୋୟର ବର୍ଥଟିଏ ନିର୍ଦ୍ଦିଷ୍ଟ କରି ଚାଲିଗଲା ପରେ ହିରୋ ଚୁପ୍‌ଚାପ୍‌ ଶୋଇଗଲେ । ସେତେବଳେ ଶୋଇବା ଛଡ଼ା ଆଉ କି କାମ କରାଯାଇପାରିଥାନ୍ତା ? ବହିପଢ଼ା ତ ହେବନି । ଅନ୍ୟ ପାସେଞ୍ଜରଙ୍କ ନିଦ୍ରାରେ ବ୍ୟାଘାତ ହେବ । ତେବେ ଅନ୍ୟ ସହଯାତ୍ରୀ ସବୁ କିଏ, ଜାଣିବାର କିଛି ଉପାୟ ନଥିଲା । ଏକ ବର୍ଷା-ବିଧୌତକୋହଲା ରାତ୍ରିରେ ସହଯାତ୍ରୀମାନେ ଆପାଦମସ୍ତକ ଚାଦରରେ ଆବୃତ କରି ଶୋଇଯିବାଟା ସ୍ୱାଭାବିକ ।

 

ତେବେ ହିରୋଙ୍କୁ ନିଜର ଆଗାମୀ ଦିନଗୁଡ଼ିକରକାର୍ଯ୍ୟପନ୍ଥା ସମ୍ପର୍କରେ ମୁଣ୍ଡ ଖେଳାଇବାରେ କାହାର କିଛି ଆପତ୍ତି ନଥିଲା । ଗାଁରେ କୋଠାଘର କାମ ଭୂମିପୂଜା ପରେ ପରେ ସ୍ଥାଣୁ ପାଲଟି ଯାଇଛି ଭିତ୍ତି-ପ୍ରସ୍ତର ସ୍ତରରେ । ସାନଭାଇର କଲେଜ୍‌ ପଢ଼ାର ମୁଣ୍ଡି ମାରିବାକୁ ବାକି । ସାନ ଭଉଣୀର ବିବାହ ପାଇଁ ପାତ୍ର ସନ୍ଧାନ ହୋଇନି ଏଯାଏ । ତେବେ ଏ ସମସ୍ତ କାର୍ଯ୍ୟ ସମାପନ ପରେ କ’ଣ ମଣିଷ ସବୁ ଚିନ୍ତା ପୋଛିଦେବ କପାଳରୁ, ସେ୍ୱଦବିନ୍ଦୁପରି । ତାହା ହିରୋଙ୍କ ପାଇଁ ଏକ ମିଲିୟନ୍‌ ଡଲାର ପ୍ରଶ୍ନ । ତେଣୁ ଅଗତ୍ୟା ଚିନ୍ତାମୁକ୍ତ ହୋଇ ଶୋଇପଡ଼ିବାଟା ଶ୍ରେୟସ୍କର ଭାବି ସେ ଆଖିବୁଜିଲେ ।

 

ଡେରିରେ ନିଦ ହୋଇଥିବାରୁ ପରଦିନ ସକାଳୁ ଉଠିବା ପାଇଁ ଟିକିଏ ବିଳମ୍ବ ହୋଇଗଲା ହିରୋଙ୍କର ।

 

ଅଧା ହାଇ ମାରୁ ମାରୁ ଏମିତି କାହାକୁ ଦେଖିଲେ ଯେ ତାଙ୍କର ଶବାସନର ପୋଜିସନ୍‌ଟା ବଦଳିଗଲା ବଜ୍ରାସନରେ ?

 

କାରଣ ଏହି ଯେ, ପାଖ ଲୋୟରବର୍ଥରେ ଯେଉଁ ସହଯାତ୍ରୀ ଉଠିବସିଥିଲେ ସେ ପୁରୁଷ ନୁହନ୍ତିନାରୀ । ସେ ପୁଣି ତରୁଣୀ । ବୟସ କୋଡ଼ିଏ ଏକୋଇଶ ଭିତରେ ହୋଇପାରେଅବଶ୍ୟ ନାରୀମାନଙ୍କ ବୟସ ସଠିକ କଳନା କରିବା ଏକ ଦୁରୂହ ବ୍ୟାପାର ।

 

ତରୁଣୀଟିକୁ ଏବେ ଆମ କାହାଣୀରେ ହିରୋଇନ୍‌ ଭୂମିକା ଦିଆଯାଇପାରେ । ସେ ହୃଦୟ-ବିଦାରକ ଭାବେ ସୁନ୍ଦରୀ ନ ହେଲେ ବି ଆଖି ଅନେକ ସମୟ ଯାଏ ଲାଖି ରହିଯିବା ଭଳି ସୁନ୍ଦରୀ । ଉନ୍ନତ ନାସାଗ୍ର, ଘୁମନ୍ତ, ଟଣା ଟଣା ଆଖି । ଜାଣିଶୁଣି କାଟି ଦେଇଥିବାରୁ ଦୀର୍ଘ ନ ହେଲେ ବି ସେ ଖୁବ୍‌ ଘଞ୍ଚ କେଶର ମାଲିକାଣୀ । ଚେହେରାରୁ ବଙ୍ଗୀୟ ତରୁଣୀ ଭଳି ମାଲୁମ ପଡ଼ୁଥିଲା । ହିରୋ ସେ ତରୁଣୀ ଭିତରେ କୌଣସି ଫିଲ୍ମ ଜଗତର ହିରୋଇନ୍‌ଙ୍କ ସାଦୃଶ୍ୟ ଅଛି କି ନାହିଁ, ଚିନ୍ତା କରୁଥିଲେ । ମୁନ୍‌ମୁନ୍‌ ସେନ୍‌ ? ନା... ଅପର୍ଣ୍ଣା ସେନ୍‌... ? ଉ-ହୁଁ... । ସୁଚିତ୍ରା ସେନ୍‌ଙ୍କ ଠାରୁ ସୁନ୍ଦରୀ ନ ହେଲେ ବି ହିରୋଙ୍କ ଆକଳନରେ ସେ ଥିଲା ପୂର୍ବୋକ୍ତଦୁଇଚିତ୍ର ତାରକାଙ୍କଠାରୁ ଅଧିକ ରୂପବତୀ ।

 

ସୁନ୍ଦରତାର ପରିଭାଷା କିଏ ବା ଦେଇପାରିବ ? କେଉଁ ଝିଅ କେତେ ମାତ୍ରାରେ ସୁନ୍ଦରୀ ତାହା କିଏ ବା ସୈଦ୍ଧାନ୍ତିକ ଭାବେ କହିପାରିବ ? କୁହାଯାଏ, ସୌନ୍ଦର୍ଯ୍ୟ କୁଆଡ଼େଦେଖିଲାବାଲାର ଆଖିରେ ନେସି ହୋଇଥାଏ ।

 

ଆମ ହିରୋଇନ୍‌ ସୁନ୍ଦରୀ ଲାଗୁଥିବାର ଆଉ ଗୋଟିଏ କାରଣ ହୋଇପାରେ । ତା’ ଦେହରେ ଏବେ ନବ ଯୌବନର ବସନ୍ତ ଉତ୍ସବ । ତନୁସାରା ସଦ୍ୟ ପ୍ରସ୍ପୁଟିତ ଗୋଲାପ ଫୁଲର ଲାବଣ୍ୟ । ଏହି ବୟସରେ ମର୍କଟୀମାନେ ବି ମନଲୋଭା ଦିଶନ୍ତି ବୋଲି ବହୁ ପୁରୁଣା ସଂସ୍କୃତ କବିଙ୍କର ସ୍ୱୀକାରୋକ୍ତି । ସହଜେ, ହିରୋଙ୍କ ଘଡ଼ଘଡ଼ି ଭିତରେ ମେଘ ମହ୍ଲାର ରାଗିଣୀ ଶୁଣିବାର ବୟସ । ଏହି ବୟସରେ ରୂପସୀ ତରୁଣୀଟିଏ ଦେଖିଲେ ଅବସ୍ଥା ଯାହା ହୋଇଥିବ, ଅନୁମେୟ । ସଂକ୍ଷେପରେ ଏତିକି କୁହାଯାଇପାରେ ଯେ ପ୍ରଥମ ସନ୍ଦର୍ଶନରେ ଆମ ହିରୋଙ୍କୁହିରୋଇନ୍‌ ଖୁବ୍‌ ଭଲ ଲାଗିଥିଲା ।

 

ଆପାତତଃ ହିରୋଇନ୍‌କୁ ହିରୋ ମଧ୍ୟ । ସେ ଏକ ସଲଜ୍ଜ ସ୍ମିତ ହସରେ ସ୍ୱାଗତ କରିଥିଲା ।

 

“ଗୁଡ୍‌ ମର୍ଣ୍ଣିଂ । ଆପଣ କେଉଁଠିକୁ ?’’

 

“ବରୋଦା । ଆପଣ ?’’

 

“ଅହମଦାବାଦ । ଆପଣ କାଲି ମଧ୍ୟ-ରାତ୍ରିରେ କୌଣସି ଷ୍ଟେସନରୁ ଚଢ଼ିଲେ ନା ?’’

 

“ଆଜ୍ଞା ! ଆପଣ ବୋଧହୁଏ କଲିକତାରୁ ?’’

 

“ହଁ, ଆପଣ କେମିତି ଜାଣିଲେ ?’’

 

“ନା... ସେମିତି... ଅନୁମାନ ।’’

 

“ସାର୍‌ ଚା’’ କହି ବିୟରର ସଲାମ ଠୁଙ୍କିଲା । ଝାରସୁଗୁଡ଼ାଷ୍ଟେସନ୍‌ରେଗାଡ଼ି ଲାଗିଯାଇଥିଲା । କଲିକତା ଛାଡ଼ିଲେ, ଭଲ ଚା’ ବା କଫି କେଉଁଠି ପାଇବେ ତ ତାହା ହେଲା ଏହି ଷ୍ଟେସନ୍‌ରେ । ଏହି ଗାଡ଼ିରେପ୍ୟାଣ୍ଟ୍ରିକାର୍‌ ନ ଥିବାରୁ ହିରୋଙ୍କ ପାଇଁ ଝାରସୁଗୁଡ଼ାକୁମେସେଜ୍‌ ଦିଆଯାଇଥିଲା ।

 

“ବିୟରର । ମେମ୍‌ସାହେବଙ୍କ ପାଇଁ ଆଉ ଗୋଟିଏ ଫ୍ଲାସ୍କ । ଜଲ୍‌ଦି...’’

 

“ଆପଣ କ’ଣ ରେଲେୱରେ ଚାକିରି କରନ୍ତି ?’’

 

“କେମିତି ଜାଣିଲେ ?’’

 

“ନାଇଁ... ସେମିତି... ଅନୁମାନ ।’’

 

ହିରୋ, ହିରୋଇନ୍‌ ଏକାସାଙ୍ଗରେହସିଉଠିଲେ ।

 

‘ଚା’ ସାଙ୍ଗରେ ଟିକିଏ ବିସ୍କୁଟ ନିଅନ୍ତୁ । ପାଖରେ ଅଛି । ଏସିଡ଼ିଟି ହେବନି । ହିରୋଇନ୍‌ ବିସ୍କୁଟ ପ୍ୟାକେଟ୍‌ ଖୋଲି ବଢ଼ାଇଦେଲେ ।

 

“ଆପଣ କ’ଣ ଡାକ୍ତର ?’’ ହିରୋଙ୍କ ଆଖିରେ କୌତୂହଳ ।

 

“ଡାକ୍ତରୀ ପଢ଼ୁଛି । କେମିତି ଜାଣିଲେ ?’’

 

“ନାଁସେମିତି... ଅନୁମାନ ।’’

 

“ତା’ ମାନେ ଆମ ଦୁହିଁଙ୍କର ସବୁ ଅନୁମାନ ଏକବାରେ ଅବ୍ୟର୍ଥ ।’’

 

ଏବେ ହାସ୍ୟରୋଳରଧମାକା ସୃଷ୍ଟି ହୋଇଯାଇଥିଲା । ସେ କୋଳାହଳରେ ଆଖି ମଳି ମଳି ଉଠିଲେ ଆମ କାହାଣୀର ତୃତୀୟ ପାତ୍ର । ଆଉ ଗୋଟିଏ ଫ୍ଲାସ୍କଆସିଯାଇଥିଲା । ଗାଡ଼ି ଷ୍ଟେସନ ଛାଡ଼ି ଦେଇଥିଲା ।

 

“ଓହ୍ଲା ଖୋକନ, ଚା’ ପିଇବୁ ।’’

 

ହିରୋ ଉପରକୁ ଚାହିଁଲେ ।

 

“ୟେ’ ଆପଣଙ୍କ ସାନଭାଇ ?’’

 

“ହଁ ।’’

 

ଚା’ ପିଇବାର ପର୍ବ ପରିପ୍ରେକ୍ଷୀରେ ସେମାନେ ପରସ୍ପର ସମ୍ପର୍କରେ ଆଉ କିଛି ତଥ୍ୟ ପ୍ରକାଶ କରିଥିଲେ । ହିରୋ ରେଲେୱରେ ପ୍ରୋବେସନାରୀ ଅଫିସର । ଟ୍ରେନିଂ ପାଇଁ ଯାଉଛନ୍ତି ବରୋଦାକୁ... ଇତ୍ୟାଦି ଇତ୍ୟାଦି । ହିରୋଇନ୍‌ କହିଲେ ଯେ ସେ ବି ରେଲେୱ ପରିବାରରୁ ଆସିଛନ୍ତି । ସେଥିପାଇଁ ରେଲେୱ ପରିବାରର ଆଦବ କାଇଦା, ପରିଭାଷା ସମ୍ପର୍କରେ ଅଳ୍ପ ବହୁତେ ଜାଣନ୍ତି । ତାଙ୍କ ବାପା ରେଲେୱର ଜଣେ ଇଞ୍ଜିନିୟର । ସେ ନିଜେ ମେଡିସିନ୍‌ ପଢ଼ନ୍ତି ମସ୍କୋରେ । ଅହମଦାବାଦରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଉଛନ୍ତି... ଇତ୍ୟାଦି ଇତ୍ୟାଦି ।

 

ହିରୋଇନ୍‌ଙ୍କସାନଭାଇ । ତାକୁ ଜୋକର୍‌ ଭୂମିକାଟି ଅନାୟାସରେ ଦିଆଯାଇପାରେ । ସାନଭାଇ, ମାନେ ଢେର ସାନ । ଦୁଗ୍ଧପୋଷ୍ୟ ଶିଶୁ ନ ହେଲେ ବି ହିରୋଇନ୍‌ଠୁ ଦଶ ବାର ବର୍ଷ ଛୋଟ ହେବ । ଚେହେରାଟି ଗୋଲ୍‌ଗାଲ୍‌ । ଡଉଲ ଡାଉଲହାତଗୋଡ଼ । ପୁଚୁକାପୁଚୁକା ଗାଲ । ମୁହଁକୁ ଦେଖୁ ଦେଖୁକାମୁଡ଼ାଘୋଡ଼ା ବି ଅସ୍ତାବଳ ଫଟାଇ ହସିବେ ।

 

ହିରୋ ମନେ ମନେ କୁରୁଳି ଉଠୁଥିଲେ । ଏଥିପାଇଁ ନୁହେଁ ଯେ, ତା’ର ଚେହେରାଟା ସ୍ୱତଃହାସ୍ୟଉଦ୍ରେକକାରୀ । ଏଥିପାଇଁ ଯେ, ଏହି ତଥାକଥିତ ସାନଭାଇ ତରଫରୁ ଭୟର କୌଣସି କାରଣ ନାହିଁ । ସେ କବାବରେ କଣ୍ଟା ହେଲାଭଳି ଦିଶୁନି । ହିରୋଇନ୍‌ଙ୍କ ସହ ନିର୍ବିଘ୍ନରେ ଘଣ୍ଟା ଘଣ୍ଟା ମଧୁର ଆଳାପ କରିହେବ ।

 

ଭାବୀ-ପତ୍ନୀ ବା ପ୍ରେମିକାଠୁ ତା’ର ସାନଭାଇ ଯଦି ଦଶ ବାରବର୍ଷ ସାନ ହୋଇଥାଏ, ସେଠି ଲାଭ ବେଶି, କ୍ଷତି କମ୍‌ । ସେମାନେ ପ୍ରେମର ପରାଗ ସଂଗମ ଠାରୁ ଆରମ୍ଭ କରି ଅଙ୍କୁରୋଦ୍‌ଗମ, କ୍ରମବିକାଶ ପ୍ରଭୃତିରେ ଉତ୍‌ପ୍ରେରକ ହୁଅନ୍ତି ସିନା ଅନ୍ତରାୟ ହୁଅନ୍ତି ନାହିଁ । ହିରୋ ଭାବୁଥିଲେ, ଏବେ ମଧୁର ପ୍ରେମାଳାପ ନୌକାକୁ ଅବାଧରେ ବାହି ନିଆଯାଇପାରେ ଆଗକୁ ଆଗକୁ । ଏଠି ତୃତୀୟ ପାତ୍ରଭାବେଯା’ର ଆବିର୍ଭାବ ସେ ଥାଇ ଯାହା, ନ ଥାଇ ତାହା । କମ୍ପାର୍ଟମେଣ୍ଟରେ ଚତୁର୍ଥ ବର୍ଥଟି ଖାଲି । ସୌଭାଗ୍ୟ... । ପରିବେଶଟି ରୋମାନ୍ସ ପାଇଁ ଥିଲା ବେଶ୍‌ ଅନୁକୂଳ । ଏଇଠି ପାଠକମାନଙ୍କ ମନରେ ସଂଶୟ ସୃଷ୍ଟି ହୋଇପାରେଚାରିଜଣିକିଆକମ୍ପାର୍ଟମେଣ୍ଟରେ ତିନିଜଣ ଯାତ୍ରୀ କିପରି ? ଚତୁର୍ଥ ବର୍ଥଟିଖାଲିପଡ଼ିଛି କାହିଁକି ? ଅହମଦାବାଦ ଏକ୍ସପ୍ରେସ୍‌ କଲିକତାରେ ରହୁଥିବା ପ୍ରବାସୀ ଗୁଜୁରାଟୀ ସଂପ୍ରଦାୟଙ୍କ ପାଇଁ ଏକମାତ୍ର ସିଧା ସଳଖ ଟ୍ରେନ୍‌ । ସବୁବେଳେ ଖଚାଖଚ୍‌ ଭିଡ଼ । ମାସକ ଆଗରୁ ଟିକଟ ଖୋଜିଲେ ବି ମିଳେନି । ଆଜି ଖାଲିପଡ଼ିଛି କେମିତି ? ପ୍ରଶ୍ନଟି ଅମୂଳକ ନୁହେଁ ।

 

କଥା କ’ଣ କି, ଦକ୍ଷିଣ-ପୂର୍ବ ରେଲେୱରେ ଚାଲୁଥିବା ଗାଡ଼ିମାନଙ୍କ ମଧ୍ୟରେ ଏହି ଗାଡ଼ି ପାଇଁ କିଛି ଗର୍ବ କରିବାର ବିଷୟ ନାହିଁ । ସବୁଠୁ ଜରାଜୀର୍ଣ୍ଣ ଟ୍ରେନ୍‌ ପାଇଁ ଯଦି କିଛି ପୁରସ୍କାର ଥାଏ, ତା’ହେଲେ ତାହା ପାଇଁ ଏହି ଟ୍ରେନ୍‌ ହେଲା ଏକ ଅପ୍ରତିଦ୍ୱନ୍ଦୀଦାବୀଦାର । କାଲି ରାତିରେ ଯେଉଁ ମୂଷଳଧାରାର ବର୍ଷା ହୋଇଥିଲା, ଉପର ବର୍ଥରେ ପାଣି ଗଳି ଜଳପ୍ରପାତଟିଏ ସୃଷ୍ଟି ହେବାରୁ ସେଥିରେ ଥିବା ଜଣେ ଯାତ୍ରୀଙ୍କୁ କଲିକତିଆ କଣ୍ଡକ୍ଟର ଅନ୍ୟତ୍ର ସ୍ଥାନାନ୍ତରିତ କରିଦେଇଥିଲା ।

 

ଇତିମଧ୍ୟରେ ଚା’ ପର୍ବଟି ସରି ଯାଇଥିଲା । ଜୋକର ବାବୁକୁ ପାଇଖାନା ତଲବ୍‌ ଦେବା ଯୋଗୁଁ ସେ ଖୁବ୍‌ ତରବରରେ ତଉଲିଆ ଧରି ଚାଲିଗଲା ।

 

ଚା’ ପିଇଲା ପରେ ଆମ ହିରୋଙ୍କୁ ବି ତଲବ ଆସେ । ହିରୋ ସକାଳୁ ‘ଏକ’ ନ ଯାଇ ବସିଛନ୍ତି କିପରି ? କ’ଣ ଏହାର ରହସ୍ୟ ? କ’ଣ ଏଭଳି ସୁନେଲି ପ୍ରଭାତ ତାଙ୍କ ଜୀବନରେ କେବେ ଆଗରୁ ଆସିନି ? ଏ ମାହେନ୍ଦ୍ର ମୁହୂର୍ତ୍ତରେ କ’ଣ ପାଇଖାନା ଯିବା, ପରିସ୍ରା ଯିବା ପ୍ରଭୃତି ଆବର୍ଜନାମୟ ଭାବନାର ସ୍ଥାନ ନାହିଁ ?

 

ହିରୋ ମନେ ମନେହେଣ୍ଡୁ ଖାଉଥିଲେ । ବାହାରକୁ ପ୍ରକାଶ ନ କଲେ ବି, ସେ ଭିତରେ ଗୁଣୁଗୁଣୁ ଗୀତ ଗାଇ ଉଠୁଥିଲେ । ଦୁହିଁଙ୍କ ଯୋଡ଼ି ବେଶ୍‌ ଜମିବ । ସହଜେ ରେଲେୱ ଇଞ୍ଜିନିୟରଙ୍କ ଝିଅ । ରୂପବତୀ, ଗୁଣବତୀ । ଏଣେ ଟ୍ରେନିଂ ସରୁ ସରୁ ତେଣୁ ତା’ର ଡାକ୍ତରୀ ପାଠ ସରିଯିବ । ଏଇ ତେବେ ତାଙ୍କର ବିଧି ନିର୍ଦ୍ଦେଶିତ ଭାବୀ ମେମ୍‌ସାହେବ । ହିରୋଇନ୍‌ ନିଜର ଭ୍ୟାନିଟିବ୍ୟାଗଟାହୁକରୁ ଆଣିବା ପାଇଁ ଉଠିବା ବେଳେ ହିରୋ ବାଆଁରେଇ ହୋଇ ନିଜେ ଠିଆହୋଇ ହିରୋଇନର ଉଚ୍ଚତାକୁ କଳି ନେଉଥିଲେ । ସେ କ’ଣ ତାଙ୍କ ନାକଯାଏ ବା କାନଯାଏ ଲମ୍ବା ହେବ ?

 

ଗରମ ଚା’ ପଡ଼ିଛି । ହିରୋ ଆଉ କେତେ ସମୟ ବସିବେ ? ଏଣେ ଟାଙ୍କି ଭର୍ତ୍ତି ହୋଇଗଲାଣି । ‘ଗୋଟେ ମିନିଟ୍‌’ କହି ହିରୋ ବାହାରକୁ ଗଲେ । ଦିନକୁ ଦଶ ପନ୍ଦର ଗ୍ଲାସ ପାଣି, ଚାରି କପ୍‌ ଚା’ ପିଉଥିବା ଏବଂ ସେହି ଅନୁପାତରେ ୟୁରିନାଲ୍‌ ଯାଉଥିବା ଲୋକ ସକାଳ ଆଠଟା ଯାଏ ସତେ ଯେପରି କମ୍ପାର୍ଟମେଣ୍ଟରରେକସିନ୍‌ ସହ ଯୋଡ଼ି ହୋଇଯାଇଛି ।

 

ଅଧ ମିନିଟ୍‌ ହୋଇନି । ହିରୋ ଫେରିଆସିଲେ ହସି ହସି ବେଦମ୍‌ ହୋଇ । ପେଟ ଭିତରେ ହସଗୁଡ଼ିକଲହଡ଼ି ପରି ଗୋଟିଏ ପରେ ଗୋଟିଏ ହାବୁକା ମାରୁଥିଲେ । ତାଙ୍କ ଗାଲ, କାନମୁଣ୍ଡା ସବୁ ରକ୍ତିମ ଦିଶୁଥିଲେ ସେ ହସର ପ୍ରଭାବରେ ।

 

“କ’ଣ ହେଲା ? ଏତେ ହସ... ?’’

 

“ଆପଣଙ୍କ ଭାଇ... ଖୋକନ... ।’’

 

ଅତି ଉତ୍ତେଜିତ ହେଲେ ବା ବିହ୍ୱଳିତ ହେଲେ ଆମ ହିରୋ ଅଧା ବକ୍ତବ୍ୟକୁ ଚଳୁ କରିପକାନ୍ତି । ତାଙ୍କ ବାକ୍ୟଗୁଡ଼ିକ ହରାଇଥାନ୍ତି ପୂର୍ବାପର ସମ୍ପର୍କ । ତାଙ୍କ ବ୍ୟାକରଣରେ ଛାଇଯାଏ ହଜାରେ ଅଶୁଦ୍ଧି ।

 

“କ’ଣ ହେଲା ? ଖୋଲି କହନ୍ତୁ ନା ।’’

 

“ବାଥରୁମ୍‌ ମେଲା... ଖୋକନ୍‌ ସମ୍ପୂର୍ଣ୍ଣ... ।’’

 

“ଓଃ’’ କହି ହିରୋଇନ୍‌ ଖିଲିଖିଲି ହୋଇ ହସିଉଠିଥିଲେ । ସେ ମନଖୋଲା ହସରେ ବଳକା ଯଦି କିଛି ଔପଚାରିକତା ଥାଏ ତାହା ଧୋଇ ହୋଇଯାଇଥିବ ନିଶ୍ଚୟ । ହାସ୍ୟରୋଳକୁ ସମ୍ବରଣ ନ କରି ଆମର ଚତୁରୀ ହିରୋଇନ୍‌ କହିଲେ “ସେଇଟା ଆପଣଙ୍କ ରେଲେୱ କବାଟର କରାମତି ହୋଇଥିବ ।’’ ସେ ଜୋକର-ପ୍ରତିମ ଭାଇଟିର ହାଲ ବୁଝିବା ପାଇଁ ବାଥରୁମ୍‌ ଚାଲି ଯାଇଥିଲେ ।

 

ଏବେ ଘଡ଼ି ଦେଖିବାକୁ ଫୁରୁସତ ନାହିଁ । ବର୍ଷା ଯାଇ କେତେବେଳେ ଧୁମ୍‌ ଖରା ମାଡ଼ିଆସିଲାଣି, ଓଡ଼ିଶା ପାରହୋଇ କେତେବେଳେ ମଧ୍ୟପ୍ରଦେଶର ସୀମା ଅତିକ୍ରମ ହୋଇଗଲାଣି, ବ୍ରେକ୍‌ଫାଷ୍ଟ ସାରି ଲଞ୍ଚ ବି ସରିଗଲାଣି, ହିରୋ ହିରୋଇନ୍‌ଙ୍କୁ ତାହା ଜାଣିବାର ଅବକାଶ ନାହିଁ । ମଝିରେ ମଝିରେପକୁଡ଼ିବାଲା, କେଲାବାଲା, ବାଦାମବାଲା, ଚା’ବାଲାକମ୍ପାର୍ଟମେଣ୍ଟରେଝର୍କାବାଟେ ଡାକି ଡାକି ହେଉ ବା କବାଟ ବାଟେ ଉଣ୍ଡି ଗଲେଣି । ସେଥିରୁ ଅଧିକାଂଶଙ୍କୁ ଜୋକର ମହାଶୟ ନିରାଶ କରିନାହାନ୍ତି । ବିଭିନ୍ନ ପ୍ରକାର ଖାଦ୍ୟ, ପାନୀୟର ସଦ୍‌ବ୍ୟବହାର କରି ତାକୁ ହଜମ କରିବା ପାଇଁ ‘ଦିଦି-ଦିଦି’, ‘ଏ କି ନଦୀ’, ‘ଏକି ଡ୍ୟାମ୍‌’, ‘ଏ କି ଜାଗା’ ଇତ୍ୟାଦି ପ୍ରଶ୍ନ କରୁଥାନ୍ତି । ହିରୋଙ୍କୁବଡ଼ ବ୍ୟାଘାତ ସୃଷ୍ଟି ହେଉଥାଏ । ସେ ଭାବୁଥାନ୍ତି, ସତେ ଯେପରି ସୋରିଷ ବଣ ଭିତରେ ବୁଲା ଷ„ଟିଏ ଧସି ପଶିଯାଉଛି । ହିରୋ ମନେ ମନେ ପରିକଳ୍ପନା କରୁଥାନ୍ତି ଯେ ସେ ସବୁ ଷ୍ଟେସନର ସମଗ୍ର ବରା, ଆଳୁଚପ୍‌, ପିଜୁଳି ପ୍ରଭୃତି କଣ୍ଠାଗ୍ରତ କରି ଜୋକର ମହାଶୟ କୁମ୍ଭକର୍ଣ୍ଣ ପରି ସତକୁ ସତ ଛ’ ମାସ ଶୋଇଯାଆନ୍ତେ କି ?

 

ସେ ଦିନଟା ସାରା ପୃଥିବୀଟା ଲାଗୁଥିଲା ରଙ୍ଗିନ୍‌, ସାରା ଚରାଚର ଲାଗୁଥିଲା ଯେପରି ହର୍ଷରେ ମୁଖର । ବାହାରେ ଦୂର ଦିଗ୍‌ବଳୟ ଉପରେ ଟଣା ହେଲାଭଳି ଲାଗୁଥାଏ ଆକାଶର ଚନ୍ଦ୍ରାତପ । ଶ୍ୟାମଳ ଶୈଳର ଅଞ୍ଜଳି ଧରି ଆକାଶ ଦେବତାକୁ ଅର୍ଘ୍ୟ ଦେଉଥିଲା ଧରିତ୍ରୀ ମାତାର ପ୍ରସାରିତ ହସ୍ତ । ଧାନବିଲର ବେଣୀ ଉପରେ ବୁଲି ଯାଉଥିଲା ପବନର ଫାଜିଲ୍‌ ଆଙ୍ଗୁଳି । ରେଳ ଧାରଣା ଦୁଇ ପାଶ୍ୱର୍ରେ ଖୁବ୍‌ ସବୁଜ ଦିଶୁଥିଲା ଧାନ ବାଜରା ଓ ତୈଳବୀଜର କ୍ଷେତ । ଅରଣ୍ୟସମୂହ ଦିଶୁଥିଲେ ଖୁବ୍‌ ଘଞ୍ଚ । ପର୍ବତଶ୍ରେଣୀ ଦିଶୁଥିଲେ ଖୁବ୍‌ ଲମ୍ବ ଓ ଉଚ୍ଚ । ନୀଳ ଆକାଶରେ ଲାଗି ରହିଥିଲା ପକ୍ଷୀଙ୍କ ପଲଟନ ଓ ଭାସିଆସୁଥିଲା ସେମାନଙ୍କ କିଚିରିମିଚିରି ଅବୋଧ୍ୟ ସଂଗୀତ । ସତେ ଯେପରି, ସର୍ବତ୍ର ଚାଲିଥିଲା ଜୀବନ ଓ ଯୌବନର ଅନ୍ତହୀନନୀରାଜନା ।

 

ହିରୋଙ୍କୁ ପ୍ରତେ ହେଉଥିଲା, ଭାରତୀୟ ରେଳବାଇର ଏକ ଧତଡ଼ାରେଳଗାଡ଼ି ଉପରେ ନୁହେଁ, ସତେ ଯେପରି ସେ ଏକ ପକ୍ଷୀରାଜଘୋଡ଼ା ଉପରେ ବସିଛନ୍ତି । ଘୋଡ଼ାର ପକ୍ଷ ଦୁଇଟି ମେଘ ଚୁମି, ଜହ୍ନକୁ ଛୁଇଁ, ତାରାଙ୍କୁ ଡେଇଁ ସେମାନଙ୍କୁ ନେଇ ଚାଲିଛି ଏକ ଅଜଣା ସ୍ୱପ୍ନର ରାଜ୍ୟକୁ ।

 

ଏ ଭିତରେ ଆଉ ଏକ ବଡ଼ ଷ୍ଟେସନ୍‌ ଆସିଛିନାଗପୁର । ସେମାନେ କମଳା କିଣିଛନ୍ତି, ଭୁଷାବଳୀ କଦଳୀ କିଣିଛନ୍ତି, ବୀଜ-ବିହୀନ ଅଙ୍ଗୁର କିଣିଛନ୍ତି । ବାଟରେ ବି ଅନେକ ଖର୍ଚ୍ଚ ହୋଇଛି । ମୁକ୍ତ ହସ୍ତରେ ସବୁ ବହନ କରିଛନ୍ତି ହିରୋ । ସେଦିନ ତାଙ୍କର ଆଚାର ବ୍ୟବହାର, ସଲଜ୍ଜ ହସ, କଥାବାର୍ତ୍ତା ନିରୀକ୍ଷଣ କରି ଏକ ପ୍ରେମ ଅନଭିଜ୍ଞ ବାଳ ବୈରାଗୀ ବି କହିଦେଇ ପାରିଥାନ୍ତା ଯେ ହିରୋ ଏବେ ପ୍ରେମର ଅତଳ ଦରିଆରେ ନିମଗ୍ନ ।

 

‘ପ୍ରେମ ଅନ୍ଧ’ ବୋଲି ଯେଉଁ ପ୍ରବଚନଟି ଅଛି, ତାହା ସଠିକ୍‌ ଭାବେ ପ୍ରଯୁଜ୍ୟ ଥିଲା ଆମ ହିରୋଙ୍କ ପାଇଁ । ରାତ୍ରିଭୋଜନ ପରେ ହିରୋଇନ୍‌ଙ୍କୁ ନିଦ ଆକ୍ରମଣ କରୁଥିଲା । କିନ୍ତୁ ହିରୋଙ୍କ ଆଖିରେ ନିଦ ନାହିଁ । ରେଳଡବାର ସ୍ତିମିତ ଆଲୋକରେ ଦିନ ଅପେକ୍ଷା ଆମ ହିରୋଇନ୍‌ ଦିଶୁଥିଲେ ଅଧିକ ସୁନ୍ଦର ।

 

ହିରୋ ଭାବି ଚାଲିଥାନ୍ତି, ଅସରନ୍ତି ହୁଅନ୍ତା କି ଏହି ରେଳଯାତ୍ରା ! କଣା ଛାତ, ଧୂଳି ଧୂସରିତ ଡବା, ଛିଣ୍ଡା ରେକସିନ୍‌, କଚ୍ଛପକୁ ଧିକ୍‌କାର କରୁଥିବା ଗାଡ଼ିର ଗତି ସବୁସତ୍ତେ୍ୱ ଯାତ୍ରାଟା ଲାଗିରହନ୍ତା କି ଚିରନ୍ତନ । ଆସନ୍ତା ନାହିଁ ଭୁଷାବଳ, ସୁରତ, ବରୋଦା କିମ୍ବା ଅହମଦାବାଦ । ଅନ୍ତରୀକ୍ଷର କୌଣସି ଗ୍ରହର ଚତୁଃପାଶ୍ୱର୍ରେ ଏକ ଉପଗ୍ରହ ପରି ଘୂରି ବୁଲୁଥାନ୍ତା ଟ୍ରେନ୍‌-ଅହୋରାତ୍ର, ମାସ ମାସ, ବର୍ଷ ବର୍ଷ ଧରି । ଅକ୍ଷୟ ହୋଇରହିଯାନ୍ତା ଏ ସୁନେଲି ଯାତ୍ରାର ଅନୁଭୂତି । ଅକ୍ଷୁଣ୍ଣ ହୋଇ ରହିଥାନ୍ତା ଆଜି ଦିନର ହର୍ଷ-ଆନନ୍ଦ ବିଜଡ଼ିତ ମୂର୍ତ୍ତ ମଧୁର ମୁହୂର୍ତ୍ତଗୁଡ଼ିକ ।

 

କଥୋପକଥନ ବେଳେ ହିରୋ ଚତୁରତା ସହକାରେ ନିଜ ସମ୍ପର୍କରେ କେବଳ ଭଲ କଥାତକ କହିଛନ୍ତି ଏବଂ ଖରାପ ଜିନିଷଗୁଡ଼ିକଏଡ଼ାଇ ଯାଇଛନ୍ତି । ସେ ସର୍ବ ଭାରତୀୟ ସେବାର ପ୍ରଥମ ଶ୍ରେଣୀର ଏକ ସମ୍ମାନଜନକ ଅଧିକାରୀ । ତାଙ୍କର ରୁଚି ପଢ଼ିବା, ଲେଖିବା, ଖେଳିବା ଇତ୍ୟାଦି ବିଷୟରେ । ନିଜର ଘର ଓ ପରିବାର ସମ୍ପର୍କରେ ଯାହା ଆଭାସ ଦେଇଛନ୍ତି ସେଥିରେ ଥିଲା ଅତିରଞ୍ଜନ ବେଶି-ପାଣି ବେଶି, କ୍ଷୀର କମ୍‌ । କେମିତି ବା କହିଥାନ୍ତେ ଯେ, ତାଙ୍କ ଘର ଗଡ଼ଜାତ ଅଞ୍ଚଳରେ ଏକ ଅନାମଧେୟ ମଫସଲ ବସ୍ତିରେଯେଉଁଠି ମଟର ସାଇକେଲଟିଏ ଦେଖିଲେ ଦଳେ ମାଙ୍କଡ଼ମୁହାଁଟୋକା ମାଇଲିଏଗୋଡ଼ାନ୍ତି ? କେମିତି କହି ଦେଇଥାନ୍ତେ ଯେ, ଗାଁରେ ବାଟିଏ ଜମି ଥିଲେ ବି ସେଠି ଇନ୍ଦ୍ର ମହାପ୍ରଭୁଙ୍କ କୃପାରୁ ଚାକୁଣ୍ଡା ବୁଣିଲେ ମଧ୍ୟ ଉଠେନା ? କେମିତି ସେ କହିଦେଇଥାନ୍ତେ ଯେ ତାଙ୍କ ଗୁହାଳରେ ଗୋଠେ ଗାଈ, କିନ୍ତୁ ସେ ଗୋମାତାମାନେଲାଳିତପାଳିତ ହୋଇଥାନ୍ତି ଦୁଧ ଦେବାପାଇଁ ନୁହେଁ, ଖତ ଦେବାପାଇଁ ? କେମିତି କହିଦେଇଥାନ୍ତେ ଯେ, ନଇଁକରି ଗଲାବେଳେ ସେ ଚାଳର ଛପରମାନେ ସାବାସି ଦେଇଥାନ୍ତି ମୁଣ୍ଡର ପଶ୍ଚାତ୍‌ ଭାଗରେ ? ପୁନଶ୍ଚ କେମିତି ବା କହିଥାନ୍ତେ ଯେ, ସେଠି କାଉ ରାବନ୍ତେ ଭାଇ ଭାଇ ଭିତରେ ସୂଚ୍ୟଗ୍ର ମେଦିନୀ ପାଇଁ ଲାଗିଯାଏ ମହାଭାରତ ସମର ?

 

ସେ ତ ମନେ ମନେ ଭାବୁଥିଲେ କହିବେ ଯେ, ତାଙ୍କ ଘର ଓଡ଼ିଶାରେ ନୁହେଁ ଦିଲ୍ଲୀରେ ।

 

ଯାହା ଯାହାସତକଥା, ସେୟା କହିବାର ସତ୍‌ ସାହସ କରିଥାନ୍ତେ, ଯଦି ସେମାନେ ହୋଇଥାନ୍ତେ ହିନ୍ଦୀ ସିନେମାର ହିରୋ-ହିରୋଇନ୍‌ । ରୂପେଲୀ ପର୍ଦ୍ଦାର ଦୁନିଆରେ ଏହି ପରିସ୍ଥିତିରେ ହିରୋଇନ୍‌ଙ୍କର ଆଖି ହୋଇଥାନ୍ତା ଉଦ୍‌ବେଳ । ହିରୋଇନ୍‌ଙ୍କର ଗଳନାଙ୍କ ଆସିଯାଇଥାନ୍ତା ଦଶ ମିନିଟ୍‌ରେ ଏବଂ ସେହି ପ୍ରଥମେ ଲମ୍ଫ ଦେଇଥାନ୍ତେ ପ୍ରେମର ଅଥଳ ଦରିଆରେ ।

 

କିନ୍ତୁ ବାସ୍ତବିକ୍‌ ଦୁନିଆରେ ଏଭଳି ଭାବପ୍ରବଣତାର ସ୍ଥାନ କାହିଁ ? ସ୍ୱପ୍ନର ଦୁନିଆ ଓ ବାସ୍ତବତାର ଦୁନିଆ ଭିତରେ ଆକାଶ ପାତାଳ ପାର୍ଥକ୍ୟ । ବାସ୍ତବତାର ଡହଡହ ଖରା ଦେଖି ମଧୁର ଗୀତର ପ୍ରଲୋଭନରେ ଉଡ଼ି ଆସିଥିବା ଚଢ଼େଇ ଫେରିଯାଇଥାନ୍ତି ତାଙ୍କ ନିର୍ଭରଯୋଗ୍ୟ ଛାୟାବାନ୍‌ ଗଛର ଡାଳକୁ । ପଦ୍ମତୋଳା ରାଗିଣୀ ଶୁଣି ବାହାରକୁ ଚାଲିଆସିଥିବା ନାଗୁଣୀ ଫେରିଯାଇଥାଏ ସାତତାଳ ପାଣିର ପୋଖରୀକୁ ।

 

“ନା, ମୁଁ ଏଭଳି କିଛି ଆତ୍ମଘାତୀ ପଦକ୍ଷେପ ନେବିନି’’ଏହା ସ୍ଥିର କରି ହିରୋ ଭାସି ଯାଇଥିଲେ ବାସ୍ତବତାର ଚିନ୍ତାଠାରୁ ଅନେକ ଦୂରକୁ ।

 

ଇତି ମଧ୍ୟରେ ପାଠକମାନେ ବୋଧେ ଅଧୈର୍ଯ୍ୟ ହେବେଣି । ଲେଖକ କ’ଣ ସେଇ ହିରୋ, ସେହି ହିରୋଇନ୍‌, ସେମାନଙ୍କ ଡାଏଲଗ୍‌ ଏଥିରେ ଗପ ସାରିଦେବେ କି ? ପ୍ଲଟରେ କ’ଣ ଭିଲେନ୍‌ ନାହିଁ ? ଯଦି ଅଛି, ତାକୁ କାହାଣୀର ବଳୟକୁ ଆଣିବାକୁ ଏତେ ଡେରି ଲଗାଉଛନ୍ତି କାହିଁକି ?

 

ପାଠକେ ଟିକିଏ ଧୈର୍ଯ୍ୟ ଧରିବା ହେବେ । ଭିଲେନ୍‌ ଅଛି । ସେ ଭିଲେନ୍‌ର ମଞ୍ଚ ଉପରକୁ ଆସିବାର ଏକ ସମୟ ଅଛି । ଏ ଯେଉଁ ଭିଲେନ୍‌ର ବର୍ଣ୍ଣନା ହେବ, ସେ କୌଣସି ସାଧାରଣ ଭିଲେନ୍‌ ନୁହେଁ । ଲମ୍ବା ଲମ୍ବା ମୁଖ, ଲାଲ ଲାଲ ଆଖି, ଲଣ୍ଡା ମୁଣ୍ଡ ନେଇ ଗୁଣ୍ଡା ଗର୍ଦ୍ଦି କରୁଥିବା ଚଳଚ୍ଚିତ୍ର ଜଗତର ଭିଲେନ୍‌ ପରି ନୁହେଁ ସେ ।

 

ଆମ କାହାଣୀର ଭିଲେନ୍‌ ଖୁବ୍‌ ଭୟଙ୍କର । ହେଲେ ଦିନର ଆଲୋକକୁ ତା’ର ଡର । ସୂର୍ଯ୍ୟଦେବଙ୍କତେଜୀୟାନ କିରଣରେ ସେ ହୋଇଯାଏ ଅନ୍ଧ । ରାତ୍ରିର ଅନ୍ଧକାର ତା’ର ସଖା । ରାତ୍ରିର ନିର୍ଜନତା ତା’ର ସହଚର । ତେଣୁ ସେ ଆସିବ ରାତ୍ରିର ନିସ୍ତବ୍ଧ ପ୍ରହରରେ, ନୀରବ ପଦପାତରେ ।

 

ଆମ କାହାଣୀର ଖଳନାୟକ ଏକ ଭୁଜଙ୍ଗ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ, ଅପେକ୍ଷାମାଣ ପାତ୍ରଟି ଶେଷକୁ ଏକ ସରୀସୃପ ବିଶିଷ୍ଟ ପ୍ରାଣୀ । ପାଠକେ, ପୃଥିବୀର ଆଦିମ ଖଳନାୟକ କିଏ କହିଲେ ? ସେ ଥିଲା ଏକ ଭୁଜଙ୍ଗ । ଶୟତାନ ଆସିଥିଲା ଏକ ସରୀସୃପର ଛଦ୍ମବେଶରେ । ସୃଷ୍ଟିର ଆଦିମତମ ମନୁଷ୍ୟ ଆଦାମ୍‌ ଓ ଇଭ୍‌ । କେଡ଼େ ଆନନ୍ଦରେ କାଳାତିପାତ କରୁଥିଲେ ସ୍ୱର୍ଗରେ ! କେତେ ସ୍ୱଚ୍ଛନ୍ଦରେ ବିଚରଣ କରୁଥିଲେ ନନ୍ଦନକାନନରେ ! ସ୍ରଷ୍ଟାଙ୍କ ଅନୁକମ୍ପାରେ ସେମାନେ ଥିଲେ ଉତ୍‌ଫୁଲ୍ଲ । ଏକ ବିଶାଳ ଆକାଶ ପରି ତାଙ୍କ ମସ୍ତକ ଉପରେ ଥିଲା ସ୍ରଷ୍ଟାଙ୍କ ବରାଭୟ ମୁଦ୍ରାର ଛତ୍ରଛାୟା । କିନ୍ତୁ ଶୟତାନକୁ ଏସବୁ ଦେହସୁହା ହେବ କେମିତି ? ସେ ଭୁଜଙ୍ଗ ରୂପରେ ଆସି ଆଦାମ୍‌ ଓ ଇଭ୍‌ଙ୍କୁପ୍ରଲୁବ୍ଧ କଲା ଜ୍ଞାନର ଫଳ ଭକ୍ଷଣ ପାଇଁ, ଯାହା ସ୍ରଷ୍ଟାଙ୍କ ଦ୍ୱାରା ଥିଲା ଏକାନ୍ତ ଭାବେ ନିଷିଦ୍ଧ ।

 

ତେଣୁ ଆମ କାହାଣୀରେ ଏକ ଭୁଜଙ୍ଗ ହୋଇ ଭିଲେନ୍‌ ଆସିବା କିଛି ଅବାସ୍ତବ ନୁହେଁ ।

 

ସେତେବେଳେ ରାତ୍ରି ଗଭୀରରୁ ଗଭୀରତର ହେବାକୁ ଲାଗିଥିଲା । ପୂର୍ବ ରାତ୍ରିରେ ଗର୍ଜିଗର୍ଜି ଥକି ଯାଇଥିବା ବର୍ଷା ପୁଣି ଆସିଲା ପ୍ରବଳ ପରାକ୍ରମରେ । ଜରାଜୀର୍ଣ୍ଣରେଳଡ଼ବାର ପିଞ୍ଜରା ଉପରେ ପୁଣି ପଡ଼ିଲା ବରକୋଳି ଟୋପାର ଅଜସ୍ର କୋରଡ଼ାମାଡ଼ । ରେଳ ଡବାମାନଙ୍କରଦୀର୍ଘଶ୍ୱାସ ଲୁଚି ଯାଇଥିଲା ପବନର ସୁଉସୁଉ ଶବ୍ଦରେ । ଝର୍କାର ଫାଙ୍କ ଦେଇ ପାଣିର ଛିଟିକାମାନ ଗଳି ଆସୁଥିଲେ, ଯାତ୍ରା ପାର୍ଟିର ଚିରାତମ୍ବୁ ଭିତରେ ଗଳି ଆସୁଥିବା ବସ୍ତି ପିଲାପରି ।

 

ପ୍ରବଳ ବର୍ଷାରେ ଭୁଜଙ୍ଗ ହୁଏ ବେଶୀ ଉଦ୍ଦାମ । ବର୍ଷାର ପ୍ରକୋପରେ, ଜୀବଜନ୍ତୁ, ପଶୁପକ୍ଷୀ, କୀଟ ଓ ପତଙ୍ଗ ସଭିଏଁ ତଟସ୍ଥ ପାଲଟି ଯାଆନ୍ତି । ଏକ ଅଦ୍ଭୁତ ଜଡ଼ତାଘୋଟିଆସେ ତାଙ୍କ ଶିରାପ୍ରଶିରାରେ । କୁଙ୍କୁରିକାଙ୍କୁରି ହୋଇ ଶାବକକୁ ବକ୍ଷରେ ଜଡ଼ାଇ ଶୋଇବାର ଉପକ୍ରମ କରନ୍ତି ନୀଡ଼ରେ ପକ୍ଷୀ, ପଥର ସନ୍ଧିରେ, ଗୁମ୍ଫାରେ ଯେତେ ବନଚର । ଗଛର ଖୋଲରେନିଥର ହୋଇ ବସିରହନ୍ତି ପେଚା, ଗୁଣ୍ଡୁଚିମୂଷା ଆଶ୍ଚର୍ଯ୍ୟ ଚକିତ ଆଖିରେ । କିନ୍ତୁ ଭୁଜଙ୍ଗ ପାଇଁ ବର୍ଷା ହିଁ ପୁଷମାସ । ବର୍ଷା ହେଲେ ସେ ବିଲରୁ ସରସର ହୋଇ ବାହାରେ । ପାଣିକୁ ତା’ର ନ ଥାଏ ଡର । କାଦୁଅକୁ ନ ଥାଏ ଖାତିର । ବର୍ଷା କାଳ ହିଁ ତା’ର ରାଜୁତି କରିବାର ସମୟ । ସେଇଟା ତା’ର ଗ୍ରାସ କରିବାର ମାହେନ୍ଦ୍ରବେଳା । ବର୍ଷାକୁ ଡରି ନୀରବ ନିଃଶବ୍ଦରେ ବସିଥିବା ପ୍ରାଣୀଙ୍କୁ ସେ କାବୁ କରେ ।

 

ରାତି ବୟସ୍କା ହେବା ସଙ୍ଗେ ସଙ୍ଗେ ଭୁଜଙ୍ଗ ନିଜର କାୟା ବିସ୍ତାର କରୁଥିଲା । ହିରୋଙ୍କ ତନୁରେ ମନରେ ଏବେ ଅଭୂତପୂର୍ବ ସ୍ପନ୍ଦନ । ସେ ଏବେ ସମ୍ପୂର୍ଣ୍ଣତଃ ଭୁଜଙ୍ଗର କବଳରେ । ସତେ ଯେପରି କିଛି ଗୋଟିଏ ତାଙ୍କ ଅନ୍ତରାତ୍ମା ବିଦୀର୍ଣ୍ଣ କରି ବାହାରକୁ ଚାଲିଯିବାକୁ ଚାହୁଁଛି । କକ୍ଷଚ୍ୟୁତ ହୋଇ ଏକ ଭିନ୍ନ କକ୍ଷକୁ ଲମ୍ଫ ଦେବାକୁ ଉତ୍ସୁକ ହେଉଛି ତାରକାଟିଏ ।

 

ଆଜି ଦିନସାରା କେଡ଼େ ଆନନ୍ଦରେ ନ କଟିଛି ? କି ରୋମାଞ୍ଚକର ତା’ର ବାସ୍ନା ! କି ଅନନ୍ୟ ସେ ଅନୁଭୂତି ! ସେ ସ୍ୱର୍ଗୀୟ ଶିହରଣକୁ ଧୂଳିସାତ୍‌ କରିଦେବାକୁ ବସିଛି ଭୁଜଙ୍ଗ । ଭିଲେନ୍‌ମାନଙ୍କର କାମ ବା ଆଉ କ’ଣ ଥାଇପାରେ ? ହେଲା କାମକୁ ଭଣ୍ଡୁର କରିବା, ପାଚିଲା ଧାନ କିଆରୀରେ ଷ„ ଛାଡ଼ିଦେବା, ଅର୍ଥକୁ ଅନର୍ଥ କରିବା ଓ ଘଟଣାକୁ ଅଘଟଣ କରିବା ତା’ର ଧର୍ମ ।

 

ଭୁଜଙ୍ଗୀୟ ପ୍ରକୃତି ସେ ଛାଡ଼ିବ କେମିତି ? ସେ ଯେମିତି ଖତେଇ ହୋଇ ଭାଗବତର ପ୍ରସିଦ୍ଧ ଦୁଇଧାଡ଼ି ଆବୃତ୍ତି କରୁଛି : ସର୍ପ ଜନମ ଦେଲୁ ମୋତେ, ସ୍ୱଭାବଛାଡ଼ିବି କେମନ୍ତେ ।

 

ପାଖ ବର୍ଥରେ ପରମ ସନ୍ତୋଷରେ ଶୋଇଛନ୍ତି ହିରୋଇନ୍‌ । କିଛି ଗୋଟିଏ ସୁଖ ସ୍ୱପ୍ନରେଶିହରିତ ହୋଇଉଠୁଛି ତାଙ୍କ ଆଖିପତା । କମ୍ପାଟମେଣ୍ଟର ନୀଳାଭ ଆଲୋକରେ ଚାଦର ତଳୁ ଦିଶି ଯାଉଛି ଦୁଇଟି ପାଦର ଶେ୍ୱତପଦ୍ମ । ସେଥିରେ ଗୁଡ଼ାଇ ହୋଇ ଶୋଇବାକୁ ଚାହୁଁଛି ଭୁଜଙ୍ଗ । ହିରୋଇନ୍‌ କଡ଼େ ନିଦ ଶୋଇସାରିପାଶ୍ୱର୍ ପରିବର୍ତ୍ତନ କଲାବେଳକୁ ଭୁଜଙ୍ଗ ଆଖିକୁ ଦିଶିଯାଉଛି ଏକ ଡାଳିମ୍ବର ବଣ । ସେ ବଣ ଭିତରେ ମୁଣ୍ଡ ଗୁଞ୍ଜିବା ପାଇଁ ଡହଳ ବିକଳ ହେଉଛି ଭୁଜଙ୍ଗ ।

 

ବାହାରେ ବର୍ଷାର ବି ବିଶ୍ରାମ ନାହିଁ । ଏକ କ୍ରୂର ପ୍ରଭୁର ଆଦେଶରେ ଏକ ଅନାଥ କ୍ରୀତଦାସ ବଗିଚାରେ ପାଣିଢ଼ାଳି ଚାଲିଲା ପରି, ବର୍ଷା ଢାଳୁଛି ଅନବରତ । ଖୁବ୍‌ ଜୋର୍‌ରେଭିଡ଼ିମୋଡ଼ି ହେଲା ଭୁଜଙ୍ଗ । ସେ ଏବେ ଫଣା ତୋଳି ଦଂଶନ କରିବାକୁ ଉଦ୍‌ଗ୍ରୀବ । ତା’ର ଜିଭ ଦୁଇଟି ଦିଶୁଛନ୍ତି ଲହ ଲହ । ଏଇ ବୋଧେ ଭୁଜଙ୍ଗର ବିଶ୍ୱରୂପ ।

 

ହିରୋ ପ୍ରମାଦ ଗଣିବାକୁ ଆରମ୍ଭ କଲେ । ସତେ ଯେପରି କିଛି ଗୋଟିଏ ଅନର୍ଥ ହୋଇଯିବ । କ୍ଷଣକରେ ପ୍ରଳୟ ଘୋଟିଆସିବ ଏଇ କମ୍ପାର୍ଟମେଣ୍ଟର କୁନିବ୍ରହ୍ମାଣ୍ଡରେ । ପରିଣତିଟା କ’ଣ ହେବ, ତାହା ଥିଲା ତାଙ୍କର କଳ୍ପନାତୀତ । ସେ ସବୁମତେ ପ୍ରୟାସ କରୁଥିଲେ ଭୁଜଙ୍ଗର ପ୍ରଭାବରୁ ଖସିଆସିବା ପାଇଁ । ତା’ରି ପ୍ରରୋଚନାରେ ସେ କୂଅକୁ ଡେଇଁ ପାରିବେ ନାହିଁ । ସେହି ପ୍ରଚେଷ୍ଟାରେ ଗମ୍‌ଗମ୍‌ ଝାଳ ବହିଯାଉଥିଲା ତାଙ୍କ ଅବୟବରୁ । ସେ ଖିଡ଼ିକି ଖୋଲିଦେଲେ ।

 

ହଠାତ୍‌... । କମ୍ପାର୍ଟମେଣ୍ଟର ଖୋଲା ଝର୍କା ବାଟେ କ’ଣ ଗୋଟିଏଉଡ଼ିଆସିଲା । ତା’ର ଡେଣା ଫଡ଼ଫଡ଼ରେଖସିପଡ଼ିଲାହୁକରେ ଟଙ୍ଗାଥିବା ହିରୋଙ୍କ ପ୍ୟାଣ୍ଟ ସାର୍ଟ... ସେଥିରେ ଥିବା କିଛି କାଗଜ ।

 

ଧଳା ପେଚାଟିଏ । ଇୟେ କ’ଣ ଅଶୁଭ ସଂକେତ ? ଝାଳ ବାହାରିଗଲା ଆହୁରି ଜୋରରେ । ଇୟେ କ’ଣ ନିୟତି ? ଯେ ଯାତ୍ରାପାର୍ଟିରେ ହଠାତ୍‌ ଆଭିର୍ଭୂତ ହୋଇଯାଏ କିଛି ଗୋଟିଏ ଚେତାବନୀ ଦେବାପାଇଁ ?

 

ଲାଇଟ୍‌ ଲଗାଇବାକୁ ଗଲାବେଳେ ପେଚାଟି ପୁଣି ଡେଇଁ ପଡ଼ିଥିଲା ଅନ୍ଧାରର ଗର୍ଭକୁ । ହିରୋ ମନିପର୍ସ, ସେଥିରୁ ପଡ଼ିଥିବା କାଗଜ ଓ ଫଟୋଟିଏ କାଢ଼ି ପାଖ ଟେବୁଲ୍‌ ଉପରେ ରଖି ଶୋଇବାକୁ ଚେଷ୍ଟା କଲେ ।

 

କିଛି ସମୟ ପରେ ତାଙ୍କ ମନରେ କିଛି ଶବ୍ଦର ଗୁଞ୍ଜନ । ସେ ଏକ ଉପହାସର ଶବ୍ଦ ।

 

“କ’ଣ ହିରୋ ? କି ସୁଆଙ୍ଗ ଚାଲିଛି ? କ’ଣ ସବୁ ମନରୁ ପାଶୋର ହୋଇଗଲାଣି ?

 

କିଏ କହୁଛି ? କ’ଣ ସେ ଭୁଲିଗଲେଣି ? ହିରୋ ବିବ୍ରତ । ନା, ତାଙ୍କର ସବୁ ମନେଅଛି । ଫଟୋଟି ଦେଖି ପୁଣି ଥରେ ଓଲଟାଇ ରଖିଦେଲା ପରେ ତାଙ୍କ ଶିରା ପ୍ରଶିରାରେବାକୀ ଥିବା ଝାଳତକ ବାହାରିଗଲା ଝର ଝର ହୋଇ ।

 

ଏବେ ହିରୋଙ୍କର ସ୍ମୃତିର ଅଗଣାକୁ ଗୋଟି ଗୋଟି ଘଟଣା ଉଡ଼ି ଆସିଛନ୍ତି ଲୋଟଣୀ ପାରା ଭଳି । ରେଳବାଇ ଚାକିରି ପାଇଲା ପରେ ଅନେକ ଆଡ଼ୁ ବିବାହ ପ୍ରସ୍ତାବ ଆସିଥିଲା ହିରୋଙ୍କ ପାଇଁ । ଦୀର୍ଘ ଦିନର ଓଡ଼ିଶାର ବାହାରେ ଟ୍ରେନିଂ ଯୋଗୁଁ ପାତ୍ରୀ ନିର୍ବାଚନ ଭାର ଥିଲା ତାଙ୍କ ପିତାଙ୍କ ଦାୟିତ୍ୱରେ । ଏଇ କିଛି ଦିନ ତଳେ ଏହି ଫଟୋବାଲୀ ସହିତ ନିର୍ବନ୍ଧ ହୋଇଛି କପିଳାସରେ । ଫଟୋବାଲୀକୁ ଯେ ହିରୋ ଦେଖି ନାହାନ୍ତି, ତା’ ନୁହେଁ । ସେଦିନର ଔପଚାରିକ ସାକ୍ଷାତ୍‌କାରର ଦିନ । ମିତଣୀ, ଭଉଣୀମାନଙ୍କ ସହ ଏକ ସଲଜ୍ଜ ସ୍ମିତହାସ୍ୟ ସହ ଆସିଥିଲେ ଏହି ଫଟୋବାଲୀ । କଣେଇ କଣେଇ ଚାହୁଁଥିଲେ ହିରୋଙ୍କଆଡ଼େ । ସାମାନ୍ୟ ଆଳାପ, ଭୁରି ଭୋଜନ, ଭୋଜନ ପର୍ବର ଅନ୍ତେ ସ୍ୱାଦିଷ୍ଟକଷ୍ଟାର୍ଡ ପରେ ହିରୋ ସେଦିନ ହିଁ ଦେଇଥିଲେ ନୀଳ ସଙ୍କେତ ।

 

କିନ୍ତୁ ସେ ତ ଏଠି ପ୍ରଥମ ଦେଖାରେ ପ୍ରେମରେ ପଡ଼ିଗଲେଣି । ପ୍ରେମ ଯେ ଅନ୍ଧ । ସେ କ’ଣ କରିବେ ?

 

ପୁଣି ଥରେ ସେହି ବାୟବୀୟ ସ୍ୱର“ପ୍ରେମ... । କ’ଣ ଜାଣ ତମେ ପ୍ରେମ ସମ୍ପର୍କରେ ? ପ୍ରେମ କ’ଣ ଏକ ଖେଳଘର ? ଏକ ପ୍ରବୃତ୍ତି, ଏକ ଦୁର୍ବଳତା ନା ଏକ ଦୁର୍ଘଟଣା ? ପ୍ରେମର ସଂଜ୍ଞା ‘ଲିବିଡ଼ୋ’ ନୁହେଁ । ପ୍ରେମ ଏକ ନିଭୃତ ସାଧନା । ଏକ ନୀରବ ନୀରାଜନା ।

 

ପ୍ରେମ ଏକ ଚଳନ୍ତି ଇତିହାସଏହା କୌଣସି ଉପନ୍ୟାସର ଏକ ଅଧ୍ୟାୟନୁହେଁ ।’’

 

ଅନ୍ୟ ପଟୁ ଶୁଭୁଥିଲା ଏକ ଗର୍ଜନ, ଏକ ଫଁ ଫଁସ୍ୱର ।

 

“କ’ଣ ହିରୋ, ଏତିକିରେ ଜିରୋ ହେଲଣି ? ଫଟୋବାଲୀ ହିଁ ବସ୍ତୁତଃ ତୁମର ପିତାମାତାଙ୍କ ଚଏସ୍‌ । ତା’ପରେ ଖାଲି ନିର୍ବନ୍ଧ ହୋଇଛି ତ । ତମେ କନ୍ୟା ପିତାଙ୍କଠାରୁ ଯଦି କିଛି ‘ଆଡଭାନ୍ସ’ କରଗତ କରିଛ ତାକୁ ଯଥାଶୀଘ୍ର ଫେରାଇ ଦିଅ ।

 

ମୋର କଥା ମାନ । ପାଖରେ ଥିବା ତରୁଣୀଟି ଉଚ୍ଚ ଶିକ୍ଷିତା, ଆଧୁନିକା । କ୍ଲବ୍‌କୁ ଯିବାକୁ, ପାର୍ଟିକୁ ଯିବାକୁ କିଏ ଯୋଗ୍ୟ ତମେ ନିଜେ ଭାବି ଦେଖିଲ । ମୋର କଥା ମାନ । ହାତ ପାହାନ୍ତାକୁ ନଇଁ ଆସିଥିବା ସ୍ୱର୍ଗକୁ ଠେଲି ଦିଅନା ଦୂରକୁ ।’’

 

କେହି କୁଆଡ଼ୁ ଦିଶୁ ନାହାନ୍ତି । କିନ୍ତୁ ଦୁଇଟି ପରସ୍ପର ବିରୋଧୀ ସ୍ୱର ଶୁଭୁଛି କେତେବେଳେ ଆଗରୁ ତ କେତେବେଳେ ପଛରୁ । କେତେବେଳେ ଉପରୁ ତ କେତେବେଳେ ତଳୁ ।

 

ଜଣେ କହୁଛି, “ସେ ଦେଖା ସୁନ୍ଦର ବଉଳା ଗାଈ । ତା’ ନାଁଜାଣିଛ ନାଶମ୍ପା । ଯା’ର ଅର୍ଥ ଏକ ଅଗ୍ନିର ସ୍ପୁଲିଙ୍ଗ । ସେଥିରେ ତମେ ଭସ୍ମସାତ ହୋଇଯିବ ନିଜେ । ଭୁଜଙ୍ଗ ତୁମକୁ ଉସ୍‌କାଉଛି ନେଇଯିବାକୁ ନରକକୁପୂତିଗନ୍ଧମୟପାତାଳକୁ ।’’

 

ଆଉ ଜଣେ କହୁଛି ପୂର୍ବ ପରି ଚଢ଼ା ଗଳାରେ : “ବୋକା, ଗୁଡ଼ବକ୍‌ । ଢେଙ୍କୁକୋଉଠିକାର । ମୋ’ କଥା ନ ମାନିଲେ ଢିଙ୍କି କୁଟୁଥିବୁ, ଗୁଣ ଗାଉଥିବୁ ।’’

 

ହିରୋଙ୍କର ମତିଭ୍ରମ ହୋଇଯାଉଥିଲା । ନିୟତି ଓ ଭୁଜଙ୍ଗର ଲଢ଼ାଇରେ ସେ ନିଜକୁ ଅବାନ୍ତର ମନେକରୁଥିଲେ । ତାଙ୍କ ବ୍ୟକ୍ତିତ୍ୱ ଦୁଇ ଭାଗରେ ବିଭକ୍ତ ହେଲାଭଳି ଲାଗୁଥିଲା । ସେ ଭୁଜଙ୍ଗ ଓ ନିୟତି କ’ଣ ତାଙ୍କ ସତ୍ତାର ଦୁଇଟି ସ୍ୱରୂପଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ପରି ?

 

ଏ କାହାଣୀର ପରିସମାପ୍ତି ଘଟିଛି ଏକ ଆଣ୍ଟିକ୍ଲାଇମାକ୍ସରେ । ଅନେକ ପାଠକ କ୍ଷୁବ୍ଧ ହୋଇଥିବେ, ବିଶେଷକରି ତରୁଣ ଗୋଷ୍ଠୀର ପାଠକ ଯେ ସେମାନେ ଭାବୁଥିବା ଯୁକ୍ତିସମ୍ମତ ଉପସଂହାରରେ କାହାଣୀଟି ପହଞ୍ଚି ପାରିଲାନି । କିନ୍ତୁ ପାଠକେ କ୍ଷମାକରିବେ । ସବୁ କାହାଣୀର ସମାପ୍ତି କ’ଣ କ୍ଲାଇମାସ୍କରେ ? ସବୁ ଗଳ୍ପର ଅନ୍ତ କ’ଣ ହିରୋ-ହିରୋଇନ୍‌ ବା ରାଜକୁମାର-ରାଜକୁମାରୀଙ୍କ ମିଳନରେ ?

 

ହିରୋ ସକାଳୁ ଆବିଷ୍କାର କରିଥିଲେ ଯେ ଭୁଜଙ୍ଗ ଦଂଶନ କରିଛି ନିଜକୁ । ନିଜର ବିଷର ଜ୍ୱାଳାରେ ନିସ୍ତେଜ ହୋଇପଡ଼ିଛି ସେ । ଭାଙ୍ଗିଯାଇଛି ତା’ର ଭୁଜ ଓ ଜଙ୍ଘ ।

 

କିନ୍ତୁ ଭୁଜଙ୍ଗ ମରିନି । ଭୁଜଙ୍ଗର ମୃତ୍ୟୁ ନାହିଁ । ଯାବତ୍‌ ଚନ୍ଦ୍ରସୂର୍ଯ୍ୟ ଏ ବ୍ରହ୍ମାଣ୍ଡରେ ଆତଯାତ କରୁଥିବେ, ଯାବତ୍‌ ଜୀବଜଗତ ଏ ମହୀମଣ୍ଡଳରେନିଃଶ୍ୱାସପ୍ରଶ୍ୱାସ ନେଉଥିବେ, ଭୁଜଙ୍ଗ ବଞ୍ଚିଥିବ । କିନ୍ତୁ ଆଜି ଭୁଜଙ୍ଗର ପରାଜୟ ହୋଇଛି ।

 

ସାମନା ବର୍ଥରେ ଏକ ଶାନ୍ତ ସ୍ନିଗ୍ଧଦେବୀ ମୂର୍ତ୍ତି ପରି ହିରୋଇନ୍‌ଶୋଇଥିଲେ । ତାଙ୍କ ଓଠର ଫାଙ୍କରେ ଲାଖି ରହିଥିଲା ସ୍ମିତହସର କ୍ଷୀଣରେଖାଟିଏ । ଭୁଜଙ୍ଗର ଜୟ ହୋଇଥିଲେ ଏହି ତନ୍ଦ୍ରାଚ୍ଛନ୍ନ ମୁହଁଟିରେ ନ ଥାନ୍ତା ସେହି ଦାମୀ ହସ ଟିକକ । ଭୁଜଙ୍ଗମାନଙ୍କର ଜୟ ହେଉଥିଲେ ଫୁଲରେ ନଥାନ୍ତାସୌରଭ । ନଥାନ୍ତା ଚଢ଼େଇମାନଙ୍କର କଣ୍ଠରେ ମୁଗ୍ଧକଳରବ । ସଂସାରଟା ବିଶ୍ୱାସରତଡ଼ାଗ ପରିବର୍ତ୍ତେ ବନିଥାନ୍ତା ଏକ ବିଷର ପିଆଲାରେ । ହିରୋଙ୍କବାଗ୍‌ଦତ୍ତାର ଫଟୋରେ ଆଶ୍ୱସ୍ତିର ହସ ବଦଳରେ ଥାଆନ୍ତା ଅନ୍ତହୀନ କାରୁଣ୍ୟ । ହବ୍‌ସ କହିଲା ଭଳି ଜୀବନଟା ହୋଇଥାନ୍ତା ଦୁର୍ବିସହ-ମ୍ଳେଚ୍ଛ, ବର୍ବର ଓ କ୍ଷଣଭଙ୍ଗୁର ।

 

ସକାଳର ସୂର୍ଯ୍ୟ ଘାସ ଉପରୁ ଶିଶିର ବିନ୍ଦୁ, ବାୟୁମଣ୍ଡଳରୁ କୁହୁଡ଼ିର କଣିକାମାନଙ୍କ ସହ ହିରୋଙ୍କର ମସ୍ତିଷ୍କରୁ ସମସ୍ତ ସଂଶୟକୁ ଅପସାରିତ କରିଦେଇଥିଲା । ବରୋଦା ଷ୍ଟେସନରେ ଓହ୍ଲାଇ ହାଣ୍ଡବ୍ୟାଗ୍‌, ସୁଟ୍‌କେଶ, ଟ୍ରେନିଂରେପଢ଼ିବା ପାଇଁ ବିଭିନ୍ନ ମେନ୍ୟୁଆଲ ପୁସ୍ତକ ପ୍ରଭୃତି ବୋହି ବୋହି, ଝୁଙ୍କି ଝୁଙ୍କି, ମୁଣ୍ଡ ତଳକୁ କରି ହିରୋ ଚାଲିଥିଲେଲଗେଜର ଓଜନ ଯୋଗୁଁ ନୁହେଁ, ଏକ ତୀବ୍ର ଅପରାଧବୋଧର ଭାରୀ ବୋଝରେ । ସେ ନିଜେ ହୃଦୟଙ୍ଗମ କରୁଥିଲେ ଯେ ବିଗତ ରାତ୍ରିର ନିଭୃତ ପ୍ରହରରେ ସେ ରୂପାନ୍ତରିତ ହୋଇଥିଲେ ଏକ ଭୟାନକ ଭୁଜଙ୍ଗରେ ।

Image